ରାଜକୁମାର ଥରେ ବନ୍ଧୁମାନଙ୍କ ସହିତ ବୁଲିବାକୁ ଯାଇଥିଲେ। ବୁଲୁ ବୁଲୁ ସେମାନେ ଏମିତି ଏକ ନିକାଞ୍ଚନ ସ୍ଥାନକୁ ଆସିଗଲେ, ଯେଉଁଠାରେ ଜନମାନବର ଚିହ୍ନବର୍ଣ୍ଣ ନ ଥିଲା। ସେତେବେଳକୁ ରାଜକୁମାରଙ୍କ ତଣ୍ଟି ଶୋଷରେ ଫାଟି ପଡୁଥାଏ। ସେମାନେ ବିକଳ ହୋଇ ଏଣେ ତେଣେ ଖୋଜିଲା ବେଳକୁ ଦିଶିଲା ଗୋଟିଏ କୁଡ଼ିଆ। କୁଡ଼ିଆରେ ଜଣେ ସାଧୁ ଥିଲେ। କିନ୍ତୁ ସେ ଥିଲେ ଦୃଷ୍ଟିହୀନ।
ରାଜକୁମାର ପ୍ରଥମେ ତାଙ୍କ ଅଙ୍ଗରକ୍ଷୀକୁ ପାଣି ଲାଗି ପଠାଇଲେ। ସେ ସାଧୁଙ୍କୁ କହିଲା- ଏ ବାବାଜି ପାଣି ଦିଅ। ରାଚମୁକାର ପିଇବେ।
ସାଧୁ କହିଲେ- ମୁଁ ପାଣି କେବଳ ରାଜକୁମାରଙ୍କୁ ଦେବି। ତୁମେ ରାଜକୁମାର ନୁହେଁ। ତେଣୁ ଯାଅ।
ଅଙ୍ଗ ରକ୍ଷୀ ଫେରି ଆସି ସେ କଥା ରାଜପୁତ୍ରଙ୍କୁ ଜଣାଇଲା। ଏଥର କଚୁଆନ ବାହାରି ପାଣି ଲାଗି ଗଲା।
ସେ କହିଲା- ଆଜ୍ଞା, ପାଣି ମୁନ୍ଦେ ଦିଅନ୍ତୁ।
ସାଧୁ କହିଲେ- ତୁମେ ତ ରାଜପୁତ୍ର ନୁହେଁ। ତୁମକୁ ପାଣି କାହିଁକି ଦେବି?
ଏ କଥା କଚୁଆ‌ନ ଫେରି ଆସି ରାଜକୁମାରଙ୍କୁ କହିଲା। ଏବେ ରାଜପୁତ୍ର ନିଜେ ଗଲେ।
ସେ ସାଧୁଙ୍କୁ ପ୍ରଣାମ କରି କହିଲେ- ମହାଭାଗ ମୋତେ କୃପା କରି ପାଣି ମୁନ୍ଦାଏ ଦେବେ କି?
ସାଧୁ ଏବେ ହସିଲେ ଏବଂ କହିଲେ- ହଁ ଏବେ ରାଜପୁତ୍ରଙ୍କୁ ପାଣି ଦେବି!
ପାଣି ପିଇ ସାରିବା ପରେ ରାଜପୁତ୍ର ପଚାରିଲେ- ମହାଭାଗ, ଆପଣଙ୍କ ଦୃଷ୍ଟି ଶକ୍ତି ନାହିଁ। ତଥାପି ଆପଣ କେମିତି ଜାଣିଲେ ଯେ ମୁଁ ହିଁ ରାଜପୁତ୍ର?
ସାଧୁ ଅଳ୍ପ ହସି କହିଲେ- ଜଣେ ରାଜପୁତ୍ର କେବଳ ଆଭିଜାତ୍ୟପୂର୍ଣ୍ଣ ଆଚରଣ କରିପାରେ। ଆପଣଙ୍କ ବ୍ୟବହାର ମୋତେ ଜଣାଇଲା ଯେ ଆପଣ ହେଉଛନ୍ତି ରାଜପୁତ୍ର।