କୋଠଭୋଗ ଖିଆ ହେ ଚକା ଆଖିଆ

ଶ୍ୟାମସୁନ୍ଦର ଅଗ୍ରଵାଲା

ହିନ୍ଦୁ ଧର୍ମ କହୁଛି ଯେ ମହାପ୍ରଭୁ ରାମେଶ୍ବର ଧାମରେ ଗାଧୁଆ ପାଧୁଆ ସାରି ବଦ୍ରିକା ଧାମରେ ପ୍ରାର୍ଥନା କରିଥା’ନ୍ତି ଓ ପୁରୀ ଧାମରେ ପେଟେ ଖାଇ ଦ୍ବାରକା ଧାମରେ ଅନନ୍ତ ଶୟନ କରିଥା’ନ୍ତି। କୋଠଭୋଗ ଖିଆ ପୁରୀ ଧାମ ଚକା ଆଖିଆଙ୍କ ପେଟ କଥା କହୁଛି। ଏହା ଏତେ ବଡ଼ ଯେ ଷାଠିଏ ପଉଟିରୁ କମ୍‌ ହେଲେ ତାଙ୍କ ପେଟ ପୂରେ ନାହିଁ। ଉପବାସ ତାଙ୍କ ଜାତକରେ ନାହିଁ। ଦିନକୁ ନିହାତି ଛଅ ଥର ତାଙ୍କୁ ଛପନ ପ୍ରକାର ଭୋଗରାଗ ଦରକାର। ତାଙ୍କ ରୋଷ ଘର କିଛି ଛୋଟମୋଟ ରୋଷେଇ ଘର ନୁହେଁ। ସେ ଏତେ ଖାଆନ୍ତି ଯେ ତାଙ୍କ ଭୋଜନ ରାନ୍ଧିବା ପାଇଁ ଦୁଇଶହ ଚାଳିଶଟି ଚୁଲି ରହିଛି। ଏହି ରୋଷଘରର ସାଆନ୍ତାଣୀ ହେଉଛନ୍ତି ଲକ୍ଷ୍ମୀ ଠାକୁରାଣୀ, ଯିଏ ଏଠି ବିଭିନ୍ନ ପ୍ରକାର ରୋଷେଇ କରି ପ୍ରତ୍ୟହ ମହାପ୍ରଭୁଙ୍କୁ ପରଶି ଦିଅନ୍ତି। ଲକ୍ଷ୍ମୀ ଠାକୁରାଣୀଙ୍କୁ ହାତ ବଢ଼େଇ ଦେବା ନିମନ୍ତେ ସୁପକାରମାନଙ୍କୁ ଖଞ୍ଜା ଯାଇଛି ଓ ଏମାନଙ୍କୁ ଛାଡ଼ିଦେଲେ ଏହା ଭିତରେ ଅନ୍ୟ କାହାରିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ। ରୋଷଘର ଅତ୍ୟନ୍ତ ପବିତ୍ର ଅଟେ ଓ ଏହାକୁ ସୁରକ୍ଷିତ ରଖିବା ପାଇଁ ମନ୍ଦିର ପ୍ରଶାସକଙ୍କ ସ୍ବତନ୍ତ୍ର ଦାୟିତ୍ବ ରହିଛି।

