ଗତ ଦୁଇ ଦଶନ୍ଧି ଧରି ଏ ଲେଖକ କୋଣାର୍କର ସୁରକ୍ଷା ପ୍ରସଙ୍ଗ ସହିତ ଜଡ଼ିତ ରହି ଏହାର ଦାୟିତ୍ବରେ ଥିବା ଏ.ଏସ୍.ଆଇ.ର ଅବହେଳା ଓ ରାଜ୍ୟ ସରକାରଙ୍କ ଉଦାସୀନତା ବାରମ୍ବାର ଓଡ଼ିଶାର ଜନସାଧାରଣଙ୍କ ଦୃଷ୍ଟିକୁ ଆଣିଛି। ୧୯୮୪ ମସିହାରେ ବିଶ୍ବ ଐତିହ୍ୟ ମାନ୍ୟତା ପାଇଥିବା ଓଡ଼ିଶାର ଗର୍ବ ଉପରେ କତ୍ତୃର୍ପକ୍ଷଙ୍କ ଉଦାସୀନତା ଛଡ଼ା ଓଡ଼ିଶାର ବୁଦ୍ଧିଜୀବୀମାନଙ୍କ ଭାଷଣସର୍ବସ୍ବ ମାନସିକତା ଦେଖିଲେ ଦୁଃଖ ଓ ଶୋଚନା ଆସେ ଏବଂ ମନେ ହୁଏ ଯେପରି ଏହି କାରଣମାନଙ୍କ ଯୋଗୁଁ ଓଡ଼ିଶାର ବହୁତ ପ୍ରାଚୀନ ଐତିହ୍ୟ ଅବଲୁପ୍ତ ବା ଧ୍ବ˚ସମୁଖୀ। ଊନବି˚ଶ ଶତାବ୍ଦୀର ପ୍ରଥମ ଦଶକରେ ତତ୍କାଳୀନ ବ୍ରିଟିସ୍ ସରକାର ଜଗମୋହନର ଖନନ କାର୍ଯ୍ୟ ଆରମ୍ଭ କଲେ। ଏ ଦିଗରେ କଲିକତାର ଏସିଆଟିକ୍ ସୋସାଇଟିର ଭୂମିକା ଥିଲା ଉଲ୍ଲେଖଯୋଗ୍ୟ। ବ˚ଗଳା ସରକାରଙ୍କ ଯନ୍ତ୍ରୀ ବିଶନ ସ୍ବରୂପ ଏ ଖନନ କାର୍ଯ୍ୟ ଦାୟିତ୍ବରେ ଥିଲେ ଓ ତାତ୍କାଳିକ ବୈଷୟିକ ଜ୍ଞାନ ଭିତ୍ତିରେ ଜଗମୋହନର ଭିତରକୁ ବାଲୁକାରେ ଭର୍ତ୍ତି କରି ଦିଆଗଲା। ଲକ୍ଷ୍ୟ ଥିଲା ଏହା ଦ୍ବାରା କୋଣାର୍କ ମନ୍ଦିର ପରିସରର ଏକମାତ୍ର ପ୍ରାୟ ଅକ୍ଷତ ଅବସ୍ଥାରେ ଥିବା ଜଗମୋହନର କ୍ଷତି ହେବ ନାହିଁ। ୧୯୩୦ ଦଶକରେ ସରକାର ଏହାକୁ ଭାରତର ପ୍ରତ୍ନତତ୍ତ୍ବ ବିଭାଗକୁ ହସ୍ତାନ୍ତର କଲେ। ଏ.ଏସ୍.ଆଇ.ର ସେ ସମୟରେ ଭାରତର ଡାଇରେକ୍ଟର୍ ଜେନେରାଲ ଜନ ମାର୍ଶାଲଙ୍କ ପ୍ରଣୀତ ସ˚ରକ୍ଷଣ ମାନୁଆଲରେ ଥିବା ନିୟମାବଳୀ ଚାଲୁ ହେଲା। ଏଥିରେ ଥିବା ଏକ ବିଧି ଅନୁସାରେ ମନ୍ଦିର ଗାତ୍ରରେ ଥିବା ଖୋଦିତ ପ୍ରସ୍ତରମାନଙ୍କ ଅବକ୍ଷୟ ହେଲେ ସେ ସ୍ଥାନର ସମୁଚିତ ଖୋଦିତ ପ୍ରସ୍ତର ଲଗା ନ ଯାଇ ସମତଳ ପ୍ରସ୍ତର ଲଗାଯିବ। ମାର୍ଶାଲଙ୍କ ମାନୁଆଲ ଗତ କେତେ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ଥିଲା ଯାହାକୁ ଆଳ କରି ଏ.ଏସ୍.ଆଇ. ସମୟକୁ ତାଳଦେଇ ସ˚ରକ୍ଷଣ ଉପରେ ନୂତନ ନିୟମାବଳୀ ପ୍ରଣୟନ ପାଇଁ ଧୢାନ ଦେଲେ ନାହିଁ।
