ସାହିତ୍ୟିକ ପାଣିପାଗ: ଜାତି-ନନ୍ଦିଘୋଷ କର ଅଗ୍ରସର

ଅସିତ ମହାନ୍ତି

କବି ଶ୍ରୀ ମଧୁସୂଦନଙ୍କ ପଞ୍ଚମ କବିତା ‘ସମ୍ମିଳନୀ’ ଓ ଷଷ୍ଠ କବିତା ‘ଜାତି ଇତିହାସ’। ଏ ଦୁଇ କବିତା ଯଥାକ୍ରମେ ପ୍ରକାଶ ପାଇଥିଲା ‘ମୁକୁର’ ପତ୍ରିକାର ଦଶମ ବର୍ଷ, ସପ୍ତମ ସଂଖ୍ୟା (ଅକ୍ଟୋବର, ୧୯୧୫) ଓ ଦଶମ ବର୍ଷ, ଅଷ୍ଟମ ସଂଖ୍ୟା (ନଭେମ୍ବର, ୧୯୧୫)ରେ। ପୂର୍ବ ଚାରିଟି କବିତା ପରି, ପଞ୍ଚମ କବିତା ମଧ୍ୟ ପ୍ରକାଶ ପାଇଥିଲା ‘ଜାତୀୟ ଗୀତ’ ଶୀର୍ଷକରେ, ଏବଂ ଷଷ୍ଠ କବିତାର ଶୀର୍ଷକ ଥିଲା ‘ଜାତୀୟ ସଂଗୀତ’। ଏଣୁ ମଧୁସୂଦନଙ୍କର ଛଅଟିଯାକ କବିତା ‘ମୁକୁର’ର ସଂପାଦକଙ୍କ ଅନୁସାରେ ଥିଲା ‘ଜାତୀୟ ଗୀତ’ ବା ‘ଜାତୀୟ ସଂଗୀତ’। ଉତ୍କଳବାସୀ ମଧ୍ୟ ସେସବୁକୁ ସେହି ଭାବରେ ଗ୍ରହଣ ଓ ଗାନ କରିଥିଲେ; ଏବଂ ଆଜି ବି ତାହା ଓଡ଼ିଶାବାସୀଙ୍କ ନିକଟରେ ସେହି ଭାବରେ ଗୃହୀତ ଓ ଗୀତ ହେଉଛି। ତେବେ, ଏହି ପଞ୍ଚମ ଓ ଷଷ୍ଠ କବିତାର ବିଷୟ ପ୍ରସଙ୍ଗକୁ ଯିବା ପୂର୍ବରୁ, ପ୍ରଥମେ ଯିବା କବି ଶ୍ରୀ ମଧୁସୂଦନଙ୍କ ଶେଷ କବିତାକୁ। ତାହାର ଶୀର୍ଷକ ‘ଏ ଭବେ ପାଇବ କାହିଁ’।

ଏ ସଂପର୍କରେ ଏହି ସ୍ତମ୍ଭରେ ପୂର୍ବସୂଚିତ (୧୯ ମେ, ୨୦୨୩) ଯେ କବି ଶ୍ରୀ ମଧୁସୂଦନଙ୍କ ଏହି ସପ୍ତମ ତଥା ଶେଷ କବିତା, କବିଙ୍କ ଜୀବଦ୍ଦଶାରେ ପ୍ରକାଶ ପାଇ ନଥିଲା। ତାହା ପ୍ରଥମଥର ପାଇଁ ମୁଦ୍ରିତ ହୋଇଥିଲା ନବକିଶୋର ଦାସଙ୍କ ଦ୍ୱାରା ସଂକଳିତ ‘ମଧୁବାବୁଙ୍କ ଓଡ଼ିଆ ବକ୍ତୃତା ଓ ଗୀତ’ରେ। ଏକ ଉଲ୍ଲେଖନୀୟ ବିଷୟ ଏହି, ଯେ ‘ଉତ୍କଳଗୌରବ ମଧୁସୂଦନଙ୍କ ଓଡ଼ିଆ ରଚନାବଳୀ’ ପୁସ୍ତକ (ପ୍ରଗତି ଉତ୍କଳ ସଂଘ, ୨୦୧୦)ରେ ଏହାର ଅନ୍ୟତମ ସଂପାଦକ ଦେବେନ୍ଦ୍ର କୁମାର ଦାଶ ତାଙ୍କ ‘ପ୍ରାକ୍‌କଥନ’ରେ କହିଛନ୍ତି, “ସପ୍ତମ କବିତାଟି ‘ମଧୁବାବୁଙ୍କ ଓଡ଼ିଆ ବକ୍ତୃତା ଓ ଗୀତ’ରେ ପ୍ରଥମ ଥର ପାଇଁ ମୁଦ୍ରିତ ହୋଇଥିବାରୁ, ସଂପୃକ୍ତ ପୁସ୍ତକର ପାଠକୁ ବାଧ୍ୟ ହୋଇ ଗ୍ରହଣ କରାଯାଇଛି।” ସେ ଏହା କହିବାର କାରଣ, ମଧୁସୂଦନଙ୍କର ଅନ୍ୟ ଛଅଟି କବିତା ତୁଳନାରେ ଏ କବିତାଟି ଅପାଙ୍‌କ୍ତେୟ।

କବି ଶ୍ରୀ ମଧୁସୂଦନଙ୍କ ଏ କବିତାର ସ୍ୱର ସଂପୂର୍ଣ୍ଣ ଭିନ୍ନ; ଏଇଥିପାଇଁ ଯେ ପ୍ରଥମ ଛଅଟି କବିତା ଜାତୀୟ ଗୀତ ବା ଜାତୀୟ ସଂଗୀତ ହୋଇଥିବା ବେଳେ, ‘ଏ ଭବେ ପାଇବ କାହିଁ’ ଏକ ପ୍ରେମ କବିତା। ମଧୁସୂଦନ ଯେଉଁଥିପାଇଁ ‘ଉତ୍କଳ ଗୌରବ’ ବା ଯେଉଁ କାରଣରୁ ଆଜି ବି ଆମ ପାଇଁ ସ୍ମରଣୀୟ, ଏ କବିତା ସେହି ଭାବଧାରାର ଏକ ବ୍ୟତିକ୍ରମ। ସମ୍ଭବତଃ ସେଇଥିପାଇଁ ସେ ଅତି ସଚେତନ ଭାବରେ କବିତାଟିକୁ ପ୍ରକାଶ କରି ନଥିଲେ। ତେବେ, ମଧୁସୂଦନ ଯେ କବିପ୍ରାଣ ଥିଲେ, ତାହା ଏ କବିତାଟିରୁ ମଧ୍ୟ ପ୍ରମାଣିତ ହୁଏ। କବିତାଟି ଯେ ପ୍ରେମକବିତା, ତାହା ପ୍ରଥମ ପଦରୁ ହିଁ ସ୍ପଷ୍ଟ। ସଂକଳନ ବା ସଂପାଦନା କାଳରେ, ସଂପୃକ୍ତ ସଂକଳକ ବା ସଂପାଦକ ଏହି ପ୍ରଥମ ପଦରୁ ହିଁ କବିତାଟିର ଶୀର୍ଷକ ସଂଗ୍ରହ କରିଛନ୍ତି। ସେହି ପଦଟି ହେଉଛି-
“ପ୍ରେମର ଚୁମ୍ବନ ଯାହାକୁ ବୋଲନ୍ତି
ଏ ଭବେ ପାଇବ କାହିଁ?
ସ୍ୱର୍ଗର ଲତିକା ରୋପିଥିଲେ ଦେବେ
ମାନବେ ଚିହ୍ନିଲେ ନାହିଁ।”
ଏହା ସୂଚାଏ, ଯେ କବି ଶ୍ରୀ ମଧୁସୂଦନଙ୍କ ଦୃଷ୍ଟିରେ ଦିବ୍ୟପ୍ରେମ ଏ ସଂସାରରେ ଦୁର୍ଲଭ। ଏ ସଂସାରର ପ୍ରେମ ମଧ୍ୟ ନଶ୍ୱର। ଏହାର ବେଶ୍ କେତୋଟି ଦୃଷ୍ଟାନ୍ତ ସେ ଏ କବିତାରେ ଦେଇଛନ୍ତି। କହିଛନ୍ତି- ଚନ୍ଦ୍ରର ପ୍ରତିବିମ୍ବ ସମୁଦ୍ରର ଜଳରେ ଦୋଳିଖେଳେ; କିନ୍ତୁ ଆକାଶରେ କଳାମେଘ ଘୋଟିଗଲେ ଚନ୍ଦ୍ରମା ଭୟରେ ଲୁଚିଯାଏ। ଗଗନରେ ସୂର୍ଯ୍ୟୋଦୟ ଦେଖି ପଦ୍ମ ପାଖୁଡ଼ା ମେଲେ; କିନ୍ତୁ ପଦ୍ମକୁ ତୁଚ୍ଛଜ୍ଞାନ କରି ସୂର୍ଯ୍ୟ ଅସ୍ତ ଯାଆନ୍ତି। ଫୁଲରୁ ସୁଗନ୍ଧି ପାଇବା ଲୋଭରେ ଭ୍ରମର ତା’ ପାଖକୁ ଧାଇଁଆସେ; କିନ୍ତୁ ଭ୍ରମରକୁ ଚୁମ୍ବନ ଦେବା ପାଇଁ ଫୁଲ ତା’ ସ୍ଥାନ ଛାଡ଼େ ନାହିଁ। କବି ଶ୍ରୀ ମଧୁସୂଦନଙ୍କ ଅନୁସାରେ, ଏସବୁ ପ୍ରେମ ଓ ଚୁମ୍ବନର ଲକ୍ଷଣ ନୁହେଁ। ପ୍ରେମର ମିଳନ କ୍ଷୀର ଓ ନୀର ପରି; ଥରେ ପରସ୍ପର ସହ ମିଶିଗଲେ ଆଉ ତାଙ୍କୁ ପୃଥକ୍ କରି ହୁଏ ନାହିଁ। ଏଣୁ ଯେଉଁ ପ୍ରେମର ବନ୍ଧନ ଛିଣ୍ଡେନାହିଁ ତାହାହିଁ ପ୍ରକୃତ ପ୍ରେମ।
ଏହାର ଭିନ୍ନ ଏକ ଦିଗ ମଧ୍ୟ ଏ କବିତାରେ ଶ୍ରୀ ମଧୁସୂଦନ ଦେଇଛନ୍ତି। ସେ କହିଛନ୍ତି-
“ପ୍ରୀତିର ମିଳନ ଦୂରୁ ଆକର୍ଷଣ
ଚୁମ୍ବନ ତ ସଂଘର୍ଷଣ,
ସଂଘର୍ଷଣ ହେଲେ ହୁତାଶନ ଜଳେ
ଦହିବାକୁ ମନ ପ୍ରାଣ।”
ଏହାର ଦୃଷ୍ଟାନ୍ତ ବି ସେ ଦେଇଛନ୍ତି; କହିଛନ୍ତି- ସୂର୍ଯ୍ୟ ଦୂରରେ ରହି କିରଣ ବିତରଣ କରୁଥିବାରୁ ଏ ସଂସାରରେ ଜୀବନ ସମ୍ଭବ ହେଉଛି। କିନ୍ତୁ ସୂର୍ଯ୍ୟ ଯଦି ଆସି ପ୍ରତ୍ୟକ୍ଷ ଭାବରେ ପୃଥିବୀକୁ ଚୁମ୍ବନ କରନ୍ତି, ତେବେ ଏ ସଂସାରରେ ବିପ୍ଳବ ବା ପ୍ରଳୟ ହିଁ ଘଟିବ।
