ବାବାଜୀ ଚରଣ ପଟ୍ଟନାୟକ

ଜଣକ ପାଖରୁ କୌଣସି କାମ ହାସଲ କରିବାକୁ ଯଦି କେହି କାହାକୁ ପରାମର୍ଶ ଦେଉଥାନ୍ତି; ତେବେ କହିଥାଆନ୍ତି ‘କୃଷ୍ଣ ପରା ଦେବତା ଗଧ ପାଦ ଧରିଥିଲେ, ତୁମେ ଏମିତି କ’ଣ କି? ଏପରି କ୍ଷେତ୍ରରେ ବୁଝିବାକୁ ହେବ, ଯିଏ କହନ୍ତି ଓ ଯାହାକୁ କହିଥାନ୍ତି, ଉଭୟ ଖାଣ୍ଟି ଓଡ଼ିଆ ନତୁବା ଓଡ଼ିଆ ସଂସ୍କୃତି ଜାଣିଥିବା ବ୍ୟକ୍ତି। ଯେଉଁ ସ୍ଥାନ ଯାକେ ଏ ବଚନର ପ୍ରଚଳନ, ତାହା ଓଡ଼ିଶାର ସ୍ଥାନ କହିବା ବି ଭୁଲ୍‌ ହେବ ନାହିଁ। ଏଭଳି ଉକ୍ତି ଉତ୍କୃଷ୍ଟ ବଚନ ବା ପ୍ରବଚନ ଭାବରେ ଖ୍ୟାତ। ପଞ୍ଚଦଶ ଶତାବ୍ଦୀରେ ରଚିତ ଓଡ଼ିଆ ‘ସାରଳା ମହାଭାରତ’ର ସଭାପର୍ବରେ ଏହି ବଚନର କାହାଣୀ ବର୍ଣ୍ଣିତ। ବ୍ୟାସରଚିତ ସଂସ୍କୃତ ମହାଭାରତରେ ଏଥିର ଉଲ୍ଲେଖ ନାହିଁ। ମଗଧର ରାଜା ଜରାସନ୍ଧ-ବଧ ପ୍ରସଙ୍ଗରେ ଏହି କାହାଣୀ ସଂଯୋଜିତ, ଯହିଁରୁ ପୂର୍ବ କଥିତ ପ୍ରବଚନ ଉଦ୍‌ଭୁତ। ତାହା ଏହିପରି:
ଅଗ୍ନିକା ଋଷିଙ୍କୁ ତୀରରେ ପଣ୍ଡୁ ବଧ କରିଥିବାରୁ, ବ୍ରହ୍ମହତ୍ୟା ପାତକରେ ମୃତ୍ୟୁ ପରେ ଯମଙ୍କ ଦ୍ବାରା ଦଣ୍ଡିତ ହେଇଥିବା ସମ୍ବାଦ ନାରଦ ଋଷିଙ୍କ ଠାରୁ ଶୁଣି, ଯୁଝେଷ୍ଠି ଦୁଃଖୀ ହେଲେ। ଦ୍ବାରକାରୁ କୃଷ୍ଣଙ୍କୁ ହସ୍ତିନା ଡକାଇଲେ। କୃଷ୍ଣ ଓ ନାରଦଙ୍କ ଉପସ୍ଥିତିରେ ପାଣ୍ଡବମାନେ ପଣ୍ଡୁ କିପରି ପାପ ମୁକ୍ତ ହେବେ, ସେ ଘେନି ଆଲୋଚନା ହେଲା। ନାରଦଙ୍କ ପରାମର୍ଶ କ୍ରମେ ରାଜସୂୟ ଯଜ୍ଞ କରାଯିବା ସ୍ଥିର ହେଲା। ଏ ଯଜ୍ଞ ପାଇଁ ଲକ୍ଷେ ରାଜା ଉପସ୍ଥିତ ହେବା ଆବଶ୍ୟକ। କିନ୍ତୁ, ସେତେବେଳକୁ ମଗଧ ରାଜା ଜରାସନ୍ଧ ଚାରି-ଊଣା ଲକ୍ଷେ ରାଜାଙ୍କୁ ବନ୍ଦୀ କରି ରଖିଥିଲେ, ନିଜେ କରୁଥିବା ଯଜ୍ଞରେ ବଳି ଦେବା ପାଇଁ। ତେଣୁ, କୃଷ୍ଣ ନିଜ ସଙ୍ଗରେ ଭୀମ ଓ ଅର୍ଜୁନଙ୍କୁ ଧରି ମଗଧ ଯାତ୍ରା କଲେ, ଜରାସନ୍ଧକୁ ମାରି ରାଜାମାନଙ୍କୁ ମୁକ୍ତ କରିବା ପାଇଁ। ତିନିଜଣଯାକ ବ୍ରାହ୍ମଣ ବେଶ ଧାରଣ କରି ମଗଧ ରାଜବାଟୀରେ ପହଞ୍ଚିଲେ। ସେଠିକାର ବ୍ରାହ୍ମଣମାନଙ୍କ ଠାରୁ ଜାଣିଲେ, ଜରାସନ୍ଧ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚାରି ଗୋଟି ନିରାପତ୍ତା ଯାଞ୍ଚ ଦ୍ବାର ଅଛି। ପ୍ରଥମ ଦ୍ବାରରେ ଜରାସନ୍ଧଙ୍କ ପୁତ୍ର ସହଦେବ ଆଗନ୍ତୁକ ଶତ୍ରୁ କି ମିତ୍ର ତହିଁର ପରୀକ୍ଷା ନିଅନ୍ତି। ଦ୍ବିତୀୟ ଦ୍ବାରରେ ଥାଏ ଭେରୀ। ଶତ୍ରୁର ଆଗମନରେ ତାହା ବାଜି ଉଠେ। ତୃତୀୟ ଦ୍ବାରରେ ପତ୍ର, ଫୁଲ, ଫଳ ନ ଥିବା ଶିମୂଳୀ ବୃକ୍ଷ ଥାଏ। ଶତ୍ରୁର ଆଗମନ ହେଲେ, ତହିଁରେ ପତ୍ର, ଫୁଲ, ଫଳ ହୋଇଯାଏ। ଚତୁର୍ଥ ଦ୍ବାରରେ ଥାଏ ଏକ ଗଧ। ଶତ୍ରୁ ଆସିଲେ ସେ ବୋବାଏ। ଏସବୁ ସଂକେତରୁ ଜରାସନ୍ଧ ଶତ୍ରୁ ଆଗମନ ଜାଣିଯାଏ। ବ୍ରାହ୍ମଣ ବେଶରେ କୃଷ୍ଣ, ଭୀମ ଓ ଅର୍ଜୁନ ପ୍ରଥମ ଦ୍ବାରରେ ସହଦେବଙ୍କୁ ମୁଗ୍‌ଧ କରିଥିଲେ କୃଷ୍ଣଙ୍କ ବେଦ ଉଚ୍ଚାରଣ ଦ୍ବାରା। ସେମାନେ ପ୍ରଥମ ଦ୍ବାର ଅତିକ୍ରମ କରି ସାରିବା ପରେ ଅବଶିଷ୍ଟ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଦ୍ବାରର ଦାୟିତ୍ବ ଯଥାକ୍ରମେ, ଭୀମ, ଅର୍ଜୁନ ଓ କୃଷ୍ଣ ନେବା ସ୍ଥିର କଲେ। ବସ୍ତୁତଃ ଦ୍ବିତୀୟ ଦ୍ବାରର ଭେରୀକୁ ଭୀମ ତାଙ୍କ ଗଦା ଦ୍ବାରା ଚୂର୍ଣ୍ଣ କଲେ। ତୃତୀୟ ଦ୍ବାରର ଶିମୂଳୀ ଗଛକୁ ଅର୍ଜୁନ ଗାଣ୍ଡୀବ ଧନୁରେ ତୀର ସାଧନ କରି ଉଡ଼ାଇ ଦେଲେ। ଏଠି ମନେ ରଖିବା ଉଚିତ ହେବ, ଆକାଶ ମାର୍ଗରେ ଥିବା ଗରୁଡ଼ ପିଠିରେ ଲଦା ହୋଇଥିବା ଅସ୍ତ୍ରଶସ୍ତ୍ର ସେମାନେ ବ୍ୟବହାର ପାଇଁ ଆଣୁଥିଲେ।
