ଜୀବନ-ମୃତ୍ୟୁ

କୁହାଯାଇଥାଏ ସ˚ସାରରେ ଦୁଇଟି କଥା ହେଉଛି ନିଶ୍ଚିତ- ଟିକସ ଓ ମୃତ୍ୟୁ। ସରକାର ଥିବା ପର୍ଯ୍ୟନ୍ତ ଟିକସ ନିଶ୍ଚିତ; ଜୀବନ ଥିବା ପର୍ଯ୍ୟନ୍ତ ମୃତ୍ୟୁ ନିଶ୍ଚିତ। କିନ୍ତୁ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନରେ ଘଟିଚାଲିଥିବା ଅବିରତ ଓ ଅନିବାର୍ଯ୍ୟ ପ୍ରଗତିରେ ଗଭୀର ଭାବେ ବିଶ୍ବାସ କରୁଥିବା ଏପରି କେତେକ ଦୃଢ଼ ଆଶାବାଦୀ ଅଛନ୍ତି, ଯେଉଁମାନେ ବିଚାର କରନ୍ତି ଯେ ସରକାର ସୃଷ୍ଟ ଟିକସ ହୁଏ’ତ ଅଜେୟ ହୋଇପାରେ, ଦୈବୀ ସୃଷ୍ଟ ମୃତ୍ୟୁ କିନ୍ତୁ ନିଶ୍ଚିତ ହେବାର କୌଣସି ଆବଶ୍ୟକତା ନାହିଁ। ସେମାନଙ୍କ ମତରେ ଦୁନିଆରେ ଦେଖା ଦେଉଥିବା ଅନ୍ୟ ସମସ୍ତ ପ୍ରାବିଧିକ ସମସ୍ୟାମାନ ଭଳି ମୃତ୍ୟୁ ମଧୢ ହେଉଛି ଆଉ ଏକ ପ୍ରାବିଧିକ ସମସ୍ୟା ମାତ୍ର, ଯାହାର ସମାଧାନର ଉପାୟ ଆବିଷ୍କାର କରିବା ଦିଗରେ ମନୁଷ୍ୟ ଏ ପର୍ଯ୍ୟନ୍ତ ଯେଉଁଭଳି ଅଗ୍ରଗତି ହାସଲ କରି ଚାଲିଛି, ସେଥିରୁ ଯେଉଁ ଅକାଟ୍ୟ ସୂଚନା ମିଳିଥାଏ, ତାହା ହେଲା ଦିନେନା ଦିନେ ମନୁଷ୍ୟ ମୃତ୍ୟୁ ଉପରେ ବିଜୟ ଲାଭ କରି ଅମରତ୍ବ ପ୍ରାପ୍ତ ହେବ। ଏହା ଯଦି କାହାକୁ ଅବିଶ୍ବାସ୍ୟ ମନେ ହେଉଥାଏ, ତା’ର ଉତ୍ତର ହେଉଛି- ଏଇ ମାତ୍ର ଦୁଇ ଶହ ବର୍ଷ ତଳେ କିଏ ଜୀବାଣୁ ବିନାଶକାରୀ ଆଣ୍ଟିବାୟୋଟିକ୍‌ର ଆବିର୍ଭାବ କିମ୍ବା ଜୀବନରକ୍ଷାକାରୀ ହୃତ୍‌ପିଣ୍ତ ପ୍ରତିରୋପଣ ସମ୍ଭବ ବୋଲି ବିଶ୍ବାସ କରୁଥିଲା?

