ଭାଗ୍ୟଲିପି ମଲ୍ଲ
ଗୋପୀନାଥ ମହାନ୍ତିଙ୍କ ଭାଷାରେ ‘ମାଟି ମଣିଷର ନୁହେଁ, ମଣିଷ ମାଟିର। ମଣିଷର ମୁଠା ଭିତରେ ଥାଇ ମାଟି ହସୁଥାଏ, ଅପେକ୍ଷା କରିଥାଏ ମଣିଷ କେତେବେଳେ ଝଡ଼ିବ, ମାଟିର ବଳ ବଢ଼ିବ, ଖତ ମଟାଳ, ଦୋରସା। ପୁଣି ସେଥିରେ ଅନର୍ଯ୍ୟାପ ଘାସ ବଢ଼ିବ, ମାଣ୍ଡିଆ ବଢ଼ିବ, ଧାନ ବଢ଼ିବ, ପୁଣି ଝଡ଼ିବ ପଡ଼ିବ, ପଚି ପଚି ମିଶୁଥିବ, ଯୁଗ ଯୁଗଯାକେ।’
ତାଙ୍କ ‘ପରଜା’ ଉପନ୍ୟାସରେ ଗୋପୀନାଥ ମହାନ୍ତି ଯଥାର୍ଥରେ ପରଜା ସଂସ୍କୃତି ଓ ଜନଜୀବନ ସହିତ ମାଣ୍ଡିଆ କିଭଳି ଓତପ୍ରୋତ ତା’ର ପ୍ରମାଣ ଦେଇଛନ୍ତି। ମହାକବି କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍’ରେ ଋଷି କଣ୍ବ ଶକୁନ୍ତଳାଙ୍କୁ ବିଦାୟ ଦେବା ସମୟରେ ମାଣ୍ଡିଆ ଢାଳିବା କଥା ଲେଖା ରହିଛି। ମାଣ୍ଡିଆ ବୋଇଲେ ଏବେ ଲୋକେ କହୁଛନ୍ତି ମିଲେଟ୍। ଏବେ ମିଲେଟ୍ ଓ ମିଲେଟ୍ ମିସନ୍ର ବ୍ୟାପକ ଚର୍ଚ୍ଚା।
ମୂଳରୁ ମିଲେଟ୍ ରହି ଆସିଛି ଜନଜାତି ସଂପ୍ରଦାୟର ଖାଦ୍ୟ, ପରଂପରା ଓ ସଂସ୍କୃତି ହୋଇ। ଅନେକ ଲୋକଙ୍କ ଧାରଣା ମାଣ୍ଡିଆ କେବଳ ଆଦିବାସୀମାନଙ୍କ ସହିତ ସଂଶ୍ଳିଷ୍ଟ। କିନ୍ତୁ କାହାକୁ କହିବି ଯେ ଉପକୂଳ ଅଞ୍ଚଳରେ ବି ଖୁବ୍ ମାଣ୍ଡିଆ ଚାଷ ହୁଏ। ମାଣ୍ଡିଆ ଖେତ ବି ହସେ, ସେମାନଙ୍କ କୁରେଇ ଫୁଲର ହସ ପରି! ମନେ ପଡ଼େ, ପିଲା ବେଳର କଥା। ଉପକୂଳ ଓଡ଼ିଶାର କାକଟପୁର-ଅସ୍ତରଙ୍ଗ ପାଖ ନଈକୂଳିଆ ଗାଁ ଆମର। ଆମ ଅଞ୍ଚଳରେ ମାଣ୍ଡିଆ, ଯଅ, ରାଶି, ପେଶୀ, ସୁଆଁ, ଚିନା (ଏକପ୍ରକାର ଧଳାରଙ୍ଗର ଶସ୍ୟ) ଏସବୁ ପ୍ରଚୁର ଚାଷ ହେଉଥିଲା। ମାଣ୍ଡିଆକୁ ନେଇ ମୋର ଏକ ମିଠା ଅନୁଭବ ରହିଛି। ମାଣ୍ଡିଆ ଯେତେବେଳେ ପାଚିଯାଏ, ତା’ ଅଗରୁ ଦାଆରେ କାଟି ଦିଆଯାଏ ଓ ପାଖରେ ଥିବା ବଡ଼ ବେତାରେ ବୋଝେଇ କରିଦିଆଯାଏ। ଆମ ଗାଁ ଗଉଡୁଣୀମାନେ ମାଣ୍ଡିଆ କାଟିବା ପାଇଁ ଆସନ୍ତି। ସେମାନେ ଏହି କାର୍ଯ୍ୟ ଲାଗି ମାଣ୍ଡିଆ ଖାଡ଼ିଗୁଡ଼ିକ ପାରିଶ୍ରମିକ ଭାବେ ନିଅନ୍ତି। ତାହା ସେମାନଙ୍କର ମଇଁଷିମାନଙ୍କ ପ୍ରିୟ ଖାଦ୍ୟ। ମୁଁ ଗାଁରେ ଥିବାବେଳେ ଏ ସବୁ ଦେଖି ରୋମାଂଚିତ ହେଉଥାଏ। ବେଳେବେଳେ ମାଣ୍ଡିଆ କିଆରିରେ ପଶି ସେମାନଙ୍କ ସହ ମାଣ୍ଡିଆ କାଟେ। ଉପରେ ବିସ୍ତୃତ ନୀଳ ଆକାଶ। ଥିରିଥିରି ପବନ। ଉଚ୍ଚାଟିଆ ଲାଗେ।
