ପ୍ରାୟ ତିନି ଦଶକ ପୂର୍ବେ ଖଲିସ୍ତାନ ଆନ୍ଦୋଳନ ଦେଶରେ ଅସ୍ଥିରତା ଓ ଆତଙ୍କ ସୃଷ୍ଟି କରିଥିଲା। ପଞ୍ଜାବ ସରକାରୀ କଳ ପୁଲିସ ବାହିନୀ ବ୍ୟତୀତ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଯାଇଥିଲା। ବି‌େଦଶରେ ବାସ କରୁଥିବା ଶିଖ୍‌ମାନଙ୍କର ଆର୍ଥିକ ସାହାଯ୍ୟ ଓ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣରେ ଆନ୍ଦୋଳନ ବଳଶାଳୀ ହୋଇ ଉଠିଥିଲା। ଦୃଢ଼ ପୁଲିସ କାର୍ଯ୍ୟାନୁଷ୍ଠାନ, ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ବିଭେଦ ଓ ଜନସମର୍ଥନ ହ୍ରାସ ଯୋଗୁଁ, ଆନ୍ଦୋଳନ ଧିମେଇ ଗଲା ଏବଂ ପଞ୍ଜାବରେ ଶାନ୍ତି ଓ ସ୍ବାଭାବିକତା ପ୍ରତିଷ୍ଠା ହେଲା। ତା’ ପରଠାରୁ ପଞ୍ଜାବରେ ସୁରୁଖୁରୁରେ ନିର୍ବାଚନ ହୋଇ ସରକାର ପରିବର୍ତ୍ତନ ହେଉଅଛି। ଦୁଇ ମୁଖ୍ୟ ବିରୋଧୀ ଦଳ, କଂଗ୍ରେସ ଓ ଅକାଳୀ, ସରକାର ଗଠନ କରୁଥିଲେ ଓ ଶିଖ୍‌ମାନେ ହିଁ ନେତୃତ୍ବ ପ୍ରଦାନ କରୁଥିଲେ। ଗତବର୍ଷ ନିର୍ବାଚନରେ ଦିଲ୍ଲୀର ଆମ୍‌ ଆଦମି ଦଳ ପଞ୍ଜାବରେ ଶାସନ ଗାଦି ଦଖଲ କରିଛି। ଯଦିଓ ମୁଖ୍ୟମନ୍ତ୍ରୀ ଜଣେ ଶିଖ୍‌, ଜନ ମାନସରେ ଆମ୍‌ ଆଦମି ଦଳକୁ ଏକ ହିନ୍ଦୁ ଦଳ ଭାବରେ ବିବେଚନା କରାଯାଏ।

Advertisment

ବହୁ ବର୍ଷ ପରେ ଏ ଆନ୍ଦୋଳନ ପୁଣି ମୁଣ୍ଡ ଟେକିଛି। ବିଦେଶରେ ବିଶେଷତଃ କାନାଡା, ଅଷ୍ଟ୍ରେଲିଆ, ଇଂଲାଣ୍ଡ ଓ ଆମେରିକାରେ ଭାରତୀୟ ଦୂତାବାସମାନଙ୍କ ଉପରେ ଆକ୍ରମଣ ଓ ହିନ୍ଦୁ ଉପାସନା ସ୍ଥଳୀମାନଙ୍କରେ ସମାଲୋଚନାମୂଳକ ଲେଖା ପ୍ରକାଶ ପାଉଛି। ବିଦେଶୀ ସରକାରମାନେ ଏସବୁକୁ ନିନ୍ଦା କରିବା ସତ୍ତ୍ବେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି। ଆମେରିକାର ଶାନ୍ତି ବ୍ୟାହତ ହେଉନାହିଁ- ତେଣୁ ସେ ଦେଶ ଏହା ଉପରେ ଗୁରୁତ୍ବ ପ୍ରଦାନ କରୁନାହିଁ। କାନାଡାରେ ଖଲିସ୍ତାନୀମାନେ ସରକାରଙ୍କର ସହଯୋଗୀ ଓ ଶିଖ୍‌ମାନେ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଇଂଲାଣ୍ଡ ଓ ଅଷ୍ଟ୍ରେଲିଆ ଏହାକୁ ଗୁରୁତ୍ବ ପ୍ରଦାନ କରୁନାହାନ୍ତି। ପାକିସ୍ତାନୀମାନେ ଖଲିସ୍ତାନୀମାନଙ୍କ ସହିତ ସାବଧାନତାର ସହିତ ବ୍ୟବହାର କରନ୍ତି।

