ଆମେରିକାରୁ ପତ୍ର, ଟ୍ରମ୍ପଙ୍କ ଗତିବିଧି

ଅନାଦି ନାୟକ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସରିଲା। ସାତ କୋଟି ସତୁରି ଲକ୍ଷ ଭୋଟ (୭୭ ମିଲିୟନ) ଯାହାକି ସମୁଦାୟ ଭୋଟର ୫୦.୯%- ପାଇ ଜୋ ବାଇଡେନ୍ ବିଜେତା ହେଲେ। ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ନିର୍ବାଚନର ସବୁଠାରୁ ବଡ଼ କଥା ଯେ ମୋଟ ୫୩୮ ଇଲେକ୍ଟୋରାଲ କଲେଜର ସଭ୍ୟଙ୍କ ଭିତରୁ ୩୦୬ ଜଣ ସଭ୍ୟ ପାଇ ସେ ନିଶ୍ଚିତ ଭାବରେ ଜୟ ଲାଭ କଲେ। ଡୋନାଲ୍‌ଡ ଟ୍ରମ୍ପ୍‌ ସାତ କୋଟି ଭୋଟ- ସମୁଦାୟ ଭୋଟର ୪୭.୭%- ପାଇ ହାରିଗଲେ। ତଥାପି ବିପୁଳ ସଂଖ୍ୟାରେ ଦେଶ ସାରା ଲୋକେ ଭୋଟ ଦେଇ ଥିବାରୁ ରିପବ୍ଲିକାନ ଦଳ ତରଫରୁ ଏ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦ ପାଇଁ ଲଢ଼ିଥିବା ସବୁ ଲୋକଙ୍କ ତୁଳନାରେ ସେ ଅଧିକ ଭୋଟ ପାଇଛନ୍ତି। ଏଥର ତାଙ୍କୁ ୨୩୨ଟି ଇଲେକ୍ଟୋରାଲ କଲେଜର ସଭ୍ୟ ମିଳିଲେ। ରାଷ୍ଟ୍ରପତି ନିର୍ବାଚନର ନିୟମ ଅନୁଯାୟୀ ଯେଉଁ ପ୍ରାର୍ଥୀ ଯେଉଁ ପ୍ରଦେଶର ସର୍ବାଧିକ ଭୋଟ ପାଇଲା, ସେ ପ୍ରଦେଶର ସବୁ ଇଲେକ୍ଟୋରାଲ କଲେଜର ସଭ୍ୟ ହେଲେ ତାର। ପୁଣି କେତେକ ପ୍ରଦେଶରେ ଯିଏ ଯେତେ ଜିଲ୍ଲା (କାଉଣ୍ଟି)ରେ ଜିତିଲା ତା’ଭାଗ ସେହି ଅନୁପାତରେ। ସେଥିପାଇଁ ନେବ୍ରାସ୍କାରୁ ବାଇଡେନ୍ ଗୋଟିଏ ଭୋଟ ପାଇଲେ। ଭୋଟ ଗଣିଥିବା ଲୋକଙ୍କ ସମେତ ରିପବ୍ଲିକାନ ଦଳର ବହୁ ମୁଖିଆ ଲୋକ ଧରି ନେଲେଣି ଯେ ବାଇଡେନଙ୍କ ଜିତି ଯାଇଥିବା କଥାଟା ନିଶ୍ଚିତ ଓ ଡୋନାଲ୍‌ଡ ଟ୍ରମ୍ପ୍‌ ଯେତେ ଯାହା କହିଲେ କିମ୍ବା କଲେ ତାଙ୍କର ଜିତିବାର ସମ୍ଭାବନା ନାହିଁ। ମାତ୍ର ଟ୍ରମ୍ପ୍‌ଙ୍କର କେମିତି ଧାରଣା ହୋଇଛି ଯେ ତାଙ୍କୁ ଚକ୍ରାନ୍ତ କରି ହରାଇ ଦିଆଯାଇଛି। ତେଣୁ ସେ ଏଥିପାଇଁ ନାନା ରକମର ମୋକଦ୍ଦମା କରୁଛନ୍ତି ଓ ଅଭିଯୋଗକୁ ସାବ୍ୟସ୍ତ କରି ନପାରି ହାରୁଛନ୍ତି।

