ଗତ ଚଉଦ ତାରିଖ ଦିନ ଦେଶରେ ‘ହିନ୍ଦୀ ଦିବସ’ ପାଳନ କରାଯାଇଛି। ୧୯୪୯ରେ ଏହି ଦିନ ହିନ୍ଦୀକୁ ରାଜଭାଷାର ମାନ୍ୟତା ମିଳିଥିଲା। ଏହା ଏକ ସାମାନ୍ୟ ନିଷ୍ପତ୍ତି ନଥିଲା। ଏଥିପାଇଁ ସଂବିଧାନ ସଭାରେ ବହୁ ତର୍କ-ବିତର୍କ ହୋଇ ସାରିଥିଲା। ପ୍ରସଂଗକୁ ନେଇ ସଂବିଧାନ ସଭା ଦୁଇଖଣ୍ଡ ପ୍ରାୟ ହୋଇଯାଇଥିଲା। ରାଜଭାଷାର ମାନ୍ୟତାକୁ ଏକ ବୁଝାମଣା ଭାବରେ ଉଭୟ ଗୋଷ୍ଠୀ ଆଗରେ କେ.ଏମ. ମୁନସୀ ଏବଂ ଗୋପାଳସ୍ବାମୀ ଆୟାଂଗାର ରଖିଥିଲେ। ହିନ୍ଦୀର ସମର୍ଥକ ଗୋଷ୍ଠୀଙ୍କ କହିବା କଥା, ଦେଶ ସ୍ବାଧୀନ ହେବା ପରେ ଯଦି ଔପନିବେଶିକ ଇଂରେଜୀ ଭାଷାର ଉଚ୍ଛେଦ ନ ହୁଏ, ଭାଷା ବ୍ୟବହାରକୁ ନେଇ ଲୋକଙ୍କର ହୀନମନ୍ୟତା ଦୂର ହେବ ନାହିଁ। ସେହି ସ୍ଥିତିରେ ପ୍ରଶାସନର ଭାଷା ରୂପେ ଇଂରେଜୀ ସ୍ଥାନରେ କେବଳ ହିନ୍ଦୀ ରାଷ୍ଟ୍ରଭାଷାଯୋଗ୍ୟ ହୋଇପାରିବ। ଅନ୍ୟ ପକ୍ଷରେ ବାକିମାନଙ୍କ ଯୁକ୍ତି ହେଲା, ଭାରତର ଅନେକ ଅଞ୍ଚଳରେ ଏପରିକି ଶିକ୍ଷିତ ବର୍ଗ ମଧ୍ୟରେ ସୁଦ୍ଧା ହିନ୍ଦୀ ଅଶ୍ରୁତପୂର୍ବ; ଏକ ଅବୁଝା ଭାଷା। ସମଗ୍ର ରାଷ୍ଟ୍ରରେ ହିନ୍ଦୀକୁ ବଳପୂର୍ବକ ପ୍ରୟୋଗ କରାଗଲେ, ତାହା ସମସ୍ୟା ସୃଷ୍ଟି କରିବ। ଭାଷାକୁ ନେଇ ରାଷ୍ଟ୍ର ଭିତରେ ବିଦ୍ବେଷ ଭାବ ସୃଷ୍ଟି ହେବ!
ଉଭୟ ଯୁକ୍ତିର ତଥ୍ୟପୂର୍ଣ୍ଣ ଆଧାର ରହିଥିଲା। ସେଥିପାଇଁ ସାମୟିକ ଭାବେ ପନ୍ଦର ବର୍ଷ ପର୍ଯ୍ୟନ୍ତ ପ୍ରାଶାସନିକ ଭାଷା ରୂପେ ଉଭୟ ହିନ୍ଦୀ ଓ ଇଂରେଜୀର ପ୍ରଚଳନକୁ ସ୍ବୀକୃତି ଦିଆଗଲା ଏବଂ ସେହି ଅବଧି ମଧ୍ୟରେ ହିନ୍ଦୀର ପ୍ରାଶାସନିକ ଶବ୍ଦାବଳୀକୁ ସୁଦୃଢ଼ କରାଯିବାକୁ ନିଷ୍ପତ୍ତି ନିଆଗଲା। ଏସବୁ ନିୟମ ସଂବିଧାନର ୩୪୩ରୁ ୩୫୧ ଅନୁଚ୍ଛେଦରେ ଉଲ୍ଲିଖିତ। ୧୯୬୫ରେ ପନ୍ଦର ବର୍ଷର ଅବଧି ପୂରିଲା। ମାତ୍ର ଇଂରେଜୀର ଉଚ୍ଛେଦ ହେବା ନୋହିଲା। ସାଙ୍ଗରେ ହିନ୍ଦୀ ଦିବସର ପାଳନ ପ୍ରକ୍ରିୟାରେ ସବୁ ସ୍ତରରେ ହିନ୍ଦୀର ପ୍ରସାରକୁ ମଧ୍ୟ ମହତ୍ତ୍ବ ମିଳିଲା। ଏସବୁ ସତ୍ତ୍ବେ, ଆଜି ଦେଶରେ ଆଗ ତୁଳନାରେ ଇଂରେଜୀର ମୂଳ ଅଧିକ ସୁଦୃଢ଼ ହୋଇଛି ଏବଂ ଯହିଁ ଯେଉଁଠି ହିନ୍ଦୀର ବାଧ୍ୟତାମୂଳକ ପ୍ରୟୋଗକୁ ନେଇ ଶଙ୍କା ରହିଥିଲା, ତାହା ଊଣା ହୋଇନାହିଁ। ଅନ୍ୟ ଭାରତୀୟ ଭାଷାଗୁଡ଼ିକ ତୁଳନାରେ ହିନ୍ଦୀକୁ ଅଧିକ ମହତ୍ତ୍ବ ଦିଆଯାଉଛି। ଫଳରେ, ହିନ୍ଦୀ କାଳେ ଭାରତରେ କର୍ତ୍ତୃତ୍ବର ଭାଷା ହୋଇଯାଇପାରେ ବୋଲି ଅନେକଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି!