ଦୁଃଖର କଥା ଏହି ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷେଇ ଘର ଭିତରେ ଅନ୍ଧାର ରାତିରେ କେତେ ଜଣ ଦୁର୍ବୃତ୍ତ ପଶି ବଡ଼ ବଡ଼ ଶାବଳ ଓ କାଠ ଫାଳିଆ ସାହାଯ୍ୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଚୁଲିଗୁଡ଼ିକୁ ଭାଙ୍ଗି ପକେଇଛନ୍ତି। ଆହୁରି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ଯେ ଏହାର ସୁରକ୍ଷା ଦାୟିତ୍ବରେ ଥିବା ମନ୍ଦିରର ପ୍ରଶାସକ ଓ ସୁରକ୍ଷା କର୍ମଚାରୀମାନେ କିଏ ଭାଙ୍ଗିଛି ଓ କାହିଁକି ଭାଙ୍ଗିଛି କିଛି ଜାଣିପାରୁନାହାନ୍ତି କି କହିପାରୁନାହାନ୍ତି। ଆଜିକାଲି ମନ୍ଦିର ପ୍ରଶାସନ ମନ୍ଦିରରେ ପ୍ରବେଶ ବ୍ୟବସ୍ଥା ଏତେ କଡ଼ାକଡ଼ି କରି ଦେଇଛନ୍ତି ଯେ ହଜାର ହଜାର ଭକ୍ତ ଖରାରେ ଡହଳ ବିକଳ ହୋଇ ତ୍ରାହି ତ୍ରାହି ଡାକୁଥିଲେ ମଧୢ ସୁରକ୍ଷା ବଳୟ ଦେଇ ଭିତରକୁ ପ୍ରବେଶ କରିପାରୁନାହାନ୍ତି ଅଥଚ ଜଣେ କି ଦୁଇଜଣ ଦୁର୍ବୃତ୍ତ ଲୁହା ଶାବଳ ଓ କାଠ ଫାଳିଆ ନେଇ ସମସ୍ତଙ୍କ ଆଖିରେ ଧୂଳି ଦେଇ ଏତେ ବଡ଼ କାଣ୍ତ କରି ଦେଲେ କିନ୍ତୁ କେହି କିଛି ଜାଣିପାରିଲେ ନାହିଁ କି କରିପାରିଲେ ନାହିଁ। ଏହାଠାରୁ ଆଶ୍ଚର୍ଯ୍ୟ ଆଉ କ’ଣ ହୋଇପାରେ?

ଏହିଠାରେ ମନ୍ଦିରର ପ୍ରଶାସନ ପ୍ରତି ଏକ ଊର୍ଦ୍ଦୁ କବିଙ୍କ ଚାରି ଧାଡ଼ି ସାୟରୀ ମନେ ପଡ଼ିଯାଏ ଯାହା ଥରେ ସ୍ବର୍ଗୀୟା ସୁଷମା ସ୍ବରାଜ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସି˚ହଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏହାର ଓଡ଼ିଆ ଭାବାର୍ଥ ହେଉଛି ‘‘ତୁମେ ଆମକୁ ୟ୍ୟାଡୁ ସ୍ୟାଡୁ କଥା ସବୁ କୁହ ନାହିଁ। ଆମର ଦୁବୃର୍ତ୍ତମାନଙ୍କୁ କୌଣସି ପ୍ରଶ୍ନ ନାହିଁ। ଆମର ପ୍ରଶ୍ନ ତୁମକୁ। ତୁମେ କୁହ, ତୁମେ କ’ଣ କରୁଥିଲ?’’

ଦୁର୍ଭାଗ୍ୟର କଥା ଯେ ଏହାର ଉତ୍ତର ଆମ ପ୍ରଶାସନ ପାଖରେ ନାହିଁ। ଆଜି ପର୍ଯ୍ୟନ୍ତ ତାଙ୍କର ଗୋଟିଏ ଉତ୍ତର ଓ ତାହା ହେଉଛି ମୁଖ୍ୟ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀବୃନ୍ଦ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଓ ରୋଷଘର ସ୍ଥିତି ଅନୁଧୢାନ କରିଛନ୍ତି। ଶ୍ରୀମନ୍ଦିର ସୁପରଭାଇଜର ଖବର ପାଇ ସରଜମିନ ତଦନ୍ତ କରିଛନ୍ତି ଏବ˚ ଏହି କାଣ୍ତ କାରଖାନା ସ˚ପର୍କରେ ଶ୍ରୀମନ୍ଦିର ଗାରଦରେ ରିପୋର୍ଟ ଲେଖେଇଛନ୍ତି। ଏହି ସୁପରଭାଇଜରଙ୍କ ରିପୋର୍ଟ ଆଧାରରେ ଘଟଣାର ତଦନ୍ତ ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନର ଦୁଇ ଜଣ ପ୍ରଶାସକଙ୍କୁ ଦିଆଯାଇଛି। ଏହି ଉତ୍ତରର ନିଷ୍କର୍ଷ ହେଲା ଶ୍ରୀମନ୍ଦିରର ପ୍ରଶାସନର ଅବହେଳାର ତଦନ୍ତ ଦାୟିତ୍ବ ଶ୍ରୀମନ୍ଦିରର ପ୍ରଶାସକମାନଙ୍କୁ ହିଁ ଦିଆଯାଇଛି। ଦୁଇ ତିନି ଦିନ ପରେ ରିପୋର୍ଟ ଆସିବ। ଜଣେ ଦୁଇ ଜଣ ଗିରଫ ହେବେ ଏବ˚ ଏହି କାହାଣୀର ପୂର୍ଣ୍ଣଚ୍ଛେଦ ପଡ଼ିବ।

