ଆମେରିକାରୁ ପତ୍ର, କରୋନା ବେଳେ ଆମେରିକା

ଅନାଦି ନାୟକ

କରୋନା ଭାଇରସ୍‌ର ଉତ୍ପାତରେ ଆଜି ସୁଦ୍ଧା ସାରା ଦୁନିଆରୁ ପଚିଶ ଲକ୍ଷ ଲୋକ ଆକ୍ରାନ୍ତ ହୋଇ ଏକ ଲକ୍ଷ ଏକସ୍ତରି ହଜାର ମରିଛନ୍ତି ବୋଲି ଖବର ମିଳିଛି। ଆମେରିକାରେ ଆକ୍ରାନ୍ତ ହୋଇ ଏହି ରୋଗରେ ମରିଥିବା ଲୋକଙ୍କ ସଂଖ୍ୟା ହେଲା ୪୨ ହଜାର। ରୋଗୀ ଓ ମୃତ ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ କେହି କହି ପାରୁ ନାହାନ୍ତି। ଆମେରିକାର ସରକାରୀ ମହଲରେ ଟ୍ରମ୍ପ୍‌ ଓ ତାଙ୍କ ଲୋକେ ବ୍ୟବସାୟ, ଦୋକାନ-ବଜାର, କାରଖାନା ଇତ୍ୟାଦି ଖୋଲିବାକୁ ଉତ୍ସୁକ ଥିଲେ ବି ପ୍ରାଦେଶିକ ସ୍ତରରେ ଏଥିପାଇଁ ସହଯୋଗ ମିଳୁନାହିଁ। ବିଶେଷଜ୍ଞମାନେ କହୁଛନ୍ତି ଯେ କରୋନା ଭାଇରସ୍‌ ପୂରାପୂରି କରାୟତ୍ତ ହେଲାଣି ବୋଲି ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଚାରିଆଡ଼ ଖୋଲା ହେବ ତ ପୁଣି ଥରେ ରୋଗ ବ୍ୟାପିବ ଓ ଅବସ୍ଥା ଅସମ୍ଭାଳ ହେବ। ଏଣୁ ଅବସ୍ଥାକୁ ଚାହିଁ ବ୍ୟବସ୍ଥା କରିବାକୁ ସେମାନଙ୍କର ପରାମର୍ଶ।

କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ଲୋକଙ୍କ ଉପସ୍ଥିତି ଜଣା ନ ପଡ଼ି ଥିବାରୁ ଆର୍କାନ୍‌ସସ ପରି ପ୍ରଦେଶମାନଙ୍କରେ ବନ୍ଦବାନ୍ଦ ବ୍ୟବସ୍ଥା ନ ଥିଲା। ମାତ୍ର ସେ ସବୁ ଅଞ୍ଚଳରେ ବହୁସଂଖ୍ୟକ ରୋଗୀ ଦେଖାଦେଲେଣି। ବାଧ୍ୟ ହୋଇ ସେଠାର ପ୍ରାଦେଶିକ ସରକାରମାନେ ଅନ୍ୟ ସବୁ ଅଞ୍ଚଳ ପରି ଗତାଗତ ଓ ଗାଡ଼ି-ଘୋଡ଼ା ସବୁ ବନ୍ଦ କରିଛନ୍ତି। ଘର ଭିତରେ ରହିବା ପାଇଁ ସବୁ ଲୋକଙ୍କୁ କୁହାଯାଇଛି। ଅଳ୍ପ କେତେକ ବୃତ୍ତିର ଶ୍ରମିକଙ୍କୁ ଛାଡ଼ି ଦେଲେ ବାକି ସମସ୍ତେ ଘରୁ କାମ କରୁଛନ୍ତି ନ ହେଲେ ଛୁଟିରେ ଅଛନ୍ତି। ଉଦାହରଣ ସ୍ୱରୂପ ଜଣେ ପଡ଼ୋଶୀ ତାଙ୍କର ସଦ୍ୟ କିଣିଥିବା ଲୁଗାକଚା ଯନ୍ତ୍ରଟି ଠିକ ଭାବରେ କାମ ନ କରିବାରୁ ବିକ୍ରେତା ଷ୍ଟୋର୍‌କୁ ମିସ୍ତ୍ରି ପଠେଇବାକୁ ଫୋନ୍ କଲେ। ମାତ୍ର ମରାମତ କରିବା ଲୋକ ଏବେ ଘରେ ବସିଥିବାରୁ ଯନ୍ତ୍ର ପାଖକୁ ଆସୁଛି କିଏ? ଅଥଚ ଆମ ବାଡ଼ିରୁ ଘାସ କାଟିବା ପାଇଁ ନାଗୁଆ ଲୋକଟି ଆସି ଗତକାଲି ତା କାମ କରି ଦେଇ ଗଲା। ଖାଲି ଆମେରିକା ନୁହେଁ, ସମୁଦାୟ ଖ୍ରୀଷ୍ଟିୟାନ ଜଗତ୍‌ ପାଇଁ ‘ଇଷ୍ଟର୍’ ଦିନଟି ହେଲା ଏକ ଉତ୍ସବର ଦିନ। କ୍ରୁଶବିଦ୍ଧ ଯୀଶୁ କାଳେ ଏହି ଦିନ କବରରୁ ଉଠି ଦର୍ଶନ ଦେଇଥିଲେ ବୋଲି କଥିତ ଅଛି। ଏହି ପବିତ୍ର ଦିନରେ ଖ୍ରୀଷ୍ଟିୟାନମାନେ ଚର୍ଚ୍ଚକୁ ଯାଆନ୍ତି। ପ୍ରତ୍ୟେକ ଘରେ ଭୋଜିଭାତର ଆୟୋଜନ ହୁଏ। ଦୂର-ଦୂରାନ୍ତରୁ ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ ଏହି ଅବସରରେ ଘରକୁ ଆସନ୍ତି। କରୋନା ଭାଇରସ୍‌ ଯୋଗୁଁ ଏ ବର୍ଷ ସେ ସବୁ ହୋଇପାରିନାହିଁ। ଚର୍ଚ୍ଚର ପାଦ୍ରିମାନେ ସେମାନଙ୍କର ଇଷ୍ଟର ଦିନର ପ୍ରବଚନକୁ ଭିଡିଓ ମାଧ୍ୟମରେ ଦେଇ ଚର୍ଚ୍ଚର ସଭ୍ୟମାନଙ୍କୁ ନିଜ ନିଜ ଘରେ ପ୍ରାର୍ଥନା କରିବାକୁ କହିଛନ୍ତି। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଦୁଇ ଜଣରୁ ଅଧିକ ଲୋକ କୌଣସି ଜାଗାରେ ଠୁଳ ହେବାକୁ ବେଆଇନ କରିଛନ୍ତି। ଜେଲ୍ ଓ ଜରିମାନାର ଭୟ ମଧ୍ୟ ରହିଛି।

ଖ୍ରୀଷ୍ଟମାସ୍ ଓ ଇଷ୍ଟର ଭଳି ପର୍ବପର୍ବାଣିରେ ଲୋକମାନେ ଏଠି ଅନେକ ଜିନିଷ ନିଜ ପାଇଁ, ଘର ଓ ପିଲାଛୁଆଙ୍କ ପାଇଁ କିଣନ୍ତି। ଖାସ୍ କରି ଖେଳଣା ଓ ଚକୋଲେଟ ଦୋକାନରେ ଏହି ସମୟରେ ବହୁତ ଭିଡ଼ ହୁଏ। ଏବେ ତ କେହି କୁଆଡ଼େ ଯିବା ମନା। ତେଣୁ ଅନେକ ବ୍ୟବସାୟ ଦେବାଳିଆ ହେବା ଉପରେ। ଗୋଟିଏ ପଟେ ଦୋକାନ ମାନେ ଦେବାଳିଆ, ଅନ୍ୟ ପଟେ ଦୋକାନରେ କାମ କରୁଥିବା ଲୋକମାନଙ୍କର ଚାକିରି ଛାଡ଼। ଛୋଟ କାଟିଆ ବ୍ୟବସାୟୀ ଆମେରିକାରେ ୭୫% ଲୋକଙ୍କୁ କାମ ଦିଅନ୍ତି। ମାତ୍ର କରୋନା ଭାଇରସ୍ ଯୋଗୁ ଏହି ଛୋଟ ବେପାରୀମାନେ ବିପଦଗ୍ରସ୍ତ। ସେମାନଙ୍କ ସହିତ ଉଡ଼ାଜାହାଜ ତିଆରି କରୁଥିବା ବୋଇଂ କମ୍ପାନି, ମଟରଗାଡ଼ି ଉତ୍ପାଦକ ଜେନେରାଲ ମୋଟର୍ସ, ସବୁଠାରୁ ବଡ଼ ସାହୁକାର ଗୋଲ୍‌ଡମ୍ୟାନ୍ ସ୍ୟାକ୍‌ ପରି ସଂସ୍ଥାମାନେ କୋଟି କୋଟି ଟଙ୍କାର କ୍ଷତି ସହିଲେଣି। ଯଦି ସେମାନଙ୍କ ଭିତରୁ କେହି ଭୁଶୁଡ଼ି ପଡ଼େ, ତେବେ ହଜାର ହଜାର ଲୋକଙ୍କର ଜୀବିକା ବୁଡ଼ିବ। ସେଥିପାଇଁ ସେମାନଙ୍କୁ ବଞ୍ଚି ରହିବା ପାଇଁ ସାହାଯ୍ୟ କରିବାକୁ ସରକାର ବାଧ୍ୟ। ଏଇ ବଡ଼ ବଡ଼ କମ୍ପାନିମାନେ ଆମେରିକାର ପୁଞ୍ଜିବାଦୀ ବ୍ୟବସ୍ଥାକୁ ଖାଲି ଚଳେଇ ରଖି ନାହାନ୍ତି, ସେମାନଙ୍କର ପୂର୍ବତନ କର୍ମଚାରୀମାନେ ସରକାରକୁ ଚଳାଉଛନ୍ତି ଓ ଦେଶ ପାଇଁ ନୀତି ନିୟମ ଗଢୁଛନ୍ତି। ଏ କମ୍ପାନିମାନଙ୍କର ସ୍ୱାର୍ଥ ଓ ସରକାରଙ୍କ ସ୍ୱାର୍ଥ ଏକା ବୋଲି କୁହାଯାଉଛି। କାମ ବିନା ଘରେ ବସିଥିବା ଆମେରିକାନ୍‌ମାନେ ବୁଝି ପାରୁ ନାହାନ୍ତି ପରିସ୍ଥିତିଟି କେବେ ସୁଧୁରିବ। ଯାହାର ଯେଉଁ ବେମାରି ଆଗରୁ ଥିଲା, ଏବେ କରୋନା ଚିନ୍ତାରେ ତାହା ସେମାନଙ୍କ ଭିତରେ ବଢ଼ି ବଢ଼ି ଚାଲିଛି।କୌଣସି ପ୍ରକାର ବାଛବିଚାର ନ ରଖି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରଥମ କିସ୍ତିରେ ଦେଶର ପ୍ରତ୍ୟେକ ଲୋକଙ୍କୁ ୧୨୦୦ ଡଲାର ଓ ପ୍ରତି ପିଲାଙ୍କ ପାଇଁ ୫୦୦ ଡଲାର ଦେବା କଥା ରହିଛି। ଚାରି ଜଣିଆ ପରିବାର ଗୋଟିକୁ ୩୪୦୦ ଡଲାର ମିଳିବ। ଆସନ୍ତା ନଭେମ୍ବରକୁ ରାଷ୍ଟ୍ରପତି ନିର୍ବାଚନ ହେବ। ଲୋକଙ୍କୁ ସିଧାସଳଖ ନଗଦ ଟଙ୍କା ଦେଇ ଅନୁଗୃହୀତ କରି ଟ୍ରମ୍ପ୍‌ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି ବୋଲି କେହି କେହି କହୁଛନ୍ତି। କେତେ ଜାଗାରୁ କରୋନା ଭାଇରସ୍‌ର ବ୍ୟାପ୍ତି ଏବେ କମିଛି। ମାତ୍ର, ଲୋକମାନେ ପରସ୍ପରଠୁଁ ଅଲଗା ରହିବାର ଅଭ୍ୟାସ କରିବା ପୂର୍ବରୁ ଯେତେ ଲୋକ ଆକ୍ରାନ୍ତ ହୋଇଥିଲେ, ସେମାନଙ୍କ ଭିତରେ ମୃତ୍ୟୁ ସଂଖ୍ୟା ସମସ୍ତଙ୍କ ପାଇଁ ଏକ ଉଦ୍‌‌େବଗର କାରଣ ।

