ଏହା ବି ପ୍ରାର୍ଥନା

କଥାଟିଏ-ଯାଯାବର

ପ୍ରବଚନ ଶୁଣିବା ପରେ ଜଣେ ଯୁବକ ନିରାଶ ହେଲା। ସେ ବାବାଙ୍କ ମୁଖ୍ୟ ଶିଷ୍ୟଙ୍କୁ ପଚାରିଲା- ଆଜ୍ଞା, ଏ କି ପ୍ରକାର ପ୍ରବଚନ। ମୁଁ ଆଗରୁ ଶୁଣିଥିବା ପ୍ରବଚନରେ ନୀତି, ଆଦର୍ଶ ତଥା ବିଭିନ୍ନ ଭଲ ଓ ମନ୍ଦ ଗୁଣାବଳି ଆଦିକୁ ନେଇ ଚର୍ଚ୍ଚା କରାଯାଏ। କେମିତି ଜଣେ ଈଶ୍ବରଙ୍କ ନିକଟତର ହୋଇପାରିବ ସେ କଥା ପଡ଼େ। କିନ୍ତୁ ଏଠି ୟେ କି ପ୍ରକାର ପ୍ରବଚନ? ବାବା ତ କେବଳ ଉନ୍ନତ ପ୍ରଣାଳୀରେ ଟମାଟୋ ଚାଷ କେମିତି ହେବ ସେ କଥା କହିଲେ। ତୁରନ୍ତ ଜମିରେ କାମ କରିବାକୁ ପରାମର୍ଶ ଦେଲେ!
ମୁଖ୍ୟ ଶିଷ୍ୟ କହିଲେ- ଭାଇ ତୁମେ ଯେଉଁ ଜାଗାରୁ ଆସିଛ ସେଠି ଈଶ୍ବରଙ୍କୁ କେମିତି ଭାବରେ ଚିନ୍ତା କରାଯାଏ କି?
ଯୁବକ କହିଲା- ଯେମିତି ସମସ୍ତେ ଭାବନ୍ତି। ସେ ଦୟାବାନ। ସର୍ବଶକ୍ତିମାନ। ତାଙ୍କ ଇଚ୍ଛାରେ ସବୁ ଚାଲିଛି। ସେ ସବୁ କରୁଛନ୍ତି ଓ କରିବେ। ଆମେ କିଛି ନୁହେଁ।
ମୁଖ୍ୟ ଶିଷ୍ୟ ସ୍ମିତ ହସି କହିଲେ- ତୁମେ ଯେମିତି ଚିନ୍ତା କରୁଛ, ଆମେ ପ୍ରାୟ ସେମିତି କରୁ। କିନ୍ତୁ ଆମ ଚିନ୍ତାରେ ଟିକିଏ ପ୍ରଭେଦ ଅଛି। ତାହା ହେଲା, ଆମେ ଭାବୁ ଈଶ୍ବର ଯାହା କରିବା କଥା କରି ସାରିଛନ୍ତି। ସେ ଯେଉଁଠି ଛାଡ଼ିଛନ୍ତି ସେଇଠାରୁ ଆମ କାମର ଆରମ୍ଭ। ଏ ଯେଉଁ ପଡ଼ିଆ ଦେଖୁଛ ତାକୁ ଯଦି ଆମେ କର୍ଷଣ ନ କରିବା ତାହା ଉଷର ହୋଇ ରହିଯିବ। ଭଗବାନ ଆମ ଲାଗି ଟମାଟୋ ଲଗାଇବେ ନାହିଁ। ତେଣୁ ଆମେ ସେଠି ଏବେ କାମ କରିବୁ ଏବ˚ ଟମାଟୋ ଲଗାଇବୁ। ଆମ ଗୁରୁଙ୍କ ମତରେ ନୀତି ଆଦର୍ଶ ବିଷୟରେ ଚର୍ଚ୍ଚା କରିବା ଯାହା, କ୍ଷେତରେ କାମ କରିବା ବି ସେୟା। ଏହା ବି ଏକପ୍ରକାର ପ୍ରାର୍ଥନା। ଆମ ଗୁରୁ ସେଭଳି ପ୍ରା‌ର୍ଥନା କରିବାକୁ କହନ୍ତି।

ସମ୍ବନ୍ଧିତ ଖବର