କାହିଁକି ଆଦର କରେ!
କଥାଟିଏ-ଯାଯାବର
ଜଣେ ଗୁରୁଙ୍କ ପାଖରେ ଅନେକ ଶିଷ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁ ଭାରି ଭଲ ପାଉଥିଲେ। ସର୍ବଦା ତା’ କଥା ପଚାରି ବୁଝୁଥିଲେ, ତାକୁ ପାଖରେ ବସାଉ ଥିଲେ ଓ ତା’ ପ୍ରତି ଅଧିକ ଧ୍ୟାନ ଦେଉଥିଲେ। ଏହାକୁ ଗୁରୁଙ୍କ କେତେକ ଶିଷ୍ୟ ସହି ପାରୁ ନ ଥିଲେ। ସେମାନେ ଭାବୁଥିଲେ ଯେ ବିଦ୍ୟା ଅଧ୍ୟୟନ ହେଉ ବା ଅନ୍ୟ ଯେ କୌଣସି କାର୍ଯ୍ୟ; ସବୁଥିରେ ତ ସେମାନେ ଅଧିକ ପାରଙ୍ଗମ; ଅଥଚ ଗୁରୁ ସେମାନଙ୍କ ପ୍ରତି ଏଭଳି ଆଦର ପ୍ରଦର୍ଶନ ନ କରି ସେହି ଶିଷ୍ୟକୁ ଅଧିକ ଭଲ ପାଉଛନ୍ତି କାହିଁକି? ପୁଣି ସେ ସବୁ ବିଷୟରେ ଦୁର୍ବଳ। ଅନ୍ୟ କୌଣସି ଗୁରୁ ତାକୁ ଆଶ୍ରମରୁ ବାହାର କରି ସାରନ୍ତେଣି। ଦିେନ ଏ ବାବଦରେ ସେମାନେ ଅତି ସନ୍ତର୍ପଣରେ ଗୁରୁଙ୍କୁ ପଚାରିଲେ। ଗୁରୁ ସେମାନଙ୍କୁ ପାଖରେ ବସାଇ କହିଲେ- ତୁମେମାନେ ବେଶ୍ ସମର୍ଥ, ଜ୍ଞାନୀ ଓ ସମ୍ବେଦନଶୀଳ। ଏହି କଥାର ରହସ୍ୟ ଭେଦ କରି ପାରୁ ନାହଁ? ଯେତେବେଳେ ଘରେ ଶିଶୁ ଜନ୍ମ ନିଏ, ଆମେ ତାକୁ କୋଳରେ ରଖୁ। କାରଣ ସେ ଚାଲିବାକୁ ଅକ୍ଷମ ଥାଏ। ସେ ସବୁଥିରେ ଅକ୍ଷମ ଥିବାରୁ ଆମ ସାହାଯ୍ୟ ଲୋଡ଼େ, ଆମ ଆଦର ଓ ଯତ୍ନ ଖୋଜେ। ଯିଏ ସକ୍ଷମ ତାକୁ ଏସବୁର ଆବଶ୍ୟକତା ନ ଥାଏ। ଶିଶୁଟି ବଡ଼ ହୋଇଗଲା ପରେ ତା’ର ଆଉ ଏ ସବୁ କିଛି ଦରକାର ପଡ଼ି ନ ଥାଏ। ତୁେମମାନେ କିଛି ଦିନ ପରେ ନିେଜ ଜଣେ ଜଣେ ଗୁରୁ ହେବ। ଏହି ଛୋଟ କଥାକୁ ମନେ ରଖିବ। ଦୁର୍ବଳ ଶିଷ୍ୟମାନଙ୍କୁ ସର୍ବଦା ପାଖରେ ରଖିବ, ଆଦର କରିବ ଓ ଯତ୍ନ ନେବ। ଅନ୍ୟାନ୍ୟ ଅନେକ ଗୁରୁଙ୍କ ଭଳି ହତାଦର କରିବ ନାହିଁ।