ସବୁ ପ୍ରଦେଶରୁ ଇଲେକ୍ଟୋରାଲ କଲେଜମାନେ ବାଇଡେନ୍‌ଙ୍କ ଜିତିବାକୁ ସ୍ୱୀକାର କରି ସାରିଲେଣି। ଜାନୁଆରି ୨୦ ତାରିଖରେ ବାଇଡେନ୍ ନୂଆ ରାଷ୍ଟ୍ରପତି ହେବା ନିଶ୍ଚିତ। ମାତ୍ର ଗତ ନିର୍ବାଚନରେ ଭୋଟ ପାଇ ଜିତି ନଥିଲେ ମଧ୍ୟ ଡୋନାଲ୍‌ଡ ଟ୍ରମ୍ପ ଏ ଯାବତ୍ ହାର ମାନି ନାହାନ୍ତି। ଠକାମି କରି ତାଙ୍କ ଭୋଟଗୁଡ଼ାକୁ ବାଇଡେନ୍‌ଙ୍କ ଲୋକମାନେ ଚୋରି କରି ନେଇ ଯାଇଛନ୍ତି ବୋଲି ସେ ବିଭିନ୍ନ ଭାବରେ କହି ଚାଲିଛନ୍ତି। ଅଥଚ ଏହାର ଗୋଟିଏ ହେଲେ ପ୍ରମାଣ ସେ କୌଣସି କୋର୍ଟରେ ଦେଇ ପାରି ନାହାନ୍ତି। ସେଥିପାଇଁ ତାଙ୍କ କଥାକୁ ଏବେ କେହି ଶୁଣୁ ନାହାନ୍ତି। କ୍ଷମତାରୁ ବହିଷ୍କୃତ ହେବା ଯେ ଅବଶ୍ୟମ୍ଭାବୀ ଏ କଥା ସେ ଜାଣି ମଧ୍ୟ ନ ଜାଣିଲା ପରି କାରବାର ଚଳାଇଛନ୍ତି। ଗତ ଚାରି ବର୍ଷ ହେଲା ଆମେରିକାର ରାଷ୍ଟ୍ରୀୟ ସରକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ରୁଚି ଅନୁଯାୟୀ କାମ କରି ଆସୁଥିଲା। ଅନେକ ଲୋକ ଦେଶ ପାଇଁ ଉତ୍ସାହର ସହିତ ଟ୍ରମ୍ପଙ୍କ ସରକାରରେ ଯୋଗ ଦେଇଥିଲେ। କିଛି ଦିନ ପରେ ରାଷ୍ଟ୍ରପତିଙ୍କ କାରବାର ଦେଖି ଚାକିରି ଛାଡ଼ି ଥିଲେ, ନହେଲେ ରାଷ୍ଟ୍ରପତିଙ୍କ କଥା ନ ମାନିବାରୁ ଚାକିରିରୁ ଛଟେଇ ହୋଇଥିଲେ। ଫଳରେ ଟ୍ରମ୍ପଙ୍କ ସରକାରର କେତେକ ବିଭାଗରେ ବହୁ ଦିନ ହେଲା ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ ଅସ୍ଥାୟୀ ଭାବରେ ରଖାଯାଇଥିଲା। ଯେଉଁମାନେ ସର୍ବୋଚ୍ଚ କର୍ତ୍ତା ରୂପେ ସ୍ଥାୟୀ ଭାବରେ ଚାକିରି ପାଆନ୍ତି ସେମାନଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି; କିନ୍ତୁ ସିନେଟ ସେମାନଙ୍କୁ ସମର୍ଥନ ଜଣାଏ। ସେଥିପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ସିନେଟ ତରଫରୁ ଏକ ଛୋଟିଆ କମିଟିର ସମ୍ମୁଖୀନ ହେବାକୁ ହୁଏ। କମିଟିର ଅଧିକାଂଶ ସଭ୍ୟ ସମର୍ଥନ କରୁଥିଲେ, ପ୍ରାର୍ଥୀଙ୍କ ନାଆଁ ସିନେଟକୁ ଆସେ ବିଚାର ପାଇଁ। କମିଟି ଦ୍ୱାରା ପ୍ରସ୍ତାବିତ ନାଆଁକୁ ସିନେଟ ପ୍ରତ୍ୟାଖ୍ୟାନ କରିବା ପ୍ରାୟ କ୍ୱଚିତ ଦେଖାଯାଏ। କମିଟି ଓ ସିନେଟ ବାଟ ଦେଇ ଯାଉଥିବା ପ୍ରାର୍ଥୀଙ୍କୁ ବିଭିନ୍ନ ଭାବରେ ଜେରା କରାଯାଏ। ‌ପିଲା ଦିନରୁ ଏ ପର୍ଯ୍ୟନ୍ତ ଘଟିଥିବା ତାଙ୍କ ଜୀବନର ସବୁ ଘଟଣା, ସବୁ ସମ୍ପର୍କ, ସବୁ ଦେଣନେଣର ଯାଞ୍ଚ ପରତାଳ ହୁଏ। ରାଷ୍ଟ୍ରଦୂତ, ସେକ୍ରେଟାରି, ସୁପ୍ରିମ କୋର୍ଟ ଓ ଅନ୍ୟ ରାଷ୍ଟ୍ରୀୟ କୋର୍ଟର ବିଚାରପତିମାନେ ଏପରି ପରୀକ୍ଷା ନିରୀକ୍ଷା ଭିତର ଦେଇ ଯାଆନ୍ତି। କଲେଜରେ ପଢୁଥିବା ବେଳେ କିଏ କି ପ୍ରକାରର ପ୍ରବନ୍ଧ ଲେଖିଥିଲା, କେଉଁ ବିଚାର ବା କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିଲା, ଏମିତି କୌଣସି କଥା ବାଦ ପଡ଼େନା। ଅତୀତର ଲଜ୍ଜାଜନକ କଥାଗୁଡ଼ାକ ପଦାରେ ପଡ଼ିବ ବୋଲି ଭୟ କରି ଅନେକେ ଏହାକୁ ସୀତାଙ୍କ ଅଗ୍ନି ପରୀକ୍ଷା ଠାରୁ ଅଧିକ ଦୁର୍ବିଷହ ଭାବି ପ୍ରାର୍ଥିତ୍ୱରୁ ଓହରି ଯାଆନ୍ତି। ମାତ୍ର ଅସ୍ଥାୟୀ ଭାବରେ କାମ ଚଳାଇବା ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଲୋକେ ( ସୁପ୍ରିମ କୋର୍ଟ ଏଭଳି କ୍ଷମତାର ବାହାରେ) ନିଜ ନିଜ ବିଭାଗରେ କୌଣସି ନୀତିଗତ ପରିବର୍ତ୍ତନ ଆଣିବାକୁ ଗଲେ ଚାରିଆଡୁ ଆପତ୍ତି ଉଠେ। ସିନେଟରୁ ସମର୍ଥନ ନ ପାଇ କାମ କରୁଥିଲେ ବିଭାଗୀୟ ମୁଖ୍ୟମାନଙ୍କର ଗୁରୁତ୍ବ ଓ ଖାତିର ସେତେ ନଥାଏ।

Advertisment

