ସଂସାର ଓ ଈଶ୍ବର ଧ୍ୟାନ

କଥାଟିଏ-ଯାଯାବର

ଦିନେ ଗୁରୁଙ୍କୁ ତାଙ୍କ ବନ୍ଧୁ ପଚାରିଲେ- ସଂସାର ଭିତରେ ମଜ୍ଜି ରହି ଈଶ୍ବରଙ୍କୁ ସର୍ବଦା ଧ୍ୟାନରେ ରଖିବା କ’ଣ ସମ୍ଭବ? ତୁମେ କହୁଥିଲ ଏ ଦୁଇଟି କଥା ଏକା ସାଙ୍ଗରେ କରି ହେବ। ତାହା କ’ଣ ଠିକ୍‌?
ଗୁରୁ କହିଲେ- ନିଶ୍ଚୟ କରି ହେବ। ମୁଁ ଏବେ ଗୋଟିଏ ପରିବାରର ନିମନ୍ତ୍ରଣ ରକ୍ଷା କରି ମଧ୍ୟାହ୍ନ ଭୋଜନ କରିବାକୁ ଯାଉଛି। ମୋ ସହିତ ଆସ। ତୁମକୁ ବୁଝାଇ ଦେବି।
ଦୁହେଁ ଯାଇ ସେହି ଘରେ ପହଞ୍ଚିଲେ। ସେତେବେଳକୁ ଘରେ ବୋହୂ ଏକାକୀ ଥିଲେ। ସେ ରନ୍ଧନରେ ବ୍ୟାପୃତ ଥିଲେ ଏବଂ ରୋଷେଇ ଘର ତଳେ ନିଜ ଛୋଟ ପିଲାଟିକୁ ଖେଳିବାକୁ ଛାଡ଼ି ଦେଇଥିଲେ। ସେ ରୋଷେଇରେ ନିମଗ୍ନ ଥିଲେ ସତ, କିନ୍ତୁ ପିଲାଟି ଖେଳି ଖେଳି ଯେତେବେଳେ ରୋଷେଇ ଘରୁ ବାହାରକୁ ଚାଲି ଯାଉଥିଲା, ସେ ଦୌଡ଼ି ଆସି ତାକୁ ନେଇ ପୁଣି ରୋଷେଇ ଘରେ ତାଙ୍କ ପାଖରେ ତଳେ ବସାଇ ଦେଉଥିଲେ।
ସେ ଦିନ ଭୋଜନ ଅତି ସ୍ବାଦିଷ୍ଠ ହୋଇଥିଲା। ଗୁରୁ ଏବଂ ତାଙ୍କ ବନ୍ଧୁ ପ୍ରସନ୍ନ ଚିତ୍ତରେ ଭୋଜନ ସମାପ୍ତ କରି ଘରକୁ ବାହୁଡ଼ିଲେ। ବାଟରେ ଗୁରୁ ପଚାରିଲେ- ତୁମ ପ୍ରଶ୍ନର ଉତ୍ତର ପାଇଲ ତ?
ତାଙ୍କ ବନ୍ଧୁ କିଛି ବୁଝି ପାରିଲେ ନାହିଁ।
ଗୁରୁ କହିଲେ- ତୁମେ ଦେଖିଥିବ ସେ ମା’ଙ୍କୁ। ରୋଷେଇରେ ମଜ୍ଜି ରହିଥିଲେ ସତ, କିନ୍ତୁ ପୁଅର ସୁରକ୍ଷା ଚିନ୍ତା ସର୍ବଦା ତାଙ୍କ ଧ୍ୟାନରେ ଥିଲା। ତେଣୁ ସେ ତାକୁ ବାରମ୍ବାର ରୋଷେଇ ଘର ଭିତରକୁ ନେଇ ଯାଉଥିଲେ। ଏଣେ ରନ୍ଧନ ବି ଅତ୍ୟନ୍ତ ଚମତ୍କାର ଥିଲା।
ଏଭଳି ଭାବଟିଏ ଆଣି ପାରିଲେ ଯାଇ ସଂସାର ଭିତରେ ମଜ୍ଜି ରହି ସୁଦ୍ଧା ତୁ‌େମ ସର୍ବଦା ଈଶ୍ବରଙ୍କୁ ଧ୍ୟାନରେ ରଖିପାରିବ।

ସମ୍ବନ୍ଧିତ ଖବର