Advertisment

ଏକଥା ଅନସ୍ବୀକାର୍ଯ୍ୟ ଯେ ତାମିଲ, ତେଲୁଗୁ କିମ୍ବା ସଂସ୍କୃତ, ଓଡ଼ିଆ ଭଳି ହିନ୍ଦୀ ଏକ ପ୍ରାଚୀନ ଭାଷା ନହେବା ସତ୍ତ୍ବେ, ଭାରତୀୟ ପରିପ୍ରେକ୍ଷୀରେ ଏକ ବଳିଷ୍ଠ ଭାଷା; ଅନ୍ୟ ଯେକୌଣସି ଭାରତୀୟ ଭାଷା ତୁଳନାରେ ଏହାକୁ ଅଧିକ ଲୋକ କହି-ବୁଝି ପାରନ୍ତି। କୌଣସି ଅଣ-ହିନ୍ଦୀଭାଷୀ କ୍ଷେତ୍ରରେ ମଧ୍ୟ ହିନ୍ଦୀର ପ୍ରଚଳନ ଓ ପ୍ରୟୋଗ ଆଶୁ ନିବାରଣ ଦେଇଥାଏ। ପ୍ରାୟ ସ୍ଥଳରେ ଦୁଇଜଣ ପୃଥକ ଅଣ-ହିନ୍ଦୀଭାଷୀ ମଧ୍ୟ ଏହାକୁ ସାଧାରଣ ସଂପର୍କ ଭାଷା ରୂପେ ବ୍ୟବହାର କରିଥା’ନ୍ତି। ଏହା ପଛରେ ହିନ୍ଦୀ ସିନେମାରୁ ଆରମ୍ଭ କରି ଯୋଗାଯୋଗ ଏବଂ ଯାତାୟାତର ବିକାଶ ପର୍ଯ୍ୟନ୍ତ ଅନେକ କାରଣ ରହିଛି। ଏହା ଏକ ଭଲ କଥା, କାରଣ ଜନସାଧାରଣଙ୍କ ସ୍ତରରେ ଯଦି ଏକ ସଂପର୍କର ଭାଷା ନ‌ ରହେ, ରାଷ୍ଟ୍ର କେବେ ସବଳ ହେବ ନାହିଁ। ମାତ୍ର ଏସବୁ ସତ୍ତ୍ବେ, ଯଦି କେହି ‘ହିନ୍ଦୀ ଭକ୍ତ’ ଅତ୍ୟାଗ୍ରହୀ ହୋଇ ହିନ୍ଦୀକୁ ଅଣ-ହିନ୍ଦୀଭାଷୀ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିବାକୁ ଆଇନ ପ୍ରଣୟନ କଥା କହନ୍ତି, ସ୍ଥାନୀୟ ଲୋକ ତା’କୁ ଅପମାନ ମନେ କରିବେ।
ଏହାର କାରଣ ଖୋଜିବା ବେଶୀ କଷ୍ଟ ନୁହେଁ। ବ୍ୟକ୍ତି ପାଇଁ ସର୍ବଦା ଭାଷା ଏକ ସଂବେଦନଶୀଳ ପ୍ରସଙ୍ଗ। ସେହି କାରଣରୁ ମାତୃଭାଷାକୁ ମା’ ସାଙ୍ଗରେ ତୁଳନା କରାଯାଏ। ଊନ୍ନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ସଂଘଟିତ ଓଡ଼ିଆ ଅସ୍ମିତା ଆନ୍ଦୋଳନ କଥା ଆମେ ଜାଣନ୍ତି। ଯଦି ଦେଖାଯାଏ, ସେହି ଅବଧିରେ ପ୍ରତ୍ୟେକ ଭାରତୀୟ ଭାଷା-ସାହିତ୍ୟରେ ଏହି ଧରଣର ଅସ୍ମିତା ଆନ୍ଦୋଳନ ସଂଘଟିତ ହୋଇଛି। ଏହା ସେତେବେଳେ ରାଷ୍ଟ୍ରୀୟତାର ଆନ୍ଦୋଳନକୁ ମଧ୍ୟ ଅନୁରୂପକତା ପ୍ରଦାନ କରିଛି। ହିନ୍ଦୀର ଆଦର ପୂର୍ବକ ବ୍ୟବହାର ଓ ପ୍ରସାର