ପୃଥିବୀ ଅମ୍ଳଜାନରେ ଭରି ଉଠୁ

ରୁକ୍ମଣୀ ସାହାଣୀ

ଅମ୍ଳଜାନ ଓ ଜୀବନ ଭଗବାନଙ୍କ ସ˚ରଚନାରେ ଏକ ପ୍ରମୁଖ ଅବଦାନ। ଅମ୍ଳଜାନ ପାଇଁ ଜୀବନ ବଞ୍ଚେ। ବାୟୁମଣ୍ଡଳରେ ଅମ୍ଳଜାନର ଭାଗ ୨୧ ପ୍ରତିଶତ। ପ୍ରତିଦିନ ଆମ ଶରୀର ପାଇଁ ୧୧,୦୦୦ ଲିଟର ଅମ୍ଳଜାନ ଆବଶ୍ୟକ ପଡ଼େ। ପ୍ରତି ମିନିଟ୍‌ରେ ୭ରୁ ୮ ଲିଟର ଅମ୍ଳଜାନ ଆମେ ଆମ ଶରୀରକୁ ନେଇଥାଉ। ପ୍ରଶ୍ବାସ ବେଳେ ଶତକଡ଼ା ୨୦ ଭାଗ ଅମ୍ଳଜାନ ଗ୍ରହଣ କରୁ ଓ ନିଶ୍ବାସ ବେଳେ ଶତକଡ଼ା ୧୫ ଭାଗ ଛାଡୁ। ଶତକଡ଼ା ୫ ଭାଗ ଆମ ଶରୀରରେ ରହେ। ଆଜି ଏହି ଅମ୍ଳଜାନ ପାଇଁ କରୋନା ରୋଗୀଙ୍କ ମଧ୍ୟରେ ହାହାକାର ଖେଳି ଯାଉଛି। ଏହାର ଅଭାବରେ ଜୀବନ ଚାଲିଯାଉଛି। ଅଧିକ ଅମ୍ଳଜାନର ଆବଶ୍ୟକତା ପଡୁଥିବାରୁ ରୋଗୀମାନେ ଅତିରିକ୍ତ ଅମ୍ଳଜାନ ନେଉଛନ୍ତି।

ପୃଥିବୀରେ ଜୀବନ ସୃଷ୍ଟି ଲାଗି ଯେଉଁ ଗୋଟିଏ ମାତ୍ର ରାସାୟନିକ ତତ୍ତ୍ବ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା, ତାହା ହେଉଛି ଅମ୍ଳଜାନ। ଯେଉଁ ସମୟରେ ପୃଥିବୀର ପରିବେଶରେ ଜୀବନ ତିଷ୍ଠି ରହିବା ଲାଗି ପ୍ରକୃଷ୍ଟ ଭୂମି ପ୍ରସ୍ତୁତ ହୋଇଗଲା, ସେତିକିବେଳେ ପ୍ରଥମ ଜୀବନ ସୃଷ୍ଟି ହୋଇଥିଲା ଶୈବାଳ ମାଧ୍ୟମରେ। ଅମ୍ଳଜାନରୁ ଶୈବାଳର ସୃଷ୍ଟି ହେଲା ଏବଂ ଶୈବାଳ ମଧ୍ୟ ଅମ୍ଳଜାନ ପ୍ରସ୍ତୁତ କଲା। ଏଭଳି ଏକ ଚକ୍ରାକାର ଗତିରେ ଜୀବନର ଗତି ଆଗକୁ ବଢ଼ିଲା; ବୃକ୍ଷଲତା ଓ କେତେ କେତେ ପ୍ରାଣୀ ସୃଷ୍ଟି ହେଲେ; ପରିଶେଷରେ ମନୁଷ୍ୟ ଭଳି ଏକ ଅତି ଉନ୍ନତ ପ୍ରାଣୀର ବିକାଶ ମଧ୍ୟ ହେଲା। କିନ୍ତୁ ବିଡ଼ମ୍ବନା ହେଲା ସବୁ ପ୍ରାଣୀ ଏ ଯାବତ୍‌ ପ୍ରକୃତି ଅନୁକୂଳ ଜୀବନଯାପନ କରିଥିବା ବେଳେ ମଣିଷ କେବଳ ଏକ ମାତ୍ର ପ୍ରାଣୀ ଯାହା ପ୍ରକୃତିର ବିରୋଧ କରିଛି, ପ୍ରକୃତିକୁ ଜୟ କରିବାର ଚେଷ୍ଟା କରିଛି ଏବଂ ପ୍ରକୃତିର ଧାରା ବିପରୀତରେ ଯାଇ ଯାବତୀୟ କ୍ଷତିକୁ ଆମନ୍ତ୍ରଣ କରିବା ସହିତ ଏ ପୃଥିବୀକୁ ମଧ୍ୟ ଘୋର କ୍ଷତିଗ୍ରସ୍ତ କରିଛି; ତା’ର ଦୁର୍ବୁଦ୍ଧି ହେତୁ ବାୟୁ ପ୍ରଦୂଷଣ ଘଟାଇ ସମଗ୍ର ପୃଥିବୀକୁ ଅଣନିଃଶ୍ବାସୀ କରି ପକାଇଛି।

