ଗାଁ ଠାରୁ ଟିକିଏ ଦୂରରେ ଜଣେ ସାଧୁ ଆଶ୍ରମ କରି ରହୁଥିଲେ। ସେଇ ଗାଁରେ ଜଣେ ଧନୀ ଲୋକ ଥିଲେ, ଯେ ଥିଲେ ସ୍ବଭାବରେ ଭୀଷଣ ଦୁଷ୍ଟ। ସମସ୍ତଙ୍କ ପ୍ରତି ତାଙ୍କ ବ୍ୟବହାର ଥିଲା ଅତ୍ୟନ୍ତ କଦର୍ଯ୍ୟ। ସେଥି ପାଇଁ ଗାଁ ଲୋକେ ତାଙ୍କୁ ଘୃଣା କରୁଥିଲେ। ହେଲେ, ତାଙ୍କୁ କିଛି କହି ପାରୁ ନ ଥିଲେ।
ଥରେ ସେଇ ଧନୀ ବ୍ୟକ୍ତିଙ୍କ ସାକ୍ଷାତ ଘଟଣାକ୍ରମରେ ସେଇ ସାଧୁଙ୍କ ସହିତ ହୋଇଗଲା। ସାଧୁ ଧନିକଙ୍କୁ ପରାମର୍ଶ ଦେଇ କହିଲେ- ମହାଶୟ, ଆପଣ ବିଷ ବୁଣିବାରେ ଲାଗିଛନ୍ତି। ତେଣୁ ବିଷ ଅମଳ କରିବା ଧାର୍ଯ୍ୟ। ଭଲ ହେବ ଆପଣ ଯଦି ତହିଁରୁ କ୍ଷାନ୍ତ ରହନ୍ତି। ଏ କଥା ଶୁଣି ଧନିକ ଭୀଷଣ ରାଗିଗଲେ ଏବ˚ ସାଧୁଙ୍କୁ ପ୍ରାୟ ଗଳା ଧକ୍କା ଦେଇ ସେଠାରୁ ବିଦା କରିଦେଲେ। ତେବେ ସାଧୁଙ୍କ ପ୍ରତି ଏ ବ୍ୟବହାର ଥିଲା ଗାଁ ଲୋକଙ୍କ ଲାଗି ଅସହ୍ୟ। କାରଣ ସେମାନେ ସାଧୁଙ୍କୁ ବହୁତ ଭକ୍ତି ଓ ଶ୍ରଦ୍ଧା କରୁଥିଲେ।
ତେଣୁ ସେମାନେ ଦିନେ ଏକଜୁଟ ହେଲେ ଏବ˚ ଧନିକ କୌଣସି ଏକ ସ୍ଥାନକୁ ଯାଉଥିବା ବେଳେ ଏକୁଟିଆ ପାଇ ନିସ୍ତୁକ ପ୍ରହାର କରି ଛାଡ଼ି ଦେଇ ପଳାଇ ଆସିଲେ। ଧନିକ ମୃତପ୍ରାୟ ଅବସ୍ଥାରେ ସେଠି ପଡ଼ି ରହିଥିବା କଥା ଶୁଣି ସାଧୁ ସେଠାକୁ ଦୌଡ଼ିଯାଇ ତାଙ୍କୁ ନିଜ ଆଶ୍ରମକୁ ବୋହି ଆଣିଲେ। ସେଠାରେ ତାଙ୍କର ସେବା କଲେ। କିଛି ଦିନ ପରେ ଧନିକ ଆରୋଗ୍ୟ ଲାଭ କଲେ।
ଆରୋଗ୍ୟ ଲାଭ କରିବା ପରେ ଧନିକ ତାଙ୍କ ପୂର୍ବ ବ୍ୟବହାର କଥା ମନେ ପକାଇ ଭୀଷଣ ଲଜ୍ଜିତ ହୋଇ ସାଧୁଙ୍କୁ କ୍ଷମା ମାଗିଲେ। ସାଧୁ କହିଲେ- ମୁଁ ଆପଣଙ୍କୁ କହିଥିଲି ଆପଣ ବିଷ ବୁଣୁଛନ୍ତି, ବିଷ ଅମଳ କରିବେ। ଆପଣ ବିଷ ଅମଳ କଲେ। ତେବେ ମୁଁ ଆପଣ ଓ ଆପଣଙ୍କ ଆକ୍ରମଣକାରୀମାନଙ୍କ ଭିତରେ କୌଣସି ପ୍ରଭେଦ ଦେଖୁନାହିଁ। ଉଭୟ ପକ୍ଷ ବିଷମୟ ହୋଇ ଉଠିଛନ୍ତି। କିନ୍ତୁ ଏବେ ଯେତେବେଳେ ଆପଣ ଅନୁତପ୍ତ ଏବ˚ ଆପଣ ନିଜ ବ୍ୟବହାର ବଦଳାଇବାକୁ ପ୍ରସ୍ତୁତ ସେତିକି ବେଳେ ମୁଁ କହୁଛି ମୁଁ ଅମୃତ ବୁଣିଲି ବୋଲି ଆପଣଙ୍କ ନିକଟରୁ ବି ଅମୃତ ପାଇଲି।
ଧନିକ ଓ ସାଧୁ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)