ଜଣେ ଶିଳ୍ପପତି ତାଙ୍କ ନାତିକୁ କହିଲେ ଗପଟିଏ।
ଜଣେ ବ୍ୟକ୍ତି ମୁଦି କିଣିବା ଲାଗି ଗଲେ। ମନ ପସନ୍ଦର ମୁଦିଟି ବାଛିଲେ। କିନ୍ତୁ ସେ ମୁଦିଟି କେବଳ ମୁଦି ଆଙ୍ଗୁଠିକୁ ଠିକ୍ ଖାପ ଖାଇଲା। ସେ ମଝି ଆଙ୍ଗୁଠି ଓ କାଣୀ ଆଙ୍ଗୁଠିରେ ତାକୁ ପିନ୍ଧି ଦେଖିଲେ। କିନ୍ତୁ ମଝି ଆଙ୍ଗୁଠିକୁ ତା’ର ମାପ ଛୋଟ ହେଲା ବେଳକୁ କାଣୀ ଆଙ୍ଗୁଠିକୁ ତାହା ବଡ଼ ହେଲା।
ସେ ମୁଦି କିଣି ଘରକୁ ଫେରିଲେ ସିନା, ମଝି ଆଙ୍ଗୁଠି ଓ କାଣୀ ଆଙ୍ଗୁଠିର ମନ କାହିଁରେ କଅଣ ଖରାପ ହୋଇଗଲା। ସେମାନଙ୍କୁ ମୁଦି ପିନ୍ଧିବାର ସୌଭାଗ୍ୟ ମିଳି ନ ଥିବାରୁ ସେମାନେ କାମ କରିବା ବନ୍ଦ କରିଦେଲେ।
ସେଇ ଲୋକ ଏହା ବୁଝିପାରି ତୁରନ୍ତ ଦୋକାନକୁ ଯାଇ ବିଶି, ମଝି ଓ କାଣୀ ଲାଗି ତିନିଟି ମୁଦି କିଣିଲେ। ଏବେ ସବୁ ଆଙ୍ଗୁଠି ଖୁସି। ହାତ କାମ କଲା।
ସେଇ ରାତିରେ ସେ ଶୋଇଥିବା ବେଳେ ହଠାତ୍ ତାଙ୍କ ନିଦ ଚାଉଁ କିନା ଭାଙ୍ଗିଗଲା। ତାଙ୍କ ମନରେ ଭାବନାଟିଏ ଜାତ ହେଲା: ତୁ ତ ବୁଢ଼ା ଆଙ୍ଗୁଠିକୁ ଭୁଲିଗଲୁ! ତା’ର କିଛି ଦାବି ନାହିଁ ବୋଲି ତୁ ତା’ କଥା ଭୁଲିଗଲୁ। କିନ୍ତୁ ମନେ ରଖ, ସେ ହେଉଛି ତୋ ହାତର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆଙ୍ଗୁଠି। ସେ କାମ କରିବା ବନ୍ଦ କରିଦେଲେ ହାତର କିଛି ମୂଲ୍ୟ ରହିବ ନାହିଁ। ଯେହେତୁ ସେ କିଛି ଦାବି କରେନା, ତୁମେ ତାକୁ ଭୁଲିଯାଅନାହିଁ। ତା’ ଉପକାରକୁ ମନେ ପକାଇ କୃତଜ୍ଞତା ଜ୍ଞାପନ କର।
ଗପଟି କହିସାରି ଜେଜେ ନାତିଙ୍କୁ ପଚାରିଲେ- ଏବେ କହ, ମୋ ଗପରୁ କ’ଣ ଶିଖିଲୁ?
ନାତି କହିଲା, ଆମେ ଆମ ଜୀବନରେ ଅନେକଙ୍କ ଦ୍ବାରା ଉପକୃତ ହେଉଥିଲେ ହେଁ ସେମାନଙ୍କ ନିରବତା ଦ୍ବାରା ସେମାନଙ୍କୁ ନଜରଅନ୍ଦାଜ କରିଦେଉ। ତାହା ଅନୁଚିତ। ଯେମିତି ଆମ ଘରେ ଆମମାନଙ୍କ ସହାୟତା ଓ ସେବାରେ ଥିବା ଅେନକ କର୍ମଚାରୀ!
ଶିଳ୍ପପତି ଏବେ ନାତିକୁ ସସ୍ନେହ କୋଳକୁ ଭିଡ଼ି ନେଲେ।
କଥାଟିଏ-ଯାଯାବର: ମୁଦି ଓ ଆଙ୍ଗୁଠି
ଜଣେ ଶିଳ୍ପପତି ତାଙ୍କ ନାତିକୁ କହିଲେ ଗପଟିଏ। ଜଣେ ବ୍ୟକ୍ତି ମୁଦି କିଣିବା ଲାଗି ଗଲେ। ମନ ପସନ୍ଦର ମୁଦିଟି ବାଛିଲେ। କିନ୍ତୁ ସେ ମୁଦିଟି କେବଳ ମୁଦି ଆଙ୍ଗୁଠିକୁ ଠିକ୍ ଖାପ ଖାଇଲା। ସେ ମଝି ଆଙ୍ଗୁଠି ଓ କାଣୀ ଆଙ୍ଗୁଠିରେ ତାକୁ ପିନ୍ଧି ଦେଖିଲେ।