ଏଣୁ ତାଙ୍କ ଅନୁସାରେ, ପ୍ରୀତି ଦୂରରୁ ସୁନ୍ଦର ଓ ସୁଭଗ; ଯେପରି କଳାମେଘ କୋଳରେ ସୌଦାମିନୀ ବା ବିଜୁଳି। ସେହି ବିଦ୍ୟୁତ୍ ବା ବଜ୍ର ଯଦି ଆସି ଚୁମ୍ବନ କରେ, ତେବେ ଅନ୍ଧାର ହିଁ ଅନ୍ଧାର ଘୋଟିବ।
ଏହାହିଁ ଥିଲା କବି ଶ୍ରୀ ମଧୁସୂଦନଙ୍କର ପ୍ରେମଦୃଷ୍ଟି। ସେଥିପାଇଁ ସେ ପ୍ରେମକୁ ଦୂରତଃ ଦେଖି ବା ଦୂରସ୍ଥ କରି ରଖି, ଜାତିପ୍ରେମକୁ ହିଁ ପ୍ରଚୋଦିତ କରିଛନ୍ତି ତାଙ୍କ କବିତା ବା ଗୀତରେ। ଏହି ସପ୍ତମ ତଥା ଶେଷ କବିତାଟିକୁ ପ୍ରକାଶ କରିବାକୁ ନ ଦେଇ, ପ୍ରଥମେ ବିନା ନାମରେ ବା ଛଦ୍ମନାମରେ ପ୍ରଥମ ଚାରିଟି କବିତା ପ୍ରକାଶ କରିବାକୁ ଦେଇଛନ୍ତି; ଏବଂ, ପରିଶେଷରେ ପଞ୍ଚମ ଓ ଷଷ୍ଠ କବିତା ଦ୍ୱୟକୁ ନିଜ ନାମରେ ପ୍ରକାଶ କରିଛନ୍ତି।
ପୂର୍ବସୂଚିତ ଯେ ‘ସମ୍ମିଳନୀ’ କବି ଶ୍ରୀ ମଧୁସୂଦନଙ୍କ ପଞ୍ଚମ କବିତା। ଏହାର ପୃଷ୍ଠଭୂମି ମଧ୍ୟ ଏହି ସ୍ତମ୍ଭରେ ପୂର୍ବରୁ (୫ ମେ, ୨୦୨୩) ଆଲୋଚିତ ହୋଇଛି। ଉତ୍କଳ ଜନନୀଙ୍କୁ ତାଙ୍କର ଦୁଃସ୍ଥିତିରୁ ଉଦ୍ଧାର କରିବାକୁ; ଏବଂ ‘ସ୍ୱାର୍ଥମେଧ ଯଜ୍ଞ’ରେ ସ୍ୱାର୍ଥକୁ ଆହୁତି ଦେଇ ହୃଦୟରେ ଜାତିପ୍ରେମ ବହ୍ନି ପ୍ରଜ୍ୱାଳିତ କରିବାକୁ, ଉତ୍କଳବାସୀଙ୍କୁ ଗଦ୍ୟରେ ଅନେକ ଆହ୍ୱାନ ଦେବା ପରେ, ପରିଶେଷରେ ସେ ପଦ୍ୟର ଆଶ୍ରୟ ନେଇଛନ୍ତି। ମଧୁସୂଦନଙ୍କ ନିରାଶ ପ୍ରାଣରେ ଆଶା ଥିଲା- ଯାହା ଗଦ୍ୟରେ ହେଲାନାହିଁ, ତାହା ଅନ୍ତତଃ ପଦ୍ୟ ବା କବିତାରେ ହେଉ! ସେଥିପାଇଁ ମଧ୍ୟ ସେ ଲେଖିଥିଲେ ତାଙ୍କର ଶେଷ ଦୁଇ କବିତା- ‘ସମ୍ମିଳନୀ’ ଓ ‘ଜାତି ଇତିହାସ’।
କବି ଶ୍ରୀ ମଧୁସୂଦନଙ୍କ ପାଇଁ ‘ଉତ୍କଳ ସମ୍ମିଳନୀ’ ଥିଲା ଜାତିପ୍ରାଣର ସିନ୍ଧୁ। ସେଥିପାଇଁ ‘ସମ୍ମିଳନୀ’ କବିତାର ପ୍ରଥମ ପଦରେ ସେ ଲେଖିଥିଲେ-
“ଗଙ୍ଗା ଗୋଦାବରୀ ଯମୁନା କାବେରୀ
ପୂଜା ପାଇ ନାନା ଘାଟେ
ଛାଡ଼ି ନିଜ ମାନ ଲୋଡ଼ି ଜାତିପ୍ରାଣ
ପ୍ରବେଶିଲେ ସିନ୍ଧୁ ତଟେ।”
ଏହି ଗଙ୍ଗା, ଗୋଦାବରୀ, ଯମୁନା, କାବେରୀ ଆଦି ନଦୀ କିଏ? ନିଶ୍ଚିତ ଭାବରେ, ଉତ୍କଳର ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ବର୍ଗର ଲୋକେ। ନିଜ ନିଜର ଜାତି, ଧର୍ମ, ବର୍ଣ୍ଣ ଓ ବର୍ଗର ଅଭିମାନ ତେଜି, ଜାତୀୟତାର ସିନ୍ଧୁରେ ସମ୍ମିଳିତ ହେବାପାଇଁ ଏଥିରେ ସେ ଦେଇଥିଲେ ଆହ୍ୱାନ। କହିଥିଲେ- ଜାତିପ୍ରେମ ସିନ୍ଧୁ ସର୍ବୋପରି। କୋଟି ଜଳବିନ୍ଦୁ ମିଶି ସେହି ସିନ୍ଧୁର ସୃଷ୍ଟି। ସେହି କୋଟି ଜଳବିନ୍ଦୁର ବଳରେ ବଳଶାଳୀ ସିନ୍ଧୁର ତରଙ୍ଗ ତଟ ଲଙ୍ଘେ; ପର୍ବତର ବାଧା ଭାଙ୍ଗେ। ସେହି ଜାତୀୟ ଜୀବନର ସିନ୍ଧୁର ଦର୍ଶନରେ, ଉଚ୍ଛଳ ସେହି ସିନ୍ଧୁ ତରଙ୍ଗର ନୃତ୍ୟ ସନ୍ଦର୍ଶନରେ; ଗଙ୍ଗା, ଗୋଦାବରୀ, ଯମୁନା, କାବେରୀ ଆଦି ନଦୀମାନେ; ସେହି ଦେବୀମାନେ; ନିଜର ଗର୍ବ, ଅଭିମାନ ତେଜି ସିନ୍ଧୁରେ ମିଶିଲେ। ନୂଆ ଜାତିପ୍ରାଣତା ଲାଭ କରି ଉଲ୍ଲାସରେ ନୃତ୍ୟ କଲେ।
ଏ ପ୍ରସଙ୍ଗରେ କବି ଶ୍ରୀ ମଧୁସୂଦନ ଅତ୍ୟନ୍ତ ଭାବପୂର୍ଣ୍ଣ ସ୍ୱରରେ କହିଛନ୍ତି-
ନିଜର ଜୀବନ ଜାତିକୁ ଅର୍ପଣ
କଲେ ମିଳେ ଜାତିପ୍ରାଣ,
ଜାତୀୟ ଜୀବନ ନ ମିଳିବ କଲେ
ହାଟେ ବାଟେ ଅନ୍ୱେଷଣ।”
ଏ କବିତାର ଶେଷ ଦୁଇ ପଦରେ ସେଥିପାଇଁ ସେ ଆହ୍ୱାନ ଦେଇଛନ୍ତି। ଏଥିରୁ ପ୍ରଥମ ପଦରେ କହିଛନ୍ତି-
“ଏହି ସମ୍ମିଳନୀ ଜାତି ପ୍ରାଣସିନ୍ଧୁ
କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ
ଡେଇଁପଡ଼ି ସିନ୍ଧୁ ନୀରେ।”