ଏହା ମାନିବାକୁ ହେବ ଯେ ୧୯୫୦ ପରେ ଭାରତ ସରକାର ଏ ବିଶ୍ବ ଐତିହ୍ୟର ସ˚ରକ୍ଷଣ ପାଇଁ ବିଭିନ୍ନ ସମୟରେ ପୃଥିବୀ ପ୍ରସିଦ୍ଧ ଖ୍ୟାତନାମା ସ୍ଥପତି ଓ ସ˚ରକ୍ଷଣ ବିଶେଷଜ୍ଞମାନଙ୍କୁ ନେଇ ବହୁତ କମିଟି ଗଠନ କରିଛନ୍ତି। କିନ୍ତୁ ଏ କମିଟିମାନଙ୍କ ସୁପାରିସ ଶୀତଳ ଭଣ୍ତାରରେ ରହିଗଲା। ଏ ବିଷୟ ଉପରେ ଆଲୋଚନା କରିବା ଆଗରୁ କୋଣାର୍କର ମୁଖ୍ୟ ସମସ୍ୟା ମାନଙ୍କ ଉପରେ ରେଖାପାତ କରିବା ଆବଶ୍ୟକ। ପ୍ରଥମ ହେଲା, ଜଗମୋହନରୁ ବାଲୁକା ଅପସାରଣ। ତାହା ହେଲେ ଭିତରକୁ ପ୍ରବେଶ କରି କ୍ଷୟକ୍ଷତିର ଆକଳନ କରାଯାଇପାରିବ ଏବଂ ଏକ ଦୀର୍ଘକାଳୀନ ସ˚ରକ୍ଷଣ ଯୋଜନା କରାଯାଇପାରିବ। ଦ୍ବିତୀୟ ହେଲା, କାଳକ୍ରମେ ଖୋଦିତ ପ୍ରସ୍ତରମାନଙ୍କ ଅବକ୍ଷୟ ଫଳରେ ତାହାକୁ କାଢ଼ି ସେ ସ୍ଥାନରେ ସମତଳ ପ୍ରସ୍ତର ଲଗାଯାଇଛି, ଯାହା ଫଳରେ କୋଣାର୍କର ଅପୂର୍ବ ଚାରୁକଳାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଉଛି। ତୃତୀୟ ସମସ୍ୟା ହେଲା, ବର୍ଷା ଦିନରେ ମନ୍ଦିର ପରିସରରୁ ଜଳ ନିଷ୍କାସନ। ଏହା ମନ୍ଦିରର ମୂଳଦୁଆକୁ ପ୍ରଭାବିତ କରିବାର ଆଶଙ୍କା ଅଛି। ଚତୁର୍ଥ ହେଲା ଜଗମୋହନ ଖନନ ବେଳେ ଓ ତାପରେ ଅନେକ ଖୋଦିତ ପ୍ରସ୍ତର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ହୋଇ ପଡ଼ିଛି। ସ˚ଗ୍ରହାଳୟରେ କିଛି କୀର୍ତ୍ତିରାଜି ସ୍ଥାନ ପାଇଥିଲେ ସୁଦ୍ଧା ବହୁତ ଖୋଦିତ ପ୍ରସ୍ତର ଆଉ ନାହିଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା କଥା।
କମିଟିମାନଙ୍କ ଏ ସମସ୍ୟାମାନଙ୍କ ଉପରେ ବିଭିନ୍ନ ପରାମର୍ଶ କାର୍ଯ୍ୟକାରୀ କରିବା ଦିଗରେ ଏ.ଏସ୍.ଆଇ. କୌଣସି ପ୍ରକାର ତତ୍ପରତା ପ୍ରଦର୍ଶନ କରିନାହାନ୍ତି। ବିଭିନ୍ନ ସମୟରେ ମନ୍ଦିର ଗାତ୍ରରେ ଥିବା ପ୍ରସ୍ତରମାନଙ୍କ ସୁରକ୍ଷା ରାସାୟନିକ ପ୍ରଲୋପ ମଧୢରେ ସୀମିତ। କୋଣାର୍କ ମନ୍ଦିରରେ ଖଣ୍ତୋଲାଇଟ ପ୍ରସ୍ତର ବହୁଳ ଭାବେ ବ୍ୟବହୃତ। ପାଠକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏ ପ୍ରସ୍ତରର ଉପଯୁକ୍ତ ସୁରକ୍ଷା ଦିଗରେ କୌଣସି ଗବେଷଣା ହୋଇନାହିଁ। ପ୍ରଖ୍ୟାତ ଯନ୍ତ୍ରୀ ଦିବ˚ଗତ ଗୋପାଳ ମିତ୍ର ଏହା ଏକଦା କହିଥିଲେ। ସବୁ କମିଟିମାନଙ୍କ ମତ ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ନାହିଁ। କିନ୍ତୁ କେତେଜଣ ବିଖ୍ୟାତ ସ୍ଥପତି ଓ ବିଶେଷଜ୍ଞ ମାନଙ୍କ ପରାମର୍ଶ ଉଲ୍ଲେଖନୀୟ ଯାହା କୋଣାର୍କ ସୁରକ୍ଷା ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ୧୯୮୭ରେ ୟୁନେସ୍କୋର ଦୁଇଜଣ ବିଶେଷଜ୍ଞ ବି.ଏମ୍. ଫିଲଡେନ ଓ ବେକମାନ ଦେଖିଲେ ଯେ ଜଗମୋହନ ଭିତରେ ଥିବା ବାଲୁକା ଶୀର୍ଷଠାରୁ ୧୨ ଫୁଟ୍ ଦବି ସାରିଥିଲା। ତଥାପି ଜଗମୋହନ ଅକ୍ଷତ ଅବସ୍ଥାରେ ଅଛି। ସୁତରା˚ ଜଗମୋହନରୁ ବାଲୁକା ଅପସାରଣ କରାଯାଇପାରେ ଯାହା ଫଳରେ ମନ୍ଦିରର ପ୍ରକୃତ ଅବସ୍ଥା ଜାଣିହେବ ଓ ସ˚ରକ୍ଷଣ ପାଇଁ ସମୁଚିତ ବ୍ୟବସ୍ଥା କରାଯାଇପାରିବ। ଖୋଦିତ ପ୍ରସ୍ତରମାନଙ୍କ ଉପଯୁକ୍ତ ସୁରକ୍ଷା ଉପରେ ଆଲୋଚନା କରି କହିଲେ ମନ୍ଦିରର ଐତିହ୍ୟ ସଙ୍ଗେ ତାଳ ଦେଇ ଭାସ୍କର ରଚିତ ପ୍ରସ୍ତରମାନଙ୍କ ବଦଳରେ ଅନୁରୂପ ଖୋଦିତ ପ୍ରସ୍ତର ଲଗାଇବା ଉପରେ ଅନୁଧୢାନର ଆବଶ୍ୟକତା ଅଛି। ତା’ପରେ ଇଟାଲୀର ପ୍ରସିଦ୍ଧ ସ୍ଥପତି ଗିଓରଗିଓ କ୍ରୋସି ଆସି ମନ୍ଦିର ଉପରେ ଅନୁଧୢାନ କରି ଜଗମୋହନରୁ ବାଲୁକା ଅପସାରଣ ପାଇଁ ପରାମର୍ଶ ଦେଲେ। ୧୯୯୭ରେ ଏ.ଏସ.