ଶିଷ୍ୟମାନେ ଗୁରୁଙ୍କୁ ପଚାରିଲେ- ସଫଳତା ପାଇବାର ବାଟ କେଉଁଟା?
ଗୁରୁ କହିଲେ- ମୋ ଠାରୁ ଗପଟିଏ ଶୁଣ। ତା’ ପରେ ବୁଝାଇ ଦେବି।
ଜଣେ ଲୋକ ଡଙ୍ଗାରେ ଆହୁଲା ମାରି ନଈ ପାର ହେଉଥିଲା। ପାଗ ପ୍ରତିକୂଳ ଥିଲା। ଜୋର‌୍‌ରେ ପବନ ବହୁଥିଲା। ନଈ ଅଶାନ୍ତ ଥିଲା। ତେଣୁ ଡଙ୍ଗାକୁ ସମ୍ଭାଳି ଆର କୂଳକୁ ଯିବା ଥିଲା କାଠିକର ପାଠ। କିନ୍ତୁ ବ୍ୟକ୍ତି ଜଣକ ଥିଲା ଏକନିଷ୍ଠ। ତେଣୁ ସେ ପ୍ରତିକୂଳତା ସତ୍ତ୍ବେ ଆହୁଲା ମାରି ମାରି ନଈ ପାର ହୋଇ ଆର କୂଳରେ ପହଞ୍ଚିଲା। ମଝିରେ ତାକୁ ଲାଗିଲା ଯେ ସେ ଆଉ ପାରିବ ନାହିଁ। କିନ୍ତୁ ସେ ଭାଙ୍ଗି ନ ପଡ଼ି ଆହୁଲା ମାରିବାରେ ଲାଗିଲା ଏବ˚ ସଫଳ ହେଲା। 
ନଈ ପାର ହେବା ବାଟରେ ସେ ଆଉ ଗୋଟିଏ ନଉକା ଦେଖିଥିଲା, ଯେଉଁଥିରେ ଜଣେ ଲୋକ ପାଲ ଟାଣି ଦେଇ ବସି ରହିଥିଲା। ପବନ ପାଲକୁ ବିପଜ୍ଜନକ ଭାବେ ଭିଡ଼ି ନେଉଥିଲା। ପାଲ ଟଣା ଡଙ୍ଗା କୁଆଡ଼େ ଭାସିଗଲା, ତାହା ଜଣା ପଡ଼ିଲା ନାହିଁ। ହୁଏତ କୂଳରେ ଲାଗିଥିବ!
ଗୁରୁ ଏତକ କହି ସାରି କହିଲେ- ଆମେ ଦୁଇ ପ୍ରକାର ଲୋକ ଦେଖିଲେ। ଜଣେ ହେଲା ଆହୁଲା ମାରି କୂଳରେ ପହଞ୍ଚିବା। ଅର୍ଥାତ୍‌ ସ˚କଳ୍ପ ବଳରେ ସଫଳ ହେଲା। ଦ୍ବିତୀୟ ଜଣକ ପାଲ ଟାଣି ଦେଇ ବସିଲେ। ଅର୍ଥାତ୍ ଈଶ୍ବରଙ୍କ ଇଚ୍ଛା ଆଗରେ ସମର୍ପଣ କରିଦେଲେ। 
ଜଣେ ଶିଷ୍ୟ ପଚାରିଲା- କିନ୍ତୁ ସେହି ବାଟରେ ସଫଳତାର ନିଶ୍ଚିତତା ତ ନ ଥାଏ?
ଗୁରୁ କହିଲେ- ନା’ ନ ଥାଏ। କିନ୍ତୁ ଯାହା ମିଳେ ତାକୁ ହିଁ ସ୍ବୀକାର କରାଯାଏ। 
ଗୁରୁ କହିଲେ- ଅଧିକାଂଶ ଲୋକ ସଂପଳ୍ପ ପଥରେ ଯାଆନ୍ତି, କେବଳ କ୍ବଚିତ୍‌ କୌଣସି ମହାତ୍ମା ସମର୍ପଣ ପଥରେ ଯାଇ ତିଷ୍ଠି ରହିବାର ସାହସ ଦେଖାନ୍ତି।