ନଭେମ୍ବର ତିନି ତାରିଖରେ ନିର୍ବାଚନ ସରିଲା। ମାତ୍ର ପ୍ରତ୍ୟେକ ପ୍ରଦେଶରୁ କେତେ ଭୋଟ୍ ମିଳିଲା, କିଏ କେତେ ଭୋଟ୍‌ ପାଇ ଜିତିଲେ ଓ ହାରିଲେ, କେଉଁମାନେ ପ୍ରଦେଶର ଇଲେକ୍ଟୋରାଲ କଲେଜର ସଭ୍ୟ ହେଲେ, ସେକଥା ଡିସେମ୍ବର ୧୪ ତାରିଖ ସୁଦ୍ଧା ପ୍ରତି ପ୍ରଦେଶର ବିଧାନସଭା ଘୋଷଣା କରିବ। ରିପବ୍ଲିକାନ ପାର୍ଟି ତରଫରୁ ଯେଉଁଠି ବିଧାନସଭାରେ ଅଧିକ ସଭ୍ୟ ଅଛନ୍ତି, ସେମାନଙ୍କ ଉପରେ ଟ୍ରମ୍ପ୍‌ଙ୍କ ତରଫରୁ ନିର୍ବାଚନ ଫଳକୁ ଗ୍ରହଣ ନକରିବା ଲାଗି ଚାପ ପଡୁଛି। ମାତ୍ର କୌଣସି କାରଣ ନଦେଖି ଭୋଟରମାନଙ୍କର ସାମୂହିକ ଇଚ୍ଛାକୁ ଅସ୍ୱୀକାର କରିବାକୁ କେହି ରାଜି ହେଉନାହାନ୍ତି। ଭୋଟର ତାଲିକା ପ୍ରସ୍ତୁତିରେ ଖୁବ୍ ବଦମାସି ହୋଇଛି ବୋଲି ଟ୍ରମ୍ପ୍‌ ଓ ତାଙ୍କ ଲୋକେ ପ୍ରବଳ ପାଟିତୁଣ୍ଡ କରୁଛନ୍ତି। ମାତ୍ର ବିଚାରାଳୟରେ କୌଣସି ତଥ୍ୟ ଯୋଗାଇ ନପାରିବାରୁ ସେମାନଙ୍କର ମୋକଦ୍ଦମା ଗୁଡ଼ାକ ଖାରଜ ହେଉଛି। ତଥାପି ନିର୍ବାଚନର ଦୁଇ ସପ୍ତାହ ପରେ ମଧ୍ୟ ଡୋନାଲ୍‌ଡ ଟ୍ରମ୍ପ୍‌ ବାଇଡେନ୍‌ଙ୍କୁ “ବିଜେତା’’ ବୋଲି ସ୍ୱୀକାର କରି ନାହାନ୍ତି। ଏ ଭଳି ପରିସ୍ଥିତିରେ ତାଙ୍କର ହାର ମାନି ଯିବା କଥା ବୋଲି ତାଙ୍କ ଦଳର ଅନେକେ ତାଙ୍କୁ ପରାମର୍ଶ ଦେଉଛନ୍ତି। ସ୍ୱୀକାର କରିବା କଥାଟା ଭଦ୍ରତା ଦୃଷ୍ଟିରୁ ବିଧେୟ ଥିଲେ ବି ଆମେରିକାର ସମ୍ବିଧାନରେ ଏଥିପାଇଁ କୌଣସି ନିଦାନ ନାହିଁ। ସେଥିପାଇଁ ଜୋ ବାଇଡେନ କିମ୍ବା କମଳା ହାରିସ୍ ଚିନ୍ତିତ ନୁହନ୍ତି। ଗତ ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ବାଇଡେନ୍ ଓ ତାଙ୍କ ପରିବାର ତାଙ୍କ ଡେଲାୱାର ପ୍ରଦେଶର ଜଣାଶୁଣା ସମୁଦ୍ର କୂଳିଆ ସହର ବେଥାନୀ ବିଚ୍‌ରେ ସମୟ କାଟିବାକୁ ଯାଇଥିଲେ। ଶନିବାର ଦିନ ପାଗ ଖୁବ୍ ଖରାଟିଆ ଥିବାରୁ ବାଇଡେନ୍ ଓ ତାଙ୍କ ସ୍ତ୍ରୀ ଜିଲ୍ ବେଥାନୀ ବିଚ୍‌ର ବୋର୍ଡୱାକ୍ (କାଠ ପଟାର ରାସ୍ତା)ରେ ସାଇକେଲରେ ବୁଲୁଥିବାର ଖବର ବାହାରିଛି। ଲୋକଙ୍କ ଇଚ୍ଛା ଓ ଆମେରିକାର ସମ୍ବିଧାନର ବଳ ତାଙ୍କ ପଛରେ ଅଛି। ଏଣୁ ଟ୍ରମ୍ପ୍‌ କଅଣ ଭାବୁଛନ୍ତି ବା କରୁଛନ୍ତି ସେଇଟା ବାଇଡେନଙ୍କ ପାଇଁ ଗୁରୁତର ପ୍ରଶ୍ନ ନୁହେଁ। ଆସନ୍ତା ଜାନୁଆରି ୨୦ର ଦିନ ବାରଟା ସୁଦ୍ଧା ଟ୍ରମ୍ପ୍‌ ହ୍ୱାଇଟ୍‌ ହାଉସ୍‌ରୁ ଶେଷ ଥର ପାଇଁ ବାହାରିବେ ତ ପୁଣି କେବେ ଫେରିବାକୁ ଚାହିଁଲେ ସବୁ ଲୋକଙ୍କ ପରି ତାଙ୍କୁ ବି ଏଥିପାଇଁ ଅନୁମତି ଆହରଣ କରିବାକୁ ପଡ଼ିବ।

ଟ୍ରମ୍ପ୍‌ ତାଙ୍କର ନିର୍ବାଚନରେ ହାରିଯିବାଟାକୁ ସ୍ୱୀକାର କରୁ ନଥିବାରୁ ତାଙ୍କର ବହୁ ସମର୍ଥକ ଏବଂ ରିପବ୍ଲିକାନ ଦଳର ଅନେକେ ବାଇଡେନଙ୍କୁ “ବିଜେତା” ବୋଲି କହୁ ନାହାନ୍ତି। ଟ୍ରମ୍ପ୍‌ ଯେ କାହିଁକି ଜାଣିଶୁଣି ଏପରି କରୁଛନ୍ତି ତାର କାରଣ ମଧ୍ୟ ରହିଛି। ପ୍ରଥମ କଥା ହେଲା ଯେ କୌଣସି ଜାଗାରେ ତାଙ୍କର ମୋକଦ୍ଦମାଟା ଯଦି ସଫଳ ହୋଇଯାଏ ତେବେ ସେଇଠୁ ତାଙ୍କ ପାଇଁ ବାଟ ଫିଟିଯିବ। କ୍ଷମତାରେ ଥିବା ଅବସରରେ ସେ ଓ ତାଙ୍କ ସହଯୋଗୀମାନେ ଅନେକ ବେଆଇନ କାମ କରିଛନ୍ତି। ସହଯୋଗୀମାନଙ୍କୁ ଜେଲ୍‌କୁ ନଯିବା ପାଇଁ ଓ ଯେଉଁମାନେ ଜେଲ୍ ଯାଇଛନ୍ତି ସେମାନଙ୍କୁ ପୂରାପୂରି ଖଲାସ କରିଦେବା ପାଇଁ ଟ୍ରମ୍ପ୍‌ ସମସ୍ତଙ୍କୁ କ୍ଷମା ଦେଇ ପାରିବେ। ନିଜକୁ ମଧ୍ୟ ନିଜର