ଅକ୍ଟୋବର ମାସରେ ସାରା ଦେଶରେ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଛି। ବନ୍ୟ ପ୍ରାଣୀ ପ୍ରେମୀମାନେ କହୁଛନ୍ତି ଯେ ଜୀବେଦୟା ଓ ଅହିଂସା ଆମ ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର ହୋଇଥିବାରୁ ଆମେମାନେ ପ୍ରାଣୀମାନଙ୍କ ପ୍ରତି କରୁଣା ଭାବ ପୋଷଣ କରିବା ଉଚିତ। ଏହି ଦୃଷ୍ଟିରୁ ପ୍ରାଣୀମାନଙ୍କ ସୁରକ୍ଷା, ସେମାନଙ୍କ ବାସସ୍ଥଳୀ ସଂରକ୍ଷଣ ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ଜରୁରୀ ବୋଲି ମତ ପ୍ରକାଶ ପାଉଛି। ପୁନଶ୍ଚ ଏହି ମାସରେ ମାଆ ଦୁର୍ଗା ଧରା ପୃଷ୍ଠକୁ ଆସି ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ପୂଜା ପାଇଥାନ୍ତି। କିନ୍ତୁ ଏହି ଅବସରରେ ଶହ ଶହ ଜୀବଜନ୍ତୁଙ୍କୁ ବଳି ଦିଆଯାଏ।
ଏହା ଏକ ଅତ୍ୟନ୍ତ କ୍ରୂର ପ୍ରଥା। ଏହା ଜୀବେଦୟା ବିଚାରଧାରାର ପରିପନ୍ଥୀ ବୋଲି କହି ବଳି ପ୍ରଥାର ବିରୋଧୀମାନେ ଏହାକୁ ବନ୍ଦ କରିବା ଲାଗି ଦାବି କରନ୍ତି। ଅଥଚ, ବଳି ପ୍ରଥାର ସମର୍ଥକମାନେ ଏହି ମର୍ମରେ ପ୍ରତି ଦିନ ଆମିଷ ଭକ୍ଷଣ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଡ଼କୁ ଇଙ୍ଗିତ କରି କହନ୍ତି ଯେ େଯଉଁମାନେ ଆମିଷ ଭକ୍ଷୀ ସେମାନେ ତ ପ୍ରତି ଦିନ ଜୀବେ ଦୟା ପରଂପରାକୁ ଆଘାତ ପହଞ୍ଚାଉଛନ୍ତି। ତେଣୁ କ’ଣ ଆମିଷ ଭକ୍ଷଣକୁ ନିଷେଧ କରି ଦିଆଯିବ? ସେହି ଦୃଷ୍ଟିରୁ ଏବେ ଲାଗୁଛି ସତେ ଯେମିତି ଜୀବେଦୟା ଭଳି ଏକ ସୁନ୍ଦର ଭାବନା ଆମ ଦେଶରେ ମୂଲ୍ୟହୀନ ହୋଇ ପଡ଼ିଲାଣି। ଆମେମାନେ ଏବେ ନିଜକୁ ପଚାରିବା ଉଚିତ ଯେ ସତରେ କ’ଣ ଭାରତୀୟ ଭାବେ ଆମେ ଜୀବମାନଙ୍କ ପ୍ରତି ଦୟାବାନ?
ତ୍ରୈଲୋକ୍ୟ ନାଥ ମହାରଣା
ବାଲୁଗାଁ, ଖୋର୍ଦ୍ଧା