ଏକଦା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଭୁଟ୍ଟୋ ଖଲିସ୍ତାନୀଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟର ଆଶ୍ବାସନା ପ୍ରଦାନ କରିଥିଲେ। କେତେକ ଖଲିସ୍ତାନୀ ଲାହୋରକୁ ଖଲିସ୍ତାନର ଅଂଶ ବିଶେଷ କରିବାକୁ ଚାହିଁବାରୁ, ପାକିସ୍ତାନ କେବଳ ଅସ୍ତ୍ରଶସ୍ତ୍ର ପ୍ରଦାନ କରି, ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହେଁ, କିନ୍ତୁ ଖଲିସ୍ତାନ୍‌ ଆନ୍ଦୋଳନ ବିଶେଷ ଅଗ୍ରଗତି କରିବା ଚାହେଁ ନାହିଁ।

ଖଲିସ୍ତାନ ଆନ୍ଦୋଳନର ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଏହା ଏକ ପୁରୁଣା ଆନ୍ଦୋଳନ। ମୁସଲମାନମାନେ ୧୯୪୦ ମସିହାରେ ପାକିସ୍ତାନ ଦାବି କଲା‌େବଳେ, କେତେକ ଶିଖ୍‌, ଖଲିସ୍ତାନ ନାମକ ସ୍ବତନ୍ତ୍ର ଶିଖ୍‌ ରାଷ୍ଟ୍ର ଦାବି କରିଥିଲେ। ଅବିଭକ୍ତ ପଞ୍ଜାବରେ ସେମାନଙ୍କର ସଂଖ୍ୟା ମାତ୍ର ୧୨% ଥିଲା ଓ କେବଳ ଲୁଧିଆନା ଜିଲ୍ଲାରେ ସେମାନେ ସଂଖ୍ୟାଗରିଷ୍ଠ (୪୧.୬%) ଥିଲେ। ତେଣୁ ସେମାନଙ୍କର ଦାବିକୁ ବ୍ରିଟିସ୍‌ ସରକାର ଗୁରୁତ୍ବ ପ୍ରଦାନ କରିନଥିଲେ। ଅବଶ୍ୟ ପଞ୍ଜାବ‌େର ଦେଶୀୟ ରାଜ୍ୟମାନଙ୍କରେ ଯଥା ପାତିଆଲା, କପୁରଥାଲା ଶିଖ୍‌ମାନଙ୍କର ସଂଖ୍ୟା ଅଧିକ ଥିଲା। ଅକାଳୀ ନେତା ମାଷ୍ଟର ତାରା ସିଂହଙ୍କୁ ନିଜ ସପକ୍ଷରେ ନେବା ନିମନ୍ତେ ଜିନ୍ନା ପ୍ରବର୍ତ୍ତାଇ ବିଫଳ ହେଲେ। ଦେଶ ବିଭାଜନ ଜନିତ ଦଙ୍ଗା-ହଙ୍ଗାମାରେ ଶିଖ୍‌ ଓ ହିନ୍ଦୁମାନେ ସମ୍ମିଳିତ ଭାବରେ ମୁସଲମାନମାନଙ୍କୁ ମୁକାବିଲା କରିଥିଲେ ଓ ଶିଖ୍‌ମାନଙ୍କର ଧନଜୀବନ ପ୍ରଭୁତ ଭାବରେ ନଷ୍ଟ ହୋଇଥିଲା। ପଞ୍ଜାବର କେନାଲ କୂଳର କେତେକ ଧନୀ ଶିଖ୍‌ ଚାଷୀ ନିଜର ସମ୍ପତ୍ତି ରକ୍ଷା ନିମନ୍ତେ ମୁସଲମାନ ଧର୍ମ ଗ୍ରହଣ କଲେ। ସେମାନଙ୍କର ବନ୍ଧୁବାନ୍ଧବ ଶିଖ୍‌ ହୋଇ ରହିଲେ। ଦେଶ ବିଭାଜନ ସମୟର ଶିଖ୍‌-ମୁସଲମାନ ସଂଘର୍ଷକୁ ପାତିଆଲା ମହାରାଜା ଓ ଅକାଳୀ ‌େନତା ମାଷ୍ଟର ତାରା ସିଂହ ବି‌େଶଷ ସମର୍ଥନ ପ୍ରଦାନ କରିଥିଲେ। ଶିଖ୍‌ମାନେ ପାକିସ୍ତାନ ଛାଡ଼ି ଚାଲିଆସିଲେ ଓ ୧୮ ଭାଗରୁ ତାଙ୍କ ସଂଖ୍ୟା ୧ ଭାଗରୁ କମ୍‌ ହୋଇଗଲା। ଶିଖ୍‌-ମୁସଲମାନ ତିକ୍ତତା ଚରମ ସୀମାରେ ପହଞ୍ଚିଲା।

