ସତ୍ୟକାମ ମିଶ୍ର

Advertisment

ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ସବୁ ସରକାର ତତ୍ପରତା ଦେଖାଇ ଆସୁଛନ୍ତି। ବିଜେଡି ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ସଭା କରି ଶିଳ୍ପୋଦ୍ୟୋଗୀମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ବିଦେଶରେ ମଧ୍ୟ ଅନୁରୂପ ଉଦ୍ୟମ କରିଥିଲେ। ବର୍ତ୍ତମାନର ସରକାର ମଧ୍ୟ ଏଥି ପାଇଁ ନିକଟରେ ଦିଲ୍ଲୀରେ ସଭା କରିଥିବା ସମ୍ବାଦ ପ୍ରକାଶ ପାଇଥିଲା। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡ଼ିକର ବିକାଶ ପାଇଁ ସରକାର ବହୁ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି।
ଶିଳ୍ପ ପ୍ରତିଷ୍ଠା କରିବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ନ ଦେଇ ଗୋଟିଏ ସଂସ୍ଥା ମାଧ୍ୟମରେ ସବୁ ସୁବିଧା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ସହଜରେ ମଧ୍ୟ ଶିଳ୍ପୋଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅନୁମତି ପାଉଛନ୍ତି। ଜଣେ ଆଶାୟୀ ଶିଳ୍ପୋଦ୍ୟୋଗୀଙ୍କୁ ଭୂମି ଯୋଗାଇବା ପାଇଁ ‘ଇଡ୍‌କୋ’ ବା ‘ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ’କୁ ପ୍ରାଧିକାର ଦିଆଯାଇଛି। ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଓ ଅନୁମତି ନିମନ୍ତେ ପ୍ରାର୍ଥୀମାନେ ସରକାରଙ୍କର ‘ଗୋ ସ୍ୱିଫ୍‌ଟ’ ପୋର୍ଟାଲରେ ଦରଖାସ୍ତ କରିବେ। ଯଦି ସେମାନଙ୍କ ପ୍ରକଳ୍ପର ନିବେଶ ସୀମା ପଚାଶ କୋଟି ଟଙ୍କା ଭିତରେ ହୋଇଥିବ, ତେବେ ଏକ ଜିଲ୍ଲାସ୍ତରୀୟ କମିଟି ତାକୁ ବିଚାର କରିବ ଏବଂ ଯଦି ସମସ୍ତ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରିବା ସଙ୍ଗେ ସଙ୍ଗେ ସରକାରଙ୍କର ଶିଳ୍ପନୀତିର ଉଦ୍ଦେଶ୍ୟ ସାଧିତ ହେବା ନିଶ୍ଚିତ ହେଉଥିବ, ତେବେ ସେହି କମିଟି ତାଙ୍କର ସୁପାରିସ ଜିଲ୍ଲାପାଳଙ୍କ ପାଖକୁ ପଠାଇବେ। ଜିଲ୍ଲାପାଳ ସନ୍ତୁଷ୍ଟ ହେଲେ ‘ଇଡ୍‌କୋ’କୁ ଜମି ଦେବା ପାଇଁ ସୁପାରିସ କରିବେ। ଶେଷକୁ ‘ଇଡ୍‌କୋ’ ସଂପୃକ୍ତ ବ୍ୟକ୍ତିଙ୍କୁ ଜମି ଲିଜ ସୂତ୍ରରେ ହସ୍ତାନ୍ତର କରିବେ। ଶିଳ୍ପ ନୀତିରେ ଏହି ପ୍ରକ୍ରିୟା ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବିନା ଝିଞ୍ଜଟରେ ହେବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ୫୦ କୋଟି ଟଙ୍କାରୁ ଅଧିକ ନିବେଶ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କର ଦରଖାସ୍ତ ‘ଇପିକଲ’ ବିଚାର କରି ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନ ପାଇଁ ପଠାଇବ। ମୁଖ୍ୟ ଶାସନ ସଚିବଙ୍କ ସୁପାରିସ କ୍ରମେ ‘ଇଡ୍‌କୋ’ ତାଙ୍କୁ ଜମି ଲିଜ ଦେବ। ଯଦି ନିବେଶକାରୀ ଏକ ଶହ କୋଟି ଟଙ୍କାରୁ ଅଧିକ ନିବେଶ କରି କୌଣସି ପ୍ରକଳ୍ପ କରିବାକୁ ଚାହାନ୍ତି, ତେବେ ତାଙ୍କ ଦରଖାସ୍ତ ‘ଇପିକଲ’ ମାଧ୍ୟମରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କଲେ ତାଙ୍କୁ ଜମି ମିଳିବ। ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବିଭିନ୍ନ ସ୍ତରରେ ବିଶେଷଜ୍ଞମାନଙ୍କ ଦ୍ବାରା ଯାଞ୍ଚ କରାଯାଇ ଗୋଟିଏ ଶିଳ୍ପକୁ ଜମି ଦେବାର ବ୍ୟବସ୍ଥା ଅଛି। ନିଜର ଡି.ପି.ଆର ବା ପ୍ରକଳ୍ପ ରିପୋର୍ଟରେ ଦର୍ଶାଯାଇଥିବା ଜମିର ପରିମାଣ ଯଥାର୍ଥ କି ନୁହେଁ ସେ ବିଷୟ ଉପରେ ବିଚାରବିମର୍ଶ କରି ଲିଜ ସକାଶେ ଜମିର ପରିମାଣ ନିର୍ଦ୍ଧାରିତ ହୁଏ। କିନ୍ତୁ, ଗୁରୁତ୍ବପୂର୍ଣ୍ଣ ସରରାଞ୍ଚଳ ଓ ଗମନାଗମନ ସୁବିଧା ଥିବା ଜାଗାମାନଙ୍କରେ ଶିଳ୍ପପତିମାନେ ଆବଶ୍ୟକତାରୁ ଅଧିକ ଜମି ରିହାତି ଦରରେ ହାସଲ କରିବାକୁ ଚେଷ୍ଟା କରନ୍ତି ଓ କିଛି ବ୍ୟକ୍ତି ଏଥିରେ ସଫଳ ମଧ୍ୟ ହୁଅନ୍ତି। ଜମିର ପରିମାଣ ନିର୍ଦ୍ଧାରଣ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ। କମିଟିର ସଦସ୍ୟ, ଜିଲ୍ଲାପାଳ କିମ୍ବା ମୁଖ୍ୟ ଶାସନ ସଚିବଙ୍କୁ ଯଦି ଦରଖାସ୍ତକାରୀ ସେ ନେବାକୁ ଚାହୁଥିବା ଜମିର ପରିମାଣ ବିଷୟରେ ଠିକ୍ ରୂପେ ବୁଝାଇପାରିଲା, ତେବେ ସେ ଯାହା ଚାହିବ ତାହା ପାଇବ। ଏହି ବ୍ୟବସ୍ଥା କିଛି ଅଧିକାରୀଙ୍କୁ ବିବେକାଧୀନ କ୍ଷମତା ପ୍ରଦାନ କରିଥିବା ହେତୁ ସେହି କ୍ଷମତାର ଦୁରୁପଯୋଗ ହେବାର ସମ୍ଭାବନା ଅଛି। ନିର୍ଦ୍ଦିଷ୍ଟ ମାନଦଣ୍ଡ ନ ଥିବାରୁ ଅନୁରୂପ ଶିଳ୍ପକୁ ଦିଆଯାଇଥିବା ଜମିର ଉଦାହରଣ କିମ୍ବା ଅନୁରୂପ ଶିଳ୍ପ ବ୍ୟବହାର କରୁଥିବା ଜମିର ପରିମାଣକୁ ଦର୍ଶାଇ ନିଜ ପାଇଁ ଆବଶ୍ୟକ ଜମିର ପରିମାଣ ସପକ୍ଷରେ ଦାବି ଉପସ୍ଥାପିତ ହୁଏ ଏବଂ ଅଧିକାଂଶ କ୍ଷେତ୍ରରେ ତାହା ପୂରଣ ମଧ୍ୟ କରାଯାଏ। ଏହା କ’ଣ ଏକ ସ୍ୱଚ୍ଛ ଓ ଦୁର୍ନୀତି ରହିତ ବ୍ୟବସ୍ଥା?
