ଜେନ୍ ଗୁରୁ ଯେଉଁ ଆଶ୍ରମରେ ରହୁଥିଲେ, ସେ ଆଶ୍ରମରେ ଥିଲା ଗୋଟିଏ ପାଠାଗାର। ବିରଳ ଶାସ୍ତ୍ର ଦ୍ବାରା ତାହା ଭରପୂର ଥିଲା। ଯୁବ ଅନ୍ବେଷୀମାନେ ଆଶ୍ରମକୁ ଆସି ଶିଷ୍ୟ ହେବାକୁ ଚାହିଲେ ଗୁରୁ ତାଙ୍କୁ ପ୍ରଥମେ ସେହି ପାଠାଗାରକୁ ପଠାଉଥିଲେ। ସେଠାରେ ଗଭୀର ଅଧୢୟନ କଲା ପରେ ଯାଇ ସେମାନେ ଶିଷ୍ୟତ୍ବ ଲାଗି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାର ସମ୍ମୁଖୀନ ହେଉଥିଲେ।
ଜଣେ ତରୁଣ ପାଠାଗାରରେ କିଛି ମାସ କାଟି ସବୁ ଶାସ୍ତ୍ର ଅଧୢୟନ କଲା ପରେ ଯେତେବେଳେ ବାହାରିଲା, ଗୁରୁ ତାକୁ ପଚାରିଲେ- କ’ଣ ଜାଣିଲ?
ଯୁବକ କହିଲା- ମହାଶୟ, ଆଉ ଅଜଣା ବୋଲି କିଛି ନାହିଁ? ସବୁ କିଛି ଜାଣିଲି। ସବୁ ତତ୍ତ୍ବ, ସବୁ ଦର୍ଶନ ଏବେ ମୋର ମୁଣ୍ତରେ। ଆପଣ ପରୀକ୍ଷା କରି ପାରନ୍ତି!
ଗୁରୁ କହିଲେ- ବାବୁ, ତୁମକୁ ପରୀକ୍ଷା କରିବା ଲାଗି ମୋର ସାମର୍ଥ୍ୟ ନାହିଁ। ତୁମେ ଏବେ ତୁମ ବାଟ ଦେଖ।
ଯୁବକଟି ଏଭଳି ପ୍ରତିକ୍ରିୟାରେ ବିସ୍ମିତ ହୋଇ ଯେତେବେଳେ ଏହାର କାରଣ କ’ଣ ବୋଲି ପଚାରିଲା, ଗୁରୁ ତାକୁ ଟିକିଏ ଦୂରରେ ଥିବା ତାଙ୍କ ପ୍ରିୟତମ ଶିଷ୍ୟକୁ ଦେଖାଇ ଦେଲେ। ସେତିକି ବେଳେ ଶିଷ୍ୟଟି ଆଶ୍ରମର ବଗିଚାକୁ ସଫା କରୁଥିଲା। ସେ ମଳିମୁଣ୍ତିଆ ଭଳି ଦିଶୁଥିଲା।
ତାକୁ ଦେଖାଇ ଗୁରୁ କହିଲେ- ଏ ହେଉଛି ମୋର ପ୍ରିୟତମ ଶିଷ୍ୟ। ତୁମ ଭଳି ସେ ଯେତେବେଳେ ପାଠାଗାରରେ ଅନେକ ଦିନ ବିତାଇ ସବୁ ଶାସ୍ତ୍ର ଆୟତ୍ତ କରି ବାହାରକୁ ଆସିଲା, ସେତେବେଳେ ମୋର ସେଇ ସମାନ ପ୍ରଶ୍ନର ଉତ୍ତରରେ କହିଥିଲା- ଆଜ୍ଞା, ମୋର ଆଖି ଖୋଲିଗଲା। ଏ ଶାସ୍ତ୍ରର ଜ୍ଞାନ ଜଣାଇ ଦେଲା ସତରେ ମୁଁ କେତେ କ୍ଷୁଦ୍ର! ଆହୁରି କେତେ କ’ଣ ନାହିଁ ଜାଣିବା ପାଇଁ? ତା’ ପର ଠାରୁ ସେ କେବଳ ଜାଣି ଚାଲୁଛି। ତେଣୁ ସେ ଶିଷ୍ୟ ହେବାକୁ ଯୋଗ୍ୟତମ। ତୁମେ ସବୁ ଜାଣି ସାରିଥିବାରୁ ଏବେ ଘରକୁ ଯାଅ।
ଏବେ ଘରକୁ ଯାଅ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/02/foot123.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)