ଦୁଇ ଜଣ ସାଙ୍ଗ କଥା ହେଉଥିଲେ। ଜ‌େଣ କହିଲା- ଭଗାବନଙ୍କ ସୃଷ୍ଟିରେ ଭାଗମାପ ବୋଲି କିଛି ନାହିଁ, ସମାନୁପାତିକତା ନାହିଁ। ମୁଁ ତ ଭାବେ ଭଗବାନ ଖାମଖିଆଲି ଭାବେ ପୃଥିବୀକୁ ତିଆରି କରି ଦେଇଛନ୍ତି।
ଏ କଥା ଶୁଣି ଆର ସାଙ୍ଗଟି କହିଲା- ତାହା ହେଲେ ତୁମେ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏ ଗପଟି ଶୁଣିବା ଉଚିତ। 
ଥରେ ନସିରୁଦ୍ଦିନ ଗୋଟିଏ ବର ଗଛ ମୂଳରେ ବସି କିଛି ଭାବୁଥିଲେ। ହଠାତ୍‌ ଉପରକୁ ଚାହିଁ ଦେଇ ବର ଫଳଗୁଡ଼ିକୁ ଦେଖନ୍ତେ ମନ ଭିତରେ ଭାବନାଟିଏ ଆସିଲା ଯେ ଭଗବାନଙ୍କ କୌଣସି ଭାଗମାପ ଜ୍ଞାନ ନାହିଁ। ଏ‌େତ ବିଶାଳ ବର ଗଛରେ ଦେଖ କେମିତି ଛୋଟ ଆକାରର ଫଳ ଫଳାଇଛନ୍ତି। ଏଭଳି ଗଛ ଲାଗି ଦରକାର ଅତି କମ୍‌ରେ କଖାରୁ ଆକାରର ଫଳ। 
ଏମିତି ଭାବୁଥିବା ବେଳେ ଗୋଟିଏ ବରଫଳ ତାଙ୍କ ମୁଣ୍ଡ ଉପରେ ପଡ଼ିଲା। ତାଙ୍କ ଭାବନା ଭଙ୍ଗ ହେଲା ଏବଂ ତତ୍‌କ୍ଷଣାତ୍‌ ସେ ଉପରକୁ ଚାହିଁ ଭଗବାନଙ୍କୁ କହିଲେ- ପ୍ରଭୁ, ତୁମ ଜ୍ଞାନ ଉପରେ ସନ୍ଦେହ କରି ବଡ଼ ଭୁଲ୍‌ କରିଛି। ଏବେ ବୁଝିଲି ତୁମେ ବରଗଛରେ କାହିଁକି ଛୋଟ ଫଳ ଦେଇଛ!
କଥା ହେଲା ଭଗବାନଙ୍କ ପ୍ରତ୍ୟେକ ସୃଷ୍ଟି ପଛରେ ଉଦ୍ଦେଶ୍ୟ ନିହିତ ଅଛି। ଆମର ସ୍ଥୂଳ ବୁଦ୍ଧି ତାହା କଳିବାକୁ ସମର୍ଥ ହୋଇ ନ ଥାଏ।