ମୋର ଯେତେଦୂର ମନେ ପଡ଼େ ୧୯୬୦ ଦଶକରେ ଇଂରେଜୀ ସିନେମାର ପ୍ରସିଦ୍ଧ କଳାକାର ଚାର୍ଲି ଚାପ୍ଲିନ୍ଙ୍କ ଗୋଟିଏ ସିନେମା ଦେଖିବାର ସୁଯୋଗ ପାଇଥିଲି। ଉକ୍ତ ସିନେମାରେ ଚାର୍ଲି ଚାପ୍ଲିନ୍ ଅତି ସୁନ୍ଦର ସାର୍ଟ, ଟାଇ, ଓଭରକୋଟ୍, ମୁଣ୍ଡରେ ଟୋପି, ହାତରେ ଦାମିକା ଘଣ୍ଟା ପିନ୍ଧି ଗୋଟିଏ ଟେବୁଲକୁ ମୁହଁ କରି ଠିଆ ହୋଇଥିଲେ। ଦୂରରୁ ଦେଖିଲେ ଲାଗୁଥିଲା ଯେ ଚାର୍ଲି ଚାପ୍ଲିନ୍ ଅତି ସୁନ୍ଦର ଭାବରେ ଆଭୂଷିତ। କିନ୍ତୁ ଯେତେବେଳେ ଅନ୍ୟଜଣେ ବ୍ୟକ୍ତି ତାଙ୍କୁ ପାଖକୁ ଡାକିଲେ ସେତେବେଳେ ସେ ତାଙ୍କ ପାଖକୁ ଆସିବାକୁ ନାରାଜ। ଯେତେବେଳେ ବ୍ୟକ୍ତି ଜଣକ ଚାର୍ଲି ଚାପ୍ଲିନ୍ଙ୍କୁ ଟେବୁଲ ପାଖରୁ ଟାଣି ଆଣିଲେ ସେତେବେଳେ ଦେଖାଗଲା ଯେ ଚାର୍ଲି ଚାପ୍ଲିନ୍ ଯଦିଓ ଉପରେ ସାର୍ଟ, ଟାଇ, ଓଭରକୋଟ୍, ମୁଣ୍ଡରେ ଟୋପି ହାତରେ ଦାମିକା ଘଣ୍ଟା ପିନ୍ଧିଛନ୍ତି କିନ୍ତୁ ତଳପଟେ ଖଣ୍ଡିଏ ଅଣ୍ଡରପ୍ୟାଣ୍ଟ ବ୍ୟତୀତ ସଂପୂର୍ଣ୍ଣ ଲଙ୍ଗଳା। ପ୍ୟାଣ୍ଟ ନାହିଁ, ମୋଜା ନାହିଁ, ଜୋତା ନାହିଁ କିଛି ନାହିଁ। ଅନେକଙ୍କ ମତରେ ଶ୍ରମିକ ସମସ୍ୟା ଦୃଷ୍ଟିରୁ ଓଡ଼ିଶାର ଚିତ୍ର ପ୍ରାୟ ସେୟା।
କିଛି ଦିନ ତଳେ ଓଡ଼ିଶାର ସମ୍ବାଦପତ୍ରମାନଙ୍କରେ ଏକ ଅତି ଦୁଃଖଦାୟକ ସମ୍ବାଦ ପ୍ରକାଶ ପାଇଥିଲା। ବଲାଙ୍ଗୀରର ଜଣେ ବ୍ୟକ୍ତି ସପରିବାର ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଦାଦନ ଖଟିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଅତି ଖରାପ ଅବସ୍ଥାକୁ ଚାଲିଗଲା ଏବଂ ସେ ଦାଦନ ଖଟୁଥିବା ତେଲେଙ୍ଗାନାର ମାଲିକକୁ ନିଜର ଚିକିତ୍ସା ପାଇଁ ଅନୁରୋଧ କଲେ। କିନ୍ତୁ ତେଲେଙ୍ଗାନା ମାଲିକ ସେ ଦାଦନ ଶ୍ରମିକଙ୍କ ଅନୁରୋଧକୁ ସଂପୂର୍ଣ୍ଣ ପ୍ରତ୍ୟାଖାନ କରିଦେଲେ। ସ୍ୱାସ୍ଥ୍ୟ ଅବସ୍ଥା ଅତି ଖରାପ ଆଡ଼କୁ ଯିବାରୁ ଉକ୍ତ ଶ୍ରମିକ ତେଲେଙ୍ଗାନା ମାଲିକ ଠାରୁ ଯେଉଁ ଅଗ୍ରିମ ନେଇଥିଲେ ସେଥିସକାଶେ ମାଲିକ ଉକ୍ତ ଶ୍ରମିକଙ୍କ ଗୋଟିଏ ଝିଅକୁ ବନ୍ଧା ରଖି ତାଙ୍କୁ ବଲାଙ୍ଗୀର ଫେରି ଆସିବାକୁ ଅନୁମତି ଦେଲେ। ମାତ୍ର ଅତି ଦୁଃଖର ବିଷୟ, ଶ୍ରମିକଜଣକ ବଲାଙ୍ଗୀର ଫେରିବା ରାସ୍ତାରେ ମୃତ୍ୟୁବରଣ କଲେ। ସେପଟେ ଝିଅ ତେଲେଙ୍ଗାନା ମାଲିକ ପାଖରେ ବନ୍ଧା ପଡ଼ିଛି। ଶୁଣାଯାଏ ଯେ ଓଡ଼ିଶା ପୁଲିସ ଉକ୍ତ ଝିଅକୁ ତେଲେଙ୍ଗାନା ମାଲିକ ପାଖରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। କିନ୍ତୁ ଦାଦନ ଶ୍ରମିକଙ୍କର ପରିବାର ତାଙ୍କ ମୃତ୍ୟୁ ଫଳରେ ଯେ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଗଲା ଏଥିରେ କୌଣସି ସନ୍ଦେହ ନାହିଁ।
ଏହିପରି ଲକ୍ଷ ଲକ୍ଷ ଦାଦନ ଦୁଃଖ ଅଛି ଯାହା ପ୍ରତ୍ୟେକ ଗୋଟିଏ ଗୋଟିଏ ଲୁହଝରା କାହାଣୀ। ଏହି ଦାଦନ ଶବ୍ଦଟି ବା ବ୍ୟବସ୍ଥାଟି କେବଳ କ’ଣ ଓଡ଼ିଶାର ଲୋକମାନଙ୍କ ପାଇଁ ସୃଷ୍ଟି ହୋଇଛି? ଯାହା ବୁଝିବାକୁ ମିଳେ ନ’ଅଙ୍କ ଦୁର୍ଭିକ୍ଷ ପରଠାରୁ ହିଁ ଦାଦନର ସୃଷ୍ଟି। ନ’ଅଙ୍କ ଦୁର୍ଭିକ୍ଷ ହିଁ ଏହି ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥାରେ ପ୍ରବଳ ମାତ୍ରାରେ କୁପ୍ରଭାବ ସୃଷ୍ଟି କରିସାରିଥିଲା। ଆଶା କରାଯାଉଥିଲା ଯେ ସ୍ବାଧୀନତା ପରେ ବ୍ୟବସ୍ଥାର ଉନ୍ନତି ଫଳରେ ଦାଦନ ବ୍ୟବସ୍ଥାର ସମାପ୍ତି ହୋଇଯିବ। କିନ୍ତୁ ସ୍ବାଧୀନତା ପାଇବାର ସାତ ଦଶନ୍ଧି ପରେ ମଧ୍ୟ ଦାଦନ ବ୍ୟବସ୍ଥାରେ ବିଶେଷ ପରିବର୍ତ୍ତନ ଆସି ନାହିଁ। ପୂର୍ବରୁ ଅନ୍ୟ ରାଜ୍ୟମାନଙ୍କରୁ ମଧ୍ୟ ବହୁ ଶ୍ରମଜୀବୀ ଅନ୍ୟ ଉନ୍ନତ ରାଜ୍ୟମାନଙ୍କୁ ଯାଇ ସେଠାରେ ଶ୍ରମଦାନ କରି ରୋଜଗାର କରୁଥିଲେ। କିନ୍ତୁ ଆଜି ଅନ୍ୟ କୌଣସି ରାଜ୍ୟରେ ଦାଦନ ବ୍ୟବସ୍ଥା ଆଉ ଦେଖିବାକୁ ମିଳେ ନାହିଁ। ବର୍ତ୍ତମାନ ସମଗ୍ର ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠୁ ଦାଦନ ଶ୍ରମିକ ନିଜକୁ ଏବଂ ନିଜର ପରିବାରକୁ ବନ୍ଧା ପକାଇ ଅନ୍ୟ ରାଜ୍ୟକୁ ଯାଇ ପଶୁ ଭଳି କାର୍ଯ୍ୟ କରନ୍ତି। ସେମାନଙ୍କର ଜୀବନ ଦାଦନରୁ ଆରମ୍ଭ ହୁଏ ଏବଂ ସେହି ଦାଦନରେ ହିଁ ଶେଷ ହୋଇଯାଏ।
ଗତ ୬.୨.୨୦୨୪ରେ ଦୈନିକ ‘ସମ୍ବାଦ’ରେ ଏକ ଲେଖା ପ୍ରକାଶ ପାଇଛି ଯେଉଁଠି ଲେଖାଯାଇଛି ନବରଙ୍ଗପୁରର ଦାନୀଗୁଡ଼ା ଗ୍ରାମର ପ୍ରାୟ ଶହଶହ ଶ୍ରମିକ ନିଜ ଅଞ୍ଚଳରେ କାମର ଅଭାବ ସକାଶେ ଅନ୍ୟ ରାଜ୍ୟକୁ ପରିବାର ସହିତ ଦାଦନ ଖଟିବାକୁ ଚାଲିଯାଇଛନ୍ତି। ଫଳରେ ଗ୍ରାମର ଅଧିକାଂଶ ଘରେ ବର୍ତ୍ତମାନ ତାଲା ଝୁଲୁଛି। ଗ୍ରାମର ବର୍ତ୍ତମାନ ଅତ୍ୟଧିକ ବୟସ୍କ ବ୍ୟକ୍ତିମାନଙ୍କ ଛଡ଼ା ଆଉ ପ୍ରାୟ କେହି ନାହାନ୍ତି। ଉକ୍ତ ଗ୍ରାମର ଜନସଂଖ୍ୟା ପ୍ରାୟ ୩୫୦ ଏବଂ ସମସ୍ତେ ଚାଷବାସ ଓ ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି। ଯଦିଓ ଦାଦନ ରୋକିବା ପାଇଁ ସରକାରଙ୍କ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଉଛି କିନ୍ତୁ କାର୍ଯ୍ୟ ସଂପାଦନ ପରେ ଶ୍ରମିକଙ୍କୁ ମଜୁରି ମିଳିବାରେ ପ୍ରାୟ ଗୋଟିଏ ବର୍ଷ ଲାଗି ଯାଉଛି। ଏହି ସମସ୍ୟା ସକାଶେ ଶ୍ରମିକମାନେ ମନରେଗା କାର୍ଯ୍ୟ କରିବାକୁ ଇଚ୍ଛୁକ ନୁହନ୍ତି। ତେଣୁ ଶ୍ରମିକମାନେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଅନେକ ଦାଦନ ଶ୍ରମିକ ବର୍ଷା ଋତୁ ପୂର୍ବରୁ ନିଜ ଗ୍ରାମକୁ ଫେରି ଆସନ୍ତି ଏବଂ ବର୍ଷା ଋତୁରେ ଚାଷବାସ କରି ପୁନର୍ବାର ଦାଦନ ଖଟୁଥିବା ଅଞ୍ଚଳକୁ ଚାଲିଯାଆନ୍ତି। ଯଦି ସରକାର ମନରେଗା ଯୋଜନାର ମଜୁରି ମିଳିବା ଦିଗରେ ସୃଷ୍ଟି ହେଉଥିବା ଆହେତୁକ ବିଳମ୍ବ ସମସ୍ୟାକୁ ସମାଧାନ କରି ଦିଅନ୍ତେ ତାହାହେଲେ ଦାଦନ ସମସ୍ୟାର ଅନେକଟା ସମାଧାନ ହୋଇଯାଆନ୍ତା ଏବଂ ଫଳସ୍ବରୂପ ଅନେକ ଶ୍ରମିକ ଦାଦନ ଖଟିବାକୁ ନ ଯାଇ ନିଜ ଅଞ୍ଚଳରେ ରହି ପରିବାର ପ୍ରତିପୋଷଣ କରିପାରନ୍ତେ। ଏହା ବ୍ୟତୀତ ଯଦି ସରକାର ସମସ୍ତ ଅଞ୍ଚଳରେ ମନରେଗା ଯୋଜନା ଅଧୀନରେ ଯଥେଷ୍ଟ ରୋଜଗାର ସୁଯୋଗ ସୃଷ୍ଟି କରନ୍ତେ ତାହାହେଲେ ମଧ୍ୟ ଏହା ଦାଦନ ସମସ୍ୟାକୁ ଅନେକ ପରିମାଣରେ ସମାଧାନ କରିପାରନ୍ତା।
