ରୁଷିଆର ମହାନତମ ଲେଖକଙ୍କ ମଧ୍ୟରେ ଅନ୍ୟତମ ଲିଓ ଟଲଷ୍ଟୟଙ୍କ ସଂପର୍କରେ ମହାତ୍ମା ଗାନ୍ଧୀ କହିଥିଲେ, ‘ଟଲଷ୍ଟୟଙ୍କ ଜଣେ ଅକୁଣ୍ଠ ପ୍ରଶଂସକ ରୂପେ ମୁଁ ନିଜକୁ ଦେଖିଆସିଛି। ମୁଁ ତାଙ୍କ ଠାରେ ସଦା ଋଣୀ।’ ୧୯୨୮ ମସିହାରେ ପରାଧୀନ ଭାରତର ଭିନ୍ନ ଭିନ୍ନ ସ୍ଥାନରେ କଂଗ୍ରେସ ପାଳନ କରିଥିଲା ଟଲଷ୍ଟୟଙ୍କ ଜନ୍ମ ଶତବାର୍ଷିକୀ। ତହିଁରୁ ଅନେକ ସମାବେଶରେ ଗାନ୍ଧୀଜୀଙ୍କ ଅଭିଭାଷଣ ଥାଏ ଏହିପରି: ଟଲଷ୍ଟୟ ଥିଲେ ଆମ ସମୟର ସର୍ବଶ୍ରେଷ୍ଠ ସତ୍ୟାନୁରାଗୀ ସାହିତ୍ୟ ସ୍ରଷ୍ଟା। ତାଙ୍କ ଜୀବନ ଥିଲା ସତ୍ୟ ଅନ୍ବେଷଣର ଏକ ନିରନ୍ତର ସାଧନା ଏବଂ ସତ୍ୟର ପ୍ରାପ୍ତି ତାଙ୍କ ସାଧନାର ଶେଷ କଥା ବା ଫଳଶ୍ରୁତି। ସତ୍ୟକୁ କିଞ୍ଚିତ ଗୁହ୍ୟ ରଖି ମହାଭାରତର କ୍ଷୁଧିଷ୍ଠିରଙ୍କ ପରି ‘ଅଶ୍ବତ୍ଥାମା ହତ ସତ୍ୟ, ନରେ ବା କୁଞ୍ଜରେ ବା’ ତୁଲ୍ୟ ଦୋଦୁଲ୍ୟମାନ୍ୟତା ଦ୍ବାରା ନିଜକୁ ପ୍ରକାଶ କରିବାରେ ସେ ବିଶ୍ବାସ ରଖୁ ନ ଥିଲେ। ସେ ଥିଲେ ସତ୍ୟର ଆପୋସହୀନ ଓ ବେସାଲିସ ପକ୍ଷଧର। ବାପୁଜୀ ତାଙ୍କ ଦ୍ବାରା ଏଭଳି ପ୍ରଭାବିତ ହୋଇଥିଲେ ଯେ ଦକ୍ଷିଣ ଆଫ୍ରିକାରେ ସେ ଗଢ଼ିଥିଲେ ଟଲଷ୍ଟୟ ଫାର୍ମ ଏବଂ ତରୁଣ ବାପୁଜୀଙ୍କ ମନରେ ସତ୍ୟର ବୀଜ ଅଙ୍କୁରିତ ହେବା ପଛରେ ଥିଲା ଟଲଷ୍ଟୟଙ୍କ ପ୍ରଭାବ।
ଟଲଷ୍ଟୟଙ୍କ ସମ୍ପର୍କରେ ପ୍ରଖ୍ୟାତ ରୁଷୀୟ ଲେଖକ ଆଣ୍ଟନ ଚେକଭ ଗଭୀର ଭାବେ ଭାବପ୍ରବଣ ହୋଇ କହିଥିଲେ ଯେ ଟଲଷ୍ଟୟଙ୍କ ଅବର୍ତ୍ତମାନରେ ଆମ ସାହିତ୍ୟ ହୋଇଯିବ ଗୋଟିଏ ଗାଈଆଳ ବିହୀନ ଗାଈ ଗୋଠ ସଦୃଶ। ଟଲଷ୍ଟୟଙ୍କ ପରେ ଯେ ରୁଷୀୟ ସାହିତ୍ୟ ଅନାଥ ହୋଇଯିବେ; ଚିନ୍ତା ବିମୂଢ଼ ଓ ନେତୃତ୍ବହୀନ ହୋଇ ପଡ଼ିବ, ଏ ଧାରଣା କେବଳ ଚେକଭ ନୁହନ୍ତି, ଅନେକଙ୍କ ଠାରେ ଥିଲା। ମନୁଷ୍ୟ ଚେତନାର ଗଭୀରତମ ପ୍ରଦେଶକୁ ଟଲଷ୍ଟୟ ଯେମିତି ପହଞ୍ଚି ପାରୁଥିଲେ, ସେଭଳି ସାମର୍ଥ୍ୟ ତାଙ୍କ ସମସାମୟିକ ଲେଖକମାନଙ୍କ ଠାରେ କ୍ବଚିତ୍ ଉପଲବ୍ଧ ଥିଲା। ମଣିଷର ଦୋଷ ଦୁର୍ବଳତା ଠାରୁ ପ୍ରାରମ୍ଭ କରି ତା’ ଠାରେ ବିଦ୍ୟମାନ ଉଭୟ ଈଶ୍ବର ଏବଂ ସୈତାନଙ୍କ ଅସ୍ତିତ୍ବକୁ ଟଲଷ୍ଟୟ ଅତ୍ୟନ୍ତ ଗଭୀର ଅବବୋଧ ସହିତ ହୃଦୟଙ୍ଗମ କରିଥିଲେ, ଯାହା ତାଙ୍କ କାଳଜୟୀ ରଚନାମାନଙ୍କରେ ଫୁଟି ବାହାରୁ ଥିଲା।
ଟଲଷ୍ଟୟ ଜନ୍ମ ନେଇଥିଲେ ଗୋଟିଏ ଅତ୍ୟନ୍ତ ସଂଭ୍ରାନ୍ତ ଧନୀକ ପରିବାରରେ ଏବଂ ସେ କାଉଣ୍ଟ ଲିଓ ନାମରେ ପରିଚିତ ମଧ୍ୟ ଥିଲେ। ତାଙ୍କ ପରିବାର ଠାରେ ଥିଲା ଅଚଳାଚଳ ସଂପତ୍ତି ଏବଂ ଅସଂଖ୍ୟ କ୍ରୀତଦାସ। ତରୁଣ ଟଲଷ୍ଟୟ ମଧ୍ୟ ଅନେକ ବାର ଚରିତ୍ର ବିଚ୍ୟୁତିର ପ୍ରମାଣ ଦେଇଥିଲେ। କିନ୍ତୁ କ୍ରମେ ମନରେ ସତ୍ୟ ଓ ଦିବ୍ୟତା ପ୍ରତି ଅନୁସନ୍ଧିତ୍ସା ଜାଗ୍ରତ ହେବା ପରେ ତାଙ୍କ ଚକ୍ଷୁ ଯୁଗଳ ପୃଥିବୀକୁ ଏକ ଅନନ୍ୟ ଢଙ୍ଗରେ ଦେଖିବାକୁ ଆରମ୍ଭ କରିଥିଲା।
ତାଙ୍କ ପରିବାର ଭିତରେ ଚଳପ୍ରଚଳ କରୁଥିବା କ୍ରୀତଦାସଙ୍କ ମାଧ୍ୟମରେ ସେ ଅତି ନିକଟରୁ ଦେଖିଥିଲେ ଦରିଦ୍ରମାନଙ୍କ ପ୍ରତି ହେଉଥିବା ଅମାନବୀୟ ଆଚରଣ। ସେ ଦେଖିଥିଲେ କିଭଳି କଠିନ ଶ୍ରମ ଓ ସ୍ବେଦବର୍ଷଣ ସତ୍ତ୍ବେ ସେମାନେ ବୁଭୁକ୍ଷା ଭିତରେ ବଞ୍ଚୁଥିଲେ। ସେ କାନପାତି ଶୁଣୁଥିଲେ ସେମାନଙ୍କ କୋହ ଓ କ୍ରନ୍ଦନ। ମଣିଷର ସଂବେଦନଶୂନ୍ୟତାକୁ ମଧ୍ୟ ସେ ଅତି ନିକଟରୁ ଦେଖିଥିଲେ। ସେ ଦେଖୁଥିଲେ କିଭଳି ତାଙ୍କ ପରିବାରର ମହିଳାମାନେ ବିୟୋଗାନ୍ତକ ନାଟକମାନ ଦେଖି ଲୁହ ଝରାଇ ନାକ ସୁଁ ସୁଁ କରି ପ୍ରେକ୍ଷାଳୟରୁ ବାହାରିବା ବେଳକୁ ରକ୍ତ ଜମାଟ କରି ଦେଉଥିବା ଭଳି ରୁଷୀୟ ଥଣ୍ଡାରେ ବାହାରେ ଅପେକ୍ଷା କରି ରହିଥିବା ଘୋଡ଼ାଗାଡ଼ିର କଚୁଆନଟି ପ୍ରାଣ ହରାଇ ଦେଉଥିଲା। କିନ୍ତୁ ଏ ସବୁ ସତ୍ତ୍ବେ ସେ ବିଶ୍ବାସ କରୁଥିଲେ ଯେ ପରିଶେଷରେ ମାନବତାର ହିଁ ବିଜୟ ଘଟିବ।
‘ଯୁଦ୍ଧ ଓ ଶାନ୍ତି’, ‘କସାକ’, ‘ଆନା କାରେନିନା’ ଓ ‘ପୁନରୁତ୍ଥାନ’ ପରି ସାହିତ୍ୟ ସୃଷ୍ଟି ତାଙ୍କୁ ଚିର କାଳ ଅମର କରି ରଖିବ। ଏଥିରେ ସନ୍ଦେହ ନାହିଁ ଯେ ପୃଥିବୀର ସର୍ବକାଳୀନ ସର୍ବଶ୍ରେଷ୍ଠ ଦଶ ଜଣ ସାହିତ୍ୟିକଙ୍କ ମଧ୍ୟରେ କେବଳ ଟଲଷ୍ଟୟଙ୍କୁ ଚିରନ୍ତନ ଭାବେ ଦେଖିବାକୁ ମିଳିବ, ଯଦିଓ ଅନ୍ୟମାନେ ବାରମ୍ବାର ପରିବର୍ତ୍ତିତ ହୋଇପାରନ୍ତି! ପ୍ରଖ୍ୟାତ ରୁଷୀୟ େଲଖକ ମାକ୍ସିମ ଗର୍କୀ ଥରେ ଟଲଷ୍ଟୟଙ୍କ ବ୍ୟକ୍ତିତ୍ବ ଏବଂ ଲେଖା ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ ଟଲଷ୍ଟୟ ଥିଲେ ଜେଣ ‘କମନୀୟ’ ବ୍ୟକ୍ତିତ୍ବ। ପ୍ରକୃତରେ, ଟଲଷ୍ଟୟଙ୍କ ବିଷୟରେ ପଢ଼ିଥିବା ଓ ଜାଣିଥିବା ଏବଂ ତାଙ୍କ ରଚିତ ଗଳ୍ପମାନ ପାଠ କରିଥିବା ପ୍ରତ୍ୟେକ ବ୍ୟକ୍ତି ଗର୍କୀଙ୍କ ସହିତ ଏକମତ ନ ହୋଇ ରହି ପାରିବେ ନାହିଁ।
ମୋ: ୯୭୭୭୨୦୫୬୮୪
ଲିଓ ଟଲଷ୍ଟୟ: ଜୀବନ, ସତ୍ୟ ଓ ଟଲଷ୍ଟୟ
ହିରଣ୍ୟ ମହାନ୍ତି
/sambad/media/post_attachments/wp-content/uploads/2023/12/fhsffhsfsf.jpg)