ଥରେ ୟୁଜି କୃଷ୍ଣମୂର୍ତ୍ତି ତାଙ୍କ ଅନୁଗାମୀମାନଙ୍କୁ କହୁଥିଲେ ଏହି ସତ କଥାଟି। 
ଫିଲିପାଇନ୍‌ସର ଜଣେ ମାଛ ଧରାଳି ମାଛ ମାରିବାକୁ ଯାଇ ଅଥଳ ସମୁଦ୍ରରେ ହଜିଗଲେ। ସମୁଦ୍ରରେ କୌଣସିମତେ ତିନି ଦିନ ତିନି ରାତି ରହିବା ପରେ ସେ ଜୀବନର ଆଶା ଛାଡ଼ିଦେଲେ ଓ ସେଇ ଛୋଟ ଡଙ୍ଗା ଭିତରେ ପଡ଼ି ରହିଲେ। ଚତୁର୍ଥ ଦିନ ରାତିରେ ତାଙ୍କୁ ଲାଗିଲା ଯେ ଜୀବନୀ ଶକ୍ତି ଶେଷ ହୋଇଯିବ। ସେ ନିରବରେ ଭଗବାନଙ୍କୁ ଡାକିବାକୁ ଲାଗିଲେ। 
ଏହି ସମୟରେ ହଠାତ୍ ତାଙ୍କୁ ଲାଗିଲା ଯେମିତି ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଲହଡ଼ି ଉଚ୍ଚକୁ ଉଠିଲା। ତାଙ୍କ ଡଙ୍ଗା ଅଣାୟତ୍ତ ହୋଇ ଭାସିବାକୁ ଲାଗିଲା। ସେ ଜାଣିଲେ ମୃତ୍ୟୁ ସୁନିଶ୍ଚିତ। ସେଇ ଅବସ୍ଥାରେ ତାଙ୍କର ଚେତା ବୁଡ଼ିଗଲା। 
ସକାଳକୁ ତାଙ୍କ ଚେତା ଫେରିଲା। କିନ୍ତୁ ସେ ସଂପୂର୍ଣ୍ଣ ଅବସନ୍ନ। ତଥାପି ବାରିପାରିଲେ ଯେ ଡଙ୍ଗାଟି କୂଳରେ ଲାଗିଯାଇଛି। ଯେଉଁ ସ୍ଥାନରେ ତାହା ଲାଗିଥିଲା ତା’ଠାରୁ କିଛି ଦୂରରେ ଗାଁଟିଏ ଥିଲା। ସେଇ ଗାଁର କିଛି ଲୋକ ସେଠାରେ ପହଞ୍ଚିଛନ୍ତି। ତାଙ୍କୁ ଉଦ୍ଧାର କରାଗଲା ଓ ସେ ସାଷ୍ଟମ ହେଲେ। ସେ ଶୁଣିବାକୁ ପାଇଲେ ଯେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଫିଲିପା‌ଇନ୍‌ସକୁ ଆଘାତ ଦେଇଛି, ଯାହାର ପ୍ରଭାବରେ ତାଙ୍କ ଡଙ୍ଗା କୂଳକୁ ଭାସି ଆସିଛି। 
ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଇ ମାଛ ଧରାଳି ନିଜ ଗ୍ରାମକୁ ଫେରିଲେ। କିନ୍ତୁ ଗ୍ରାମରେ ପହଞ୍ଚି ସେ କ’ଣ ଦେଖିଲେ? ସେଇ ସାମୁଦ୍ରିକ ଝଡ଼ରେ ତାଙ୍କ ଗାଁ ପୂରା ଭାସିଯାଇଛି। ସମୁଦ୍ର ଜୁଆରରେ ତାଙ୍କ ପରିବାର ବି ନିଶ୍ଚିହ୍ନ ହୋଇଯାଇଛି। 
କଥାଟି କହି ୟୁଜିକେ କହିଲେ- ଏହା ହିଁ ଭଗବାନଙ୍କ ଭିଆଣ। ତାଙ୍କ ଗାଁର ସେ ଏକ ମାତ୍ର ବ୍ୟକ୍ତି ଯିଏ ବଞ୍ଚି ରହିଥିଲେ। କିନ୍ତୁ ତାକୁ ଆଶୀର୍ବାଦ ବୋଲି କୁହାଯିବ ନା ଅଭିଶାପ?