ଥରେ ରାଜା ପାଇଲେ ଏକ ଅତି ସୁନ୍ଦର କଥା କୁହା ପକ୍ଷୀ। ରାଜା ତା’ର ପ୍ରେମରେ ପଡ଼ିଗଲେ। ତା’ ଲାଗି ସୁନ୍ଦର ପଞ୍ଜୁରି ଆଣିଦେଲେ ଓ ପୃଥିବୀର ସବୁଠାରୁ ଭଲ ଖାଦ୍ୟର ବ୍ୟବସ୍ଥା କଲେ। ରାଜା ତାକୁ କ୍ଷଣେ ନ ଦେଖିଲେ ରହି ପାରୁ ନ ଥିଲେ। ପକ୍ଷୀଟି ବି ରାଜାଙ୍କୁ ଭଲ ପାଉଥିଲା। କିନ୍ତୁ ତା’ର ମନ ବିରସ ରହୁଥିଲା। ତାକୁ ଖୁସି କରିବାକୁ ବହୁ ଚେଷ୍ଟା କରି ବିଫଳ ହେବା ପରେ ଥରେ ରାଜା ପଚାରିଲେ- ତୁ କ’ଣ ମୋତେ ଭଲ ପାଉନାହୁଁ? ଯଦି ଭଲ ପାଉଛୁ, ତାହା ହେଲେ ଏମିତି ମନ ମାରି ରହୁଛୁ କାହିଁକି? 
ପକ୍ଷୀ କହିଲା- ମୁଁ ଆପଣଙ୍କୁ ବହୁତ ଭଲ ପାଏ। କିନ୍ତୁ ମୋ ଲାଗି ଆକାଶରେ ଉଡ଼ି ବୁଲିବା ହେଉଛି ସବୁଠାରୁ ଆନନ୍ଦର କଥା। ଏ ଖାଦ୍ୟପେୟ ଓ ଆପଣଙ୍କ ସ୍ନେହ ମୋତେ ଆନନ୍ଦ ଦେଉଛି ସତ, କିନ୍ତୁ ଆକାଶରେ ସ୍ବାଧୀନ ଭାବେ ବିଚରଣ କରିବାର ଯେଉଁ ଆନନ୍ଦ ତା’ କଥା ଅଲଗା। 
ରାଜା ଟିକିଏ ଭାବିଲେ ଓ ତା’ ପରେ ପାଖ ଲୋକଙ୍କୁ କହିଲେ- ଏହାକୁ ଛାଡ଼ିଦିଅ। 
ସମସ୍ତେ ବିସ୍ମିତ ହୋଇଗଲେ। ରାଜାଙ୍କୁ ସେମାନେ ପଚାରିଲେ- ଏହାକୁ ଛାଡୁଛନ୍ତି କାହିଁକି? ୟେ ଉଡ଼ି ଚାଲିଯିବ!
ରାଜା କହିଲେ- ମୁଁ ତାକୁ ବହୁତ ଭଲ ପାଏ, ସେଥି ଲାଗି ତାକୁ ଛାଡ଼ିଦେଲି। ତା’ ଆନନ୍ଦରେ ମୋର ଆନନ୍ଦ।
ତା’ ପରେ ଦୁଇ ଦିନ ବିତିଗଲା। ସକାଳେ ରାଜାଙ୍କ ନିଦ ଭାଙ୍ଗିବାରୁ ଦେଖିଲେ ସେଇ ପକ୍ଷୀ ବସିଛି ତାଙ୍କ ପ୍ରକୋଷ୍ଠର ଝରକାରେ। ରାଜା ଖୁସି ହୋଇଗଲେ ଏବ˚ ପଚାରିଲେ- ତୁ ଫେରି ଆସିଲୁ ଯେ? 
ପକ୍ଷୀ କହିଲା- ମୁଁ ଆପଣଙ୍କୁ ଭଲ ପାଏ ବୋଲି!
ରାଜା କହିଲେ- ତେବେ ଏମିତି ଆମର ସ˚ପର୍କ ରହୁ। 
ବିନା ପଞ୍ଜୁରି ଓ ବିନା ଶିକୁଳିରେ ଏଇଭଳି ଭାବେ ପରସ୍ପର ସହିତ ବାନ୍ଧି ହୋଇଗଲେ ରାଜା ଓ ପକ୍ଷୀ।

Advertisment