‘୨୨ ବର୍ଷ ପରେ ସାହିତ୍ୟ ଏକାଡେମୀ ପୁରସ୍କାରରୁ ଅଙ୍କୁଶ ହଟିଲା’- ଏହା ‘ସମ୍ବାଦ’ର ୮ ଫେବ୍ରୁଆରି ୨୦୨୪ ସଂସ୍କରଣରେ ପ୍ରକାଶିତ ଏକ ସମ୍ବାଦର ଶିରୋନାମ। ଏଇ ସମ୍ପର୍କରେ କିଞ୍ଚିତ ଆଲୋକପାତ କରିବା ହେଉଛି ଏହି ପ୍ରବନ୍ଧର ଉଦ୍ଦେଶ୍ୟ।
ଦଶ ବର୍ଷ ତଳେ (୧୩.୯.୨୦୧୩) ‘ସମ୍ବାଦ’ରେ ‘କାଠଗଡ଼ାରେ ଓଡ଼ିଶା ସାହିତ୍ୟ ଏକାଡେମୀ’ ଶୀର୍ଷକରେ ମୋର ଗୋଟିଏ ଲେଖା ପ୍ରକାଶ ପାଇଥିଲା, ଯେଉଁଥିରେ କି ଏଇ ଅଙ୍କୁଶ ଉପରେ ଆଲୋଚନା କରାଯାଇଥିଲା। ଲେଖାରେ ନିର୍ଦ୍ଦିଷ୍ଟ ମତ ଥିଲା ଯେ ‘ଅଦାଲତରେ ମାମଲା ଦାଏର ହେବା ଏବଂ ତାହା ଫଏସଲା ନ ହୋଇ ଦୀର୍ଘ କାଳ ପଡ଼ି ରହିବା ଏକାଡେମୀର ଅପାରଗତାକୁ ହିଁ ସାବ୍ୟସ୍ତ କରୁଛି ଏବଂ ଏହା ଫଳରେ ସମ୍ପୃକ୍ତ ସାହିତ୍ୟିକମାନଙ୍କର ହିଁ ସମ୍ମାନ ହାନି ଘଟୁଛି। କୌଣସି ସାହିତ୍ୟିକଙ୍କର ସମ୍ମାନ ହାନି କରିବା ଏକାଡେମୀର କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ନୁହେଁ ନିଶ୍ଚୟ। ଏଣୁ ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷ ଏହି ମାମଲାର ଫଏସଲା ଦିଗରେ ତତ୍ପର ହୁଅନ୍ତୁ।’
ମହାଭାରତ ଯୁଦ୍ଧ ପରେ ହସ୍ତିନାର ରାଜା ଯୁଧିଷ୍ଠିରଙ୍କ ମହାନତା, ନ୍ୟାୟ ବିଚାର ଓ ଧର୍ମପରାୟଣତା କଥା ଆଜି ମଧ୍ୟ ଆଲୋଚିତ ହୋଇଥାଏ। ଦିନକର କଥା। ଦରବାର ସରି ଆସୁଛି। ଏହି ସମୟରେ ଜଣେ ଅସହାୟ ବୃଦ୍ଧ ନିଜର ଅଭିଯୋଗ ସହ ନ୍ୟାୟ ବିଚାର ପାଇଁ ଯୋଡ଼ହସ୍ତରେ ଉପସ୍ଥିତ ହେଲେ। କ୍ଳାନ୍ତ ଧର୍ମରାଜ ଏହାର ବିଚାରକୁ ପରବର୍ତ୍ତୀ ଦିନ ଲାଗି ସ୍ଥଗିତ ରଖିଦେଲେ। ଏହି ଘୋଷଣା ପରେ ଭୀମ ଖୁବ୍ ଜୋରରେ ଢୋଲ ବଜାଇ ଚିଲ୍ଲାଇ ଚିଲ୍ଲାଇ କହିଲେ- ‘ମହାରାଜ ଯୁଧିଷ୍ଠିର କେବଳ ଧାର୍ମିକ ନୁହନ୍ତି, ସେ ମଧ୍ୟ ଈଶ୍ୱରଙ୍କ ଠାରୁ ବଳବାନ!’
