ସୁଫି ଗୁରୁ ବାଇଜିଦ ଶିଷ୍ୟମାନଙ୍କୁ କହୁଥିଲେ ଯେ ଯଦି ଠିକ୍ ଭାବେ ଛାଡ଼ି ଜାଣିବ, ତେବେ ସଂପତ୍ତି ତୁମ ପଛରେ ଅନୁଧାବନ କରିବ। ଏ କଥା ଶୁଣି ଜଣେ ବ୍ୟକ୍ତିି ଆଉ ଟଙ୍କାପଇସା ଆଡ଼େ ନ ଚାହିଁ ଭିକାରି ଭଳି ହୋଇ ରହିଲା। ଏମିତି ବିତିଗଲା ଅନେକ ମାସ। କିନ୍ତୁ କିଛି ଲାଭ ହେଲା ନାହିଁ। 
ଦିନେ ସେ ବାଇଜିଦଙ୍କୁ ପଚାରିଲା- ତୁମେ କହିଥିବା ମୁତାବକ ସବୁ କିଛି ଛାଡ଼ିଲି। କିନ୍ତୁ କାହିଁ ଧନ ଦେବୀ ତ ମୋ ପଛରେ ଗୋଡ଼ାଉଥିବା ଭଳି ଲାଗୁ ନାହିଁ?
ବଇଜିଦ କହିଲେ- ଏହାର କାରଣ ତୁମେ ମଝିରେ ମଝିରେ ପଛକୁ ଚାହିଁ ଦେଖୁଛ।
ବାଇଜିଦଙ୍କ କହିବାର ଅର୍ଥ ଥିଲା ଯେ ଧନ ପାଇବା ଆଶାରେ ଯଦି ତୁମେ ବୈରାଗୀ ହୋଇଛ, ତେବେ ତହିଁରେ ଅଭିସନ୍ଧି ଅଛି। ସେଭଳି ଛାଡ଼ିବା କୌଣସି ଦୃଷ୍ଟିରୁ ଛାଡ଼ିବା ନୁହେଁ। ଯେଉଁମାନେ ସବୁ କିଛି ଏମିତି ପରିତ୍ୟାଗ କରନ୍ତି, ଯେମିତି ସେଗୁଡ଼ିକ କେବେ ହେଲେ ସେମାନଙ୍କ ଲାଗି କିଛି ହିଁ ନ ଥିଲେ, ତେବେ ଯାଇ ଏମିତି ଯଶ, ପଦ ଓ ଧନ ପଶ୍ଚାତ୍‌ଧାବନ କରିବେ।
ବୁଦ୍ଧଙ୍କ ଜନ୍ମ ବେଳେ ଭବିଷ୍ୟବାଣୀ ହେଲା ଯେ ସେ ରାଜଚକ୍ରବର୍ତ୍ତୀ ହେବେ। କିନ୍ତୁ ସେ ରାଜପଦ, ଐଶ୍ବର୍ଯ୍ୟ, ସଂପତ୍ତି ଆ‌ଦିକୁ ପାଦରେ ଏମିତି ଏଡ଼ାଇ ଦେଇ ଆସିଲେ ଯେ ସତେ ଯେମିତି ସେ ସବୁ କିଛି ହିଁ ତାଙ୍କର ନ ଥିଲା। କେବଳ ଏକ ଭିକ୍ଷାପତ୍ର ତାଙ୍କର ସଂପତ୍ତି ହେଲା। କିନ୍ତୁ ସେ ପ୍ରକୃତରେ ରାଜଚକ୍ରବର୍ତ୍ତୀ ହିଁ ହେଲେ। କେତେ କେତେ ରାଜା ତାଙ୍କ ଶରଣ ନେଇ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ତାଙ୍କର ଅନୁଗମନ କଲେ।