ଜାନୁଆରି ପ୍ରଥମ ସପ୍ତାହରେ ରାଜସ୍ଥାନର ଜୟପୁରଠାରେ ପୁଲିସ ମହାନିର୍ଦ୍ଦେଶକମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେଲା। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆଇନଶୃଙ୍ଖଳା, କେନ୍ଦ୍ର-ରାଜ୍ୟ ସଂପର୍କ, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ଅପରାଧ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବରିଷ୍ଠ ପୁଲିସ ଅଧିକାରୀମାନେ ଘମାଘୋଟ ଆଲୋଚନା କଲେ। ନିର୍ବାଚନ ବର୍ଷ ପରିପ୍ରେକ୍ଷୀରେ ଏହି ବୈଠକ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତି ଦୃଷ୍ଟିରୁ ବିଶେଷ ମହତ୍ତ୍ବ ରଖେ। ହେଲେ ଚିନ୍ତା ଉଦ୍ରେକକାରୀ ପ୍ରସଙ୍ଗଟି ହେଲା- ଆଜି ମଧ୍ୟ ପୁଲିସ ସାଧାରଣ ଜନତାଙ୍କ ଆସ୍ଥା ହାସଲ ପାଇଁ ସଂଘର୍ଷ କରୁଛି। ସରକାର ବା ପୁଲିସ ସାମନାରେ ଥିବା ଅନ୍ୟ ସବୁ ଆହ୍ବାନଠାରୁ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇପାରେ।
ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଅତ୍ୟନ୍ତ ଶୃଙ୍ଖଳିତ ବୋଲି ଦାବି କରୁଥିବା ପୁଲିସ ବିଭାଗ କାହିଁକି ବିଶ୍ବାସର ସଙ୍କଟ ଦେଇ ଗତି କରୁଛି? ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ପୁଲିସ ଅଧିକାରୀଙ୍କ ପ୍ରତି ଭକ୍ତି ବଦଳରେ ଲୋକଙ୍କ ମନରେ କାହିଁକି ଏତେ ଭୟ ରହୁଛି? ଯେକୌଣସି ଖବରଟିଏ ପୁଲିସକୁ ଦେବାଲାଗି ଆଜି ଦିନରେ କାହିଁକି ଅନେକ ଭୟ କରନ୍ତି ଏବଂ କୁଣ୍ଠିତ ହୁଅନ୍ତି? ଏସବୁ ପ୍ରଶ୍ନ ସାମାନ୍ୟ ମନେ ହେଉଥାଇପାରେ। ମାତ୍ର ବାସ୍ତବତା ହେଲା, ଭାରତର କୋଣ ଅନୁକୋଣରେ ସାଧାରଣ ନାଗରିକର ପୁଲିସ ପ୍ରତି ନକାରାତ୍ମକ ମନୋଭାବ ବେଶ୍ ଦୃଢ଼, ସୁତରାଂ, ପ୍ରଶ୍ନଗୁଡ଼ିକ ଗୁରୁତ୍ବପୂର୍ଣ୍ଣ। ଥାନାକୁ ଯାଇ ନିଜ ପ୍ରତି ହେଉଥିବା ଅନ୍ୟାୟ ସଂପର୍କରେ ଅଭିଯୋଗଟିଏ ଦେବା ଲାଗି ଅନେକ କୁନ୍ଥକୁନ୍ଥ ହେଉଛନ୍ତି। ପୁଲିସକୁ ସାହାଯ୍ୟ ମାଗିବା ଲାଗି ଅନାଗ୍ରହର ନଜିର କିଛି କମ୍ ନାହିଁ।
