ଋଷି ଉଦ୍ଦାଳକଙ୍କ ପୁତ୍ର ଶ୍ବେତକେତୁ ଗୁରୁ ଗୃହରୁ ଘରକୁ ଫେରିଲେ। ପିତା ତାଙ୍କୁ ସ୍ବାଗତ କରୁ କରୁ ପଚାରିଲେ- କ’ଣ ଜାଣି ଫେରିଛ?
ଶ୍ବେତକେତୁ କହିଲେ- ସବୁ କିଛି ଜାଣି ଫେରିଛି। ଭାଷା, ଦର୍ଶନ, ତର୍କ, ବ୍ୟାକରଣ, ସ୍ମୃତି, ଶ୍ରୁତି, ବେଦ, ଉପନିଷଦ୍, ଭୂଗୋଳ, ଜ୍ୟୋତିଷ ସବୁ କିଛି!
ଉଦ୍ଦାଳକ କହିଲେ- ସବୁ କିଛି? ତାହାର ଅର୍ଥ ତୁ ସେଇ ଗୋଟାକୁ ଜାଣି ନାହୁଁ?
ଶ୍ବେତକେତୁ ଚମକି ପଡ଼ିଲେ। ଉଦ୍ଦାଳକ ଥିଲେ ବିରଳ ସନ୍ନ୍ୟାସୀ। ତାଙ୍କ କଥା ଗୁରୁତ୍ବହୀନ ହୋଇ ନ ପାରେ!
ଶ୍ବେତକେତୁ ପଚାରିଲେ- କେଉଁ ଗୋଟାକ?
ଉଦ୍ଦାଳକ କହିଲେ- ଯେଉଁ ଗୋଟିକୁ ଜାଣି ଫେରିଥିଲେ ତୁ ସବୁ ଜାଣି ଫେରିଛୁ ବୋଲି କହିବାର ଆବଶ୍ୟକତା ନ ଥାଆନ୍ତା। ତୁ କେବଳ କହିଥାଆନ୍ତୁ ସେହି ଗୋଟାକୁ ଜାଣି ଫେରିଛି, ଯାହାକୁ ଜାଣିବାର ଅର୍ଥ ସବୁ କିଛି ଜାଣିବା।
ଶ୍ବେତକେତୁ ନିରବରେ ଛିଡ଼ା ହେଲେ। ସେ କହିଲେ- ଗୁରୁମାନେ ମୋତେ କେବେ ହେଲେ ସେହି ଗୋଟାକୁ ଜାଣିବା କଥା କହି ନାହାନ୍ତି। ସେ ପ୍ରଶ୍ନ ହିଁ ଉଠିନାହିଁ। ସେମାନେ ମୋତେ ଯାହା ଯାହା ଜାଣିବାକୁ କହିଛନ୍ତି ତାହା ମୁଁ ଜାଣି ଫେରିଛି।
ଉଦ୍ଦାଳକ କହିଲେ- ତେବେ ତୁ ପୁଣି ବାହୁଡ଼ି ଯାଆ। ଗୁରୁଙ୍କୁ କହିବୁ ଯେ ପିତା ଫେରାଇ ଦେଲେ ଓ କହିଲେ- ସେଇ ଗୋଟିଏ ଜ୍ଞାନ ଦିଅନ୍ତୁ, ଯାହା ଜାଣିଲେ ସବୁ କିଛି ଆପଣା ଛାଏଁ ଜାଣି ହୋଇଯାଏ।
ଶ୍ବେତକେତୁ ଆଶ୍ରମକୁ ଫେରିଲେ। ଏବେ ଆଶ୍ରମରେ ରହି ସାଧନା କରୁଥିବା ବେଳେ ଆତ୍ମଜ୍ଞାନର ରହସ୍ୟ ଭେଦ କରି ରୋମାଂଚିତ ହେଉଥିଲେ।
ସେଇ ଗୋଟିଏ ଜ୍ଞାନ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/02/foot123.jpg)