ଜଣେ ତରୁଣ ତା’ର ମାଆଙ୍କୁ ପଚାରିଲା- ମା’ ତୁମେ ଏତେ କୋମଳ କାହିଁକି?
ମା’ ହସି ଦେଇ କହିଲେ- ତୁ ସେମିତି କାହିଁକି ଭାବୁଛୁ?
ତରୁଣ କହିଲା- ବାପା ଏତେ କଡ଼ା। ସେ ରାଗି ଗଲେ ତାଙ୍କ ମନକୁ ଯାହା ଆସେ ତୁମକୁ ଗାଳି ଦିଅନ୍ତି। ତୁମେ କିଛି କୁହନାହିଁ। କେବଳ ବାପା ନୁହନ୍ତି, ଅନେକ ଲୋକ ତୁମ ଉପରେ ଟାଣ ଦେଖାନ୍ତି। ତଥାପି, ଯନ୍ତ୍ରବତ୍ ତୁମେ ସବୁ କିଛି କରିଯାଅ। ଯେମିତି କିଛି ବି ହୋଇନାହିଁ। ତୁମେ ବୁଝିପାରୁନାହଁ, ସମସ୍ତେ ତୁମ ଏ ଦୁର୍ବଳତାର ସୁଯୋଗ ନେଉଛନ୍ତି। ତୁମେ ପ୍ରତିବାଦ କରୁ ନ ଥିବାରୁ ସବୁ କିଛି ନିର୍ବିକାର ଭାବେ ସହି ଯାଉଥିବାରୁ ଏମିତି ହେଉଛି।
ମା’ କହିଲେ- ମୁଁ କୋମଳ ନ ହୋଇ କଡ଼ା ହୋଇଥିଲେ କ’ଣ ହୋଇଥାଆନ୍ତା?
ତରୁଣ କହିଲା- ମୋ ସାଙ୍ଗ ଘରେ ଯାହା ହେଉଛି ତାହା ହୁଅନ୍ତା। ମଉସା ରାଗିଲେ ମାଉସୀ ଜବାବ ଦିଅନ୍ତି। ରାଗି ରୋଷେଇ କରନ୍ତି ନାହିଁ। ଏମିତି ଦିନେ ଦୁଇ ଦିନ ଗଲା ପରେ କଥା ଥଣ୍ତା ପଡ଼େ। କିନ୍ତୁ ମାଉସୀଙ୍କ ଟାଣପଣ ଭାଙ୍ଗେ ନାହିଁ।
ମା’ ଧୀରେ କହିଲେ- କୋମଳତାରେ ବି ଗୋଟିଏ ଶକ୍ତିି ଥାଏ। କୋମଳତାର ବି ଟାଣପଣ ଥାଏ। ତୋ ସାଙ୍ଗ ଘରେ ଯାହା ହୁଏ, ତାହା ତ ଏକ ଅଶାନ୍ତ ପରିବେଶ ସୃଷ୍ଟି କରେ! କିନ୍ତୁ ଆମ ଘରେ ସେମିତି ହେଉ ବୋଲି ମୁଁ ଚାହେଁନା। ମୋ କୋମଳତା ଯୋଗୁଁ ଘରେ ଶାନ୍ତି ବିରାଜମାନ କରେ। କାହା ମୁଣ୍ତରେ ରାଗ ଅଧିକ ସମୟ ରହିପାରେନା। ଯେଉଁ ବ୍ୟକ୍ତି ମୋ ସହିତ ଖରାପ ଆଚରଣ କରିଥାଆନ୍ତି, ଅନେକ ସମୟରେ ସେ ଅନୁତପ୍ତ ବି ହୁଅନ୍ତି। ସବୁ କିଛି ଠିକ୍ ଚାଲିଥିବା ଭିତରେ ବି ହୃଦୟ ପରିବର୍ତ୍ତନ ହେଉଥାଏ। ତେଣୁ କୋମଳତା ଏକ ଦୁର୍ବଳତା ନୁହେଁ। ତୁମେ ଯାହାକୁ ହାରି ଯିବା ଭଳି ଦେଖୁଛ, ତାହା ହିଁ ପ୍ରକୃତରେ ବିଜୟ ଲାଭ କରିବାର ଅସ୍ତ୍ର। ଏହାର ବିଶେଷତ୍ବ ହେଉଛି ଏଥିରେ କାହାକୁ ନ ହରାଇ ଜିତି ହୋଇଥାଏ।
କଥାଟିଏ-ଯାଯାବର: ମା’ଙ୍କ ଉତ୍ତର
ଜଣେ ତରୁଣ ତା’ର ମାଆଙ୍କୁ ପଚାରିଲା- ମା’ ତୁମେ ଏତେ କୋମଳ କାହିଁକି? ମା’ ହସି ଦେଇ କହିଲେ- ତୁ ସେମିତି କାହିଁକି ଭାବୁଛୁ? ତରୁଣ କହିଲା- ବାପା ଏତେ କଡ଼ା। ସେ ରାଗି ଗଲେ ତାଙ୍କ ମନକୁ ଯାହା ଆସେ ତୁମକୁ ଗାଳି ଦିଅନ୍ତି। ତୁମେ କିଛି କୁହନାହିଁ।
/sambad/media/media_files/4gXaeJpVRwjMhCybVeWv.jpg)