ଅଧିକାଂଶ ଉଚ୍ଚ ଶିକ୍ଷିତ ଭାରତୀୟ ଫରାସୀ ଲେଖକ ଡୋମିନିକ ଲାପିଏେରଙ୍କୁ ଜାଣନ୍ତି। ସେ ଜଣେ ପ୍ରଥିତଯଶା ସାମ୍ବାଦିକ-ଲେଖକ ଯାହାଙ୍କୁ ତାଙ୍କ କାଳଜୟୀ ପୁସ୍ତକ ‘ଫ୍ରିଡମ୍ ଆଟ୍ ମିଡ୍ନାଇଟ୍’ ବା ‘ନିଶାର୍ଦ୍ଧରେ ମୁକ୍ତି’ ଜରିଆରେ କେବଳ ଶିକ୍ଷିତ ଭାରତୀୟ ନୁହନ୍ତି, ପୃଥିବୀ ସାରା ଚିହ୍ନନ୍ତି। ସେହି ପୁସ୍ତକରେ ତାଙ୍କର ସହ-ଲେଖକ ଥିଲେ ଲାରି କଲିନ୍ସ। ଏହି ଦୁଇ ଲେଖକ ମିଶି ଅନ୍ୟ ଯେଉଁ ବହୁ ପଠିତ ପୁସ୍ତକମାନ ଲେଖିଛନ୍ତି, ଯେମିତିକି ‘ଓ ଜେରୁଜେଲମ୍’, ‘ଇଜ ପ୍ୟାରିସ ବର୍ନିଂ?’ ଏବଂ ‘ଦ ଫିଫ୍ଥ ହର୍ସମ୍ୟାନ୍’ ଇତ୍ୟାଦି ଯାହାର ପୃଷ୍ଠଭୂମି ଇତିହାସର ଯୁଗାନ୍ତକାରୀ ଘଟଣାମାନ।
ଡୋମିନିକ ଲାପିଏେର ଜଣେ ସାମ୍ବାଦିକ ରୂପେ ସମଗ୍ର ପୃଥିବୀକୁ ନିଜ କର୍ମକ୍ଷେତ୍ରରେ ପରିଣତ କରିଥିଲେ ସତ, ହେଲେ ତାଙ୍କ ଲାଗି ଗଭୀର ଆକର୍ଷଣର କେନ୍ଦ୍ର ଥିଲା ଭାରତ। ଭାରତ ସହିତ ସଂପର୍କ ତାଙ୍କୁ ମଦର ଟେରେସାଙ୍କ ସହିତ ପରିଚିତ କରାଇଥିଲା, ଯାହା ପର ଠାରୁ ତାଙ୍କର ଜୀବନ ଦର୍ଶନ ଓ ଜୀବନର ଆଭିମୁଖ୍ୟ ବଦଳି ଯାଇଥିଲା।
ସେହି ସମୟରେ ମଦର ଟେରେସା କଲିକତା ମହାନଗରୀରେ କାମ କରୁଥାଆନ୍ତି। ତାଙ୍କର ସେବା ସଦନର ନାମ ଥାଏ ଉଦୟନ। ହେଲେ, ସମୟ ଏପରି ପ୍ରତିକୂଳ ଥାଏ ଯେ ଅର୍ଥାଭାବ ହେତୁ ମଦର ଟେରେସା ଭାବୁ ଥାଆନ୍ତି ଯେ ଅଗତ୍ୟା ତାଙ୍କ ସେବା ଅନୁଷ୍ଠାନଟିକୁ ହୁଏତ ବନ୍ଦ କରି ଦେବାକୁ ପଡ଼ିପାରେ! ଠିକ୍ ସେତିକି ବେଳକୁ ସଂଯୋଗବଶତଃ ଲାପିଏେରଙ୍କୁ ମିଳିଥାଏ ତାଙ୍କ ରଚିତ ପୃଥିବୀ-ପ୍ରସିଦ୍ଧ ଉପନ୍ୟାସ ‘ଫ୍ରିଡମ ଆଟ୍ ମିଡ୍ନାଇଟ୍’ର ରୟାଲଟି ବାବଦକୁ ପ୍ରଥମ କିସ୍ତି ରୂପେ ପଚାଶ ହଜାର ଡଲାର। ଲାପିଏେର ସ୍ଥିର କରିଥାଆନ୍ତି ଯେ ଏହି ଅର୍ଥରାଶିରେ ସେ ନିଜର କିଛି ଋଣ ପରିଶୋଧ କରିଦେବେ। କିନ୍ତୁ, ମଦରଙ୍କ ଦୁଃସ୍ଥିତି ବିଷୟ ତାଙ୍କ ନିକଟରେ ପହଞ୍ଚିଲା। ସେ ସସ୍ତ୍ରୀକ ପହଞ୍ଚିଲେ କଲିକତା ମହାନଗରୀରେ, ସିଧା ଗଲେ ମଦରଙ୍କ ଆଶ୍ରମକୁ। ସେ କେବଳ ଅର୍ଥତକ ଦେଇଦେଲେ ନାହିଁ, ପତ୍ନୀଙ୍କ ସହିତ ମିଶି ମଦର ଟେରେସାଙ୍କ କୁଷ୍ଠ ରୋଗୀ ସେବା କାର୍ଯ୍ୟରେ ନିୟୋଜିତ ହେଲେ। ମଦର ଟେରେସାଙ୍କ ପ୍ରଭାବରେ ଡୋମିନିକ ତାଙ୍କ ଜୀବନର ଅପରାହ୍ଣର ଅନେକ ଅଂଶକୁ କୁଷ୍ଠ ରୋଗୀଙ୍କ ସେବାରେ ସମର୍ପଣ କଲେ।
କଲିକତା ମହାନଗରୀର ହାଓଡ଼ାର ତଳି ଅଞ୍ଚଳରେ ଥିଲା କୁଷ୍ଠ ରୋଗୀଙ୍କ ଏକ ବସ୍ତି। ସେହି ବସ୍ତିକୁ ଯାଇ ସେ ଦେଖିଥିଲେ ମର୍ମ ଦାହ କଲା ଭଳି କରୁଣ ଚିତ୍ର। ସେ ଲେଖିଥିଲେ; ‘ମାତ୍ର ତିନିଟି ଫୁଟ୍ବଲ୍ ପଡ଼ିଆର ଆୟତନ ବିଶିଷ୍ଟ ଅଞ୍ଚଳରେ ଥିଲା ତିନି ହଜାର ପରିବାର ରହୁଥିବା ଝୁମ୍ପୁଡ଼ି ବସ୍ତି। ସଂପୂର୍ଣ୍ଣ ଶୁଷ୍କ ଓ ସବୁଜିମା ଶୂନ୍ୟ, ବୃକ୍ଷ ଛାୟା କଥା ଦୂରେ ଥାଉ, ପୂର୍ଣ୍ଣ ରୂପେ ଗୁଳ୍ମ ବିରହିତ। ଚାରିଆଡ଼େ ଛିଣ୍ଡା କନା, ଲୁଗା, ଜରି, ଔଷଧ ଖୋଳ ଓ ଶିଶି-ବୋତଲର କୁଢ଼। ଅଦୂରରେ କୁଆ ଓ ଶାଗୁଣା ପଲଙ୍କ ସମାବେଶ। ବାୟୁମଣ୍ଡଳ ପୁତିଗନ୍ଧମୟ।’
କିନ୍ତୁ ତା’ ଭିତରେ ମଧ୍ୟ ସେ ଆବିଷ୍କାର କରିଥିଲେ ମହାନ ଭାରତୀୟ (କଲିକତୀ) ଆତ୍ମାକୁ ଯେଉଁଠି ମହିଳା ରୋଗୀ ଓଷାବ୍ରତ ସକାଶେ ନିର୍ଜଳା ଉପବାସ କରି ଔଷଧ ସେବନ କରିବାକୁ ଅମଙ୍ଗ, ଯେଉଁଠି ଦଶହରା, ମହରମ, ଖ୍ରୀଷ୍ଟମାସ ଏବଂ ଗୁରୁ ପୁରବରେ ସମସ୍ତେ ଏକାକାର, ଯେଉଁଠି ଦାରିଦ୍ର୍ୟ ଓ ବ୍ୟାଧି ସତ୍ତ୍ବେ ଡ୍ରମ୍, ବଂଶୀ, ତୁରି ଓ ସଙ୍ଗୀତ ଧ୍ବନିର ତାଳେ ତାଳେ ହୋଲିର ରଙ୍ଗରେ ଇନ୍ଦ୍ରଧନୁର ବର୍ଣ୍ଣବିଭା; ଯେଉଁଠି ଅବିଶ୍ରାନ୍ତ ପରିଶ୍ରମ ସତ୍ତ୍ବେ ରାତିରେ ସୁସୁରିରେ ସିନେମା ଗୀତର ଆୱାଜ: ବିମୋହିତ ଡୋମିନିକ ଲାପିଏରେ ଏହି ସବୁ ଅଭିଜ୍ଞତାକୁ ଆଧାର କରି ଲେଖନ୍ତି ତାଙ୍କ କାଳଜୟୀ ପୁସ୍ତକ ‘ଦ ସିଟି ଅଫ୍ ଜଏ’ ବା ‘ଆନନ୍ଦର ସହର।’ ତହିଁରେ ସେ ଦାରିଦ୍ର୍ୟର ସ୍ତୁତି କରି ନ ନାହାନ୍ତି, ତାହା ପ୍ରକୃତରେ ହେଉଛି ଦାରିଦ୍ର୍ୟ ଓ ପ୍ରତିକୂଳ ପରିସ୍ଥିତି ସମ୍ମୁଖରେ ଅପରାଜେୟ କଲିକତାବାସୀଙ୍କ ସ୍ତବ ଗାନ।
ସେ ଏଇଠି ଦେଖିଥିଲେ ଦାରିଦ୍ର୍ୟ ଭିତରେ ମର୍ଯ୍ୟାଦାବନ୍ତ ହୋଇ ରହିବାର ଦୃଷ୍ଟାନ୍ତ, ବ୍ୟାଧିର ପୀଡ଼ନ ଭିତରେ ସ୍ଫୂର୍ତ୍ତିଶୀଳତା, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହସି ପାରିବାର ଅପୂର୍ବ କ୍ଷମତା। ରବୀନ୍ଦ୍ରନାଥ ଟାଗୋରଙ୍କର ସେହି ଅମର ଉକ୍ତି ତାଙ୍କର ମନେ ପଡ଼ିଯାଉଥିଲା- ବିଶାଳ ପ୍ରତିକୂଳତା; କିନ୍ତୁ ତା’ ଠାରୁ ବଡ଼ ମଣିଷ।
ଲାପିଏରେ ଅନେକ କାଳ କଲିକତାରେ ବିତାଇ ସ୍ବଦେଶ ବାହୁଡ଼ିଲେ। ତାଙ୍କ ଫେରିବା ଦିନ ଝୁମ୍ପୁଡ଼ି ବସ୍ତିରେ ରହୁଥିବା ତାଙ୍କ ବଙ୍ଗୀୟ ବନ୍ଧୁମାନେ ହାଓଡ଼ା ରେଳ ଷ୍ଟେସନକୁ ଆଣିଥିଲେ ୫୦ଟି ବ୍ୟାଗରେ ଭରା ଉପହାରମାନ। ଲୁହ ଛଳଛଳ ଆଖିରେ କଲିକତାର ଦରିଦ୍ରମାନେ ତାଙ୍କୁ ବିଦାୟ ଜଣାଇଥିଲେ। ଷ୍ଟେସନ ହୋଇଯାଇଥିଲା ଲୋକାରଣ୍ୟ। ଡୋମିନିକ ଲାପିଏରେ ଶୀଘ୍ର ଫେରିବେ ବୋଲି ପ୍ରତିିଶ୍ରୁତି ଦେଇ ସଜଳ ଚକ୍ଷୁରେ କଲିକତା ଛାଡ଼ିଥିଲେ। କିନ୍ତୁ ପୁଣି ଥରେ ଫେରିବାର ପ୍ରତିଶ୍ରୁତି ପୂରଣ ହୋଇ ପାରିଲା ନାହିଁ। ମାତ୍ର ସେ ଯେ ତାଙ୍କ ହୃଦୟରେ କଲିକତା ମହାନଗରୀକୁ ଧରି ସ୍ବଦେଶ ଫେରିଥିଲେ, ଏଥିରେ ସନ୍ଦେହ ନାହିଁ।
ମୋ: ୯୭୭୭୨୦୫୬୮୪
ଲାପିଏରେଙ୍କ ଆନନ୍ଦର ସହର
ହିରଣ୍ୟ ମହାନ୍ତି
/sambad/media/post_attachments/wp-content/uploads/2023/11/sfhhfsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)