ସ୍ବାଧୀନତା ପରେ କଂଗ୍ରେସ ସରକାର ଅକାଳୀ ନେତା ବଳଦେବ ସିଂହଙ୍କୁ ଗୁରୁତ୍ବପୂର୍ଣ୍ଣ ଦେଶରକ୍ଷା ମନ୍ତ୍ରୀ ପଦ ପ୍ରଦାନ କରି, କପୁରଥାଲାର ଶିଖ୍‌ ରାଜକୁମାରୀ ଅମୃତ କାଉଲଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ନିଯୁକ୍ତ କରି ଓ ପାତିଆଲା ମହାରାଜାଙ୍କୁ ପେପସୁ (ପାତିଆଲା ଆଣ୍ଡ୍ ଇଷ୍ଟ ପଞ୍ଜାବ ଷ୍ଟେଟ୍‌ସ ୟୁନିଅନ୍)ର ରାଜ ପ୍ରମୁଖ ନିଯୁକ୍ତ କରି ଶିଖ୍‌ମାନଙ୍କୁ ନିଜ ପକ୍ଷକୁ ଆଣି ପାରିଥିଲେ। ସୀମା ନିର୍ଦ୍ଧାରଣ କମିସନ ପରେ ୧୯୫୬ରେ ପୂର୍ବ ପଞ୍ଜାବ ରାଜ୍ୟରେ ପେପସୁ ମିଶିଗଲା ଓ ସେ ରାଜ୍ୟରେ କ୍ଷମତା ନିମନ୍ତେ ହିନ୍ଦୁ ଓ ଶିଖ୍‌ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଲା। ତା’ର ସମାଧାନ ନିମନ୍ତେ ପୂର୍ବ ପଞ୍ଜାବକୁ ଭାଙ୍ଗି, ପଞ୍ଜାବ, ହରିଆନା ରାଜ୍ୟ ୧୯୬୬ରେ ଗଠନ ହେଲା ଓ କିଛି ଅଂଶ ହିମାଚଳ ପ୍ରଦେଶରେ ସାମିଲ ହେଲା। ଶିଖ୍‌ମାନେ ଗୋଟିଏ ନିଜ ରାଜ୍ୟ ପାଇ ସନ୍ତୁଷ୍ଟ ହେଲେ ମଧ୍ୟ, ଚଣ୍ଡୀଗଡ଼କୁ ହରିୟାନା ସଂଗରେ ଭାଗ କରିବା ଓ ରାଜସ୍ଥାନ କେନାଲର ମାତ୍ର ୨୩ ଭାଗ ଜଳ ପାଇବା ନେଇ ଅସନ୍ତୋଷ ପ୍ରକଟ କଲେ। ଏ ଦୁଇଟି ସମସ୍ୟାର ସମାଧାନ ଏ ଯାବତ୍‌ ହୋଇପାରିନାହିଁ।