ଆଇ. ନିଜେ ଖଣ୍ତୋଲାଇଟ, ଲାଟେରାଇଟ ଓ କ୍ଲୋରାଇଟ ପ୍ରସ୍ତରମାନଙ୍କ ସୁରକ୍ଷା ପାଇଁ ଗବେଷଣା ଉପରେ ଜୋର ଦେଇଥିଲେ। ଏଥିରୁ ଜଣାପଡ଼ିଥାଏ ଯେ କୋଣାର୍କର ମୁଖ୍ୟ ସମସ୍ୟାମାନଙ୍କ ଉପରେ ବିଶେଷଜ୍ଞମାନେ ଅନୁଧୢାନ କରି ମତ ପ୍ରକାଶ କରିଛନ୍ତି। ତଥାପି ଏହାର ରକ୍ଷକ ଏ.ଏସ.ଆଇ. କୌଣସି ଆଖିଦୃଶିଆ ପଦକ୍ଷେପ ନେଲେ ନାହିଁ। ଆହୁରି ବିଡ଼ମ୍ବନା ଯେ ରାଜ୍ୟ ସରକାର ମଧୢ ଏ ସ୍ଥାଣୁତାର ନିରବଦ୍ରଷ୍ଟା ସାଜିଲେ।
ଏ ଲେଖକ ଜଣେ ଐତିହ୍ୟ ଜ୍ଞାନୀ ହୋଇ ନ ଥିଲେ ମଧୢ, ଜଣେ ଐତିହ୍ୟ ପ୍ରେମୀ। ଦୀର୍ଘ ଦଶନ୍ଧି ଧରି କୋଣାର୍କର ଦୁରବସ୍ଥା ଲେଖକକୁ ବ୍ୟଥିତ କରି ଆସିଛି। ବିଭିନ୍ନ ସମୟରେ କୋଣାର୍କର ଦୁରବସ୍ଥା ଉପରେ ଆଲେଖ୍ୟ ଲେଖିବା ସହିତ ୨୦୦୬ରେ ରାଜ୍ୟ ‘ଇନ୍ଟାକ୍’ର ଦାୟିତ୍ବ ନେଲା ପରେ ଏହି ଲେଖକ ଏହାକୁ ‘ଇନ୍ଟାକ୍’ର ଏକ ମୁଖ୍ୟ ପ୍ରସଙ୍ଗ କରିଥିଲା। ସେତେବେଳେ ‘ଇନ୍ଟାକ’ ସଭ୍ୟ ପ୍ରସିଦ୍ଧ ଐତିହାସିକ ସ୍ବର୍ଗତ କରୁଣା ସାଗର ବେହେରା ଯେ କୋଣାର୍କ ଉପରେ ଏକ ଉଚ୍ଚକୋଟୀର ପୁସ୍ତକ ଲେଖିଛନ୍ତି। ଏ ଦିଗରେ ପ୍ରସିଦ୍ଧ ଯନ୍ତ୍ରୀ ଗୋପାଳ ମିତ୍ରା ଏବଂ ଅନିଲ ଦେଙ୍କ ଅବଦାନ ଅବିସ୍ମରଣୀୟ। ଅନିଲ ଦେ ମଧୢ କୋଣାର୍କ ଉପରେ ଏକ ସାରଗର୍ଭକ ପୁସ୍ତକ ଓଡ଼ିଆ ଓ ଇ˚ରେଜୀରେ ଲେଖିଛନ୍ତି। ସେହିଭଳି ଐତିହ୍ୟ ପ୍ରେମୀ ଅବସରପ୍ରାପ୍ତ ଆଇ.ଏ.ଏସ୍. ସ˚ଜୀବ ଚନ୍ଦ୍ର ହୋତାଙ୍କ ଏ ଦିଗରେ ଅବଦାନ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ୨୦୧୦ ମସିହାରେ ଜଗମୋହନର ସୁରକ୍ଷା ପାଇଁ ଏ.ଏସ୍.ଆଇ. କୋଣାର୍କରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କଲେ। ‘ଇନ୍ଟାକ୍’ ତରଫରୁ ଳେଖକ ଏ ସମ୍ମିଳନୀରେ ଯୋଗ ଦେଇଥିଲା। ଦେଶର ଜଣାଶୁଣା ବିଶେଷଜ୍ଞ ଓ ସ୍ଥପତିମାନଙ୍କ ଛଡ଼ା ବିଦେଶରୁ ମଧୢ କେତେଜଣ ଆମନ୍ତ୍ରିତ ହୋଇଥିଲେ। ଇଟାଲୀର ପ୍ରସିଦ୍ଧ ସ୍ଥପତି ଗିଓରଗିଓ କ୍ରୋସି, ଯେ ଆଗରୁ କୋଣାର୍କ ଉପରେ ଅନୁଧୢାନ କରିଥିଲେ ସେ ଥିଲେ ଅନ୍ୟତମ। ଏହା ଏକ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀ ଥିଲା ଓ ଆଲୋଚନାରେ ମତ ପ୍ରକାଶ ପାଇଲା ଜଗମୋହନରୁ ବାଲୁକା ଅପସାରଣ ହେବା ଆବଶ୍ୟକ। ଆଲୋଚନା ପରେ ଯେଉଁ ନିଷ୍କର୍ଷ ମାନ ବାହାରିଲା ତାହା ଏହିପରି। ମୂଳରୁ ଆଲୋଚିତ ୪ଟି ସମସ୍ୟା ଉପରେ ୪ଟି କମିଟି ଗଠନ କରାଗଲା ଓ ୬ରୁ ୯ ମାସ ମଧୢରେ ଏ କମିଟିମାନଙ୍କୁ ତାଙ୍କ ରିପୋର୍ଟ ଉପସ୍ଥାପନ ପାଇଁ କୁହାଗଲା। ଏକ ସ˚ଯୋଗକରଣ କମିଟି ଗଠିତ ହୋଇ ଗୋପାଳ ମିଶ୍ରଙ୍କୁ ସେଥିରେ ନିଆଗଲା। ଏହା ପରେ ଆଶା କରାଗଲା ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ୨୦୧୧ ଓ ୨୦୧୨ ଗଲା, ୨୦୧୩ରେ ଖବର ମିଳିଲା ଯେ ଏ.ଏସ୍.ଆଇ. ଜଗମୋହନରୁ ବାଲୁକା ଅପସାରଣ ଓ ଗାତ୍ର ସୁରକ୍ଷା ଅନୁଧୢାନର ଦାୟିତ୍ବ ରୁର୍କିସ୍ଥିତ ସେଣ୍ଟ୍ରାଲ ବିଲଡି˚ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍କୁ ଦେଇଛି। କମିଟିମାନଙ୍କ କାର୍ଯ୍ୟରେ କୌଣସି ଅଗ୍ରଗତି ନ ହେବାରୁ ଆମେ ସୂଚନା ଆଇନ ଅଧିକାରରେ ବିଭିନ୍ନ ପ୍ରଶ୍ନ ଏ.ଏସ୍.ଆଇ.କୁ ପଚାରିଲୁ। କିନ୍ତୁ ଠିକ୍ ଉତ୍ତର କେବେ ଆସିଲା ନାହିଁ। ସମତଳ ପ୍ରସ୍ତର ବଦଳରେ ଖୋଦିତ ପ୍ରସ୍ତର ସ୍ଥାପନ ଉପରେ ଏକ ପ୍ରଶ୍ନ ଉପରେ ଏ.ଏସ.ଆଇ. ମାର୍ଶାଲଙ୍କ ଟିପ୍ପଣୀର ନକଲ ପଠାଇ ଦେଲେ।
ଓଡ଼ିଶା ସରକାରଙ୍କ ଉଦାସୀନତା ଉପରେ ଆଗରୁ ଉଲ୍ଲେଖ କରାଯାଇଛି। ଦୁଇ ଜଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଅଶୋକ ପଣ୍ତା ଏ ଦିଗରେ କିଛି ପଦକ୍ଷେପ ନେଇଥିଲେ। ପ୍ରଫୁଲ୍ଲ ସାମଲ ଏକ ରାଜ୍ୟସ୍ତରୀୟ କମିଟି ଗଠନ କଲେ ସୁରକ୍ଷା କାମକୁ କ୍ରିୟାଶୀଳ କରିବା ପାଇଁ। ସେ ଚାଲିଗଲେ, ଗୋଟିଏ ମଧୢ ବୈଠକ ହୋଇପାରିଲା ନାହିଁ। କାର୍ଯ୍ୟାନୁଷ୍ଠାନର