ଯୋଗେନ୍ଦ୍ର ଯାଦବ

ଅଧିକାଂଶ ଦେଶବାସୀଙ୍କ ପରି, ମୁଁ ମଧ୍ୟ ଜଣେ କ୍ରିକେଟ୍‌ ପ୍ରଶଂସକ। ନାନା ବ୍ୟସ୍ତତା ଭିତରେ ମୋତେ ସମୟ ମିଳିଲେ ମୁଁ ଦୁଇ-ଚାରି ଓଭର ହେଲେ ବି ଏହି ଖେଳ ଦେଖିବାକୁ ପସନ୍ଦ କରେ। ଅନ୍ୟଥା ମୁଁ ମୋ ଫୋନ୍‌ରେ ସ୍କୋର ଯାଞ୍ଚ କରିନିଏ। କିନ୍ତୁ ଏଥରର ଏସିଆ କପ୍‌ରେ ମୁଁ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖି ନଥିଲି। ସେଥିପାଇଁ ମନ ବି ବଳାଇ ନଥିଲି। ତେବେ ସେ ବିଷୟରେ ମୋତେ ଯାହା ପଢ଼ିବାକୁ ଓ ଶୁଣିବାକୁ ମିଳିଲା ତାହା ସମସ୍ତ ଅବଶିଷ୍ଟ ଇଚ୍ଛାକୁ ଦୂର କରିଦେଲା।
ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ବିଷୟରେ ଶୁଣି ମୋ’ ପିଲାଦିନର କଥା ମନେ ପଡ଼ିଗଲା। ଆମ ସହରକୁ ପ୍ରଖ୍ୟାତ କୁସ୍ତି ଯୋଦ୍ଧା ତଥା ହାସ୍ୟାଭିନେତା କିଙ୍ଗ୍ କଙ୍ଗ ଆସିଥିଲେ। ସେ ଫ୍ରିଷ୍ଟାଇଲରେ କୁସ୍ତି କରୁଥିଲେ। ତାଙ୍କର ପ୍ରତିଦ୍ବନ୍ଦ୍ବୀ କିଏ ଥିଲେ, ମୋର ମନେ ନାହିଁ। ତେବେ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ତାଙ୍କ କୁସ୍ତି ପ୍ରତିଯୋଗିତା ବାବଦରେ ସପ୍ତାହ ଧରି ରିକ୍ସାରେ ଘୋଷଣା କରାଯାଉଥିଲା ଏବଂ ସହର ସାରା ବଡ଼ ବଡ଼ ପୋଷ୍ଟର ଲଗାଯାଉଥିଲା। ପ୍ରତିଦିନ ଖବରକାଗଜରେ କେତେବେଳେ କିଙ୍ଗ୍ କଙ୍ଗ ତ କେତେବେଳେ ତାଙ୍କ ପ୍ରତିପକ୍ଷଙ୍କ ହିଂସ୍ର ଆଚରଣ ଓ ବୟାନ ପ୍ରକାଶିତ ହେଉଥିଲା- ‘ମୁଁ ତାଙ୍କୁ ଷ୍ଟାଡିୟମରୁ ବାହାର କରିଦେବି’ କିମ୍ବା ‘ମୁଁ ତାଙ୍କୁ ଜୀବନ୍ତ ଚୋବାଇଦେବି’ ଇତ୍ୟାଦି ଇତ୍ୟାଦି। ସେହି ସମୟରେ କୌଣସି ସାମାଜିକ ଗଣମାଧ୍ୟମ ନଥିଲା। ମୁଁ ଦିନରାତି ଉତ୍ତେଜକ ବୟାନ ଶୁଣିବାରେ ଅଭ୍ୟସ୍ତ ନଥିଲି। ତେଣୁ ସେହି ବୟାନଗୁଡ଼ିକ ଆମକୁ ଆଶ୍ଚର୍ଯ୍ୟ କରିଥିଲା ଏବଂ କୌତୂହଳ ସୃଷ୍ଟି କରିଥିଲା। ଏହି ରଣନୀତିର ଆକାଂକ୍ଷିତ ପ୍ରଭାବ ମଧ୍ୟ ପଡ଼ିଥିଲା। ସମଗ୍ର ସହର କିଙ୍ଗ୍ କଙ୍ଗ୍‌ଙ୍କର କୁସ୍ତି ଦେଖିବାକୁ ଠୁଳ ହୋଇଥିଲା, ଯଦିଓ କୁସ୍ତି ପ୍ରତି ମୋର ଘୃଣାଭାବ ଯୋଗୁଁ ମୁଁ ସେ ସୁବିଧାରୁ ବଞ୍ଚିତ ହୋଇଥିଲି। ପରିଶେଷରେ ଯାହା ହେବାର ଥିଲା, ତାହା ଘଟିଲା- କିଙ୍ଗ୍ କଙ୍ଗ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କଲେ। ଖେଳ ସରିଲା, ଟଙ୍କା ବି ହଜମ ହୋଇଗଲା। ପରେ ସହରରେ ଉକ୍ତ କୁସ୍ତି ମ୍ୟାଚ୍‌ର ଫିକ୍ସିଂ ବିଷୟରେ ଚର୍ଚ୍ଚା ଜୋର ଧରିଥିଲା।
ଅବଶ୍ୟ, ଏହା କହିବାର ଅର୍ଥ ନୁହେଁ ଯେ ଏସିଆ କପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା। ଏହାର କୌଣସି ଆବଶ୍ୟକତା ବି ନଥିଲା। କହିବା ବାହୁଲ୍ୟ, ଆଇପିଏଲ୍ ଆରମ୍ଭ ହେଲା ଦିନଠାରୁ ଦେଶର ଛୋଟ ଛୋଟ ସହରରୁ ପ୍ରତିଭାଙ୍କ ପାଇଁ ଭାରତୀୟ କ୍ରିକେଟ୍‌ର ଦ୍ୱାର ଉନ୍ମୁକ୍ତ ହୋଇଯାଇଥିଲା, ସୁତରାଂ ସେବେଠାରୁ ଭାରତୀୟ କ୍ରିକେଟ୍ ଦଳ ଏକ ଭିନ୍ନ ସ୍ତରରେ ପହଞ୍ଚିଛି। ଯଦି ଏସିଆ କପ୍‌ରେ ଭାରତର ଦୁଇଟି ଦଳ ଭାଗ ନେଇଥା’ନ୍ତେ, ତେବେ ସମ୍ଭବତଃ ଉଭୟ ଫାଇନାଲରେ ପହଞ୍ଚିଥା’ନ୍ତେ। ସେଥିପାଇଁ ଗୋଟେ କି ଦୁଇଟା ନିଷ୍ପ୍ରଭ ମ୍ୟାଚ୍‌ର ଅପବାଦକୁ ଛାଡ଼ିଦେଲେ ଭାରତ-ପାକିସ୍ତାନ ମୁକାବିଲା ସମ୍ପୂର୍ଣ୍ଣ ଏକତରଫା ରହିଥାଏ। ଏହି ମ୍ୟାଚ୍‌ଗୁଡ଼ିକରେ ଆଉ ଜାହିର ଆବାସ, ଇମ୍ରାନ ଖାନ, ଜାଭେଦ ମିଆଁଦାଦ, ୱାସିମ ଆକ୍ରମ କିମ୍ବା ସାହିଦ ଆଫ୍ରିଦି ଥିବା ଭଳି ପାକିସ୍ତାନୀ ଦଳ ବିପକ୍ଷରେ ହେଉଥିବା ମ୍ୟାଚ୍‌ ପରି ଉତ୍ସାହ ନାହିଁ। ସମ୍ପ୍ରତି ଭାରତ ହେଉଛି ଅନ୍ତର୍ଜାତୀୟ କ୍ରିକେଟ୍‌ର ରାଜଧାନୀ। ଏ ପରିପ୍ରେକ୍ଷୀରେ ପାକିସ୍ତାନକୁ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରିବା ହିଁ ଭାରତୀୟ କ୍ରିକେଟ୍ ଦଳକୁ ଅପମାନିତ କଲା ଭଳି ହେବ।
ତେବେ ମୁଁ ଏସିଆ କପ୍ ମ୍ୟାଚ୍ ନ ଦେଖିବାର ଏହା ପ୍ରକୃତ କାରଣ ନଥିଲା। ପ୍ରକୃତରେ, ଆରମ୍ଭରୁ ଏହା ସ୍ପଷ୍ଟ ଥିଲା ଯେ ଏହା କ୍ରିକେଟ୍ ଖେଳ ନୁହେଁ, ବରଂ ବଜାର ଓ ସରକାରଙ୍କ ଖେଳ ହେବାକୁ ଯାଉଛି। କ୍ରିକେଟ୍ ଆବରଣ ତଳେ ଅନ୍ୟ କିଛି ଖେଳାଯାଉଥିଲା- ଅସୀମିତ ବଜାର ଲାଭର ଏକ ଖେଳ, ସରକାରୀ ବୈଦେଶିକ ନୀତିର ଖେଳ ଏବଂ ଦେଶର ଲୋକଙ୍କୁ ଛଦ୍ମ-ଜାତୀୟତାରେ ବୁଡ଼ାଇ ରଖିବାର ଏକ ରାଜନୈତିକ ଖେଳ।
ପ୍ରଥମ ଦିନରୁ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଚାଲିଥିବା ବିତର୍କ ଅର୍ଥହୀନ ଥିଲା। ସ୍ପଷ୍ଟ ଭାବରେ, ମ୍ୟାଚ୍‌ରେ ସାମିଲ ହୋଇଥିବା ସମର୍ଥନରେ କ୍ରିକେଟ୍ ବୋର୍ଡର ଯୁକ୍ତି ଦୁର୍ବଳ ଥିଲା। ଏହାକୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ବାଧ୍ୟବାଧକତା ବୋଲି କହିବା ଏକ ଭ୍ରମ ଥିଲା। ଏସିଆ କପ୍ ଏକ ବିଶ୍ୱକପ୍ ନୁହେଁ ଯେ ଏହାକୁ ଭାରତୀୟ ଦଳ ଏଡ଼ାଇ ପାରିବ ନାହିଁ। ରାଜନୈତିକ କାରଣରୁ ଅତୀତରେ ଅନେକ ଦେଶ ଅଲିମ୍ପିକ୍ସକୁ ମଧ୍ୟ ବହିଷ୍କାର କରିଛନ୍ତି। ଏହାକୁ କ୍ରିକେଟ୍ ବୋର୍ଡର ଏକ ସ୍ୱୟଂଶାସିତ ନିଷ୍ପତ୍ତି ବୋଲି କହିବା ଆହୁରି ହାସ୍ୟାସ୍ପଦ ଥିଲା। ଭାରତର କାହାର ପୁଅ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦର ସଭାପତି କିମ୍ବା କେଉଁ ମନ୍ତ୍ରୀଙ୍କ ବଙ୍ଗଳାରେ ଭାରତୀୟ କ୍ରିକେଟ୍ ପରିଷଦର ଅଧିକାରୀମାନେ ନିର୍ବାଚିତ ହୁଅନ୍ତି, ସେ କଥା କାହାକୁ ବା ଅଛପା ରହିଛି? ଏସବୁ ଯେ ଏକ ବେପାରର ଖେଳ ଥିଲା, ଏହି ସତ୍ୟକୁ ଲୁଚାଇବା ଅସମ୍ଭବ। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଏକ ତାଜା ଗରମ ସାମଗ୍ରୀ ଥିଲା, ବିଶେଷକରି ଏକ ଯୁଦ୍ଧ ପରେ ଏବଂ ପାର୍ବଣ ଋତୁ ପୂର୍ବରୁ ଟିଭି ଓ ଫୋନ୍ ପରଦାରେ। ଆଉ ବିଶେଷକରି ଦୁବାଇରେ, ଯେଉଁଠାରେ ଉଭୟ ଦେଶର ଧନୀ ନାଗରିକମାନେ ନିଜ ନିଜ ଦେଶଠାରୁ ଦୂରରେ ନିଜ ଜୀବନକୁ ବିପଦରେ ନ ପକାଇ ଦେଶପ୍ରେମର ଖେଳ ଖେଳିପାରିବେ। ୱାଘା ସୀମାରେ ପ୍ରତି ସନ୍ଧ୍ୟାରେ ସମାନ ଖେଳ ଖେଳାଯାଉଥିଲା। ଗୋଟିଏ ପଟେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଅପର ପାର୍ଶ୍ବରେ ପାକିସ୍ତାନୀ ସୁରକ୍ଷା ବାହିନୀ। ଶତ୍ରୁତା ଉନ୍ମାଦର ତାହା ଏକ ପ୍ରାୟୋଜିତ ରୀତିନୀତି ଥିଲା। ଲାଉଡସ୍ପିକରରେ ଦେଶପ୍ରେମର ଗୀତ ବାଜୁଥିଲା ଏବଂ ହଜାର ହଜାର ଲୋକ ତାହାର ମଜା ନେଉଥିଲେ। ଲେଶ ମାତ୍ର କେଶ ବି ବଙ୍କା ହେବାର ଆଶଙ୍କା ବିନା ଯୁଦ୍ଧର ସମସ୍ତ ମଜା ନେଉଥିଲେ। ତାହା ବୋଧହୁଏ, ଅଗଣିତ ସହିଦଙ୍କ ବଳିଦାନ ଉପରେ ନିର୍ମିତ ଜାତୀୟତାର ସବୁଠାରୁ ଶସ୍ତା ଓ ସୁଲଭ ସଂସ୍କରଣ।
ଅନ୍ୟପକ୍ଷରେ, ଏହି ମ୍ୟାଚ୍‌କୁ ବିରୋଧ କରୁଥିବା ଲୋକଙ୍କ ଯୁକ୍ତି ମଧ୍ୟ ଗ୍ରହଣୀୟ ନଥିଲା। ଅବଶ୍ୟ, ମୋଦୀ ସରକାରଙ୍କ ଛଦ୍ମବେଶକୁ ପ୍ରକାଶ କରିବା ସେମାନଙ୍କର ଅଧିକାର ଥିଲା। ଗୋଟିଏ ପଟେ ଅପରେସନ୍ ସିନ୍ଦୂର ଚାଲୁ ରହିଛି। ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରାଯାଉଛି ବୋଲି ସରକାର ଦାବି କରୁଛନ୍ତି ଏବଂ ସରକାରୀ ଭିସାରେ ଭାରତରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଦେଶାନ୍ତର କରାଯାଉଛି। ଏଭଳି ସମୟରେ କ୍ରିକେଟ୍ ବୋର୍ଡ ଓ ଟିଭି ଚ୍ୟାନେଲଗୁଡ଼ିକ ଲାଭ ପାଇଁ ମ୍ୟାଚ୍ ଆୟୋଜନ କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ମାତ୍ର ଯେତେବେଳେ ସେମାନେ ଦାବି କରନ୍ତି ଯେ ଶତ୍ରୁ ସହିତ ଖେଳି ଆମେ ଦେଶକୁ ଅସମ୍ମାନିତ କରୁଛୁ, ସେମାନେ ମଧ୍ୟ ସମାନ ଅସୁସ୍ଥ ମାନସିକତାର ଶିକାର ହୁଅନ୍ତି। କଳା, କ୍ରୀଡ଼ା ଓ ସଂସ୍କୃତିର ଉଦ୍ଦେଶ୍ୟ ରାଜନୈତିକ ସେତୁ ଭାଙ୍ଗିବା ନୁହେଁ, ବରଂ ଭଙ୍ଗା ସେତୁଗୁଡ଼ିକୁ ସଜାଡ଼ିବା। ତେଣୁ ଯେତେବେଳେ ଦିଲୀପ କୁମାର ପ୍ରସିଦ୍ଧ ପାକିସ୍ତାନୀ ଗାୟିକା ନୁରଜହାଁଙ୍କୁ ସମ୍ମାନ ଦିଅନ୍ତି, କିମ୍ବା ଯେତେବେଳେ ନୀରଜ ଚୋପ୍ରା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅର୍ଶଦ ନଦିମଙ୍କୁ ଆଲିଙ୍ଗନ କରନ୍ତି, ସେତେବେଳେ ସେମାନେ ସେମାନଙ୍କର କାମ କରୁଛନ୍ତି।
ଯେତେବେଳେ ଖେଳାଳିମାନେ ହାତ ମିଳାଇବେ ନାହିଁ, ସେମାନେ ନା ନିଜର ନା ନିଜ ଦେଶର ସମ୍ମାନ ବୃଦ୍ଧି କରିବେ! କ୍ରିକେଟ୍ ପଡ଼ିଆରେ ବନ୍ଧୁକ ଫୁଟାଇବା ଏବଂ ବିମାନ ଖସାଇ ଦେବାର ସଂକେତ ଦ୍ବାରା ଖେଳର ଆତ୍ମାକୁ କେବଳ କ୍ଷତି ପହଞ୍ଚି ନଥାଏ, ବରଂ କ୍ରିକେଟ୍‌କୁ ତଳିତଳାନ୍ତ କରିଥାଏ। କିନ୍ତୁ ଏଥିପାଇଁ ଖେଳାଳିମାନଙ୍କୁ ଦୋଷ ଦେବା ଅର୍ଥହୀନ ହେବ। ସେମାନେ କ୍ରିକେଟ୍‌ ଖେଳାଳି, ଅଭିନେତା ନୁହନ୍ତି। ସେମାନଙ୍କୁ ଯାହା କୁହାଯାଏ ସେମାନେ କେବଳ ତାହା କରିବାକୁ ଚେଷ୍ଟା କରୁଛନ୍ତି। ବଜାର କହିଛି ଯେ ସେମାନେ ଖେଳିବା ଉଚିତ, ତେଣୁ ସେମାନେ ଖେଳୁଛନ୍ତି। ସରକାର କହିଛନ୍ତି ଯେ ଖେଳ ସମୟରେ ବନ୍ଧୁତା ପ୍ରଦର୍ଶନ ହେବା ଉଚିତ୍ ନୁହେଁ, ତେଣୁ ଉଭୟ ପକ୍ଷର ଖେଳାଳିମାନେ ଶତ୍ରୁତା ପ୍ରଦର୍ଶନ କରୁଛନ୍ତି। ଏଠାରେ ପ୍ରଶ୍ନ ଖେଳାଳି କିମ୍ବା ସେମାନଙ୍କ ପରିଚାଳକଙ୍କୁ ନୁହେଁ, ବରଂ ସେମାନଙ୍କ ରାଜନୈତିକ ମାଲିକଙ୍କୁ ପଚରାଯିବା ଉଚିତ। ଏ ପରିପ୍ରେକ୍ଷୀରେ ଗୁଲଜାରଙ୍କ ଅମର ପଙ୍‌କ୍ତି, ‘ପ୍ୟାର କୋ ପ୍ୟାର ହି ରହନେ ଦୋ, କୋଇ ନାମ ନା ଦୋ’(ପ୍ରେମକୁ ପ୍ରେମ ହୋଇ ରହିବାକୁ ଦିଅ, ଏହାକୁ କୌଣସି ନାମ ଦିଅ ନାହିଁ)ର ଆତ୍ମାରେ, ସେମାନଙ୍କୁ କହିଦେବା ଉଚିତ: ‘କ୍ରିକେଟ୍‌କୁ ଏକ ଖେଳ ହୋଇ ରହିବାକୁ ଦିଅ, ଏହାକୁ ଅନ୍ୟ କୌଣସି କାମ ଦିଅ ନାହିଁ।’
(ମତାମତ ଲେଖକଙ୍କ ନିଜସ୍ବ)
ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଯାତ୍ରା

Advertisment