ସୁତରାଂ ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ ଯେ ବିଭିନ୍ନ ଅପରାଧ ପଞ୍ଜୀକରଣ କ୍ଷେତ୍ରରେ ସରକାରୀ ପରିସଂଖ୍ୟାନଟି ଆଦୌ ସମ୍ପୂର୍ଣ୍ଣ ନୁହେଁ, ବରଂ ଅଧପନ୍ତରିଆ। ରୁଜୁ ହେଉଥିବା ମାମଲାଠାରୁ କାହିଁ କେତେ ଗୁଣ ଅଧିକ ଅଭିଯୋଗ ଥାନା ପର୍ଯ୍ୟନ୍ତ ଆସିପାରୁ ନାହିଁ। ଏ କ୍ଷେତ୍ରରେ ବିଶେଷଜ୍ଞ ଆଉ ଏକ ସଙ୍ଗିନ୍ ଦିଗ ଆଡ଼କୁ ଆଙ୍ଗୁଳି ଉଠାନ୍ତି। ତାହା ହେଲା- ପୁଲିସର ଭାବମୂର୍ତ୍ତିକୁ ମଳିନ କରିବା ଲାଗି ଅସଲ ଷଡ୍ଯନ୍ତ୍ର ଥାନା ବାହାରେ ହିଁ ସରଂଚିତ ହୋଇଥାଏ। ମଧ୍ୟସ୍ଥ ଓ ଦଲାଲମାନେ ବ୍ୟବସ୍ଥାକୁ ଦୁର୍ବଳ ଦେଖାନ୍ତି ଓ ଅନେକ ଘଟଣାର ରଫାଦଫା କରିଦିଅନ୍ତି। ସ୍ଥଳ ବିଶେଷରେ ପୁଲିସ ନାଁରେ ଅଭିଯୁକ୍ତ ଓ ଅଭିଯୋଗକାରୀ ଉଭୟଙ୍କୁ ଶୋଷଣ କରିବାକୁ ପଛାନ୍ତି ନାହିଁ। ଯେଉଁ କିଛି ପୁଲିସ ଅଧିକାରୀଙ୍କୁ ଦୁର୍ନୀତି ଛୁଇଁଛି ବୋଲି ଅଭିଯୋଗ ହୁଏ, ଟିକିଏ ଅନୁଧ୍ୟାନ କଲେ ଜଣାପଡ଼େ ଯେ ତା’ର ମଞ୍ଜି ବୁଣା କାର୍ଯ୍ୟଟି ଏହି ଦଲାଲମାନଙ୍କ ମାଧ୍ୟମରେ ହିଁ ହୋଇଥାଏ।
ଆଉ କିଛି କ୍ଷେତ୍ରରେ ବାହୁବଳୀ ବା କ୍ଷମତାଶାଳୀମାନେ ଆଇନକୁ ନିଜ ହାତକୁ ନେଇଯାଆନ୍ତି। କଙ୍ଗାରୁ କୋର୍ଟ ଦ୍ବାରା ଲୋକଙ୍କ ଭାଗ୍ୟ ଗାଁ ଗଣ୍ଡା, ସାହି ବସ୍ତିରେ ନିର୍ଧାରଣ କରିବସନ୍ତି। ଅଧିକାଂଶ କ୍ଷେତ୍ରରେ ପୀଡ଼ିତ ନିରବ ରହେ, ଯନ୍ତ୍ରଣା ସହେ। ଏସବୁ ଗୋଟିଏ ଗୋଟିଏ ଉଦାହରଣ ଓ ସାଧାରଣରେ ପୁଲିସ ଭାବମୂର୍ତ୍ତି ଖରାପ ହେବା ପଛର ଅସଲ କାରଣ।
ହଁ, ଏକଥା ସତ ଯେ ବ୍ୟବସ୍ଥା ପ୍ରତି ବିଶ୍ବାସର ସଙ୍କଟ ପ୍ରସଙ୍ଗଟି କେବଳ ପୁଲିସ ଭିତରେ ସୀମିତ ନାହିଁ। ବ୍ୟବସ୍ଥାପିକା, ନ୍ୟାୟପାଳିକା, କାର୍ଯ୍ୟପାଳିକା କେହି ଏଥିରୁ ଊର୍ଦ୍ଧ୍ବରେ ନାହାନ୍ତି। ଗଣମାଧ୍ୟମ କ୍ଷେତ୍ରରେ ସ୍ଥିତି ଆହୁରି ସାଂଘାତିକ। ହେଲେ ପୁଲିସ କଥାଟି ଅନ୍ୟମାନଙ୍କ ଠାରୁ ଭିନ୍ନ ଏଇଥି ପାଇଁ ଯେ ଆଇନର ଶାସନ ବଜାୟ ରଖିବା, ନାଗରିକ ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମ ଭାରତର ସଂବିଧାନରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ଓ ପୁଲିସ ବ୍ୟବସ୍ଥାଟି ଏହି ସୂତ୍ରରେ ଉତ୍ପନ୍ନ। ଆଉ ପାଦେ ଆଗକୁ ଯାଇ କହିଲେ, ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅପରାଧ ରୋକିବା, ଅପରାଧର ଅନୁସନ୍ଧାନ, ଆଇନ ଶୃଙ୍ଖଳା ରକ୍ଷା ଏବଂ ମାନବିକ ଅଧିକାରର ସୁରକ୍ଷା ଆଦି ସଂପର୍କିତ କ୍ଷେତ୍ର ପାଇଁ ପୁଲିସକୁ ହିଁ ଉତ୍ତରଦାୟୀ କରାଯାଇଛି। ଏଣୁ ପୁଲିସ ପ୍ରତି ଗୋଟିଏ ରାଷ୍ଟ୍ରର ନାଗରିକର ବିଶ୍ବାସର ସଙ୍କଟ ଗୋଟିଏ ସାମାନ୍ୟ ପ୍ରସଙ୍ଗ ନୁହେଁ, ବରଂ ଏହା ଉପରେ ଖୋଲା ବିତର୍କର ସମୟ ଆସିଛି।
ଆମେ ସମସ୍ତେ ଲକ୍ଷ୍ୟ କରୁଛନ୍ତି ଯେ ଆଜି ବି ଗ୍ରାମାଞ୍ଚଳରେ ପୁଲିସ ଚାକିରି ପ୍ରତି ଯୁବବର୍ଗର ବିଶେଷ ଆକର୍ଷଣ ରହିଛି। ସେହିଭଳି କନଷ୍ଟେବଳ ଠାରୁ ଆରମ୍ଭ କରି ଆଇପିଏସ୍ ଅଫିସରଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ପଦରେ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ମେଧାବୀ ଯୋଡ଼ି ହେଉଛନ୍ତି। ଅନ୍ୟ ପକ୍ଷରେ ପୁଲିସ ଚାକିରି କରିଥିବା ବ୍ୟକ୍ତିର ପରିବାର ରହିଛି ଓ ଅନ୍ୟମାନଙ୍କ ଭଳି ସେ ସାଧାରଣ ଜୀବନରେ ଜଣେ ଭଲ ବାପା, ଭାଇ, ପୁଅ, ବୋହୂ ବା ଝିଅ ଅଥବା ଦାୟିତ୍ବବାନ ନାଗରିକ ଅଟେ।
ଏଣୁ ପ୍ରଶ୍ନ ଉଠିବା ସ୍ବାଭାବିକ, ଜଣେ ବ୍ୟକ୍ତି ଯେବେ ଖାକି ପୋଷାକ ପିନ୍ଧି ପୁଲିସ ଥାନା ପାହାଚ ମାଡ଼େ ଏ ସମାଜ ତାଙ୍କୁ ଭିନ୍ନ ଦୃଷ୍ଟିରେ କାହିଁକି ଦେଖେ? ସିଂହଭାଗ ଲୋକ, ବିଶେଷକରି ମହିଳାଟିଏ କାହିଁକି ଅନୁଭବ କରେ ଯେ ତା’ ପ୍ରତି ପୁଲିସର ଆଚରଣ ସେତେଟା ଭଲ ନୁହେଁ?
ଅନେକ ଗୁରୁତର ଅପରାଧ କ୍ଷେତ୍ରରେ ମାମଲା ରୁଜୁ ନେଇ କାଳକ୍ଷେପଣ ନୀତି ଅବଲମ୍ବନ କରିବା, ପକ୍ଷପାତିତା, ଦୁର୍ନୀତି ପୁଲିସ ପ୍ରତି ଘୃଣା ପଛର କାରଣ ହୋଇଥାଇପାରେ। ଉଚ୍ଚ ଜାତି, ଧନୀକ ଶ୍ରେଣୀଙ୍କ କ୍ଷେତ୍ରରେ ନରମ ମନୋଭାବ ଅବଶିଷ୍ଟ ଲୋକଙ୍କ ଠାରୁ ପୁଲିସକୁ ଦୂରେଇ ଦେଉଥାଇପାରେ। ମାତ୍ର ବିଶ୍ବାସର ସଙ୍କଟ ପାଇଁ କ’ଣ କେବଳ ପୁଲିସ ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ଦାୟୀ କରାଯାଇପାରିବ? ବ୍ୟବସ୍ଥା ବା ସମାଜର ଭୂମିକା କ’ଣ ଏ କ୍ଷେତ୍ରରେ କିଛି ବି ନାହିଁ?
