ଗୁରୁଙ୍କୁ ଜଣେ ଅନୁଗାମୀ ପଚାରିଲା- ଯଦି ସବୁ କିଛି ଈଶ୍ବର ଦେଉଛନ୍ତି, ତେବେ କିଛି ପାଇବା ଲାଗି ପରିଶ୍ରମ କରିବାର ଆବଶ୍ୟକତା କ’ଣ? ଭାଗ୍ୟରେ ଯାହା ଅଛି ତାହା ତ ମିଳିବ! 
ଗୁରୁ ଏ କଥା ଶୁଣି ସେଇ ବ୍ୟକ୍ତିକୁ ଗୋଟିଏ ଆମ୍ବ ଗଛ ଦେଖାଇ କହିଲେ; ଦେଖ, ଭଗବାନ ଆମକୁ ସୁସ୍ବାଦୁ ଆମ୍ବ ଦେଇଛନ୍ତି। ତୁମେ ଆମ୍ବ ପାଇବାକୁ ହେଲେ ଦୁଇଟି ମାର୍ଗ ଅଛି। ଗୋଟିଏ ହେଲା, ଆମ୍ବ ଗଛ ଚଢ଼ିବ ବା ଢ଼େଲା ମାରି ଝଡ଼ାଇବ। ଦ୍ବିତୀୟଟି ହେଲା, ଆମ୍ବ ଗଛ ମୂଳରେ ବସି ଆମ୍ବଟିଏ ପଡ଼ିବା ଯାଏ ଅପେକ୍ଷା କରିବା। ଏମିତି ବସି ରହିଲେ ଜଣେ ଅବଶ୍ୟ ଆମ୍ବଟିଏ ପାଇଯାଇପାରେ। କିନ୍ତୁ ତାହା ଅନିଶ୍ଚିତ। ନିର୍ଦ୍ଦିଷ୍ଟ ଭାବେ ଭଲ ଆମ୍ବଟିଏ ପାଇବା ଲାଗି ତୁମକୁ ଲକ୍ଷ୍ୟ ସ୍ଥିର କରି ଗଛ ଚଢ଼ିବାକୁ ହେବ। ଈଶ୍ବର ସେମିତି ହିଁ ଚାହାନ୍ତି। ଭଲ ଫଳ ପାଇବାକୁ ହେଲେ ପରିଶ୍ରମ କରିବାକୁ ହେବ। ପରିଶ୍ରମ ନ କରି ବସି ରହିଲେ ଈଶ୍ବର ତାଙ୍କ ମର୍ଜିରେ ଯାହା ପକାଇବେ ତାହା ନେବାକୁ ବାଧୢ ହେବ। 
ଲୋକଟି କହିଲା- ପରିଶ୍ରମ କଲେ ଯଦି ମିଳିବ, ତେବେ ଈଶ୍ବରଙ୍କୁ ଡାକିବି କାହିଁକି? ପ୍ରାର୍ଥନା କରିବି କାହିଁକି?
ଗୁରୁ କହିଲେ- ଭଲ ଆମ୍ବ ପାଇଁ ଲକ୍ଷ୍ୟ ସ୍ଥିର କରି ଗଛ ଚଢ଼ି ଆମ୍ବ ପାଖରେ ପହଞ୍ଚି ତୋଳିବା ଲାଗି ହାତ ବଢ଼ାଉଥିବା ବେଳେ ଧର ଗୋଡ଼ ଖସି ଗଲା। ତୁମେ ତଳକୁ ଖସି ପଡ଼ିଲ। ତୁମେ ଦେଖି ନ ଥିବା ମହୁ ମାଛି ବସାରୁ ମହୁ ମାଛି ତୁମକୁ ବିନ୍ଧି ପକାଇଲେ। କିଛି ନ ହେଲା ନାହିଁ, ତୋଳିବାକୁ ଯାଉଥିବା ବେଳେ ତାହା ଆପେ ଆପେ ତଳକୁ ଖସି ପଡ଼ିପାରେ, ଯାହାକୁ ଆଉ କିଏ ଗୋଟାଇ ନେଇପାରେ! ଏମିତି ସମ୍ଭାବନା ଅନେକ। ସେଥି ଲାଗି ତ ଈଶ୍ବରଙ୍କୁ ପ୍ରାର୍ଥନା କରାଯାଏ। ପ୍ରାର୍ଥନାରେ କୁହାଯାଏ, ପ୍ରଭୁ ସବୁ ତୋ ଇଚ୍ଛାରେ ହେଉଛି। ମୋ ପରିଶ୍ରମ ବୃଥା ନ ଯାଉ।