କଥାଟିଏ ଯାଯାବର, ତୁମେ ପାଇଗଲ

ନେନେଙ୍କ ଗୁରୁ ଗୋଟିଏ ଫଳର ଚିତ୍ର ଆଙ୍କି ଦେଇ କହିଲେ- ଭାରି ବିରଳ ଫଳ। ଜଙ୍ଗଲ ଭିତରୁ ମୋ ଲାଗି ଖୋଜି ଆଣ। ତ ନେନେ ଚାଲିଲେ। ପ୍ରତିଦିନ ସକାଳୁ ସେ ଫଳ ଖୋଜିବା ଲାଗି ବାହାରି ଯାଆନ୍ତି ଆଉ ସଂଧ୍ୟାରେ ଫେରନ୍ତି। ତାଙ୍କୁ ସେହି ଫଳ ମିଳେନାହିଁ।
ଏମିତି ମାସ ମାସ ବିତିଗଲା। ଫଳ ମିଳିଲା ନାହିଁ। ଦିନେ ନେନେଙ୍କ ଗୁରୁ ତାଙ୍କୁ ପଚାରିଲେ- କ’ଣ ହେଲା? ଫଳ ମିଳିଲା ନାହିଁ କି?
ନେନେ କହିଲେ- ଏଇ ଜଙ୍ଗଲରେ ପୂରା ଖୋଜି ପକାଇଛି। ମିଳିଲା ନାହିଁ। ଏବେ ପାଖ ଜଙ୍ଗଲକୁ ଯାଉଛି।
ଗୁରୁ କହିଲେ- ହଉ ଆହୁରି ଖୋଜ।
ଏମିତି ବର୍ଷେ ବିତିଗଲା। ଫଳ ମିଳିଲା ନାହିଁ।
ଦିନେ ଗୁରୁ ପଚାରିଲେ- କ’ଣ ହେଲା? ତଥାପି ପାଇଲ ନାହିଁ?
ନେନେ କହିଲେ- ନା।
ଗୁରୁ କହିଲେ- ତୁମେ ଖୋଜି ଖୋଜି ଥକି ଯାଇନାହଁ? କାରଣ ପୂର୍ବରୁ ମୋର ଅନେକ ଶିଷ୍ୟ ଏ ଫଳ ଖୋଜି ଖୋଜି ଥକି ଯାଇଛନ୍ତି। ହାର ମାନିଛନ୍ତି।
ନେନେ କହିଲେ- ମୁଁ କିନ୍ତୁ ଓଲଟା। ମୁଁ କିନ୍ତୁ ମନେ ମନେ ପାଞ୍ଚୁଛି ଯେ ଫଳ ନ ମିଳୁ।
ଗୁରୁ କହିଲେ – ନ ମିଳୁ? କାରଣ?
ନେନେ କହିଲେ- କାରଣ ହେଲା ମିଳିଗଲେ ମୋ ଖୋଜା ସରିଯିବ। ଏ ଖୋଜିବାଟା କେତେ ଆନନ୍ଦଦାୟକ, ତାହା କେବଳ ମୋତେ ଜଣା। ସେ ଫଳକୁ ଖୋଜୁ ଖୋଜୁ ମୁଁ ଏତେ କିଛି ଆବିଷ୍କାର କରି ସାରିଲିଣି, ଏତେ କିଛି ଜାଣି ସାରିଲିଣି ଯେ କହିଲେ ନ ସରେ!
ଗୁରୁ କହିଲେ- ତୁମ ଲାଗି ଫଳ ଖୋଜା ସରିଲା। କାରଣ ତୁମେ ଆଉ ମୋ ଶିଷ୍ୟ ନୁହେଁ। କାରଣ ତୁ‌େମ ମୋ ଠାରୁ ଯାହା ପାଇବା କଥା ପାଇ ସାରିଲଣି।

ସମ୍ବନ୍ଧିତ ଖବର