ଏ ତ ଗଲା ଜମି ଆହରଣ କରିବା ବ୍ୟବସ୍ଥା। ଜମି ହସ୍ତାନ୍ତର କରିବା ବ୍ୟବସ୍ଥା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଓ ଅସ୍ବଚ୍ଛ। ଜମି ପାଇବାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯଦି ଶିଳ୍ପ ପ୍ରତିଷ୍ଠା ହୋଇ କାର୍ଯ୍ୟକ୍ଷମ ନ ହୁଏ, ତା’ହେଲେ ଜମିର ଲିଜ ବାତିଲ କରିବାର ବ୍ୟବସ୍ଥା ଅଛି। କିନ୍ତୁ, ଅଳ୍ପ ଦିନ ପାଇଁ ଉତ୍ପାଦନ କରି ବା କୌଣସି ଉପାୟରେ ଉତ୍ପାଦନ ହେଉଥିବା ଦର୍ଶାଇ ଶିଳ୍ପକୁ ଦୀର୍ଘ ଦିନ ଧରି ବନ୍ଦ କରି ରଖିଲେ ସୁଦ୍ଧା ଲିଜ ବାତିଲ ହେବାର ବ୍ୟବସ୍ଥା ନାହିଁ।
ସେହିପରି ଲିଜ ଦିଆଯାଇଥିବା ଜମିର ଏକ କ୍ଷୁଦ୍ର ଅଂଶ ବ୍ୟବହାର କରି ବଳକା ଜାଗାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା ଅଥବା ଦୀର୍ଘ ଦିନ ଧରି ଖାଲି ପକାଇଲେ ମଧ୍ୟ ଲିଜ ଜମିର ସେହି ଅବ୍ୟବହୃତ ଅଂଶକୁ ସରକାର ଦଖଲକୁ ନେଇଯିବାର କୌଣସି ବ୍ୟବସ୍ଥା ନାହିଁ। ଆଇନରେ ଥିବା ଏହି ଗଳାବାଟ ଯୋଗୁଁ ଶିଳ୍ପ ପାଇଁ ଉଦ୍ଦିଷ୍ଟ ଜମିର ଦୁରୁପଯୋଗ ହେଉଛି। ଉଦାହରଣ ସ୍ୱରୂପ ୨୦୦୭ ମସିହାରେ ଗୋଟିଏ ସଫ୍‌ଟୱେର ଫାର୍ମ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୮.୬୫ ଏକର ଜମି ରିହାତି ମୂଲ୍ୟରେ ଭୁବନେଶ୍ୱରରେ ଦିଆଯାଇଥିଲା। ସେହି ଫାର୍ମ ଉକ୍ତ ଜମିରୁ ପ୍ରାୟ ଏକ ଏକର ବ୍ୟବହାର କରୁଥିଲେ। ବର୍ତ୍ତମାନ କାରବାର ବନ୍ଦ କରି ସମୁଦାୟ ଜମିକୁ ହସ୍ତାନ୍ତର କରିବା ପାଇଁ ଚେଷ୍ଟା କରୁଥିବା ଶୁଣିବାକୁ ମିଳୁଛି। ପ୍ରଶ୍ନ ଉଠୁଛି ଯଦି ଜଣେ ଉତ୍ପାଦନ ପାଇଁ ଏକ ଏକର ଜମି ଆବଶ୍ୟକ କରୁଛି, ତାକୁ ଆଠ ଏକରରୁ ଅଧିକ ଜମି କାହିଁକି ଦିଆଯାଇଥିଲା? ଏବଂ କେଉଁ ଆଧାରରେ ଜମିର ପରିମାଣ ନିର୍ଦ୍ଧାରିତ ହେଉଥିଲା? ସେହିପରି କାର୍ଯ୍ୟାଳୟ ସ୍ଥାପନ ପାଇଁ ପ୍ରତ୍ୟେକ ସଂସ୍ଥାକୁ ଏକର ଏକର ଜମି ଦେବାର ଯଥାର୍ଥତା କ’ଣ? ଗୋଟିଏ ଶିଳ୍ପାଞ୍ଚଳରେ ବହୁତଳ ପ୍ରାସାଦ ନିର୍ମାଣ କରାଯାଇ ଏକାଧିକ ଶିଳ୍ପ ସଂସ୍ଥାର କାର୍ଯ୍ୟାଳୟ ସ୍ଥାପନ କରାଯାଇ ପାରିବ। ସେହିପରି ଛୋଟ ଛୋଟ ଶିଳ୍ପ ସଂସ୍ଥା ମଧ୍ୟ ଗୋଟିଏ କୋଠାରେ ବିଭିନ୍ନ ମହଲାରେ କାର୍ଯ୍ୟ କରି ପାରିବେ।
‘ଇଡ୍‌କୋ’ର ସର୍କୁଲାର ନମ୍ବର ୧୫୯୯୫ ତା ୨୩.୭୨୦୧୬ରେ ଦିଆଯାଇଥିବା ନିୟମାବଳୀ ଅନୁସାରେ ଗୋଟିଏ ଶିଳ୍ପାନୁଷ୍ଠାନ ଖାଲି ଜମି ହସ୍ତାନ୍ତର କରିପାରିବନି। କିନ୍ତୁ, ସେହି ନିୟମକୁ ତର୍ଜମା କଲେ ଜଣାଯାଏ ଯେ କେବଳ ବଖରାଏ ମାତ୍ର ଘର କରି ଦେଇଥିଲେ ସେ ସମୁଦାୟ ଜମିକୁ ଖାଲି ଜମି ବୋଲି ଧରାଯିବନି। ଜମି ହସ୍ତାନ୍ତର ଶିଳ୍ପ ପାଇଁ ଉଦ୍ଦିଷ୍ଟ ରିହାତି ମୂଲ୍ୟରେ ହେବ, କିନ୍ତୁ ପ୍ରକୃତ ପକ୍ଷେ କେତେ ମୂଲ୍ୟରେ ସେ ଜମି କାରବାର ହୁଏ, ତାହାର କୌଣସି ପ୍ରମାଣ ରହେ ନାହିଁ କିମ୍ବା ସେ ବିକ୍ରୟ ‘ଇଡ୍‌କୋ’ ମାଧ୍ୟମରେ କରାଯାଏ ନାହିଁ। ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ଶିଳ୍ପ ପାଇଁ ଜମିର ମୂଲ୍ୟ ଏକର ପ୍ରତି ୧.୫ କୋଟି ଟଙ୍କା ଥିବା ବେଳେ ସେହି ଜମିର ବଜାର ମୂଲ୍ୟ ତିରିଶ କୋଟି ଟଙ୍କାରୁ ଅଧିକ।
ପ୍ରଥମେ ଜମି ଦିଆଗଲା ବେଳେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଏ ଏବଂ ଯେତେଗୁଡ଼ିଏ ବିଭାଗକୁ ନେଇ କମିଟି ହୋଇଥାଏ, ସେଭଳି ପଦ୍ଧତି ଜମି ହସ୍ତାନ୍ତର ବେଳେ ଅବଲମ୍ବନ କରାଯାଏ ନାହିଁ। ଏହା କେବଳ ‘ଇଡ୍‌କୋ’ର କର୍ତ୍ତୃତ୍ୱାଧୀନ। ଅତି ସହଜ ଉପାୟରେ ଜମି ହସ୍ତାନ୍ତର କରିବାର ବ୍ୟବସ୍ଥା ହୋଇଛି। ଶିଳ୍ପ ପାଇଁ ବ୍ୟବହୃତ ଜମିକୁ ଶିକ୍ଷାନୁଷ୍ଠାନ, ତାରକା ହୋଟେଲ, ଡାକ୍ତରଖାନା, ସିନେମା ଘର ଓ ଆମୋଦ ପ୍ରମୋଦ କେନ୍ଦ୍ର ପାଇଁ ମଧ୍ୟ ହସ୍ତାନ୍ତର କରିବାର ବ୍ୟବସ୍ଥା ଅଛି। ଏହି ଦୃଷ୍ଟିରୁ ଶିଳ୍ପ ନାଁରେ ଜମି ନେଇ କିଛି ଦିନ ପରେ ତାକୁ ବଜାର ଦରରେ ବିକି ବିନା ପରିଶ୍ରମରେ ଅର୍ଥଲାଭ କରିବା ହେଉଛି ଏକ ଲାଭଜନକ ବ୍ୟବସାୟର ଅଭିସନ୍ଧି। ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଜନକ ହୋଇଥିବା ବେଳେ ରାଜ୍ୟ ପାଇଁ ଏହା ଯେ କେତେ କ୍ଷତିକାରକ, ତାହା ବୁଝିବା କଷ୍ଟ ନୁହେଁ। ଜମି ହସ୍ତାନ୍ତର କରିବା ସମୟରେ କେବଳ ଜିଲ୍ଲା ଶିଳ୍ପ କେନ୍ଦ୍ରର ଗୋଟିଏ ଉତ୍ପାଦନ ପ୍ରମାଣପତ୍ର ଆବଶ୍ୟକ। ଯଦି ଜଣେ ୧୦ ବର୍ଷ ଧରି ଜମି ଦଖଲରେ ଅଛି, ସେ ସଂସ୍ଥା ଉତ୍ପାଦନ କରୁଛି କି ନାହିଁ; ଏ କଥା ‘ଇଡ୍‌କୋ’ କିମ୍ବା ‘ଏମ.ଏସ.ଏମ.ଇ.’ ବିଭାଗ ଜାଣିପାରୁ ନାହାନ୍ତି? ପ୍ରତି ବର୍ଷ କେତେ ଉତ୍ପାଦନ ହୁଏ, ତାହାର ପରିସଂଖ୍ୟାନ କିଏ ରଖେ? ଉତ୍ପାଦନ ସଙ୍ଗେ ସଂପୃକ୍ତ ନଥିବା ଗୋଟିଏ ସଂସ୍ଥାକୁ ଉତ୍ପାଦନ ପ୍ରମାଣପତ୍ର ଦେବାକୁ କାହିଁକି କୁହାଯାଉଛି? ଜିଲ୍ଲା ଶିଳ୍ପ କେନ୍ଦ୍ର ବିଗତ ଦଶ ବର୍ଷ ଧରି ସେ ଜମିରେ କ’ଣ ହେଉଥିଲା କିପରି ଜାଣିବ ନାହିଁ? ସରକାରଙ୍କଠାରୁ ବିଭିନ୍ନ ପ୍ରୋତ୍ସାହନ ହାସଲ କରୁଥିବା ଶିଳ୍ପ ସଂସ୍ଥାର କାର୍ଯ୍ୟକଳାପ ନିରୀକ୍ଷଣ କରିବା କାହାର ଦାୟିତ୍ୱ?