ଯେତିକି ମାତ୍ରାରେ ଏହିସବୁ ଅସ୍ମିତା ଆନ୍ଦୋଳନର ପରିପୂରକ, ତା’ର ବଳପୂର୍ବକ ପ୍ରୟୋଗ ସେତିକି ମାତ୍ରାରେ ଭାରତୀୟ ଭାଷା ଅସ୍ମିତା ଆନ୍ଦୋଳନର ପରିପନ୍ଥୀ ମଧ୍ୟ। ଏଥିରୁ ହିନ୍ଦୀର ଉଦ୍ୟୋକ୍ତାମାନେ ଶିକ୍ଷା ଗ୍ରହଣ କରିବା ଉଚିତ।
ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ପ୍ରସଙ୍ଗଟିର ଜଟିଳତା ଏବଂ ମହତ୍ତ୍ବକୁ ଭଲ ଭାବେ ବୁଝି ପାରିଥିଲେ। ସେଥିପାଇଁ ସେ ହିନ୍ଦୀ ସ୍ଥାନରେ ହିନ୍ଦୁସ୍ଥାନୀର ପ୍ରସାର ଉପରେ ଜୋର ଦେଉଥିଲେ। ଏହା ଅଣ-ହିନ୍ଦୀଭାଷୀ କ୍ଷେତ୍ରର ନେତୃବୃନ୍ଦକୁ ଶଙ୍କିତ କରୁନଥିଲା; ହିନ୍ଦୁସ୍ଥାନୀ ପ୍ରତି ଆକୃଷ୍ଟ କରୁଥିଲା। ହିନ୍ଦୁସ୍ଥାନୀର ଅର୍ଥ ହେଲା ମୋଟ ଭାରତର ଏକ ସମାବେଶୀ ଭାଷା, ବ୍ୟାବହାରିକ ଭାଷା। ଏଥିରେ ଅକୁଣ୍ଠ ଭାବରେ ହିନ୍ଦୀ ଓ ଊର୍ଦ୍ଦୁ ସାଙ୍ଗକୁ ଅନ୍ୟ ଭାରତୀୟ ଭାଷା ଭଣ୍ଡାରରୁ ମଧ୍ୟ ଶବ୍ଦ, ଭାବ, ଉପମା ଓ ଅଳଙ୍କାର ଆଦି ସମାହିତ ହେବେ! ତା’ର ପ୍ରୟୋଗ ବେଳେ ନା ବକ୍ତା ନା ଗ୍ରହୀତା କୌଣସି ବ୍ୟଙ୍ଗ-ବିଦ୍ରୂପ କିମ୍ବା ହୀନମନ୍ୟତାର ଶିକାର ହେବେ! ତାହା କଦାପି କର୍ତ୍ତୃତ୍ବର ଭାଷା ସାବ୍ୟସ୍ତ ହେବ ନାହିଁ।
ଆଜି ସମୟ ପ୍ରବାହରେ ଇଂରେଜୀ ମଧ୍ୟ ଏକ ଭାରତୀୟ ଭାଷାର ମାନ୍ୟତା ଲାଭ କରି ସାରିଲାଣି। ଇଂରେଜୀ ଭାଷା-ସାହିତ୍ୟର ବିକାଶରେ ଭାରତୀୟ ସ୍ରଷ୍ଟାଙ୍କର ଯୋଗଦାନ ଆଦୌ ଊଣା ମହତ୍ତ୍ବ ରଖେ ନାହିଁ। ତା’ ସତ୍ତ୍ବେ, ଅନ୍ୟ ଭାରତୀୟ ଭାଷା ଠାରୁ ଏହା ପୃଥକ୍‌, କାରଣ ତା’ର ପ୍ରୟୋଗ ଉଭୟ ବକ୍ତା ଓ ଗ୍ରହୀତା ମନରେ ହୀନମନ୍ୟତା ସୃଷ୍ଟି କରେ। ହିନ୍ଦୀର ବ୍ୟବହାର କସ୍ମିନ କାଳେ, ମୋଟ ଭାରତ କ୍ଷେତ୍ରରେ ସେହି ଧରଣର ଦୁର୍ଦ୍ଦଶା ସୃଷ୍ଟି ନକଲେ ହିଁ ‘ହିନ୍ଦୀ ଦିବସ’ର ଉଦ୍ଦେଶ୍ୟ ପୂର୍ତ୍ତି ହୋଇପାରିବ- ଏଥିରେ ସନ୍ଦେହ ନାହିଁ।
[email protected]