ଦୋଷଗୁଡ଼ିକ ପାଇଁ କ୍ଷମା ଦେଇ ପାରିବେ ବୋଲି ସେ କହୁଛନ୍ତି। ଏ ବିଷୟରେ ଦେଶର ଆଇନଜ୍ଞମାନେ ଏକମତ ନୁହନ୍ତି। ଶେଷରେ ସୁପ୍ରିମ୍ କୋର୍ଟ ଦ୍ୱାରା ହିଁ ଟ୍ରମ୍ପ୍‌ ନିଜକୁ ନିଜେ କ୍ଷମା ଦେବା କଥାର ସମାଧାନ ହେବ। ରାଷ୍ଟ୍ରପତି ଭାବରେ କେବଳ ରାଷ୍ଟ୍ରୀୟ ସ୍ତରରେ ଘଟିଥିବା ଅପରାଧକୁ କ୍ଷମା ଦେବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି। ମାତ୍ର ପ୍ରାଦେଶିକ ସ୍ତରର ଅପରାଧକୁ କ୍ଷମା ଦେବାର ଶକ୍ତି ତାଙ୍କର ନାହିଁ। ଉଦାହରଣ ସ୍ୱରୂପ- ବ୍ୟାଙ୍କ୍‌କୁ ଜାଣିଶୁଣି ଭୁଲ୍‌ ତଥ୍ୟ ଯୋଗାଇବା, ଟିକସ ପଇଠ କରିବାରେ ସରକାରକୁ ଠକିବା, ଅନ୍ୟକୁ ପୈତୃକ ସମ୍ପତ୍ତିରୁ ନ୍ୟାଯ୍ୟ ଭାଗ ନଦେବା, ଇଲେକ୍‌ସନ୍‌ ପାଣ୍ଠିରୁ ଲାଞ୍ଚ ଦେଇ ସତ ଘଟଣା କହିବାକୁ ଯାଉଥିବା ସାକ୍ଷୀର ମୁହଁ ବନ୍ଦ କରିବା, ନାରୀ ଧର୍ଷଣ ଓ ନାରୀମାନଙ୍କ ଉପରେ ବଳାତ୍କାର- ଏପରି ଅଭିଯୋଗ ଗୁଡ଼ାକ ହେଲା ପ୍ରାଦେଶିକ ସ୍ତରର ଅପରାଧ। ଟ୍ରମ୍ପ୍‌ ରାଷ୍ଟ୍ରପତି ହେବାର ବହୁ ପୂର୍ବରୁ ଏସବୁ ଅଭିଯୋଗ ତାଙ୍କ ନାଆଁରେ ଆସିଥିଲା। ସାଧାରଣ ନାଗରିକ ଭାବରେ ଟ୍ରମ୍ପ୍‌ ଏ ସବୁର ସମ୍ମୁଖୀନ ହୋଇଥିଲେ। ମାତ୍ର ରାଷ୍ଟ୍ରପତି ହେବା ପରେ ମୋକଦ୍ଦମା ସବୁ ସ୍ଥଗିତ ରହିଲା। ଏବେ ପୁଣି ଥରେ ସେ ସାଧାରଣ ନାଗରିକ ସ୍ତରକୁ ଆସିଲେ ମୋକଦ୍ଦମା ଗୁଡ଼ାକ ପୁଣି ଆରମ୍ଭ ହେବ ଓ ପରିଣାମ ସ୍ୱରୂପ ତାଙ୍କୁ ଜେଲ୍‌କୁ ଯିବାକୁ ପଡ଼ିପାରେ।