ଚତୁର୍ଥ ଦ୍ବାରରେ ଥିବା ଗଧ ଶତ୍ରୁମାନଙ୍କ ଉପସ୍ଥିତି ଜାଣିପାରି ରାବ ଦେବା ବେଳେ, କୃଷ୍ଣ ହାତ ଲମ୍ବାଇ ଦେଲେ। ଡାହାଣ ହାତରେ ଦେବଦତ୍ତ ଶଙ୍ଖକୁ ଗଧ ପାଟିରେ ପୂରାଇ ଦେଲେ। ଗଧ ଧ୍ବନି ଶଙ୍ଖ ଧ୍ବନି ଭଳି ଶୁଭିଲା। ଅଧିକନ୍ତୁ, କୃଷ୍ଣ ବଁା ହାତରେ ଗଧର ତୋଟି ଚିପି ଧରିଲେ। ଗଧ ଜାଣିପାରିଲା, ସେ ପ୍ରଳମ୍ବ ଭୁଜ କୃଷ୍ଣ ବୋଲି। ଗଧ କୃ‌ଷ୍ଣଙ୍କୁ ଅନୁରୋଧ କଲା, ତା’ର ପାଦ ଛୁଇଁବାକୁ। ଭୀମ ପ୍ରତିବାଦ କରୁଥିଲେ। ହେଲେ, କୃଷ୍ଣ ଭୀମଙ୍କୁ ବୁଝାଇ ଦେଲେ, ପୂର୍ବରୁ ୟେମନ୍ତ ବ୍ୟବହାର ଚଳି ଆସୁଛି, ‘ଯହିଂ କାର୍ଯ୍ୟ ସାଧ୍ୟ ହୋଇ ତହିଂ ଦୋଷ ନାହିଁ କିଛି’। କୃଷ୍ଣ ନିଜ ବାମ ହାତରେ ଗଧର ପାଦ ଛୁଇଁଲେ। ଗଧ ମରିଗଲା। ପୁଷ୍ପକ ବିମାନରେ ଗଧର ଆତ୍ମା ସ୍ବର୍ଗକୁ ଗଲା। ସବୁ ପୁରାଣ-କାହାଣୀ ପଛରେ ପୂର୍ବ ଜନ୍ମର ଘଟଣା ଯୋଖି ଦେବା ‌ଏକ ଛଟା। ସେହିପରି, ଗଧ ପୂର୍ବ ଜନ୍ମରେ ବୃଦ୍ଧଶ୍ରବା ଗନ୍ଧର୍ବ ଥିବା ବର୍ଣ୍ଣିତ। ସେ ସୁନ୍ଦର ଭରତ ରସର ନୃତ୍ୟ କରିପାରୁଥିଲା। ତା’ ସହିତ କାମସେଣୀ ଅପ୍‌ସରା ନାଚିଥିଲା ଦେବ ସଭାରେ। ଇନ୍ଦ୍ର କାମସେଣୀ ପ୍ରତି ଆକୃଷ୍ଟ ହେଲେ। କାମସେଣୀକୁ ତାଙ୍କ ପାଖରେ ପହଞ୍ଚାଇବାକୁ ଇନ୍ଦ୍ର ବୃଦ୍ଧଶ୍ରବାଙ୍କୁ ନିର୍ଦ୍ଦେଶ ଦେଲେ। ବୃଦ୍ଧଶ୍ରବା କାମସେଣୀଙ୍କୁ ସାଙ୍ଗରେ ଧରି ଆସିବା ବାଟରେ ଉପଭୋଗ କଲେ। ଇନ୍ଦ୍ର ଏହା