ପୁଲିସ ଭାବମୂର୍ତ୍ତିର ମଳିନତା ପାଇଁ ‘ବ୍ୟବସ୍ଥା’ର ଭୂମିକାକୁ ଆଦୌ ନ୍ୟୂନ କରି ଦେଖାଯାଇପାରିବ ନାହିଁ। ବ୍ୟବସ୍ଥା ସବୁବେଳେ ସରକାର ସହିତ ଯୋଡ଼ି ହୋଇ ରହିଥାଏ। ଆମେ ସମସ୍ତେ ଜାଣନ୍ତି, ଶାସକର ମାନସିକତା ଶାସନ କ୍ଷେତ୍ରରେ ପ୍ରତିଫଳିତ ହୁଏ। ଶାସକର ଇଚ୍ଛାଶକ୍ତି ଦ୍ବାରା ଶାସନ ନିୟନ୍ତ୍ରିତ ହେଉଥିବା କାରଣରୁ ଏହାର ପ୍ରତିଫଳନ ବ୍ୟବସ୍ଥାର ସବୁ ଅଙ୍ଗରେ ଦୃଶ୍ୟମାନ ହୋଇଥାଏ। ଅତଏବ ସରକାର ଯଦି ସାଧାରଣ ଲୋକଙ୍କ ମନସ୍କ ହୁଏ, ଶାସନ ବ୍ୟବସ୍ଥା ମଧ୍ୟ ସେ ଦିଗରେ ଅଧିକ ଧ୍ୟାନ ଦେବାକୁ ବାଧ୍ୟ ହୁଏ। ଅନ୍ୟଥା ପୁଲିସ ରାଜ ବଢ଼େ ଓ ଏହା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଆଙ୍କିଦିଏ, ପୁଲିସକୁ ବିଶ୍ବାସଯୋଗ୍ୟ ଚେହେରା ଦେଇ ନ ଥାଏ।
ମାନବ ସମ୍ବଳ ମଧ୍ୟ ଆଉ ଗୋଟିଏ ପ୍ରମୁଖ ଦିଗ। ସାଧାରଣ ଲୋକଙ୍କ ସୁରକ୍ଷାର ଦାୟିତ୍ବ ମୁଣ୍ଡ ଉପରେ ଅଛି ବୋଲି ଯେ ପୁଲିସ ମଣିଷ ବଦଳରେ ମେସିନ୍ ପାଲଟିବ, ତାହା ଗ୍ରହଣଯୋଗ୍ୟ ନୁହେଁ। ଭାରତବର୍ଷରେ ଓଡ଼ିଶା ଏବେ ଏକମାତ୍ର ରାଜ୍ୟ ଯେଉଁଠାରେ ପୁଲିସ ୮ ଘଣ୍ଟା ବଦଳରେ ୧୮ ଘଣ୍ଟା କାମ କରେ। କେନ୍ଦ୍ର ଗୃହ ମନ୍ତ୍ରାଳୟର ପୁଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ (ବିପିଆର୍ଡି)ର ନିର୍ଦେଶାବଳୀ ଅନୁଯାୟୀ, ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ହାରାହାରି ୧୪୦ ଜଣ ପୁଲିସ କର୍ମଚାରୀ ନିୟୋଜିତ ହେବା କଥା। ଏହାକୁ ମାନକ ଭାବେ ଧରିଲେ, ଓଡ଼ିଶାରେ ଏବେ ମଞ୍ଜୁରୀପ୍ରାପ୍ତ ପୁଲିସ ସଂଖ୍ୟା ୯୮। ଖାଲି ପଡ଼ିଥିବା ପଦକୁ ବିଚାରକୁ ନେଲେ ଓଡ଼ିଶାରେ ପ୍ରତି ୧ ଲକ୍ଷ ଲୋକଙ୍କ ସୁରକ୍ଷା ଦାୟିତ୍ବ ମାତ୍ର ୮୩ ଜଣଙ୍କ ହାତରେ ନ୍ୟସ୍ତ ରହିଛି। ଏ କ୍ଷେତ୍ରରେ କାର୍ଯ୍ୟ ଚାପର ପ୍ରତିକ୍ରିୟା ପୁଲିସ ଚେହେରାରେ ଦେଖିବାକୁ ମିଳିବାରେ ଅସ୍ବାଭାବିକତା କିଛି ନାହିଁ।