ଆମେରିକା ତାର ରାଷ୍ଟ୍ରପତିଙ୍କୁ ରଜା ଭଳି ସର୍ବୋଚ୍ଚ ସମ୍ମାନ ଦେଇ କ୍ଷମତାରେ ବସାଏ। ମାତ୍ର ଦେଶର ଆଇନକୁ ଅବମାନନା କରି- କେବଳ ଊନବିଂଶ ଶତାବ୍ଦୀର ସିଭିଲ ୱାର ସମୟକୁ ଛାଡ଼ିଦେଲେ- କୌଣସି ରାଷ୍ଟ୍ରପତି ଏ ଯାବତ୍ ଜେଲ୍‌କୁ ଯାଇ ନାହାନ୍ତି। କିନ୍ତୁ ସିନେଟର, ବିଧାୟକ, ଗଭର୍ଣ୍ଣର, ମନ୍ତ୍ରୀମଣ୍ଡଳର ସଭ୍ୟ- ଏମିତି ବହୁ ତୋଖଡ଼ ଲୋକଙ୍କ ହାତରେ କଡ଼ି ପଡ଼ିଛି ଓ ସେମାନେ ସାଧାରଣ କଏଦୀଙ୍କ ସାଙ୍ଗରେ ମିଶି ଜେଲ୍‌ରେ ରହିଛନ୍ତି। ବଡ଼ ବଡ଼ ପଇସାବାଲା ବି ବାଦ୍ ପଡ଼ିନାହାନ୍ତି। ଟ୍ରମ୍ପ୍‌ଙ୍କୁ ଯଦି ଜେଲ୍ ଯିବାକୁ ପଡ଼େ ଏହା ହେବ ଆମେରିକାର ଇତିହାସରେ ପ୍ରଥମ। ଗତ ନିର୍ବାଚନରେ ଆଉ କେତେ ଗୁଡ଼ିଏ କଥା ମଧ୍ୟ ପ୍ରାଞ୍ଜଳ ହୋଇ ଯାଇଛି। ସେଇଟା ଅନେକଙ୍କ ପାଇଁ ଚିନ୍ତାର ବିଷୟ। ଗତ ନିର୍ବାଚନରେ ଡିମୋକ୍ରାଟିକ୍‌ ଦଳ ବହୁ ଅଧିକ ସଂଖ୍ୟାରେ ଲୋକସଭାକୁ ଆସିବ ବୋଲି ଆଶା କରିଥିଲା। ମାତ୍ର ନିର୍ବାଚନ ପରେ ପ୍ରତିନିଧି ସଭାରେ (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ୍‌) ସଂଖ୍ୟାଗରିଷ୍ଠତା ବଜାୟ ରଖିଥିଲେ ହେଁ ରିପବ୍ଲିକାନ୍‌ମାନେ ୧୫ ଜଣ ଡିମୋକ୍ରାଟିକ୍‌ ସଭ୍ୟଙ୍କୁ ହରାଇଛନ୍ତି। ଡିମୋକ୍ରାଟ୍‌ମାନଙ୍କର ସଂଖ୍ୟ‌ା କମିଛି ଓ ରିପବ୍ଲିକାନ୍‌ମାନଙ୍କର ସଂଖ୍ୟା ବଢ଼ିଛି। ଟ୍ରମ୍ପ୍‌ଙ୍କର ରିପବ୍ଲିକାନ୍‌ ସମର୍ଥକମାନେ ସମସ୍ତେ ସିନେଟରେ ବିଜୟୀ ହୋଇଛନ୍ତି। ଆଗାମୀ ଜାନୁଆରି ୪ ତାରିଖରେ ସିନେଟ ପାଇଁ ଜର୍ଜିଆ ପ୍ରଦେଶରେ ପୁଣି ଥରେ ଭୋଟ ହେବ। ଡିମୋକ୍ରାଟ୍‌ମାନେ ଯଦି ସେଠାର ଦୁଇଟି ଯାକ ସ୍ଥାନ ଦଖଲ ନ କରନ୍ତି ତେବେ ସିନେଟ ବର୍ତ୍ତମାନ ଭଳି ପୁଣି ରିପବ୍ଲିକାନ୍‌ମାନଙ୍କ ହାତରେ ରହିବାର ସମ୍ଭାବନା ରହିଛି। ନିର୍ବାଚନ ଦିନ ପର୍ଯ୍ୟନ୍ତ କୋଭିଡରେ ୨ ଲକ୍ଷ ତିରିଶ ହଜାର ଲୋକ ମରିଥିଲେ। ଟ୍ରମ୍ପ୍‌ଙ୍କ ଅପାରଗତା ଯୋଗୁ ଏତେ ଲୋକ ଆକ୍ରାନ୍ତ ହୋଇ ମରିଛନ୍ତି ବୋଲି ବିଶେଷଜ୍ଞମାନେ ବାରମ୍ବାର