ଏବଂ ଶେଷ ପଦରେ, ଏହା ହେଲେ କ’ଣ ହେବ, ସେ କଥା ବି କହିଛନ୍ତି। ତାଙ୍କ ଭାଷାରେ, ଏହା ହେଲେ-
“ତରଙ୍ଗ ଉଠିବ ସିନ୍ଧୁ ଗରଜିବ
ଶୁଣିବୁ ସିଂହର ରବ,
ବ୍ରିଟିଶ୍ ରାଜ୍ୟରେ ଓଡ଼ିଆ ଜାତିର
ବଢ଼ିବ ମାନ ଗୌରବ।”
ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ ଯେ- ତୃତୀୟ କବିତା ‘ଜନନୀର ଉକ୍ତି’ ବା ‘ଉତ୍କଳମାତାର ଖେଦୋକ୍ତି’ରେ କବି ଶ୍ରୀ ମଧୁସୂଦନ ‘ବାକ୍ୟବୀର’ମାନଙ୍କର ଗହଳି ଭିତରେ ‘କର୍ମବୀର’ମାନଙ୍କୁ ଖୋଜିଥିଲେ। ‘ବାକ୍ୟବୀରଙ୍କର ରବ ଶୁଭୁଅଛି/ କର୍ମବୀର ଗଲେ କାହିଁ?” ବୋଲି ପ୍ରଶ୍ନ କରିଥିଲେ। ତେଣୁ, ତାଙ୍କର ଭାବନାରେ ଏହାହିଁ ଥିଲା କର୍ମବୀରମାନଙ୍କର କର୍ମ। ଷଷ୍ଠ ତଥା ଶେଷ ‘ଜାତୀୟ ଗୀତ’- ‘ଜାତି ଇତିହାସ’ରେ ଅଛି ଏହି ‘ଜାତି କର୍ମବୀର’ଙ୍କ କଥା। ସେ କହିଛନ୍ତି-
“ଜାତି ଇତିହାସ ଜାତିର ନିର୍ଝର
ତହୁଁ ସଦା ବହେ ଜାତି ପ୍ରାଣଧାର।
ସେ ଧାରାରୁ ନୀର ପିଉଛି ଯେ ନର,
ନିଶ୍ଚୟ ହେବ ସେ ଜାତି କର୍ମବୀର।”
କବିଙ୍କ ଭାଷାରେ, ଜାତିପ୍ରାଣତାର ସେହି ପ୍ରବହମାନ ଧାରା କଳକଳ ରବରେ ଛୁଟିଚାଲିଛି; ସେହି କଳନାଦରେ ଅଛି ଅତୀତ କୀର୍ତ୍ତିର ଗାଥା। ଚନ୍ଦ୍ରଙ୍କର ଉଦୟରେ ସିନ୍ଧୁର ତରଙ୍ଗ ନୃତ୍ୟ କରିବା ପରି, ଭାବୀ କୀର୍ତ୍ତିର ଉଦୟରେ ତାହା ନୃତ୍ୟ କରୁଛି।
ଜାତି ଇତିହାସର ନିର୍ଝରରୁ ଝରୁଥିବା ସେହି ଜାତି ପ୍ରାଣଧାର ମଧ୍ୟରେ, ଉତ୍କଳ ଜନନୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି କବି ଶ୍ରୀ ମଧୁସୂଦନ ଏବଂ ଜାତି କର୍ମବୀର ଉତ୍କଳ ସନ୍ତାନମାନଙ୍କୁ ତାହାଙ୍କର ଦର୍ଶନ କରାଇଛନ୍ତି। ସେ କହିଛନ୍ତି-
“ଧାର ମଧ୍ୟେ ବିଜେ ମୋହିନୀ ପ୍ରତିମା