କିନ୍ତୁ ମୃତ୍ୟୁକୁ ଏକ ପ୍ରାବିଧିକ ସମସ୍ୟା ରୂପେ ବିଚାର କରି ତାହାର ସମାଧାନର ସୂତ୍ର ସନ୍ଧାନରେ ବାହାରି ପଡ଼ିବାରେ ଯିଏ ହେଉଛନ୍ତି ଲିଖିତ ଇତିହାସରେ ପ୍ରଥମ, ସିଏ କୌଣସି ଆଜିର ବିଜ୍ଞାନ-ଶିକ୍ଷିତ ମନୁଷ୍ୟ ନୁହନ୍ତି। ତାଙ୍କର କାହାଣୀ ଲିପିବଦ୍ଧ ହୋଇଥିଲା ହୋମର‌୍‌ ତାଙ୍କର ପ୍ରସିଦ୍ଧ ମହାକାବ୍ୟ ‘ଇଲିଆଡ୍‌’ ରଚନା କରିବାର ପ୍ରାୟ ୧,୫୦୦ ବର୍ଷ ପୂର୍ବେ ପ୍ରାଚୀନ ମେସୋପଟାମିଆରେ। ବାରଗୋଟି ମୃତ୍ତିକା ଫଳକ (କ୍ଲେ ଟାବ୍‌ଲେଟ୍‌)ରେ କ୍ୟୁନିଫର୍ମ ଲିପିରେ ଲିଖିତ ଏହି କାହାଣୀ ହେଉଛି ରାଜା ଗିଲ୍‌ଗାମେସ୍‌ଙ୍କର ମୃତ୍ୟୁ ଉପରେ ବିଜୟ ଅନୁସନ୍ଧାନ ଅଭିଯାନର କାହାଣୀ।

ଉରୁକ୍‌ ନଗରୀର ରାଜା ଯୁବକ ଗିଲ୍‌ଗାମେସ୍‌ ଥିଲେ ପୃଥିବୀର ସର୍ବାଧିକ ଶକ୍ତିଶାଳୀ କିନ୍ତୁ ଅତ୍ୟନ୍ତ ଉଚ୍ଛୃଙ୍ଖଳ ଶାସକ। ତାଙ୍କର ଉଚ୍ଛୃଙ୍ଖଳତା ଦ୍ବାରା ଅତିଷ୍ଠ ଉରୁକ୍‌ର ନାଗରିକମାନେ ସେମାନଙ୍କୁ ରକ୍ଷା କରିବା ପାଇଁ ମହାନ୍‌ ଦେବତା ‘ଅନୁ’ଙ୍କୁ ପ୍ରାର୍ଥନା କରିବାରୁ ‘ଅନୁ’ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ‘ଏଙ୍କିଡୁ’ ନାମକ ଜଣେ ବଳବାନ୍‌ ବନ୍ୟମାନବଙ୍କୁ ପଠାଇଲେ। ଗିଲ୍‌ଗାମେସ୍‌ କିନ୍ତୁ ଏଙ୍କିଡୁଙ୍କୁ ମଧୢ ଲଢ଼େଇରେ ପରାସ୍ତ କରିଦେଲେ। ତା’ପରେ କିନ୍ତୁ ଉଭୟ ଘନିଷ୍ଠ ମିତ୍ରରେ ପରିଣତ ହୋଇଗଲେ। ଘଟଣାଚକ୍ରରେ ଥରେ ଦେବତାମାନେ କ୍ରୁଦ୍ଧ ହୋଇ ଗିଲ୍‌ଗାମେସ୍‌ଙ୍କୁ ଶାସ୍ତି ଦେବା ପାଇଁ ଏଙ୍କିଡୁଙ୍କର ମୃତ୍ୟୁ ଘଟାଇଦେଲେ। ମର୍ମାହତ ଗିଲ୍‌ଗାମେସ୍‌ ଶୋକ ସନ୍ତପ୍ତ ଅବସ୍ଥାରେ ବନ୍ଧୁଙ୍କର ମୃତ ଦେହ ନିକଟରେ ଦିନ ଦିନ ଧରି ବସି ରହିଲେ। ଏହି ସମୟରେ ସେ ଦିନେ ଏପରି ଏକ ଦୃଶ୍ୟ ଦେଖିବାକୁ ପାଇଲେ, ଯାହା ତାଙ୍କ ଠାରେ ଏପରି ବିକାର ଓ ଭୟ ସୃଷ୍ଟି କଲା ଯେ ସେ ନିଜେ କେବେ ହେଲେ ମୃତ୍ୟୁମୁଖରେ ନ ପଡ଼ିବାକୁ ଶପଥ ନେଲେ। ଦୃଶ୍ୟଟି ଥିଲା ତାଙ୍କର ମୃତ ବନ୍ଧୁଙ୍କ ନାକ ପୁଡ଼ାରୁ ଏକ ପୋକ ଗଳି ପଡ଼ିବାର ଦୃଶ୍ୟ।
ମୃତ୍ୟୁ ଉପରେ ବିଜୟ ଲାଭ କରିବାର କୌଶଳ ହାସଲ କରିବା ପାଇଁ ଗିଲ୍‌ଗାମେସ୍‌ ଯାହା ସନ୍ଧାନରେ ବାହାରି ପଡ଼ିଲେ, ସେ ହେଉଛନ୍ତି ମହାପ୍ରଳୟରୁ ବର୍ତ୍ତି ଯାଇ ଜୀବିତ ରହିଥିବା ଏକମାତ୍ର ବ୍ୟକ୍ତି ଅମରତ୍ବର ଅଧିକାରୀ ‘ଉତ୍ନାପିସ୍ତିମ୍‌’। ସେ ହେଉଛନ୍ତି ମୃତ୍ୟୁ ନଦୀ ପାର କରାଉଥିବା ନାଉରିଆ (ହର୍ମାନ୍‌ ହେସ୍‌ଙ୍କ ‘ସିଦ୍ଧାର୍ଥ’ ସହ ପରିଚିତ ସମସ୍ତେ ଏହାଙ୍କୁ ଚିହ୍ନିପାରୁଥିବେ)। ତାଙ୍କ ନିକଟରେ ପହଞ୍ଚିବା ନିମିତ୍ତ ଗିଲ୍‌ଗାମେସ୍‌ ସମ୍ମୁଖୀନ ହୋଇଥିବା ଏବ˚ ସଫଳ ଭାବରେ ଅତିକ୍ରମ କରିଥିବା ଅସ˚ଖ୍ୟ ବିପଜ୍ଜନକ ବାଧାବିଘ୍ନର ବର୍ଣ୍ଣନାରେ କାହାଣୀଟି ଭରପୂର। ଜନଶ୍ରୁତିରେ କାହାଣୀଟି ଜଣାଥିଲେ ହେଁ, ଏହା ଲିପିବଦ୍ଧ ଥିବା ସମସ୍ତ ବାରଟି ଯାକ ଫଳକ ଏ ପର୍ଯ୍ୟନ୍ତ ଏକତ୍ରିତ ହୋଇପାରିନାହାନ୍ତି। ସେଗୁଡ଼ିକ ଏକତ୍ରିତ ହେଲେ ହୁଏ’ତ ମୃତ୍ୟୁ ଉପରେ ଜୀବନର ବିଜୟର ରହସ୍ୟ ଉନ୍ମୋଚିତ ହୁଅନ୍ତା, ଯେଉଁଭଳି ଘଟିଥିଲା ଦାର୍ଶନିକ ଭଲ୍‌ଟେଆର‌୍‌ଙ୍କର ପ୍ରସିଦ୍ଧ କାହାଣୀ ‘ଜାଡିଗ୍‌’ରେ।