ଜୋ ବାଇଡେନ୍ ସିନେଟର ଥିବା ବେଳେ ‘ବହିର୍ଦେଶ ସହିତ ସମ୍ପର୍କ’ କମିଟିର ଚେୟାରମ୍ୟାନ୍‌ ଓ ତା’ ପୂର୍ବରୁ ସେ କମିଟିର ସଦସ୍ୟ ଥିଲେ। ଆଠ ବର୍ଷ କାଳ ଓବାମାଙ୍କର ଉପରାଷ୍ଟ୍ରପତି ରହିଲା ପରେ ଦୁନିଆର ବିଭିନ୍ନ ଦେଶର ଗତିବିଧି ତାଙ୍କୁ ବେଶ୍ ଜଣା। ସେ ତ ବାରାମ୍ବାର କହି ଆସିଛନ୍ତି ଯେ ‘ଆମେରିକା ପ୍ରଥମ’ ମାନେ ଆମେରିକା ଏକୁଟିଆ ଓ ଆମେରିକା ବନ୍ଧୁହୀନ। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ଦିନ ହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଘ, ପ୍ୟାରିସରେ ଘଟିଥିବା ଜଳବାୟୁ ଚୁକ୍ତି ଭଳି ବିଶ୍ୱ ସଂସ୍ଥାରେ ସେ ଆମେରିକାକୁ ଯୋଗ କରିବେ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପ ଏ ସବୁରୁ ବାହାରି ଆସିଥିଲେ। ଦେଖାଯାଉଛି ଯେ ଚାରିଆଡ଼ର ଜଳବାୟୁ ଅଧିକରୁ ଅଧିକ ଭାବରେ ଉତ୍ତପ୍ତ ହୋଇ ଚାଲିଛି। ମେରୁ ଅଞ୍ଚଳରେ ବରଫ ତରଳିବା ଫଳରେ ସମୁଦ୍ରର ଆୟତନ ଓ ଉତ୍ତାପ ବଢୁଛି; ଲୁଣି କମୁଛି। ବରଫାବୃତ ଭୂମିରେ ବାସ କରୁଥିବା ‌ମେରୁ ଭାଲୁ, ପେଙ୍ଗୁଇନଙ୍କ ସମେତ ତିମି ଓ ସମୁଦ୍ରର ସିଂହ ( ସି ଲାଇଅନ୍) ମାନଙ୍କର ମୃତ୍ୟୁ ଘଟୁଛି। ତା’ ସାଙ୍ଗକୁ ବାତ୍ୟା, ବନ୍ୟା, ମରୁଡ଼ି, ଅତିରିକ୍ତ ବର୍ଷା ହେଉଛି। ତେଣୁ ଜଳବାୟୁର ପରିସ୍ଥିତିକୁ ସୁଧାରିବା ବାଇଡେନ୍‌ଙ୍କ ପାଇଁ ଏକ ଅନିବାର୍ଯ୍ୟ ବିଷୟ ହୋଇଛି। ସେଥିପାଇଁ ସେ ତାଙ୍କର ପୁରୁଣା ବନ୍ଧୁ ଜନ୍ କେରିଙ୍କୁ ନିଜ ତରଫରୁ ଜଳବାୟୁ ମାମଲା ପାଇଁ ସବୁ କାମ କରିବାକୁ କ୍ୟାବିନେଟ ପାହ୍ୟା ଦେଇ ସରକାରକୁ ଆଣିଛନ୍ତି। ଏଥି ପୂର୍ବରୁ କେରି ଥିଲେ ଓବାମାଙ୍କର ବୈଦେଶିକ ସେକ୍ରେଟାରି। ତା’ ପୂର୍ବରୁ ବାଇଡେନ୍‌ଙ୍କ ପରି ସେ ମଧ୍ୟ ସିନେଟର ବୈଦେଶିକ ସମ୍ପର୍କ କମିଟିର ଚେୟାରମ୍ୟାନ୍‌ ଥିଲେ।

ଦେଶ ଭିତରେ ଅନ୍ତରୀଣ ମାମଲାକୁ ସମ୍ଭାଳିବା ପାଇଁ ସୁଜାନ ରାଇସଙ୍କୁ ଅଣା ଯାଇଛି। ସେ ଆଗରୁ ବଡ଼ ପାହ୍ୟାରେ, ରାଷ୍ଟ୍ରୀୟ ସୁରକ୍ଷା କମିଟିର ମୁଖ୍ୟ ଥିଲେ। ତା’ ପୂର୍ବରୁ ସେ ଜାତିସଂଘରେ ପ୍ରତିନିଧି ଥିଲେ। ଆମେରିକା‌େର ପଛରେ ପଡ଼ିଥିବା ଲୋକମାନଙ୍କ ପାଖରେ ସରକାରୀ ସାହାଯ୍ୟ କେମିତି ପହଞ୍ଚିବ- ଏଥିପାଇଁ ବାଟ ସୁଗମ କରିବାଲାଗି ଦାୟିତ୍ୱ ଏବେ ତାଙ୍କର। ସେମିତି ସାମ୍ ଡନାଭାନ୍ ଥିଲେ ରାଷ୍ଟ୍ରପତି ବାରାକ୍ ଓବାମାଙ୍କର ଚିଫ୍‌ ଅଫ୍‌ ଷ୍ଟାଫ୍‌- ଏକ ଶକ୍ତିଶାଳୀ ଆସ୍ଥାନ। ମିଲିଟାରିରୁ ରିଟାୟାର୍ଡ ହୋଇଥିବା ଲୋକଙ୍କର ସେବା ପାଇଁ ତାଙ୍କୁ ଦାୟିତ୍ୱ ଦିଆ ଯାଇଛି। ଅପେକ୍ଷାକୃତ ତଳ ପାହ୍ୟା। ମାତ୍ର ପରିସ୍ଥିତିର ଗୁରୁତ୍ୱକୁ ଦେଖି ସେ ଏହି ଦାୟିତ୍ୱ ପାଇଁ ରାଜି ହୋଇଛନ୍ତି। ଏବେ କମଳା ହାରିସ୍ ହୋଇଛନ୍ତି ବାଇଡେନ୍‌ଙ୍କର ସହଯୋଗୀ। ଉପରାଷ୍ଟ୍ରପତି ପଦର ଅଧିକାରିଣୀ। କମଳାଙ୍କର ମାଆ ଶ୍ୟାମଳା ଗୋପାଳନ ଥିଲେ ତାମିଲନାଡୁର ଝିଅ। କମଳା ନିଜେ ବି ତାମିଲ କହି ପାରନ୍ତି। ଉପରାଷ୍ଟ୍ରପତିଙ୍କ ସାଙ୍ଗକୁ ସରକାରୀ ବଜେଟ ଅଫିସକୁ ମୁଖ୍ୟ ଭାବରେ ଆସିବେ ନୀରା ଟଣ୍ଡନ। ତାଙ୍କ ମାଆ ମାୟା ହେଲେ ଭାରତୀୟ। ସେ ‘କାଉନ୍‌ସିଲ ଫର୍‌ ଆମେରିକାନ୍ ପ୍ରଗ୍ରେସ୍’ର ମୁଖ୍ୟ ଓ ହିଲାରୀ କ୍ଲିଣ୍ଟନଙ୍କର ସମର୍ଥକ। କମଳା ଓ ନୀରାଙ୍କ ସାଙ୍ଗକୁ ଆମେରିକାର ସର୍ଜନ ଜେନେରାଲ ବା ମୁଖ୍ୟ ଡାକ୍ତର ଭାବରେ ଆସିବେ ବିବେକ ମୂର୍ତ୍ତି। ବର୍ତ୍ତମାନ ସେ ବାଇଡେନ୍‌ଙ୍କ କରୋନା ଭାଇରସ୍‌କୁ ଆୟତ୍ତ କରିବାକୁ ଗଢ଼ା ଯାଇଥିବା ଉପଦେଷ୍ଟା କମିଟିର ସଭ୍ୟ। ଓବାମାଙ୍କ ଅମଳରେ ମଧ୍ୟ ସେ ସର୍ଜନ ଜେନେରାଲ ଥିଲେ। ଏ ତିନି ଜଣଙ୍କୁ ଛାଡ଼ିଦେଲେ ରାଷ୍ଟ୍ରଦୂତ, ଡାଇରେକ୍ଟର, ଅଣ୍ଡର ସେକ୍ରେଟାରି, ସରକାରୀ ଓକିଲ, ବିଚାରପତି, ଭିନ୍ନଭିନ୍ନ କମିଟି ଓ କମିସନର ସଭ୍ୟ ଭାବରେ ଅନେକ ଭାରତୀୟ ବାଇଡେନ୍-ହାରିସ୍ ସରକାର ଭିତରକୁ ଆସିବେ, ସନ୍ଦେହ ନାହିଁ। ସେମାନେ ସମସ୍ତେ ହେଲେ ନୂଆ ପିଢ଼ିର ଭାରତୀୟ-ଆମେରିକାନ୍। ସେମାନଙ୍କର ଚେର ଭାରତରେ ଥିଲେ ମଧ୍ୟ ଆମେରିକାର ସ୍ୱାର୍ଥ ରକ୍ଷା ପାଇଁ ଆମେରିକାନ୍ ଭାବରେ ସେମାନେ କାମ କରି ଚାଲିବେ।

ଜୋ ବାଇଡେନ୍ ଅନେକ ଦିନ ତଳେ କଥା ପ୍ରସଙ୍ଗରେ ବିସ୍ମୟ ପ୍ରକାଶ କରିଥିଲେ ଯେ ଯେଉଁଠାରେ ବି ସେ ୭-୧୧ ଷ୍ଟୋରକୁ ଯାଉଛନ୍ତି ସେଠାରେ ସେ ଦେଖୁଛନ୍ତି ଜଣେ ଭାରତୀୟକୁ। ୭-୧୧ ଷ୍ଟୋରର ମାଲିକ କେହି ଆମେରିକାନ ନୁହନ୍ତି କାହିଁକି ବୋଲି ସେ ନିଜକୁ ନିଜେ ପ୍ରଶ୍ନ କରିଥିଲେ। ତାଙ୍କର ଏଭଳି ଉକ୍ତିରେ ଭାରତୀୟ ମହଲରେ ସେତେବେଳେ ତାଙ୍କୁ ସମାଲୋଚନା କରାଯାଇଥିଲା। ୭-୧୧ ଷ୍ଟୋରରେ ଖଟୁଥିବା ଲୋକେ ମଧ୍ୟ ଆମେରିକାକୁ ଟ୍ୟାକ୍‌ସ ଦିଅନ୍ତି ବୋଲି ତାଙ୍କୁ କୁହାଯାଇଥିଲା। ବାଇଡେନ୍ ନିଜର ଏଭଳି ଉକ୍ତି ପାଇଁ ଦୁଃଖ ପ୍ରକାଶ କରିଥିଲେ। ସମସ୍ତେ ଜାଣନ୍ତି ଯେ କହିଲା ବେଳେ ଅନେକ ସମୟରେ ବାଇଡେନ୍ ପ୍ରଗଳ୍‌ଭତା ଦେଖାନ୍ତି। ମାତ୍ର ବାଇଡେନ୍‌ଙ୍କର ଅଭିଜ୍ଞତା, ହୃଦ୍‌ବତ୍ତା ଓ ସମ୍ବେଦନଶୀଳତା ରହିଛି। ସେଥି ଯୋଗୁ ବାରାକ୍ ଓବାମା ତାଙ୍କୁ ନିଜର ସହଯୋଗୀ ଭାବରେ ବାଛିଥିଲେ। ୨୦୨୦ ମସିହାରେ ଆମେରିକାର ଅର୍ଥନୀତି ଅପେକ୍ଷାକୃତ ଦୁର୍ବଳ ଓ ଆମେରିକାର ‘ଆମେରିକା ପ୍ରଥମ’ ନୀତି ଉପହାସ ମୂଳକ ହୋଇଛି। ପୁଣି ଆଫଗାନିସ୍ତାନରେ ଶାନ୍ତି ଆଣିବା ପାଇଁ ଟ୍ରମ୍ପ ସରକାର ତାଲିବାନ ଗୋଷ୍ଠୀକୁ ଯେତେ ତଳିହାତ କଲେ ମଧ୍ୟ ସେମାନେ ଟ୍ରମ୍ପଙ୍କ କଥାରେ ହଁ ହାଁ ମାରି ଆଫଗାନ ସରକାରକୁ ଦୁର୍ବଳ କରି ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଲାଗିଛନ୍ତି। ଆଫଗାନିସ୍ତାନର ପାଣି ଗୋଳିଆ ରହିଲେ ପା‌କିସ୍ତାନକୁ କଙ୍କଡା ଧରିବା ପାଇଁ ସୁବିଧା ହେବ। ସେଥିପାଇଁ ପାକିସ୍ତାନର ମିଲିଟାରି କର୍ତ୍ତୃପକ୍ଷ ତାଲିବାନୀମାନଙ୍କୁ ଅର୍ଥ ଓ ସଦିଚ୍ଛା ଯୋଗାଇ ସେମାନଙ୍କୁ ଇଚ୍ଛା ମୁତାବକ କାମରେ ଲଗାଉଛନ୍ତି। ଟ୍ରମ୍ପଙ୍କର ମୁସଲମାନ ବିରୋଧୀ ନୀତି ଯୋଗୁ ଓ ପାକିସ୍ତାନକୁ ପ୍ରତିବର୍ଷ ଦିଆହୋଇ ଆସୁଥିବା ଆର୍ଥିକ ସାହାଯ୍ୟକୁ ଟ୍ରମ୍ପ ବନ୍ଦ କରି ଦେଇ ଥିବାରୁ ଆମେରିକା ସରକାର ପ୍ରତି ପାକିସ୍ତାନର କୌଣସି ଆନୁଗତ୍ୟ ଥିବା ଜଣାପଡୁନାହିଁ। ଆମେରିକା ଓ ଚୀନ ଭିତରେ ମୃଦୁ ମନୋମାଳିନ୍ୟ ସୃଷ୍ଟି ହୋଇଥିବା ବେଳେ ପାକିସ୍ତାନ ଏବେ ଆମେରିକାକୁ ଛାଡ଼ି ଚୀନ୍ ଆଡ଼େ ପୂରାପୂରି ମୁହାଁଇଲା ପରି ଜଣାପଡୁଛି।

ଏ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ସରକାର ଟ୍ରମ୍ପଙ୍କ ମୁସଲମାନ ବିରୋଧୀ ବ୍ୟବହାର ସହିତ ତାଳ ମିଳାଇ କାର୍ଯ୍ୟ କରୁଥିଲା। ମୋଦୀ ଓ ଟ୍ରମ୍ପଙ୍କ ଭିତରେ ଥିବା ସଦିଚ୍ଛାକୁ ଆଗରେ ରଖି କେତେକ ବ୍ୟବସାୟୀ ଟ୍ରମ୍ପ ହୋଟେଲ୍ ଗଢ଼ିବା ପାଇଁ ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରଠାରେ ଜାଗା ନେଇଛନ୍ତି। ଦୁଇ ବର୍ଷ ତଳେ ଟ୍ରମ୍ପ ଓ ମୋଦୀ ପଚାଶ ହଜାର ଭଳି ଉପସ୍ଥିତ ଥିବା ଏକ ଭାରତୀୟ ସମାବେଶରେ ଭାଷଣ ଦେଇଥିଲେ। ଏତେ ଲୋକଙ୍କୁ ଟେକ୍‌ସାସରେ ଏକାଠି କରି ପାରି ଥିବାରୁ ମୋଦୀ ଯେ ଜଣେ ଟାଣୁଆ ନେତା ଏ ଭଳି ବିଶ୍ୱାସ ଟ୍ରମ୍ପଙ୍କର ହୋଇଥିଲା। ମାତ୍ର ବାଇଡେନ୍‌ ଆସିବା ପରେ ମୋଦୀ ସରକାରକୁ ଅଲଗା ପ୍ରକାରେ ହିସାବ କରିବାକୁ ପଡ଼ିବ। ପୂର୍ବର ମୁସଲମାନ ବିରୋଧୀ କାର୍ଯ୍ୟକ୍ରମକୁ ବାଇଡେନ୍‌ଙ୍କ ଗୋଷ୍ଠୀ ଏବଂ ଏଠା ଲୋକ-ପ୍ରତିନିଧି-ସଭାର ଭାରତୀୟ ସଭ୍ୟମାନେ ଶୁଭ ଦୃଷ୍ଟିରେ ଦେଖିବେ ନାହିଁ। ଏଠା ବିଧାନ କକ୍ଷରେ ଥିବା ଭାରତୀୟ ସଭ୍ୟମାନଙ୍କର ‘ସିଙ୍ଗଡା କ୍ଲବ୍‌’ର ପ୍ରମିଳା ଜୟପାଳ, ରୋ ଖାନ୍ନା, ଆମି ବେରା ପ୍ରମୁଖ ମୋଦୀଙ୍କର ବିଭିନ୍ନ ନୀତିକୁ ସମାଲୋଚନା କରି ସାରିଲେଣି। ଏଣୁ ଆମେରିକା ସହିତ ଭଲ ସମ୍ପର୍କ ରଖିବା ପାଇଁ ହେଲେ ମୋଦୀ ସରକାରର ଆଗ ମନୋଭାବକୁ ବଦଳାଇବାକୁ ପଡ଼ିବ।
ଫ୍ରେଡେରିକ୍, ୟୁ.ଏସ୍.ଏ.
[email protected]