ଜଣେ ଯୁବକ ସାଧୁଙ୍କ ଶିଷ୍ୟତ୍ବ ଗ୍ରହଣ କରି କହିଲେ- ମହାତ୍ମା, ମୁଁ ଆପଣଙ୍କ ସମ୍ମୁଖେର ସ୍ବୀକାର କରୁଛି ଯେ ମୁଁ ପ୍ରଚଣ୍ଡ ଲୋଭାତୁର। ତେଣୁ କୌଣସି ଜିନିଷକୁ ଚୋରି କରିବାର ପ୍ରବୃତ୍ତି ପ୍ରବଳ ହୋଇ ଉଠିଲେ ମୁଁ ତାହା କରି ପକାଏ। ଏବେ ମୁଁ ଆପଣଙ୍କ ଶିଷ୍ୟ ହେବା ପରେ ତହିଁରେ ସଂଯମ ରଖିବାକୁ ଶପଥ ନେଉଛି।
ସାଧୁ କହିଲେ- କୌଣସି ଲାଭ ହେବ ନାହିଁ।
ଯୁବକ କହିଲେ- ତା’ ମାନେ ମୁଁ ସର୍ବଦା ଚୋରି କରି ଚାଲିବି?
ସାଧୁ କହିଲେ- ନା, ତାହା ମଧ୍ୟ ହୋଇ ନ ପାରେ। ତୁମେ ହୁଏ’ତ ସାରା ଜୀବନ ଆଉ କେବେ ବି ଚୋରି କରିବ ନାହିଁ। କିନ୍ତୁ ତହିଁରୁ କିଛି ଲାଭ ହେବ ନାହିଁ।
ଯୁବକ ବିସ୍ମୟ ସହକାରେ କହିଲେ- କ୍ଷମା କରିବେ, ମୁଁ କିଛି ବୁଝି ପାରୁନାହିଁ। ଚୋରି କରିବା ଏକ ଅତ୍ୟନ୍ତ ଖରାପ ପ୍ରକୃତି ବୋଲି ମୁଁ ଜାଣେ। ଏଥିରୁ ମୁକ୍ତି ପାଇବା କ’ଣ ମୋ ଲାଗି ଲାଭଦାୟକ ନୁହେଁ।
ସାଧୁ କହିଲେ- ବୁଝାଇ ଦେଉଛି। ତୁମେ ସଂଯମ ରଖିବ ଅର୍ଥ ଚୋରି କରିବାର ପ୍ରବୃତ୍ତି ତୁମ ଚିତ୍ତ ମଧ୍ୟରେ ସୃଷ୍ଟି ହେଲେ ତୁମେ ବଳ ପୂର୍ବକ ତାକୁ ରୋକି ତହିଁରୁ ନିବୃତ୍ତ ରହିବ। ତା ଅର୍ଥ ବାରମ୍ବାର ଚୋରି କରିବାର ମନ ହେବ, କିନ୍ତୁ ତୁମେ ତାକୁ ଅଟକାଇବ। ବାହାରକୁ ତୁମେ ବଦଳି ଯାଇଥିବା ଲୋକଟିଏ ଭଳି ଦିଶିବ, କିନ୍ତୁ ଭିତରେ ଚୋରଟିଏ ସେମିତି ତୁମ ମନ ଭିତରେ ଲୁଚି ବସିଥିବ ଓ ମୁଣ୍ଡ ଟେକୁଥିବ। ତେଣୁ ସଂଯମର ଅର୍ଥ ତୁମ ଆଚରଣକୁ ବଦଳାଇବା, ଯାହା ତୁମର ବାହ୍ୟ ବିେଶାଧନ ଭଳି। କିନ୍ତୁ ପ୍ରକୃତରେ ଯାହା ଆବଶ୍ୟକ, ତାହା ହେଲା ଚିତ୍ତର ଅନ୍ତର୍ସ୍ଥଳରେ ପରିବର୍ତ୍ତନ। ସେମିତି ହେଲେ ଚୋରି କରିବାର ଇଚ୍ଛା ହିଁ ହେବ ନାହିଁ। ସଂଯମର କୌଣସି ଆବଶ୍ୟକତା ରହିବ ନାହିଁ। ତାହା ହେଲେ ଯାଇ କିଛି ଲାଭ ହେବ।
କିଛି ଲାଭ ନାହିଁ!
କଥାଟିଏ-ଯାଯାବର