ଓଡ଼ିଶାରୁ ଯେଉଁମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ସେମାନେ ଯେ ସମସ୍ତେ ଅଶିକ୍ଷିତ, ଅଳ୍ପ ଶିକ୍ଷିତ ଏବଂ ଶ୍ରମିକ ଶ୍ରେଣୀର, ଏହା ଭାବିବା ଭୁଲ୍। ଓଡ଼ିଶାରୁ ବହୁ ଶିକ୍ଷିତ ବ୍ୟକ୍ତି ମଧ୍ୟ ଯଥେଷ୍ଟ ଓ ଉପଯୁକ୍ତ କାର୍ଯ୍ୟର ସୁଯୋଗ ନ ପାଇ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଭଳି ପରିସ୍ଥିତିରେ ବିଭିନ୍ନ ପ୍ରକାରର କାର୍ଯ୍ୟ ସଂପାଦନ କରୁଛନ୍ତି। ସେମାନେ ଅନ୍ୟ ରାଜ୍ୟମାନଙ୍କରେ ବିଭିନ୍ନ କଳକାରଖାନାରେ ସାମୟିକ କାର୍ଯ୍ୟ ସଂପାଦନ କରୁଛନ୍ତି। ଅନେକ ସମୟରେ ସେମାନଙ୍କୁ ଖୁବ୍ ବିପଦପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟ କରିବାକୁ ପଡ଼େ। ଯେହେତୁ ବିପଦପୂର୍ଣ୍ଣ କାର୍ଯ୍ୟ କରିବାକୁ ସେ ରାଜ୍ୟର ଲୋକମାନେ ଅନିଚ୍ଛୁକ, ତେଣୁ ଆମ ରାଜ୍ୟରୁ ଅନେକ ବ୍ୟକ୍ତି ଆମ ରାଜ୍ୟରେ ଉପଯୁକ୍ତ କାମ ନ ପାଇ ଅନ୍ୟସବୁ ରାଜ୍ୟକୁ ଯାଇ ସେହି କାର୍ଯ୍ୟ କରୁଛନ୍ତି। ସେହି କାରଣରୁ ଅନେକ ବ୍ୟକ୍ତି କାର୍ଯ୍ୟ ସଂପାଦନ ସମୟରେ ଆହତ ହେଉଛନ୍ତି ବା ମୃତ୍ୟୁ ବରଣ କରୁଛନ୍ତି। ୨୦୨୩ ମସିହାରେ ପ୍ରାୟ ୩୯ ଜଣ ବ୍ୟକ୍ତିଙ୍କର ଅନ୍ୟ ରାଜ୍ୟରେ କାର୍ଯ୍ୟ ସଂପାଦନ ସମୟରେ ମୃତ୍ୟୁ ଘଟିଛି। ଯାହା ଶୁଣାଯାଏ, ଆହତ ବ୍ୟକ୍ତିମାନଙ୍କର ସଂଖ୍ୟା ମୃତ୍ୟୁ ସଂଖ୍ୟାର ୧୦ ଗୁଣରୁ ଅଧିକ ହେବ।
ଗତ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଯେଉଁସବୁ ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠିତ ହୋଇଥିଲା ସେଗୁଡ଼ିକ ବିଗତ ୨୦ ବର୍ଷ ଭିତରେ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଫଳତଃ ଲକ୍ଷ ଲକ୍ଷ ଲୋକ ରୋଜଗାରଶୂନ୍ୟ ହେବା ସହିତ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଉଦାହରଣ ସ୍ବରୂପ ଗତ ଶତାବ୍ଦୀର ଶେଷ ଭାଗରେ ଅନେକ ବୃହତ୍ ସୂତା କାରଖାନା ସବୁ ଗଢ଼ି ଉଠିଥିଲା ଯାହାକି ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲକ୍ଷ ଲକ୍ଷ ଲୋକଙ୍କ ହାତକୁ କାମ ଆଣି ଦେଇଥିଲା। କିନ୍ତୁ ସରକାରୀ ଉଦାସୀନତା କାରଣରୁ ସୂତା କାରଖାନା ବନ୍ଦ ହୋଇଗଲା ଏବଂ ସେଠାରେ କାମ କରୁଥିବା ଲୋକମାନେ ସଂପୂର୍ଣ୍ଣ ବେରୋଜଗାର ହୋଇଗଲେ। ସେମାନଙ୍କ ଭିତରୁ ଅନେକ ବ୍ୟକ୍ତି ଗୁଜରାଟ ଓ ତାମିଲନାଡୁ ଯାଇ ସେଠାକାର ସୂତା କାରଖାନାରେ କାର୍ଯ୍ୟ କରୁଛନ୍ତି।
ଓଡ଼ିଶାର ଶିଳ୍ପ ଓ ଖଣିମାନଙ୍କରେ ଯେଉଁ କର୍ମଚାରୀ ଓ ଶ୍ରମିକ ନିଯୁକ୍ତ ଅଛନ୍ତି ସେଥିରେ ମଧ୍ୟ ଓଡ଼ିଆଙ୍କ ଭାଗୀଦାରି ଖୁବ୍ କମ୍। ଓଡ଼ିଶାରେ ଯେଉଁ କେତେକ ହାତଗଣତି ଶିଳ୍ପ ଅଛି ସେହି ଶିଳ୍ପ ସଂସ୍ଥାମାନଙ୍କରେ ଅଧିକାଂଶ କର୍ମଚାରୀ ଓ ଶ୍ରମିକ ହେଉଛନ୍ତି ଓଡ଼ିଶା ବାହାରର। ଏହି ବ୍ୟବସ୍ଥାର ପରିବର୍ତ୍ତନ ଯଦି ନ ହୁଏ ଏବଂ ଖଣି ଶିଳ୍ପରେ ଓଡ଼ିଆମାନଙ୍କର ଭାଗୀଦାରି ଯଥେଷ୍ଟ ପରିମାଣରେ ନ ବଢ଼େ ତାହାହେଲେ ଓଡ଼ିଶାର ଶ୍ରମିକ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ।
ଆମ ରାଜ୍ୟର ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଆମାନଙ୍କର ଭାଗୀଦାରି ଅତି ନୈରାଶ୍ୟଜନକ। ବିଗତ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ପରିସ୍ଥିତି ଅନେକ ପରିମାଣରେ ଓଡ଼ିଆଙ୍କ ସପକ୍ଷରେ ଥିଲା। କିନ୍ତୁ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପରିସ୍ଥିତିରେ ସଂପୂର୍ଣ୍ଣ ପରିବର୍ତ୍ତନ ଆରମ୍ଭ ହୋଇଗଲା।
ଏ ସମସ୍ତ ନକାରାତ୍ମକ ପରିସ୍ଥିତିରେ ପରିବର୍ତ୍ତନ ସେତେବେଳେ ସମ୍ଭବ ଯେତେବେଳେ ସମସ୍ତ ଶ୍ରମିକଙ୍କ ହାତକୁ କାର୍ଯ୍ୟ ଆସିପାରିବ। ତାହା ମଧ୍ୟ ଓଡ଼ିଶା ଅର୍ଥନୀତିରେ ଏବଂ ସାମାଜିକ ବ୍ୟବସ୍ଥାରେ ଏକ ବିରାଟ ସକାରାତ୍ମକ ପରିବର୍ତ୍ତନ ଆଣିବ।
ମୋ: ୯୪୩୭୦୧୩୪୬୬
ରାଜ୍ୟରେ ଶ୍ରମିକ ଓ ନିଯୁକ୍ତି ସମସ୍ୟା
ପ୍ରଭାତ ଦାଶ
/sambad/media/post_attachments/wp-content/uploads/2024/02/gdjggjdjggjd.jpg)