ଯୁଧିଷ୍ଠିର ଭୀମଙ୍କ ଠାରୁ ତାଙ୍କର ଏପରି ଅସ୍ୱାଭାବିକ ମନ୍ତବ୍ୟ ଲାଗି କୈଫିୟତ ମାଗିଲେ। ଭୀମସେନ କହିଲେ- ‘ମହାରାଜ! ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି, ଏପରିକି ଭଗବାନ ମଧ୍ୟ ସମୟକୁ ବଳି ଯାଇ ପାରିନଥିଲେ। ମାତ୍ର ଆଜି ଆପଣ ବଳିଗଲେ। ଯଦି ଆସନ୍ତା କାଲି ପର୍ଯ୍ୟନ୍ତ ଏହି ନ୍ୟାୟ ପ୍ରାର୍ଥୀଙ୍କ ଆୟୁଷ ନ ଥିବ, ତାହା ହେଲେ ଆପଣଙ୍କ ଆଦେଶରେ ତାଙ୍କ ବିଚାର ଶେଷ ହେବା ପର୍ଯ୍ୟନ୍ତ ମହାକାଳ ନିଶ୍ଚୟ ଅପେକ୍ଷା କରିବ!
କହିବା ବାହୁଲ୍ୟ, ଯୁଧିଷ୍ଠିର ଲଜ୍ଜାନତ ହେଲେ ଏବଂ ତୁରନ୍ତ ଅଭିଯୋଗକାରୀଙ୍କୁ ଡକାଇ ନ୍ୟାୟ ପ୍ରଦାନ କଲେ।
ଯଦି ଏକ ବ୍ୟବସ୍ଥା ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୁଏ, ତେବେ ଏହା ହତାଶା ଓ ବ୍ୟବସ୍ଥା ପ୍ରତି ବିଶ୍ୱାସହାନି ସୃଷ୍ଟି କରିବ।
ପ୍ରଶ୍ନ ହୁଏ, ଏହି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବ କିଏ? ଯିଏ କରନ୍ତା, ସିଏ ତ ପ୍ରାରବ୍ଧ-ବିଶ୍ୱାସୀ- ‘ଭାଗ୍ୟରେ ଥିଲା, ଦଇବ ଦେଲା’ ଭାବଧାରାର ମଣିଷ! ତା’ଛଡ଼ା ଆର୍ଥିକ ଓ ସାମାଜିକ ସ୍ତରରେ ଉପେକ୍ଷିତ ମଣିଷମାନେ ପ୍ରତିବାଦ କରିପାରନ୍ତି ନାହିଁ; ଯଦିବା କରନ୍ତି ସେମାନଙ୍କ କଥାକୁ କେହି ପାସଙ୍ଗରେ ପକାନ୍ତି ନାହିଁ। ଅଧିକାଂଶ ସମସାମୟିକ ତତ୍ତ୍ୱବାଗୀଶମାନେ କେବଳ ପୁରାତନ ତତ୍ତ୍ୱର ଖାଉନ୍ଦ, ନୂତନ ତତ୍ତ୍ୱର ଉତ୍ପାଦକ ନୁହନ୍ତି। ଶିକ୍ଷକ, ଅଧ୍ୟାପକ, ଗବେଷକ, ସାହିତ୍ୟିକ, ଇତ୍ୟାଦି ସମାଜର ଏହି ବୁଦ୍ଧିଜୀବୀ ଓ ବିଶ୍ୱକର୍ମାମାନେ ଆଜି ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ପାଲଟି ଯାଇଛନ୍ତି। ଏହା ଘୋର ପରିତାପର ବିଷୟ।