ଏହାଠାରୁ ଆହୁରି ଚିନ୍ତାଜନକ ଦିଗଟି ହେଲା, ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ପୁଲିସ ଯେତିକି ଚାପଗ୍ରସ୍ତ ଥାଏ, ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରାୟ ସେତିକି ଚାପ ରହେ ନାହିଁ। ଏମିତିରେ ବି ଭାରତବର୍ଷରେ ଆପରାଧିକ ନ୍ୟାୟ ବ୍ୟବସ୍ଥାଟି ଅନୁସନ୍ଧାନମୂଳକ ନୁହେଁ, ପ୍ରତିଯୋଗିତାମୂଳକ ଅଟେ। ଏଣୁ କୌଣସି ମାମଲାର ବିଚାର ପ୍ରକ୍ରିୟାରେ ଅଦାଲତରେ ଆଇନଜୀବୀମାନଙ୍କର ତର୍କ, ତଥ୍ୟ ବେଶୀ ପ୍ରଭାବୀ ସାବ୍ୟସ୍ତ ହୋଇଥାଏ। ଏଣୁ ଅଭିଯୁକ୍ତକୁ ପୁଲିସ ଗିରଫ କରୁ ବୋଲି ସାଧାରଣରେ ଅଧିକ ଉତ୍କଣ୍ଠା ଥାଏ। ଏହା ଯେତେ ବିଳମ୍ବ ହୁଏ, ପୁଲିସ ସେତିକି ବଦନାମ ହୋଇଥାଏ। ହେଲେ କୋର୍ଟରୁ ସଂପୃକ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଗଲା ବେଳେ ସମାଜ ପୂର୍ବଭଳି ପ୍ରତିକ୍ରିୟାଶୀଳ ହୁଏନାହିଁ। ଏମିତିରେ ବି ପ୍ରତିଟି ମାମଲାରେ ଗିରଫ ଦାବି କରିବା ଗୋଟିଏ ସାଧାରଣ କଥାରେ ପରିଣତ ହୋଇଛି। ରାଜନୈତିକ ଦଳ ଠାରୁ ଆରମ୍ଭ କରି ସମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତେ ପୁଲିସ ପାଖରେ ଏଭଳି ଦାବି ରଖିଥାନ୍ତି, ଯଦିଓ ଏ କ୍ଷେତ୍ରରେ ସୁପ୍ରିମ୍ କୋର୍ଟ ଗୋଟିଏ କଟକଣା ରଖିଛନ୍ତି ଓ ଏହାର ଉଲ୍ଲଂଘନରେ ପୁଲିସ ନିଜେ ଦଣ୍ଡିତ ହେବାର ଭୟ ରହିଛି। ଅନୁରୂପ ଭାବେ ମାମଲା ବିଚାର ପ୍ରକ୍ରିୟାରେ ବିଳମ୍ବ ଓ ଦଣ୍ଡ ହାର ହ୍ରାସ ମଧ୍ୟ ପୁଲିସ ପ୍ରତି ବିଶ୍ବାସ ସଙ୍କଟ ପଛର ଅନ୍ୟତମ କାରଣ।
ଏବେ ସମାଜର ଭୂମିକା ସଂପର୍କରେ ଆଲୋଚନା କରିବା। ଆମେ ସମସ୍ତେ ଜାଣନ୍ତି ଯେ ଯେଉଁ ସମାଜ ଯେତିକି ଉନ୍ନତ, ସେ ସମାଜରେ ପୁଲିସ ସେତିକି ସଭ୍ୟ। ଯୁବାବସ୍ଥାରେ ଜଣେ ଯୁବତୀ ଯେମିତି ଆକଟ କରୁଥିବା ତା’ର ମାଆକୁ ଶତ୍ରୁ ଭଳି ଦେଖେ କିମ୍ବା ଯୁବକଟିଏ ବାପାକୁ, ଅଥଚ ପରିପକ୍ବ ହେବା ପରେ ତା’ର ବିଚାରରେ ଆପେ ସୁଧାର ଆସେ। ଠିକ୍ ସେମିତି ସମାଜ ପରିପକ୍ବ ହେଲେ ତାକୁ ତାଗିଦ କରିବା ପାଇଁ ରହିଥିବା ବ୍ୟବସ୍ଥା ବା ପୁଲିସ ପ୍ରତି ତା’ର ବିଶ୍ବାସ ଅଥବା ସମ୍ମାନ ଆପେ ବୃଦ୍ଧି ପାଇବ। ହେଲେ ଏ କ୍ଷେତ୍ରରେ ଅଲକ୍ଷଣଟି ହେଉଛି, ଆଜି ଜଣେ ନାଗରିକ ତା’ର ଅଧିକାର ନେଇ ଯେତିକି ସଚେତନ ରହିଛି, କର୍ତ୍ତବ୍ୟ ପ୍ରତି ସେତିକି ନାହିଁ। ଏଣୁ ତା’ର ଦାୟିତ୍ବ ଅପେକ୍ଷା ଅବଶିଷ୍ଟ ସମାଜଠାରୁ ଆଶା କାହିଁ କେତେଗୁଣରେ ଅଧିକ ରହିଛି।
ଅନୁରୂପ ଭାବେ ଅର୍ଥନୀତିର ପ୍ରାବଲ୍ୟ ଅନୁଶାସନକୁ ଦୁର୍ବଳ କରେ। ସମାନ୍ତରାଳ ଭାବେ ଶିକ୍ଷାର ଅଭାବ, ଆଇନ ସଂପର୍କରେ ଅଜ୍ଞତା, ସମାଜରେ ଉଚ୍ଛୃଙ୍ଖଳା ବଢ଼ାଏ।
ଭାରତ ଭଳି ଦେଶରେ ଆଇନକାନୁନକୁ ସ୍ବତଃ ମାନିବାର ନଜିର କମ୍। ପୁଲିସ ବା ବ୍ୟବସ୍ଥାର ନାଲିଆଖିକୁ ଡରି ଅନେକ ଆଇନକୁ ମାନନ୍ତି। ଏଣୁ ଛାଟିଆ ଧରିଥିବା ବ୍ୟକ୍ତି ବା ବ୍ୟବସ୍ଥା (ପୁଲିସ) ଅବୁଝାମଣାର ଶିକାର ହେବାରେ ଅସ୍ବାଭାବିକତା ନାହିଁ। କିନ୍ତୁ ଏସବୁ ସେବେ ଦୂର ହେବ, ଯେବେ ବ୍ୟକ୍ତି, ବ୍ୟବସ୍ଥା ଓ ସମାଜ ଭିତରେ ଦୂରତା କମାଇବା କ୍ଷେତ୍ରରେ ସରକାର ନିର୍ଣ୍ଣାୟକ ଭୂମିକା ନେବେ। ଏଥିପାଇଁ ସରକାରଙ୍କ ଉଚ୍ଚାରଣ ଅପେକ୍ଷା ଆଚରଣରେ ପରିବର୍ତ୍ତନ ଲୋଡ଼ା। ଅନ୍ୟଥା ପୁଲିସ ଲୋକଙ୍କର ବନ୍ଧୁ; ଏହା କାନକୁ ଭଲ ଶୁଭାଯାଉଥିବା ଗୋଟିଏ ବାକ୍ୟ ବୋଲି କୁହାଯିବ। ଯେହେତୁ ଆମ ସଂବିଧାନରେ ‘ପବ୍ଲିକ୍ ଅର୍ଡର’ ଏବଂ ‘ପୁଲିସ’ ରାଜ୍ୟ ତାଲିକାଭୁକ୍ତ, ଏଣୁ ପୁଲିସ ପ୍ରତି ଲୋକଙ୍କ ନକାରାତ୍ମକ ମନୋଭାବ ପାଇଁ ସରକାରମାନେ ମଧ୍ୟ ବଦନାମ୍ ହେବାର ଯଥେଷ୍ଟ ଭୟ ରହିଛି। ଓଡ଼ିଶାରେ ତ ଏହାର ନଜିର ଅନେକ।
ମୋ: ୯୯୩୭୪ ୭୪୨୭୪
ମଞ୍ଜ କଥା: ପୁଲିସକୁ ଭକ୍ତି କମ୍, ଭୟ ବେଶି!
ଭବାନୀ ଶଙ୍କର ତ୍ରିପାଠୀ
/sambad/media/post_attachments/wp-content/uploads/2024/01/fhfsfff-1.jpg)