ଜମି ଏକ ବିରଳ ସଂପଦ। ଏହି ପ୍ରାକୃତିକ ସଂସାଧନର ସଦୁପଯୋଗ କରା ନଗଲେ ଆମର ଉତ୍ତର ପିଢ଼ି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବେ। ଛୋଟ ଛୋଟ ଶିଳ୍ପ ପାଇଁ ଏକର ଏକର ଜମି ଆବଣ୍ଟନ କରିବା ଏବଂ ଏହାର ଉପଯୋଗିତାକୁ କଡ଼ାକଡ଼ି ଭାବେ ନିୟନ୍ତ୍ରଣ ନ କରିବା ଏକ ଜାତୀୟ ଅପରାଧ। ଯଦି ବେଳ ଥାଉଁ ଥାଉଁ ଏ ବିଷୟରେ ଚିନ୍ତା କରା ନ ଯାଏ ଓ ଅଣ-ଶିଳ୍ପ କାର୍ଯ୍ୟ ପାଇଁ ଜମିର ଦୁରୁପଯୋଗକୁ ରୋକା ନ ଯାଏ, ତେବେ ଭବିଷ୍ୟତରେ ଶିଳ୍ପ ବିକାଶ ନିଶ୍ଚିତ ଭାବେ ପ୍ରଭାବିତ ହେବ। ଭବିଷ୍ୟତରେ ଶିଳ୍ପ ପାଇଁ ଜମି ମିଳିବନି। ତେଣୁ ଏ ବିଷୟ ନେଇ ଗମ୍ଭୀର ବିଚାରବିମର୍ଶ ଆବଶ୍ୟକ।
ଆବଣ୍ଟିତ ଜମିରେ ସଂପୃକ୍ତ ଶିଳ୍ପ ସଂସ୍ଥାର କାର୍ଯ୍ୟକଳାପର ସ୍ଥିତି ଜାଣିବା ପାଇଁ ଅନୁସନ୍ଧାନ ହେଉ। ଏ ସଂକ୍ରାନ୍ତରେ ପ୍ରଣୀତ ସମସ୍ତ ଆଇନ ଓ ନୀତି ନିୟମକୁ ପୁନଶ୍ଚ ଏକ ନିରପେକ୍ଷ ସଂସ୍ଥା ମାଧ୍ୟମରେ ସମୀକ୍ଷା କରାଯାଇ ଜମିର ବ୍ୟବହାର ଓ ହସ୍ତାନ୍ତର କ୍ଷେତ୍ରରେ ଥିବା ଆଇନର ଗଳାବାଟକୁ ବନ୍ଦ କରାଯାଉ। ସେ ପର୍ଯ୍ୟନ୍ତ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଉ। ଯେଉଁମାନେ କ୍ଷମତା ଉପଭୋଗ କରୁଛନ୍ତି, ସେମାନେ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ, ନଚେତ ଭବିଷ୍ୟତ ପିଢ଼ି ସେମାନଙ୍କୁ କ୍ଷମା କରିବେନି।
କହିବା ଅନାବଶ୍ୟକ ଯେ ରାଜ୍ୟର ନିରନ୍ତର ବିକାଶ ପାଇଁ ପ୍ରାକୃତିକ ସମ୍ପଦର ଯୁକ୍ତିସଙ୍ଗତ ବ୍ୟବହାର ଆବଶ୍ୟକ। ଜମି ଭଳି ଏକ ଦୁଷ୍ପ୍ରାପ୍ୟ ସମ୍ପଦକୁ ଆବଣ୍ଟନ କଲାବେଳେ ଆମର ଶାସକ ଓ ନୀତି ପ୍ରଣୟନକାରୀମାନେ ଏ ବିଷୟ ଭୁଲି ଯିବେନି ବୋଲି ଆଶା ଓ ବିଶ୍ୱାସ।
(ମତାମତ ଲେଖକଙ୍କ ନିଜସ୍ବ)
ସେଲ୍‌ଟର ଛକ, କଟକ