ସରକାରୀ ମହଲରେ ଦେଶର ଅର୍ଥନୀତିକୁ ସୁଧାରିବା ଲାଗି ଯେତେ ହଟ୍ଟଗୋଳ ହେଉଥାଉ ନା କାହିଁକି ସଧାରଣ ଲୋକଙ୍କ ମନ ଭିତରେ ରହିଛି କେବଳ ବଞ୍ଚି ରହିବା କଥା। ଅର୍ଥନୀତିକୁ ‘ମାରୋ ଗୋଲି’ ବୋଲି କହି ସେମାନେ ପଚାରୁଛନ୍ତି- ‘ଭ୍ୟାକ୍‌ସିନ୍‌ କେବେ ବାହାରିବ?’ ଟ୍ରମ୍ପ୍‌ଙ୍କ ଉତ୍ସାହରେ ଭାରତରୁ ଆମେରିକାକୁ ଏଥିପାଇଁ କେତେକ ମ୍ୟାଲେରିଆ ଔଷଧ ଆସିଛି ଯାହାକି କରୋନା ପାଇଁ ମଧ୍ୟ କାମ ଦେବ। ଏଠିକା କେନ୍ଦ୍ରୀୟ ଚିକିତ୍ସା ସଂସ୍ଥା ଏହି ଔଷଧଟିକୁ ବ୍ୟବହାର କରିବାକୁ ଉତ୍ସାହିତ ନୁହନ୍ତି, କାରଣ ଔଷଧଟିକୁ ଆମେରିକାରେ ଯାଞ୍ଚ କରାଯାଇନାହିଁ। ମାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ରୋଗୀ ପାଇଁ କୌଣସି ଔଷଧ ଏଠି ନାହିଁ। ସୁତରାଂ ଚରମ ଅବସ୍ଥାରେ ରୋଗୀକୁ ଏହା ଦିଆଯାଉଛି। ଏ ଏକ ଅଦ୍ଭୁତ ପରିସ୍ଥିତି। ଔଷଧଟି ଏଠାର ସି.ଡି.ସି (centre for disease control) ଦ୍ୱାରା ଗୃହୀତ ହୋଇ ନ ଥିବାରୁ କୌଣସି ଡାକ୍ତର ଏହାକୁ ବରାଦ କରିପାରିବେନାହିଁ। ବରାଦ କଲେ ଲାଇସେନ୍‌ସ ହରାଇବାର ସମ୍ଭାବନା। ପୁଣି ଔଷଧର ପ୍ରତିକ୍ରିୟା ସ୍ୱରୂପ ଯଦି ରୋଗୀର ଆଉ କିଛି ବାହାରିଲା, ସେଥିପାଇଁ ଡାକ୍ତର ଦାୟୀ ହେବେ ଓ ଇନ୍‌ସ୍ୟୁରାନ୍‌ସ କମ୍ପାନି ତାଙ୍କ ନାଆଁରେ ମକଦ୍ଦମା କରିବ। ବର୍ତ୍ତମାନର ଜରୁରୀ ଅବସ୍ଥାରେ ଏକଦମ୍ ଚରମ ଅବସ୍ଥାରେ ପଡ଼ିଥିବା ଲୋକକୁ ଡାକ୍ତରଙ୍କ ଅନୁମତି କ୍ରମେ ଏହା ଦିଆଯାଇପାରେ ବୋଲି ସରକାର ଇସ୍ତାହାର ଦେଇଛନ୍ତି।