ସେ କାହାଣୀଟିର ଗୋଟିଏ ଘଟଣାରେ ନାୟକ ଜାଡିଗ୍‌ ରାଜାଙ୍କର ସ୍ତୁତିଗାନ କରି ଲେଖିଥିବା କବିତା ବହନ କରୁଥିବା ଫଳକଟିକୁ ଦୁଇଖଣ୍ତରେ ଭାଙ୍ଗି ଦେଇ ବଗିଚାରେ ଥିବା ଏକ ବୁଦା ଭିତରକୁ ଫିଙ୍ଗି ଦିଅନ୍ତି। ଏହା ଲକ୍ଷ୍ୟ କରିଥିବା ତାଙ୍କର ଜଣେ ଈର୍ଷାଳୁ ଶତ୍ରୁ ପରେ ଯାଇ ବୁଦା ଭିତରୁ ଖଣ୍ତିଏ ଫଳକ ଉଦ୍ଧାର କରି କବିତାର ଯେଉଁ ଭଗ୍ନା˚ଶଟି ପାଇଲେ ତାହା ରାଜାଙ୍କର ନିନ୍ଦା ଗାନ ଭଳି ଅର୍ଥ ବହନ କରୁଥିଲା। ଈର୍ଷାଳୁ ଜଣକ ତୁରନ୍ତ ଯାଇ ରାଜାଙ୍କୁ ଏହା ଦେଖାଇବାରୁ ରାଜା କ୍ରୁଦ୍ଧ ହୋଇ ଜାଡିଗ୍‌ଙ୍କ ପାଇଁ ମୃତ୍ୟୁଦଣ୍ତ ଘୋଷଣା କରିଦେଲେ। ଜାଡିଗ୍‌ ମୃତ୍ୟୁକୁ ଅପେକ୍ଷା କରିଥିବା ସମୟରେ ରାଜାଙ୍କ ପୋଷା ଶୁଆ ଏକ ଭୂ-ପତିତ ଫଳର ସନ୍ଧାନରେ ବୁଦା ନିକଟକୁ ଉଡ଼ିଆସି ଫଳ ସହିତ ଫଳକଟିକୁ ପାଇ ତାହାକୁ ନେଇ ରାଜାଙ୍କୁ ଦେଇଦେଲା। ରାଜା ଫଳକର ଦୁଇଖଣ୍ତଯାକ ଏକାଠି କରି ପାଠ କରନ୍ତେ ହୃଦୟଙ୍ଗମ କରନ୍ତି ଯେ ଜାଡିଗ୍‌ଙ୍କ ରଚିତ କବିତାଟି ତାଙ୍କର ନିନ୍ଦା ପରିବର୍ତ୍ତେ ଉଚ୍ଛ୍ବସିତ ପ୍ରଶ˚ସାରେ ଭରପୂର ଥିଲା। ଜାଡିଗ୍‌ଙ୍କର ଏହାଦ୍ବାରା କେବଳ ଜୀବନରକ୍ଷା ହେଲା, ତାହା ନୁହେଁ, ପରେ ରାଜା ତାଙ୍କୁ ମନ୍ତ୍ରୀ ପଦରେ ଅଧିଷ୍ଠିତ କରି ଦେଲେ।

ରାଜାଙ୍କ ଶୁଆ ଜାଡିଗ୍‌ଙ୍କ ଫଳକଖଣ୍ତଟିକୁ ରାଜାଙ୍କ ପାଖରେ ପହଞ୍ଚାଇ ଦେବା ଭଳି ଗତ ମଙ୍ଗଳବାର ଦିନ ଆମେରିକାର ପରରାଷ୍ଟ୍ର ବିଭାଗ ଘୋଷଣା କରିବା ଦେଖାଯାଇଛି ଯେ ସେମାନଙ୍କ ହାତରେ ପଡ଼ିଥିବା ଖଣ୍ତେ ଗିଲ୍‌ଗାମେସ୍‌ ଫଳକକୁ ସେମାନେ ଇରାକ୍‌ (ଅତୀତର ମେସୋପଟାମିଆ)କୁ ଫେରାଇ ଦେବେ। ଏହି ଫଳକଟି ୧୮୫୩ ସାଲରେ ଆଧୁନିକ ଇରାକ୍‌ର ଉତ୍ତର ଭାଗରେ ଅବସ୍ଥିତ ନିନେଭେ ସହରସ୍ଥିତ ଆସିରିଆନ୍‌ ରାଜା ଆସୁର‌୍‌ ବନିପାଲ୍‌ଙ୍କ ଗ୍ରନ୍ଥାଗାରର ଭଗ୍ନାବଶେଷରୁ ଆବିଷ୍କୃତ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରାଚୀନ କଳାକୀର୍ତ୍ତି ଚୋରା ବେପାରୀମାନଙ୍କ ହାତରେ ପଡ଼ି ବିଭିନ୍ନ ଦେଶ ଦେଇ ଏହି ଅମୂଲ୍ୟ ଫଳକଟି ଶେଷରେ ୨୦୦୩ରେ ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିଲା। ଆମେରିକା ସରକାର ବର୍ତ୍ତମାନ ତାହାକୁ ଇରାକ୍‌କୁ ପ୍ରତ୍ୟର୍ପଣ କରି ଦେବାକୁ ଯାଉଛନ୍ତି।

ଏ ସମ୍ବାଦ କେତେକଙ୍କ ମନରେ ଆଶା ଉଦ୍ରେକ କରି ପାରୁଥାଏ ଯେ ହୁଏ’ତ ଯେତେବେଳେ ବାରଟି ଯାକ ଗିଲ୍‌ଗାମେସ୍‌ ଫଳକ ଏକାଠି ହେବେ, ସେତେବେଳେ ସେଥିରୁ ଜାଡିଗ୍‌ ଜୀବନ ଦାନ ପାଇବା ଭଳି ମାନବ ଜାତି ମୃତ୍ୟୁ ଉପରେ ଚିରବିଜୟ ଲାଭ କରିବାର କୌଶଳ ହାସଲ କରିବ। କିନ୍ତୁ ପ୍ରଚଳିତ କି˚ବଦନ୍ତି ଅନୁସାରେ ଗିଲ୍‌ଗାମେସ୍‌ କାହାଣୀର ଯେଉଁଭଳି ଅନ୍ତ ଘଟିଥିଲା, ସେ ଅନୁସାରେ ସେଭଳି ଆଶା ନିରାଶାରେ ପରିଣତ ହେବା ନିଶ୍ଚିତ। କାରଣ ସେଥିରେ ଉତ୍ନାପିସ୍ତିମ୍‌ ଶେଷରେ ଗିଲ୍‌ଗାମେସ୍‌ଙ୍କୁ ବୁଝାଇ ଦେଇଥିଲେ ଯେ ପ୍ରତ୍ୟେକ ଜନ୍ମିତ ପ୍ରାଣୀ ପାଇଁ ମୃତ୍ୟୁ ହେଉଛି ଅନିବାର୍ଯ୍ୟ। ଏହା ବୁଝିଯିବା ପରେ ଗିଲ୍‌ଗାମେସ୍‌ ଜଣେ ପ୍ରଜାବତ୍ସଳ ରାଜାରେ ପରିଣତ ହୋଇ ୧୨୬ ବର୍ଷ କାଳ ଶାସନ କରିଥିଲେ ବୋଲି କି˚ବଦନ୍ତି ରହିଛି। ମୃତ୍ୟୁର ନିଶ୍ଚିତତା ପ୍ରତ୍ୟେକ ମନୁଷ୍ୟ ଠାରେ ଏଇଭଳି ପରିବର୍ତ୍ତନ ଆଣୁ- ଏହା ହିଁ ହେଉଛି ଗିଲ୍‌ଗାମେସ୍‌ ଫଳକ ବହନ କରୁଥିବା ସନ୍ଦେଶ- ଅମରତ୍ବ ଲାଭ ନୁହେଁ।

ସମ୍ବନ୍ଧିତ ଖବର