କହୁଛନ୍ତି। ବାଇଡେନ୍ ଦେଶବାସୀଙ୍କ ଆଗରେ ପରିସ୍ଥିତିଟିକୁ ଖୋଲାଖୋଲି ଭାବରେ ବିଶ୍ଳେଷଣ କରି ବୁଝେଇଛନ୍ତି ଯେ ଦେଶରୁ ଏ ରୋଗଟି ଦୂର ନହେଲେ ଦେଶର ଅର୍ଥନୀତି କେବେ ହେଲେ ସୁଧୁରିବ ନାହିଁ। ତାହା ସତ୍ତ୍ୱେ ସାତ କୋଟି ଲୋକ ଟ୍ରମ୍ପ୍‌ଙ୍କୁ ସମର୍ଥନ କରି ଭୋଟ୍‌ ଦେଲେ। ସହର ତଳି ଅଞ୍ଚଳରେ ବାସ କରୁଥିବା ଉଚ୍ଚ ଶିକ୍ଷିତା, ଅର୍ଦ୍ଧ ଶିକ୍ଷିତା ଓ ଅଳ୍ପ ଶିକ୍ଷିତା ମହିଳାମାନେ ଟ୍ରମ୍ପ୍‌ଙ୍କୁ ବହୁ ସଂଖ୍ୟାରେ ସମର୍ଥନ କରିଛନ୍ତି। କଳା ଲୋକଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି ଯେତେ ଯୁଆଡ଼େ କୁହାଗଲେ ମଧ୍ୟ ଦେଶର ରାଜନୀତି କ୍ଷେତ୍ରରେ ରାଷ୍ଟ୍ରପତି ଟ୍ରମ୍ପ୍‌ “ଧର୍ମ”କୁ ସ୍ଥାନ ଦେଇଛନ୍ତି ବୋଲି ଖ୍ରୀଷ୍ଟିୟାନ ଧର୍ମରେ ବିଶ୍ୱାସ କରୁଥିବା ଗୋରା ଓ କଳା ଲୋକମାନେ, ବିଶେଷ କରି କଳା ସମ୍ପ୍ରଦାୟର ଧର୍ମଧ୍ୱଜୀ ଯୁବକ ଗୋଷ୍ଠୀ ଟ୍ରମ୍ପ୍‌ଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେଇଥିବା ଜଣାପଡ଼ିଛି। ଫଳରେ ପୂର୍ବରୁ ଠିଆ ହୋଇଥିବା ପ୍ରାର୍ଥୀମାନଙ୍କ ତୁଳନାରେ ଟ୍ରମ୍ପ୍‌ଙ୍କୁ ଅଧିକ ଭୋଟ୍ ମିଳିଛି। ଏଥିରେ ଟ୍ରମ୍ପ୍‌ ଖୁସି ହେବାର କଥା। ମାତ୍ର ହାରିଯିବା ଫଳରେ ତାଙ୍କ ମନଟି ପାଣିଚିଆ ପାଲଟି ଯାଇଛି। ସମ୍ଭବତଃ ତାଙ୍କର ଆଉ ଏକ ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଛି।

ବିଭିନ୍ନ ଦେଶର ମୁଖ୍ୟ ନେତାମାନଙ୍କୁ ତୁଳନା କରି ସେ ଭାବିଥିଲେ ଯେ ସେ ଜଣେ ଅତି ଧନୀ ଓ ବୁଦ୍ଧିମାନ ଲୋକ। ଅନ୍ୟ ଦେଶର ନେତାମାନେ ଯଦି ତାଙ୍କ ଦେଶକୁ ହୁକୁମ୍ ଦେଇ ଶାସନ କରି ପାରୁଛନ୍ତି ସେ ମଧ୍ୟ ସେଭଳି ନିଜ ଦେଶରେ କରି ପାରିବେ। ସେଥିପାଇଁ ଗଣତନ୍ତ୍ରର କେତେକ ମୌଳିକ କଥାକୁ ସେ ବେଖାତର କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସରକାରୀ ବିଭାଗରେ ଘନ ଘନ ବଦଳି କରିଛନ୍ତି। ନିଜକୁ ସର୍ବମୁଖ୍ୟ ଭାବରେ ପ୍ରତିପାଦନ କରିବା ହିଁ ଥିଲା ଏ ଭଳି କାର୍ଯ୍ୟର ଉଦ୍ଦେଶ୍ୟ ବୋଲି ବୁଝିବାକୁ ହେବ। “‌ନିଜର ହୋଟେଲ ଓ ଗଲ୍‌ଫ କ୍ଲବ୍‌କୁ ଯେମିତି ସରକାରୀ ପଇସା ଆସୁଛି, ସେମିତି ସରକାରୀ ପଇସା ଆସୁଥିବ। ନିଜର ବ୍ୟବସାୟ ଚାଲିଥିବ। ପୁଅ, ଝିଅ, ଜ୍ୱାଇଁ ଏବଂ ପାଖ ଲୋକଙ୍କର ସ୍ୱାର୍ଥ ଓ ସଦିଚ୍ଛା ସାହାଯ୍ୟରେ ସେ ନିଜେ କ୍ଷମତାରେ ଥିବେ। ଅନ୍ୟ ଦେଶ ପରି ଏଠା ଲୋକେ ତାଙ୍କର କରିତ୍‌କର୍ମା ବ୍ୟକ୍ତିତ୍ୱକୁ ମାନି ତାଙ୍କ ନିର୍ଦ୍ଦେଶମତେ ଚାଲିଥିବେ।’’ ଏବେ ତାଙ୍କର ଡିକ୍ଟେଟର ବା ଏକଛତ୍ରବାଦୀ ହେବାର ସେ ସ୍ୱପ୍ନଟା ଭାଙ୍ଗିଗଲା। କଥାଟା ତାଙ୍କୁ ବୋଧହୁଏ ଖୁବ୍‌ ବାଧୁଛି।

ଏବେ ରିପବ୍ଲିକାନ ଦଳ ଭିତରେ ଟ୍ରମ୍ପ୍‌ଙ୍କର ଆସନ ଖୁବ୍ ବଳବତ୍ତର। କାରଣ ରାଜନୀତି ବାହାରେ ରହି କାମ କରୁଥିବା ଅନେକ ଗୋଷ୍ଠୀ ଓ ଲୋକଙ୍କୁ ସେ ଦଳ ଭିତରକୁ ଆଣିଛନ୍ତି। ଟ୍ରମ୍ପ୍‌ଙ୍କ “ଆମେରିକା ପ୍ରଥମ” କଥାଟା ସେମାନଙ୍କୁ ଉଦ୍‌ବୁଦ୍ଧ କରିଛି। ତା’ ଛଡ଼ା ନିର୍ବାଚନରେ ଦେଖାଗଲା ଯେ ଟ୍ରମ୍ପ୍‌ ହାରିଗଲେ ସୁଦ୍ଧା ତାଙ୍କ ପଛରେ ବହୁତ ଲୋକ ଅଛନ୍ତି। ଆଗାମୀ ନିର୍ବାଚନ ବେଳେ ନିଜ ନିଜ ଜାଗାରେ ଏହି ଲୋକମାନେ ହିଁ ସାହାଯ୍ୟ କରିବେ। ସେଥିପାଇଁ ଅନେକ ରିପବ୍ଲିକାନ ସତ କଥାଟା ଟ୍ରମ୍ପ୍‌ଙ୍କୁ କହି ତାଙ୍କ ମନରେ କଷ୍ଟ ଦେବାକୁ ଚାହୁଁ ନାହାନ୍ତି। ଚୁପ୍‌ ହୋଇ ରହୁଛନ୍ତି।
ଫ୍ରେଡେରିକ୍, ମେରିଲ୍ୟାଣ୍ଡ
[email protected]

ସମ୍ବନ୍ଧିତ ଖବର