ସାଧାରଣ ମୂଲିଆ-ମଜୁରିଆ ଲୋକ କାମ ନ ପାଇ ଅସୁବିଧାରେ ପଡ଼ି ଥିବାରୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ତରଫରୁ ସାହାଯ୍ୟ ଦିଆ ଯାଉଛି। ନିଜ ଘରେ ଏକୁଟିଆ ରହୁଥିବା ବୁଢ଼ାବୁଢ଼ୀଙ୍କ ସଂଖ୍ୟା ଏଠି କମ୍ ନୁହେଁ। କରୋନା ଭାଇରସ୍ ସେମାନଙ୍କୁ ଅଧିକ ଆକ୍ରମଣ କରୁଛି ବୋଲି ସେମାନେ ମୋଟେ ଦୋକାନବଜାରକୁ ନ ଯାଆନ୍ତୁ ବୋଲି ତାଙ୍କ ପଡ଼ୋଶୀ, ପିଲାମାନେ; ଏପରି କି ସ୍ଥାନୀୟ କର୍ତ୍ତୃପଷ ମଧ୍ୟ କହୁଛନ୍ତି। କିଛି ଦରକାର ହେଲେ ଅନ୍ୟମାନେ ତାଙ୍କ ଦୁଆରେ ଆଣି ଜିନିଷ ଦେଇ ଯାଉଛନ୍ତି। ଫୋନ୍ ମାଧ୍ୟମରେ ସେମାନେ ଜିନିଷ କିଣୁଛନ୍ତି। ଗାଡ଼ି ଚଳାଇବା ଲାଗି ସକ୍ଷମ ଥିଲେ ସେମାନେ ଦୋକାନର ପାର୍କିଂ ପଡ଼ିଆରେ ପହଞ୍ଚିଲେ ଦୋକାନବାଲା ଜିନିଷ ଆଣି ଗାଡ଼ିରେ ଲଦି ଦେଉଛନ୍ତି। ସମସ୍ତଙ୍କ ମୁହଁରେ ତୁଣ୍ଡି। ହାତରେ ଦସ୍ତାନା। କେହି କାହାରିକୁ ସ୍ପର୍ଶ କରିବା କି ବଧେଇ କରିବାର ପ୍ରଶ୍ନ ନାହିଁ। କ୍ରେଡିଟ୍ କାର୍ଡ ଯୋଗେ ପଇସା ପଇଠ କାମ ପୂର୍ବରୁ ସରିଥାଏ। ଖାଲି ଜିନିଷଗୁଡ଼ିକ ଘରକୁ ଆଣିବା କଥା।

ଆମେରିକା ସମେତ ପୃଥିବୀର ସବୁ ଦେଶକୁ କରୋନା ଭାଇରସ୍ ଆକ୍ରମଣ କରିଥିବାରୁ ତ୍ରାହି ଡାକ ସବୁ ଦେଶରେ ଚାଲିଛି। ଏଥି ପୂର୍ବରୁ ଏକବିଂଶ ଶତାବ୍ଦୀର ଆରମ୍ଭରୁ ସାର୍ସ, ମର୍ସ, ସ୍ୱାଇନ୍‌ ଫ୍ଲୁ ଓ ଇବୋଲା ପରି ସଂକ୍ରାମକ ରୋଗର ବ୍ୟାପ୍ତି ଦେଖା ଯାଇଥିଲା। ଏହି ପ୍ରତ୍ୟେକଟି ରୋଗ ପୂର୍ବର ସଂକ୍ରମଣରୁ ଅଧିକ ମାରାତ୍ମକ ହୋଇଛି ଓ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୁରୁତର ଅବସ୍ଥା ସୃଷ୍ଟି କରିଛି। ତିନି ବର୍ଷ ତଳେ ଲାଇବେରିଆ ଓ ସିଏରା ଲୋଓନ ପ୍ରଭୃତି ଆଫ୍ରିକୀୟ ଦେଶରେ ଇବୋଲା ରୋଗ ହୁଲସ୍ତୁଲ ପକାଇଥିଲା। ୟୁରୋପ ଓ ଆମେରିକାରୁ ଡାକ୍ତର ଯାଇ ସେ ଅଞ୍ଚଳରେ ଚିକିତ୍ସା କରି ରୋଗଟିକୁ ଆୟତ୍ତକୁ ଆଣିଥିଲେ। ଏବେ ସବୁ ଦେଶରେ କରୋନା ଭାଇରସ୍ ବ୍ୟାପିଛି। କୌଣସି ନିର୍ଭରଯୋଗ୍ୟ ଔଷଧ ବାହାରି ନାହିଁ। ଏଣୁ କିଏ କାହାକୁ କି ପ୍ରକାରେ ସାହାଯ୍ୟ କରିବ?

ଐତିହାସିକମାନେ କହନ୍ତି ଯେ ୧୩୪୭ ମସିହାରୁ ୧୩୫୨ ମସିହା ଭିତରେ ୟୁରୋପରେ ପ୍ଲେଗ୍ ହେଲା। ଆନୁମାନିକ ସାତ କୋଟିରୁ ୨୦ କୋଟି ଲୋକ ରୋଗରେ ମଲେ। ଏହା ସେତେବେଳକାର ଜନସଂଖ୍ୟାର ଶତକଡ଼ା ୬୫ ଭାଗ। ୧୫୨୦ ମସିହାର ବସନ୍ତ ରୋଗରେ ଅଢ଼େଇ କୋଟିରୁ ସାତ କୋଟି ଭିତରେ ଲୋକ ପ୍ରାଣ ହରାଇଲେ। ୧୬୬୫ ମସିହାର ଲଣ୍ଡନ ପ୍ଲେଗ୍‌ରେ ଏକ ଲକ୍ଷ ଲୋକ ମୃତ୍ୟୁବରଣ କଲେ। ପୂର୍ବରୁ ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତାର ଧୋୟା ଅଞ୍ଚଳରେ ନଈବଢ଼ି ହେଲେ ପ୍ରତି ବର୍ଷ ବହୁ ଲୋକ ବଢ଼ି ପାଣିରେ ଓ ତଜ୍ଜନିତ ସଂକ୍ରାମକ ରୋଗ ହଇଜା, ବସନ୍ତ, ହାଡ଼ଫୁଟି ଇତ୍ୟାଦିରେ ମୃତ୍ୟୁରେ ପଡୁଥିଲେ। ଏ ସବୁକୁ ହିସାବ କରି ଥମାସ ମାଲଥୁସଙ୍କ ପରି ଅର୍ଥନୀତି ବିଚାରକମାନେ ଏ ସବୁ ଦୁର୍ବିପାକକୁ ଜନସଂଖ୍ୟା କମାଇବାର ଏକ ପ୍ରାକୃତିକ ରୀତି ବୋଲି ଆଖ୍ୟା ଦେଇଛନ୍ତି I ପଣ୍ଡିତମାନେ ଯେପରି ବର୍ଣ୍ଣନା କରନ୍ତୁ ନା କାହିଁକି କରୋନା ଭାଇରସ୍ ଏ ଯେଉଁ ବିଭୀଷିକା ସୃଷ୍ଟି କରିଛି, ତାହା ଅତ୍ୟନ୍ତ ଦୁର୍ବିଷହ I ତା’ ଛଡା ବର୍ତ୍ତମାନ ସୃଷ୍ଟି ହୋଇଥିବା ବିଶୃଙ୍ଖଳ ପରିସ୍ଥିତି ଭବିଷ୍ୟତ ପାଇଁ ଆର୍ଥିକ କ୍ଷେତ୍ରରେ ଖୁବ୍ ଓଲଟ ପାଲଟ ଆଣିବ। ହଜାର ହଜାର ଲୋକଙ୍କର ଜୀବିକା ତ ବୁଡ଼ିଲାଣି। ଆହୁରି ବୁଡ଼ିବ। ସାମାଜିକ ଓ ରାଜନୈତିକ କ୍ଷେତ୍ର ଉପରେ ‌େଯ ଏଥିର ପ୍ରଭାବ ପଡ଼ିବ ସନ୍ଦେହ ନାହିଁI ସେଥିପାଇଁ ସମାଜର ପରିଚାଳକମାନେ ପ୍ରସ୍ତୁତ ରହିବା ଦରକାର। ଉଦାହରଣ ସ୍ୱରୂପ ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତିକ ଅର୍ଥ ସଂସ୍ଥା (World Bank and International monetary Fund) ମାଧ୍ୟମରେ ଧନୀ ଦେଶମାନେ ଭାରତ ପରି ବିକାଶଶୀଳ ଦେଶମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସାହାଯ୍ୟ କରନ୍ତି। ଏବେ ସେମାନଙ୍କର ଅବସ୍ଥା ଗୁରୁତର। ଅନ୍ୟ ଦେଶମାନଙ୍କୁ କରଜ ଦେବା କିମ୍ବା ଅର୍ଥଦାନ କରିବା ସେମାନଙ୍କ ପକ୍ଷରେ କଷ୍ଟକର ହେବ, ଦାରିଦ୍ର୍ୟ ମୋଚନ ଯୋଜନା ସବୁ ଅଚଳ ରହିବ। ଚୀନ୍ ଓ ଭାରତ ପରି ଦେଶମାନେ ଅନେକ ଖାଉଟି ଜିନିଷ ଆମେରିକା ଓ ୟୁରୋପକୁ ପଠାନ୍ତି। ସେଠାର ଲୋକେ ବେକାର ଥିବା ବେଳେ ଆମ ଜିନିଷ କିଣିବ କିଏ? ସେମାନଙ୍କ ହାତକୁ କାମ ବିନା ପଇସା ଆସିବ କେଉଁଠୁ? ତେଣୁ ଭାରତ ସମେତ ଦୁନିଆର ବିଭିନ୍ନ ଦେଶରେ ଆର୍ଥିକ ଅବସ୍ଥା ଆଗକୁ ଖରାପ ହେବାର ସମ୍ଭାବନା ରହିଛି I
ଫ୍ରେଡେରିକ୍, ୟୁ.ଏସ୍.ଏ.
[email protected]

ସମ୍ବନ୍ଧିତ ଖବର