କାହାଣୀର ପୂର୍ଣ୍ଣଚ୍ଛେଦ ହୁଏତ ଏଠାରେ ପଡ଼ିପାରେ କିନ୍ତୁ ଶ୍ରୀମନ୍ଦିର ଇତିହାସରେ ଏହିପରି ଏକ କଳଙ୍କିତ ଘଟଣା, ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ପ୍ରତି ଅବମାନନା, ଏହାର ପୂର୍ଣ୍ଣଚ୍ଛେଦ ପକେଇବ କିଏ? ପଲ୍ଲୀଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଆଜି ଜଗାକୁ ନେଇ କେବଳ ଘୃଣ୍ୟ ରାଜନୀତି ଚାଲିଛି। ଏହି ଘୃଣ୍ୟ ରାଜନୀତି‌େର ଆଜି ଆଉ ଗୋଟେ କଳଙ୍କିତ ପୃଷ୍ଠା ଯୋଡ଼ି ହୋଇଯାଇଛି। ଦିଲ୍ଲୀ ଦରବାରର ପବିତ୍ର ସଦନ ଭିତରେ ଜଣେ କହୁଛି ଯେ ଆମେ ନିର୍ମାଣ କରିବାକୁ ଅନୁମତି ଆଣିଛୁ ତ ଅନ୍ୟ ଜଣେ କହୁଛି ଯେ ତୁମେ ନିର୍ମାଣ କରିବାକୁ ଅନୁମତି ଆଣି ନାହିଁ। ଜଣେ କହୁଛି ଯେ ହେଇଟି ଦେଖ ‘ଅନୁମତି ପତ୍ର’ ତ ଅନ୍ୟ ଜଣେ କହୁଛି ଯେ ଏଇଟା ଅନୁମତି ପତ୍ର ନୁହେଁ, ଏହା ଏକ ‘ଚିଠି ମାତ୍ର’। କିଏ ସତ କହୁଛି, କିଏ ମିଛ କହୁଛି ଜାଣିବା ପୂର୍ବରୁ ଏହି ରୋଷଘର କାଣ୍ତ କାରଖାନା ଜଗା ରାଜନୀତିକୁ ଆହୁରି ସରଗରମ କରିଦେଇଛି।

ବନ୍ଧୁଗଣ, ଓଡ଼ିଶାର ପ୍ରାଣବିନ୍ଦୁ, ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାକୁ ନେଇ ଯେ କୌଣସି ରାଜନୀତି ଅକ୍ଷମଣୀୟ ଅଟେ। ଥରେ ମହାରାଜାଙ୍କ ରାତ୍ରି ଜଗୁଆଳି ମହାରାଜାଙ୍କୁ ପାରିଧିକୁ ନ ଯିବା ପାଇଁ ସତର୍କ କରି କହିଲା ‘‘ମହାରାଜା, ମୁଁ ସ୍ବପ୍ନ ଦେଖିଛି ଯେ ଆପଣ ଆଜି ପାରିଧି ଯିବା ସମୟରେ ହଠାତ୍‌ ଦୁର୍ଘଟଣାଗ୍ରସ୍ତ ହୋଇପଡ଼ି ଅଚେତ ହୋଇଯାଇଛନ୍ତି। ତେଣୁ ଦୟା କରି ଆଜି ପାରିଧିକୁ ଯାଆନ୍ତୁ ନାହିଁ। ସତକୁ ସତ ସେହି ଦିନ ସେହି ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଦରବାରରେ ମହାରାଜ ଖୁସି ହୋଇ ତାକୁ ଶହେ ସୁବର୍ଣ୍ଣ ମୁଦ୍ରାରେ ପୁରସ୍କୃତ କରି ତୁରନ୍ତ ତାହାର ମୃତ୍ୟୁ ଦଣ୍ତ ଘୋଷଣା କଲେ। ଦରବାରରେ ଉପସ୍ଥିତ ସମସ୍ତ ଚକିତ ନୟନକୁ ମହାରାଜା ଉତ୍ତର ଦେଇ କହିଥିଲେ, ‘‘ରାତ୍ରିକାଳୀନ ସୁରକ୍ଷା ନିମନ୍ତେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସ୍ବପ୍ନ ଦେଖିବା ଏକ ଅକ୍ଷମଣୀୟ ଅପରାଧ ଅଟେ।’’
ମୋ: ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର