ଜଣେ ଯୁବକ ପହଞ୍ଚିଲା ସୁଫି ସନ୍ଥଙ୍କ ପାଖରେ ଓ କହିଲା- ମୁଁ ଶୁଣିଲି ଯେ ଆପଣଙ୍କ ପାଖରେ ସତ୍ୟର ଜ୍ଞାନ ଅଛି। ତାହା ମୋ‌େତ ଦେବେ କି?
ଗୁରୁ କହିଲେ- ଦେବି, କିନ୍ତୁ ତୁମ ପାଖରେ ଶ୍ରଦ୍ଧା ଅଛି ତ?
ଯୁବକ କହିଲା- ଅଛି। 
ଗୁରୁ କହିଲେ- ତେବେ ସତ୍ୟର ଜ୍ଞାନ ମିଳିବ।
ଏହା ପରେ ଗୁରୁ ଯୁବକକୁ ନଈ ପାଖକୁ ନେଇ ଗଲେ। ତହିଁରୁ ପାଣି ଆଣିବାକୁ ପାତ୍ରଟିଏ ଦେଲେ, ଯାହାର ତଳ ଭାଗ ନ ଥିଲା। ତା’ ପରେ ତାକୁ କହିଲେ- ଏଥିରେ ପାଣି ନେଇ ରୋଷେଇ ଘରର କୁଣ୍ଡ ପୂର୍ଣ୍ଣ କର।
ଏହା ଅସମ୍ଭବ ଥିଲା। ଯୁବକଟି କୌଣସିମତେ ଟୋପାଏ ବି ପାଣି ଆଣି ପାରୁ ନ ଥିଲା। କୁଣ୍ଡ ଭର୍ତ୍ତି ହେବା ତ ଦୂରର କଥା। ତେଣୁ ସେ ଭାବିଲା ଯେ ଏ ସନ୍ଥ ନିଶ୍ଚୟ ଜଣେ ବଦ୍ଧପାଗଳ। ତେଣୁ ସେ ଆଉ ସମ୍ଭାଳି ନ ପାରି କହିଦେଲା, ଆଜ୍ଞା, ସାରା ଜୀବନ ବିତିଗଲେ, କ’ଣ କୁଣ୍ଡଟି ପାଣିରେ ଭରିବ?
ଗୁରୁ କହିଲେ- ସରିଗଲା। ତୁ ପ୍ରଶ୍ନ କଲୁ ମାନେ ତୋ ମନରୁ ଶ୍ରଦ୍ଧା ଚାଲିଗଲା। ଏବେ ଯାଆ। ସତ୍ୟ ପାଇବା ତୋ ଲାଗି ସମ୍ଭବ ନୁହେଁ। 
ଯୁବକଟି କହିଲା- ଏହାର ଅର୍ଥ କ’ଣ କୁଣ୍ଡ ଭରିବାର ସମ୍ଭାବନା ନ ଥିଲେ ବି ଜଣେ ଉଦ୍ୟମ କରି ଚାଲିବ?
ଗୁରୁ କହିଲେ- ହଁ। ଯେଉଁ ଅଳ୍ପ କିଛି ମୋ ପାଖରେ ରହି ସତ୍ୟ ଉପଲବ୍‌ଧି କରିଛନ୍ତି ସେମାନେ ବିନା ପ୍ରଶ୍ନରେ ଏ କାମଟିକୁ ମାସ ମାସ ଧରି କରିଛନ୍ତି, କିନ୍ତୁ ପ୍ରଶ୍ନ କରି ନାହାନ୍ତି। 
ସନ୍ଥ ତା’ ପରେ କହିଲେ- ଶ୍ରଦ୍ଧା ଥିଲେ ଲକ୍ଷ୍ୟ ଉପରେ ଦୃଷ୍ଟି ନ ରଖି କେବଳ ଯାତ୍ରାରୁ ହିଁ ଆନନ୍ଦ ଲାଭ କରାଯାଇପାରେ। କାରଣ ସତ୍ୟର ସନ୍ଧାନ କେବେ ଓ କେଉଁଠି ମିଳିବ ତାହା ଅଜ୍ଞାତ। କେବଳ ଯାତ୍ରା କରିବା ସାର। ତେଣୁ ଶ୍ରଦ୍ଧା ନ ଥିଲେ ଏଭଳି ଯାତ୍ରା କରିବା ଅସମ୍ଭବ।