ବିଗତ ଶତାବ୍ଦୀର ସପ୍ତମ ଦଶକରେ ଅକାଳୀ ଦଳକୁ ଅସୁବିଧାରେ ପକାଇବା ନିମନ୍ତେ କଂଗ୍ରେସ ଭିନ୍ଦରଵାଲେକୁ ସାହାଯ୍ୟ କଲା। ଷାଠିଏ ଦଶକରେ ନିର୍ବାଚନରେ ପରାସ୍ତ ହୋଇ ଜଗଜୀତ ସିଂହ ଚୌହାନ ଇଂଲାଣ୍ଡ ଯାଇ ଖଲିସ୍ତାନ ଆନ୍ଦୋଳନର ପୁନଃ ଆରମ୍ଭ କରିଥିଲେ। ଖଲିସ୍ତାନ ଆନ୍ଦୋଳନ ସକ୍ରିୟ ହୋଇ ଉଠିଲା ଓ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ହେଲା। ୧୯୮୫ ମସିହାରେ ଏଆର ଇଣ୍ଡିଆ ‌ବିମାନରେ ବୋମା ଖଞ୍ଜି ୩୨୯ ଜଣ ବ୍ୟକ୍ତିଙ୍କ ମରଣର କାରଣ ହେଲା। ଭାରତରେ ମଧ୍ୟ ଅନେକ ହିନ୍ଦୁ, ଉଦାରବାଦୀ ଶିଖ୍‌ ଓ ନିରାପତ୍ତା ବାହିନୀର କର୍ମଚାରୀ ପ୍ରାଣ ହରାଇଲେ। ୧୯୮୪ ମସିହାର ଅପରେସନ୍ ବ୍ଲୁ ଷ୍ଟାର୍ ଜନିତ ରୋଷରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଓ ତତ୍‌ଜନିତ ଶିଖ୍‌ ବିରୋଧୀ ‌େଦଶବ୍ୟାପୀ ସାମ୍ପ୍ରଦାୟିକ ଦଙ୍ଗା, ଦେଶରେ ଅସ୍ଥିରତା ସୃଷ୍ଟି କଲା ଏବଂ ପଞ୍ଜାବ ଜନସାଧାରଣ ଖଲିସ୍ତାନ ଆନ୍ଦୋଳନର ଅସାରତା ଅନୁଭବ କଲେ। ଶିଖ୍‌ ବିରୋଧୀ ଦଙ୍ଗା, ଶିଖ୍‌ମାନଙ୍କ ମଧ୍ୟରେ ଭୟ ଜାତ କରାଇଲା ଓ ଦଙ୍ଗା ସମୟରେ ହିନ୍ଦୁମାନଙ୍କର ସାହାଯ୍ୟ ଶିଖ୍‌ ମନୋଭାବରେ ପରିବର୍ତ୍ତନ ଆଣିଲା। ଦେଶ‌େର ଶାନ୍ତି ପ୍ରତିଷ୍ଠା ହେଲା।

ଦୁବାଇରେ ଟ୍ରାନ୍‌ସପୋର୍ଟ ବ୍ୟବସାୟ କରୁଥିବା‌ ଅମୃତପାଲ ସିଂହ ପଞ୍ଜାବ ଆସି ଖଲିସ୍ତାନ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି। ସେ ଅସ୍ତ୍ରଶସ୍ତ୍ର ଧରି ଗୋଟିଏ ପୁଲିସ ଥାନାକୁ ଆକ୍ରମଣ କରିବାର ସାହାସ ପ୍ରକଟ କରିଛନ୍ତି। ଏ ଆନ୍ଦୋଳନରେ ଚେର ଲାଗିବା ଆଗରୁ ଓ ଏଥିରେ ଧାର୍ମିକ ଅନୁଷ୍ଠାନ ଗୁରୁଦ୍ବାରାମାନେ ସମ୍ପୃକ୍ତ ହେବା ଆଗରୁ ଏହାର ମୂଳୋତ୍ପାଟନ ଆବଶ୍ୟକ। କେବଳ ଅମୃତପାଲ ସିଂହଙ୍କୁ ଗିରଫ କରି ନେଲେ ସମସ୍ୟାର ସମାଧାନ ହେବନାହିଁ। ଶିଖ୍‌ମାନଙ୍କର ପ୍ରକୃତ ସମସ୍ୟାଗୁଡ଼ିକର ବିଚାର କରି, ଯେପରି ଏ ଆନ୍ଦୋଳନ ଜନ ସମର୍ଥନ ନ ପା‌ଏ, ତା’ର ବ୍ୟବସ୍ଥା କରିବାକୁ ହେବ। ଏଥିନିମନ୍ତେ ଦଳଗତ ରାଜନୀତିରୁ ଊର୍ଦ୍ଧ୍ବରେ ଉଠି ସବୁ ଦଳ ଏକଜୁଟ ହୋଇ କାମ କରିବା ଆବଶ୍ୟକ।
ମୋ: ୯୯୩୭୪୨୨୫୨୧