ଅତି ପ୍ରାଚୀନ କାଳର କଥା। ରାଜା ଜନକ ବ୍ରହ୍ମଜ୍ଞାନୀମାନଙ୍କ ଲାଗି ଏକ ତର୍କର ଆୟୋଜନ କରିଥାଆନ୍ତି ଏବଂ ବିଜେତାର ପୁରସ୍କାର ସ୍ବରୂପ ରଖିଥାଆନ୍ତି ଏକ ସହସ୍ର ଗାଈ। ଅନେକ ବ୍ରହ୍ମଜ୍ଞାନୀ ଜମିଲେ ଏବଂ ଘମାଘୋଟ ତର୍କ ଚାଲିଲା। ଯାଜ୍ଞବଳକ୍ୟ ପହଞ୍ଚିଲେ ଟିକିଏ ବିଳମ୍ବରେ। କିନ୍ତୁ ପହଞ୍ଚିବା ପରେ ତାଙ୍କ ଶିଷ୍ୟମାନଙ୍କୁ କହିଲେ- ଏ ଗାଈମାନଙ୍କୁ ଆମ ଆଶ୍ରମକୁ ନେଇ ଯାଅ। କାରଣ ପ୍ରତିଯୋଗିତା ଆଗରୁ ବି ମୁଁ ତୁମକୁ କହି ରଖୁଛି ଯେ ମୁଁ ହିଁ ବିଜେତା।
ବ୍ରହ୍ମଜ୍ଞାନୀ ହୋଇଥିବା ସତ୍ତ୍ବେ ଏହା ଥିଲା ଯାଜ୍ଞବଳକ୍ୟଙ୍କ ଘୋର ଅହଙ୍କାର। କିନ୍ତୁ ସେ ବି ଥିଲେ ଅତୁଳନୀୟ ଜ୍ଞାନୀ ଓ ତର୍କବାଗୀଶ। ସେ ସମସ୍ତଙ୍କୁ ଅଚିରେ ହରାଇ ଦେଲେ। କିନ୍ତୁ ସବା ଶେଷରେ ପ୍ରଶ୍ନ କରିବା ଲାଗି ଉଠିଲେ ଜଣେ ନାରୀ। ସେ ଥିଲେ ବେଦଜ୍ଞା ଓ ବିଦୂଷୀ ଗାର୍ଗୀ। ଗାର୍ଗୀ ଯାଞ୍ଜବଳକ୍ୟଙ୍କୁ ମାତ୍ର ତିନିଟି ପ୍ରଶ୍ନ ପଚାରିଲେ। ଏମିତି ବି ସର୍ତ୍ତ ନ ଥିଲା ଯେ କେବଳ ବ୍ରହ୍ମଜ୍ଞାନ ସଂପର୍କରେ ପ୍ରଶ୍ନ ପଚରାଯିବ। ଯେ କୌଣସି ପ୍ରଶ୍ନର ଉତ୍ତର ବ୍ରହ୍ମଜ୍ଞାନୀ ଦେବାକୁ ସମର୍ଥ।
ଗାର୍ଗୀ ପଚାରିଲେ- ଏ ପୃଥିବୀ କାହା ଉପରେ ଛିଡ଼ା ହୋଇଛି?
ଯାଜ୍ଞବଳକ୍ୟ କହିଲେ- କୂର୍ମ ବା କଚ୍ଛପ ପିଠିରେ।
ଗାର୍ଗୀ ପଚାରିଲେ- କଚ୍ଛପ କାହା ଉପରେ ଦଣ୍ଡାୟମାନ?
ଉତ୍ତର ଆସିଲା- ହସ୍ତୀ ପିଠିରେ।
ପ୍ରଶ୍ନ- ତେବେ ହସ୍ତୀ କାହା ଉପରେ ଛିଡ଼ା?
ଯାଜ୍ଞବଳକ୍ୟ ବୁଝିଲେ ଯେ ସେ ଏକ ଜାଲରେ ପଡ଼ିଯାଇଛନ୍ତି। ସେ ବିକଳରେ କହିଲେ- ସବୁ କିଛି ବ୍ରହ୍ମ ଉପରେ ବିଦ୍ୟମାନ।
ଗାର୍ଗୀ ପଚାରିଲେ- ବ୍ରହ୍ମ କାହା ଉପରେ ବିଦ୍ୟମାନ?
କ୍ରୋଧରେ ଜଳି ଉଠିଲେ ଯାଜ୍ଞବଳକ୍ୟ। ସେ ଚିତ୍କାର କଲେ- ଚଳିବ ନାହିଁ। ଏହା ‘ଅତି ପ୍ରଶ୍ନ’। ଏହାର ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହେଁ।
ତା’ ପରେ କ’ଣ ହେଲା ଶାସ୍ତ୍ରରେ ନାହିଁ। ତେବେ ତା’ ପର ଠାରୁ ନାରୀମାନଙ୍କ ଲାଗି ବେଦ ଶିକ୍ଷା ବନ୍ଦ ହୋଇଗଲା। ହୃଦ୍ବୋଧ କରିହୁଏ ପୁରୁଷର ଅହଙ୍କାର କିଭଳି ସ୍ତରକୁ ଯାଇପାରେ!
ପୁରୁଷର ଅହଙ୍କାର
/sambad/media/post_attachments/wp-content/uploads/2022/07/foot-kathatia.jpg)