ଜାଣିଲେ। ବୃଦ୍ଧଶ୍ରବାକୁ ଗଧ ହୋଇ ଜନ୍ମିବାକୁ ଅଭିଶାପ ଦେଲେ। ତ୍ରେତୟାରେ ରାବଣର ଦକ୍ଷିଣ ଦ୍ବାରେ, ଦ୍ବାପରରେ ଜରାସନ୍ଧର ଚତୁର୍ଥ ଦ୍ବାରରେ ରହି, କୃଷ୍ଣଙ୍କ ହାତ ତା’ ପାଦରେ ବାଜିଲେ ମୁକ୍ତି ପାଇବା ସମ୍ଭବ ହେବ ବୋଲି ଇନ୍ଦ୍ର କହିଥିଲେ। ତାହା ହେଲା। କାହାଣୀଟି ଯାହା ‌େଯମିତି ହୋଇଥାଉ ନା କାହିଁକି, କାର୍ଯ୍ୟ ହାସଲରେ କୃଷ୍ଣଙ୍କ ଗଧ ପାଦ ଧାରଣ ନିର୍ଯ୍ୟାସ ଓଡ଼ିଆ ଲୋକ ଜୀବନରେ ବହୁଳ ଭାବରେ ପ୍ରଚଳିତ। ଏପରିକି, ବୈଷ୍ଣବ କବି ଅଭିମନ୍ୟୁ ସାମନ୍ତସିଂହାର ଏହି ପ୍ରବଚନକୁ କୃଷ୍ଣଙ୍କ ରାଧାଙ୍କ ନିକଟକୁ ଚିଠିରେ ଉଦାହରଣ ରୂପେ ବିନିଯୋଗ କରିଛନ୍ତି। କୃଷ୍ଣ ଲେଖିଛନ୍ତି, ରାଧାଙ୍କର ଜଣେ ସଜନୀ ହେବାକୁ। ଏହା ଦ୍ବାରା ରାଧାଙ୍କ ଯଶ ବଢ଼ିବ। ଏମିତିକି, ଗଧ ପାଦ ଧରି, କୃଷ୍ଣ ଭକ୍ତବତ୍ସଳ ବାନା ଉଡ଼ାଇଛନ୍ତି। କବିଙ୍କ ଭାଷାରେ- ‘ଖର ପାଦ ଧରି ହରି ଉଡ଼ାଇଲେ ସେବକ ବତ୍ସଳ ବାନା’। କୃଷ୍ଣଙ୍କ ଗଧ ପାଦ ଧରିବା ଉକ୍ତି, ଲୋକମୁଖ ଠାରୁ ସାହିତ୍ୟାଦିରେ ବ୍ୟବହୃତ ହୋଇଥିବା ଦେଖାଯାଏ। ଏଥିର ମୁଖ୍ୟାର୍ଥ କିନ୍ତୁ, କାମ ହାସଲ ପାଇଁ ନୀଚ ଉପାୟ ଅବଲମ୍ବନ ଘୃଣ୍ୟ ନୁହେଁ। ଓଡ଼ିଆ ଭାଷା ସାହିତ୍ୟରେ ଏହି ରୂଢ଼ିମୂଳକ ପ୍ରବଚନ ଏକାନ୍ତ ଭାବେ ଉପାଦେୟ। ଏଥିର ଉତ୍ସ ଓ ବିକାଶ ଅନୁଶୀଳନ ଯେତେ ବାଗରେ ଦର୍ଶାଗଲେ ବି ଏହା ଯେ ଲୋକଜୀବନରେ ଦୀର୍ଘ ଛଅ ଶହ ବର୍ଷ ହେଲା ଓଡ଼ିଆଙ୍କ ମୁହଁରେ ତଟକା ଉଚ୍ଚାରଣ ହୋଇ ରହିଛି, ଏହା ଏହି ପ୍ରବଚନର ବିଶେଷତା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୧୯୯୧୪

Advertisment