ଥରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗଙ୍କ ଭିତରେ ଆଲୋଚନା ଚାଲିଲା ଯେ କିଏ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଯଦିଓ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଏଥିରେ ଭାଗ ନେଲେ ତଥାପି ଶେଷରେ ସମସ୍ତେ ମାନିଲେ ଯେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଲେ ଚାରିଟି। ସେଗୁଡ଼ିକ ହେଲେ ମସ୍ତିଷ୍କ, ହୃତ୍‌ପିଣ୍ତ, ବୃକ୍‌କ ଓ ଫୁସ୍‌ଫୁସ୍‌। 

Advertisment

ତେବେ ଏମାନଙ୍କ ଭିତରୁ କିଏ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସେ କଥା ପଡ଼ିଲା। ଏଥର ଚାରି ଜଣ ଯାକ ନିଜ ନିଜ ପକ୍ଷରେ ଯୁକ୍ତି ରଖିବା କଥା। ମସ୍ତିଷ୍କ ଥିଲା ସବୁଠାରୁ ଅଧିକ ବୁଦ୍ଧିମାନ। ତେଣୁ ତାକୁ କୁହାଗଲା ଯେ ସେ ସବା ଶେଷରେ କହିବ। ତେଣୁ ଯେତେବେଳେ ସମସ୍ତଙ୍କ ପାଳି ସରିଲା ମସ୍ତିଷ୍କ କହିବା ଆରମ୍ଭ କଲା। ସେ କହିଲା- ମୁଁ ସମସ୍ତଙ୍କ କଥା ଶୁଣିଲି। ସମସ୍ତେ ନିଜ ନିଜ ପକ୍ଷ ବେଶ୍‌ ଭଲ ଭାବେ ଉପସ୍ଥାପନ କଲେ। ଏହା ବି ସତ ଯେ ଆମେ ଚାରି ହେଉଛନ୍ତି ଶରୀର ଚାଲିବା ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଆମେ ସମସ୍ତେ ଗୋଟିଏ କଥା ଭୁଲିଗଲେ। ସେଇ କଥାଟି ହେଲା ରକ୍ତ। ରକ୍ତ ଶରୀର ଭିତରେ ସବୁ ଜାଗାରେ ଅଛି। ଆମେ ଚାରି ଯଦି ରକ୍ତ ନ ପାଇବା ତେବେ କାମ କରି ପାରିବା ନାହିଁ। ସେଥିପାଇଁ ହୃତ୍‌ପିଣ୍ତ ଲାଗିଛି ସବୁଆଡ଼କୁ ରକ୍ତ ପଠାଇବାରେ। ବୃକ୍‌କ ଲାଗିଛି ରକ୍ତକୁ ପରିଷ୍କାର କରିବାରେ। ତେଣୁ ଆମେ କେହି ନୁହେଁ, ରକ୍ତ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଥଚ ଆମେ ତା’ କଥା ଭୁଲିଗଲେ। ଏହା ଶୁଣି ସବୁ ଅଙ୍ଗ ପ୍ରତ୍ୟଙ୍ଗ କହି ଉଠିଲେ- ସାବାସ୍‌, ଠିକ୍‌ କଥାଟିଏ କହିଛ।