କୌଣସି ଅଗ୍ରଗତି ନ ହେବାରୁ ‘ଇନ୍ଟାକ୍’ ତରଫରୁ କେନ୍ଦ୍ର ସ˚ସ୍କୃତି ବିଭାଗ ସଚିବ ରବିନ୍ଦ୍ର ସି˚ଙ୍କୁ ଅନୁରୋଧ କରାଗଲା ଓଡ଼ିଶା ଆସି ସମୀକ୍ଷା କରିବାକୁ। ସେ ଆସିବା ଆଗରୁ ଜଣେ ନିର୍ଦ୍ଦେଶକଙ୍କୁ ପଠାଇଲେ ‘ଇନ୍ଟାକ୍’ ଓ ଏ.ଏସ୍.ଆଇଙ୍କ ଠାରୁ ତଥ୍ୟ ସ˚ଗ୍ରହ ପାଇଁ। ଚରମ ବିଡ଼ମ୍ବନା ଯେ ତତ୍କାଳୀନ ଓଡ଼ିଶାର ସ˚ସ୍କୃତି ବିଭାଗ ସଚିବ ସଭାରେ ‘ଇନ୍ଟାକ୍’କୁ ବାଦ ଦେଲେ। ସେ ଯାହାହେଉ, ଆମେ ଆଲୋଚନାର ଏକ ବିବରଣୀ ପାଇଲୁ ଯେଉଁଥିରୁ ଜଣାପଡ଼ିଲା କେନ୍ଦ୍ର ସଚିବ କୋଣାର୍କର ସମସ୍ୟାମାନଙ୍କ ପ୍ରତି ସକରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ତା’ପରେ ପୁଣି ସ୍ଥାଣୁତା। ଅଶୋକ ପଣ୍ତା ମନ୍ତ୍ରୀ ଥିଲାବେଳେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ଅନୁରୋଧ କଲେ ଓଡ଼ିଶା ଆସି ସ୍ଥିତି ଅନୁଧୢାନ କରିବାକୁ। ୨୦୧୯ ପ୍ରଥମ ଭାଗରେ ମନ୍ତ୍ରୀ ଆସିଲେ ଓ ରାଜ୍ୟ ଅତିଥି ଭବନରେ ହୋଇଥିବା ଆଲୋଚନା ସଭାରେ ସିବିଆର୍ଆଇ ପ୍ରଦାନ କରିଥିବା ରିପୋର୍ଟ ଅନୁସାରେ କହିଲେ ଜଗମୋହନ ସୁଦୃଢ଼ ଅଛି। ସ˚ରକ୍ଷଣର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ନାହିଁ। ଦିଲ୍ଲୀ ସ୍ଥିତ ବିଶ୍ବ ଐତିହ୍ୟ ହୁମାୟୁନଙ୍କ କବର ସ˚ରକ୍ଷଣରେ ଭାସ୍କର୍ଯ୍ୟ ରଚିତ ମାର୍ବଲ ପ୍ରସ୍ତରର ଫଟୋ ଯେତେବେଳେ ଲେଖକ ଦେଖାଇଲା, ଡି.ଜି ଏ.ଏସ୍.ଆଇ ତ ଚୁପ୍ ରହିଲେ, ମନ୍ତ୍ରୀ ମହୋଦୟ କହିଲେ ହୁମାୟୁନ କବର କୋଣାର୍କ ସଙ୍ଗେ ତୁଳନୀୟ ନୁହେଁ କାରଣ ଏହା ହେଲା ଇସଲାମିକ୍ ଐତହ୍ୟ। ଯସିଓ ଆଲୋଚନା ଫଳପ୍ରଦ ହେଲା ନାହିଁ, ସୌମ୍ୟର˚ଜନ ପଟ୍ଟନାୟକ ତାଙ୍କ ସ˚ପାଦିତ ‘ସମ୍ବାଦ’ରେ କୋଣାର୍କ ଉପରେ ଏକ ସ୍ବତନ୍ତ୍ର ସ˚ଖ୍ୟା ବାହାର କରି ଓଡ଼ିଶାବାସୀଙ୍କ ମନରେ କିଛି ଉଦ୍ବେଳନ ସୃଷ୍ଟି କରିଥିଲେ।