ଯଦିଓ ମାଣ୍ଡିଆ ସହ ଆମ ଭୂଖଣ୍ଡର ଅଧିବାସୀଙ୍କ ପରିଚୟ ଖ୍ରୀଷ୍ଟପୂର୍ବ ୪୫୦୦ରୁ ଖ୍ରୀଷ୍ଟପୂର୍ବ ୬୫୦୦ ପର୍ଯ୍ୟନ୍ତ ପୁରୁଣା, ଏଠାରେ ମାଣ୍ଡିଆକୁ ଭାରି ନିମ୍ନ ଦୃଷ୍ଟିରେ ଦେଖାଯାଇ ଆସୁଥିଲା। ଆଗରୁ ଖେତରେ ଧାନ ଏତେ ବେଶୀ ଅମଳ ହେଉ ନ ଥିଲା। ଏବେକାର ବୈଜ୍ଞାନିକ ପଦ୍ଧତି ଓ ଉନ୍ନତ ମାନର ବିହନ ସେତେବେଳେ ନଥିଲା। ପୁଣି ବଢ଼ି ଓ ମରୁଡ଼ି ଲାଗି ରହୁଥିଲା। କେନାଲ ପାଣି ଥିଲା ସ୍ବପ୍ନ। ତେଣୁ ଆର ସନ ପାଇଁ ବିହନ ସାଇତିବା ପରେ ଯେତିକି ଧାନ ବଞ୍ଚୁଥିଲା, ସେଥିରେ ଖୁଦ ମିଶା ମାଣ୍ଡିଆ ଜାଉ ମିଶାଇ ଲୋକମାନେ ଖାଉଥିଲେ। ମଜା କଥା, ଘରର ପୁରୁଷମାନଙ୍କୁ ଯଥାସାଧ୍ୟ ଭାତ ଦିଆଯାଉଥିଲା, ବିଶେଷ କରି ମହିଳାମାନେ ମୁଠାଏ ଭାତ ପକାଇ, ମାଣ୍ଡିଆ ଜାଉ ଖାଉଥିଲେ। କେତେକ ଘରେ କେବଳ ଖୁଦ ମୁଠାଏ ପକାଇ ମାଣ୍ଡିଆ ଜାଉ ପ୍ରସ୍ତୁତ କରାଯାଉଥିଲା। ସେଇଥିରେ କଟୁଥିଲା ଜୀବନ! କିନ୍ତୁ ବିଭିନ୍ନ ଶାଗର ମିଶ୍ରଣରେ ଘୋଟାଘୋଟି ଚୁନା ପକା ଶାଗ ସାଙ୍ଗରେ ଅଳ୍ପ ଭାତ ମିଶା ମାଣ୍ଡିଆ ଜାଉ ଭାରି ଭଲ ଲାଗେ। ବେଳେବେଳେ ସେଥିରେ ଟିକେ ଦହି ପକେଇଦେଲେ ଆଉ ଟିକେ ସ୍ବାଦିଷ୍ଠ ହୋଇଯାଏ। ପୋଡ଼ା ମାଛର ଚଟଣି ସହିତ ଏହାର ସ୍ବାଦ ତ ଅପୂର୍ବ! ତଥାପି ମାଣ୍ଡିଆ ହୀନିମାନିଆ ଥିଲା। ଅଳ୍ପ କିଛି ଲୋକଙ୍କ ଘରେ ମାଣ୍ଡିଆ ଜାଉ ହେଉ ନ ଥିଲା। ସେଥି ଲାଗି ଧନିକ ବୋଲି ସେମାନେ ଗର୍ବ କରୁଥିଲେ।
କିନ୍ତୁ ଏବେ ମାଣ୍ଡିଆ ହେଉଛି ‘ସୁପର୍ ଫୁଡ୍’ ବା ଯାହାକୁ କହନ୍ତି ଅତ୍ୟନ୍ତ ପୁଷ୍ଟିଦାୟକ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ। ଡାକ୍ତରମାନେ କହୁଛନ୍ତି ମାଣ୍ଡିଆ ଖାଦ୍ୟସାରରେ ଭରପୂର। ଏହା ଖୁବ୍ ଶୀଘ୍ର ହଜମ ହୋଇଯାଏ। ଏବେ ସରକାର ମାଣ୍ଡିଆ ଚାଷ ଓ ବ୍ୟବହାରକୁ ଖୁବ୍ ପ୍ରୋତ୍ସାହନ ଦେଉଛନ୍ତି। ସେଥିରୁ ‘ମିଲେଟ୍ ମିସନ୍’ର ଜନ୍ମ। ନିକଟରେ ଅନୁଷ୍ଠିତ ହୋଇଥିବା ‘ଜି-୨୦’ ଶିଖର ସମ୍ମିଳନୀରେ ମାଣ୍ଡିଆର କେକ୍ କଟାଯାଇ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ସ୍ବାଗତ କରାଯାଇଥିଲା। ମାଣ୍ଡିଆ ଆଉ ଏବେ ଗରିବ ପରିବାରର ଖାଦ୍ୟ ହୋଇ ରହିନାହିଁ। ଏହା ଅଭିଜାତ ବର୍ଗଙ୍କ ରୋଷେଇ ଘରେ ପ୍ରବେଶ କଲାଣି। ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ପାଳନ କରାଯିବ। ଏବେ ମାଣ୍ଡିଆ ପାଇଁ ଭାରତ ଗର୍ବିତ। ଏବେ ଅଧିକରୁ ଅଧିକ ଖେତରେ ମାଣ୍ଡିଆ ହସିବ।
ମୋ: ୯୪୩୯୨୮୧୫୬୧