ସମସ୍ତେ ଜାଣନ୍ତି ଯେ ଅମ୍ଳଜାନ ପାଇବାର ମୁଖ୍ୟ ସ୍ରୋତ ହେଉଛି ବୃକ୍ଷ। ବୃକ୍ଷ ତା’ର ଖାଦ୍ୟ ପ୍ରସ୍ତୁତି ଲାଗି ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥାଏ, ଯାହା ବାୟୁମଣ୍ଡଳକୁ ଅମ୍ଳଜାନ-ସମୃଦ୍ଧ କରେ ଓ ପ୍ରାଣୀମାନଙ୍କୁ ବଞ୍ଚାଇ ରଖେ। ତେଣୁ ଜଙ୍ଗଲକୁ ପୃଥିବୀର ଫୁସ୍‌ଫୁସ୍‌ ବୋଲି କୁହାଯାଏ। କିନ୍ତୁ ମଣିଷ ଯେମିତି ବ୍ୟାପକ ଭାବେ ବୃକ୍ଷ ଛେଦନ କରି ଚାଲିଛି, ସେହି ଦୃଷ୍ଟିରୁ ତାକୁ ମଧ୍ୟ ଏକ ଭୂତାଣୁ ସହିତ ତୁଳନା କରାଯାଇପାରେ। କାରଣ କରୋନା ଭୂତାଣୁ ମଣିଷର ଶରୀରରେ ଆଶ୍ରୟ ନେଇ ସେହି ମଣିଷର ଫୁସ୍‌ଫୁସ୍‌କୁ କ୍ଷତିଗ୍ରସ୍ତ କରି ଚାଲିଥିବା ଭଳି ମଣିଷ ଏହି ପୃଥିବୀରେ ଆଶ୍ରୟ ନେଇ ସୁଦ୍ଧା ଅବିଚାରିତ ଭାବେ ଗଛ କାଟି ପୃଥିବୀର ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରି ଚାଲିଛି। କେତେକ ଗଛ ତାଙ୍କ ଜୀବନ କାଳ ମଧୢରେ ଏତେ ଅମ୍ଳଜାନ ଦେଇଥାନ୍ତି, ଯାହା ସମ୍ବନ୍ଧରେ କଳ୍ପନା ସୁଦ୍ଧା କରାଯାଇ ନ ପାରେ। ସେ ଗୁଡ଼ିକ ଭିତରେ ଅଶ୍ବତ୍‌ଥ ଗଛ, ତୁଳସୀ, ବର ଗଛ, ନିମ ଗଛ, ଜାମୁକୋଳି ଗଛ, ଅଶୋକ ଗଛ ଅନ୍ତର୍ଭୁକ୍ତ। ଅଶ୍ବତ୍‌ଥ ଓ ତୁଳସୀ ଗଛ ଦୈନିକ ପ୍ରାୟ ୨୪ ଘଣ୍ଟା ଅମ୍ଳଜାନ ଦେଉଥିବା ସ୍ଥଳେ ବର ଗଛ ୨୨ ଘଣ୍ଟା ଓ ନିମ ଗଛ ୧୮ ଘଣ୍ଟା ଅମ୍ଳଜାନ ଦେଇଥାଏ। କିନ୍ତୁ ମନୁଷ୍ୟ ଗଛର ଏହି ଅମୂଲ୍ୟ ଅବଦାନକୁ ଗୁରୁତ୍ବ ପ୍ରଦାନ କରେ ନାହିଁ।

ଏବେ ପୃଥିବୀର ବଡ଼ ବଡ଼ ଜଙ୍ଗଲ ସବୁ ଧ୍ବଂସପ୍ରାପ୍ତ। ଆମାଜନ ବର୍ଷା ବଣ ମଧ୍ୟ ଅବିଚାରିତ ଗଛ କଟା ଫଳରେ ପତଳା ହେବା‌େର ଲାଗିଛି, ଯାହାର ପରିଣାମ ହେତୁ ବିଶ୍ବ ତାପନ ବୃଦ୍ଧି ପାଇବା ସହିତ ତାହା ଜଳବାୟୁ ପରିବର୍ତ୍ତନର ଉତ୍‌ପ୍ରେରକ ସାଜିଛି। ଆଜି ଯେତେବେଳେ କରୋନା ମହାମାରୀ ଲାଗି ମଣିଷମାନଙ୍କ ମଧ୍ୟରେ କୃତ୍ରିମ ଅମ୍ଳଜାନର ଚାହିଦା ବୃଦ୍ଧି ପାଇଛି, ସେତିକିବେଳେ ଅନେକ ସମୟରେ ମନର କୋଣରେ ପୃଥିବୀକୁ ମଧ୍ୟ ଅମ୍ଳଜାନରେ ସମୃଦ୍ଧ କରିବା ଲାଗି ଚିନ୍ତନଟିଏ ଜାତ ହେଉଛି। ଆଜି ମଣିଷର ରକ୍ତରେ ଅମ୍ଳଜାନର ପରିପୃକ୍ତତା ମାପିବା ଲାଗି ‘ଅକ୍‌ସିମିଟର’ ଭଳି ଯନ୍ତ୍ରଟିଏ ରହିଛି, କିନ୍ତୁ ପୃଥିବୀର ଅମ୍ଳଜାନ ‘ସାଚୁରେସନ୍‌’ ମାପିବା ଲାଗି କୌଣସି ଯନ୍ତ୍ର ନାହିଁ। ତେଣୁ ଏତିକି ବେଳେ କେବଳ ଏଭଳି ଉଦ୍ୟମ ହେବା ଉଚିତ, ଯାହା ଫଳରେ ଏ ପୃଥିବୀ ବୃକ୍ଷମୟ ହେବ। ବଣ ଜଙ୍ଗଲରେ ଏ ଧରା ହସି ଉଠିବ। ପୃଥିବୀ ଅମ୍ଳଜାନ ସମୃଦ୍ଧ ହେଲେ ଜୀବନ ମଧ୍ୟ ହସି ଉଠିବ।
ପୂର୍ବତଟ ରେଳବାଇ
ମୋ- ୭୦୦୮୮୯୨୩୧୩

ସମ୍ବନ୍ଧିତ ଖବର