୨୦୨୦ ଆରମ୍ଭରେ ଏ.ଏସ୍.ଆଇ. ଆଉ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କଲେ। ଏ ତିନିଦିନିଆ ସମ୍ମିଳନୀରେ ଭାରତ ବାହାରୁ କେହି ବିଶେଷଜ୍ଞ ଉପସ୍ଥିତ ନ ଥିଲେ, କିନ୍ତୁ ଦେଶର କେତେକ ଜଣାଶୁଣା ସ୍ଥପତି ଓ ବିଶେଷଜ୍ଞମାନେ ଥିଲେ। ଓଡ଼ିଶା ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀ ଓ ଦୁଇଜଣ ଅଫିସର ଯୋଗ ଦେଇଥିଲେ। ବିଡ଼ମ୍ବନା ଯେ କେହି ମଧୢ କୋଣାର୍କର ସମସ୍ୟାଗୁଡ଼ିକୁ ଦୃଢ଼ତାର ସହିତ ଉପସ୍ଥାପନ କଲେ ନାହିଁ। ଦ୍ବିତୀୟ ଦିନ ସ˚ରକ୍ଷଣ ଉପରେ ତର୍କ, ବିତର୍କ ସହ ଘମାଘୋଟ ଆଲୋଚନା ଚାଲିଲା। ତତ୍କାଳୀନ କେନ୍ଦ୍ର ସ˚ସ୍କୃତି ମନ୍ତ୍ରୀ ପ୍ରହଲାଦ ସି˚ ଉପସ୍ଥିତ ରହି ଉତ୍ସାହଜନକ ଭାବେ ଆଲୋଚନାରେ ଅ˚ଶ ଗ୍ରହଣ କରିଥିଲେ। ତାଙ୍କ ମନୋଭାବ ଅତି ସକାରାତ୍ମକ ଥିଲା। ଏ ଆଲୋଚନାର ଉଲ୍ଲେଖନୀୟ ନିଷ୍କର୍ଷ ହେଲା, ପର୍ଯ୍ୟାୟକ୍ରମେ ଜଗମୋହନରୁ ବାଲୁକା ଅପସାରଣ କରି ସ˚ରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ଓ ସମତଳ ପ୍ରସ୍ତରମାନଙ୍କ ସ୍ଥାନରେ ଖୋଦିତ ପ୍ରସ୍ତର ଲଗାଯାଇ ଜଗମୋହନର ଗାତ୍ରକୁ ପୂର୍ବାବସ୍ଥାକୁ ଅଣାଯିବ, ଏ.ଏସ୍.ଆଇ. ତରଫରୁ ମୋ ପାଖକୁ ଏକ ପତ୍ର ମଧୢ ଆସିଛି।
ଏହା ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର। କିନ୍ତୁ ଏହାକୁ କାର୍ଯ୍ୟରେ ପରିଣତ କରିବା ଏତେ ସହଜ ନୁହେଁ। ଏଥିପାଇଁ ରାଜ୍ୟ ସରକାରଙ୍କ ବଳିଷ୍ଠ ଭୂମିକା ଆବଶ୍ୟକ। ଏସବୁ ତଥ୍ୟମାନଙ୍କ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି କି ନାହିଁ ଜଣାପଡୁନାହିଁ। ଯଦି ଅବଗତ ନାହାନ୍ତି, ତେବେ, ଏ ଆଲେଖ୍ୟ ଭିତ୍ତିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରନ୍ତୁ।
[email protected]