ପାଠକର ସ୍ୱୀକୃତି ଟିକକ ହିଁ ସାହିତ୍ୟିକର ସମ୍ପତ୍ତି ଏବଂ ଏହା ମଧ୍ୟ ତା’ର ପ୍ରେରଣା, ପୁରସ୍କାର, ସବୁ କିଛି। ଏହି ଉତ୍ସାହର ପ୍ରଭାବ ସାହିତ୍ୟିକ ପାଇଁ ଅତୁଳନୀୟ। କେବଳ ସାହିତ୍ୟ ଏକାଡେମୀ ବା ସେହି ଭଳି ପୁରସ୍କାରରେ ସମ୍ମାନିତ ସାହିତ୍ୟିକ ଯେ ଅମର ହୋଇଯାଆନ୍ତି, ତାହା ନୁହେଁ। ସାହିତ୍ୟ କୃତି ହିଁ କେବଳ ସାହିତ୍ୟିକକୁ ଅମରତ୍ବ ପ୍ରଦାନ କରିଥାଏ। ପାଠକୀୟ ସ୍ୱୀକୃତି ପ୍ରାପ୍ତ ପୁସ୍ତକର ଆଦୃତି ଉଭୟ ସାହିତ୍ୟ ଓ ସମାଜକୁ ଉଦ୍ବୁଦ୍ଧ କରିଥାଏ।
ବିଳମ୍ବିତ ନ୍ୟାୟ ଯୋଗୁଁ କାରାଗାରରେ କେତେ ଅଘୋଷିତ ମୃତ୍ୟୁ ଘଟିଛି। ଅନେକ ସନ୍ତପ୍ତ ଜୀବନ ମୁକ୍ତି ପାଇଥିଲେ ବି କିଏ ସେମାନଙ୍କୁ ବିତି ଯାଇଥିବା ଫଗୁଣର ମହକ ଫେରାଇ ଦେଇ ପାରିବ? ଦୀର୍ଘ ଦୁଇ ବର୍ଷ ପରେ ସାହିତ୍ୟ ଏକାଡେମୀ ପୁରସ୍କାର କାରାମୁକ୍ତ ହେଲା ପରେ ପ୍ରବଳ ପରାକ୍ରମୀ ସରକାର ଓ ନ୍ୟାୟପାଳିକାଙ୍କୁ ଏଇ ଲେଖକର ଆଉ ଅଧିକ କିଛି କହିବାର ନାହିଁ।
ବାଇଶି ବର୍ଷ ଭିତରେ ଲେଖକମାନଙ୍କର ସାରସ୍ୱତ ଜୀବନର ଖୁସିକୁ ଏଇ ଉଦାସୀନତା ଗ୍ରାସ କରି ନେଇଛି। ଏହାର ଶିକାର ହୋଇ ବର୍ଷ ବର୍ଷ ଧରି ଲେଖକମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ପୁରସ୍କାର ପାଇବା ବେଳକୁ ସେମାନଙ୍କ ମଧ୍ୟରୁ କେତେକଙ୍କ ପରିବାର ସଦସ୍ୟଙ୍କ ଦେହାନ୍ତ ହୋଇଯାଇଛି, ଯେଉଁମାନେ କି ଆଜି କେତେ ଖୁସି ହେଉ ନଥାନ୍ତେ! ଏହି ଲେଖକମାନେ ଯେଉଁ ଆବେଗଗତ କ୍ଷତି ସହିଛନ୍ତି, ତାହାର ଯଥାର୍ଥ ଭରଣା ହୋଇପାରିବ କି? ଏହା ଏକ ଉତ୍ପୀଡ଼କ ପ୍ରଶ୍ନ। ଏଭଳି ସ୍ଥିତିର ଆଉ ପୁନରାବୃତ୍ତି ନ ହେଉ।
[email protected]
ବିଳମ୍ବିତ ନ୍ୟାୟ ଓ ଓଡ଼ିଆ ସାହିତ୍ୟିକ
ରାଜେନ୍ଦ୍ର ନାରାୟଣ ଦାସ
/sambad/media/post_attachments/wp-content/uploads/2024/02/sfhsfhfhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)