ଦେଖ ଦେଖ ସେହି ଜନନୀ ତୋହର।”
ଏବଂ, ଏହା ମଧ୍ୟ ସେ କହିଛନ୍ତି- ହେ ଉତ୍କଳ ସନ୍ତାନମାନେ! କାନ ଡେରି ଶୁଣ; ଉତ୍କଳ ମାତା କହୁଛନ୍ତି- ମୋର ବତ୍ସଗଣ! ଆସ, ଏହି ଜାତିି ପ୍ରାଣଧାରର ନୀର ପାନ କର। ଏହା ନୀର ନୁହେଁ; ଉତ୍କଳମାତାର ବୀରପ୍ରସବିନୀ କ୍ଷୀର। ଏ କ୍ଷୀର ପାନ କଲେ, ତୁମର ଆଳସ୍ୟ ତୁଟିଯିବ, ସାହସ ବଢ଼ିବ। ଜାତି-ନନ୍ଦିଘୋଷ ଅଗ୍ରସର ହେବ।
ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ, ଯେ ନିଜର ଦ୍ୱିତୀୟ କବିତା ‘ଉତ୍କଳ ସନ୍ତାନ’ରେ ଉତ୍କଳ ସନ୍ତାନମାନଙ୍କୁ ଉଦ୍‌ବୋଧନ ଦେଇ କବି ଶ୍ରୀ ମଧୁସୂଦନ କହିଥିଲେ-
“ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥି କଲେ,
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ।”
ତାହାର ରଚନାକାଳ ଥିଲା ଅକ୍ଟୋବର, ୧୯୧୪। କିନ୍ତୁ ଷଷ୍ଠ ତଥା ଶେଷ ‘ଜାତୀୟ ଗୀତ’- ‘ଜାତି ଇତିହାସ’ ତାହାର ପ୍ରାୟ ବର୍ଷକ ପରେ, ନଭେମ୍ବର ୧୯୧୫ରେ ରଚିତ ହେବାବେଳକୁ, କବି ଶ୍ରୀମଧୁସୂଦନଙ୍କ ମନରେ ସେଦିନର ସଂଶୟ ଆଉ ନଥିଲା। ତେଣୁ, ଜାତି-କର୍ମବୀର ଉତ୍କଳସନ୍ତାନଙ୍କୁ, ଜାତି-ନନ୍ଦିଘୋଷକୁ, ଆଗକୁ ଆଗକୁ ଚଳାଇ ନେବାକୁ ସେ କହିଛନ୍ତି। ସେଥିପାଇଁ, ସେହି କବିତାର ଅନ୍ତିମ ପଦରେ ତାଙ୍କର ଉଦ୍‌ବୋଧନୀ ହେଉଛି-
“ଏହି ନୀର ସେବି ବୀର ମୋ ସନ୍ତାନେ,
ବୀରପ୍ରସବିନୀ କ୍ଷୀର ଏହି ନୀର,
ଛାଡ଼ରେ ଆଳସ୍ୟ ବଢ଼ାଅ ସାହସ
ଜାତି-ନନ୍ଦିଘୋଷ କର ଅଗ୍ରସର।”
କବି ଶ୍ରୀ ମଧୁସୂଦନଙ୍କର ଏହି ଛଅଟି ଜାତୀୟ ଗୀତ ପ୍ରସଙ୍ଗରେ ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି- ୧୯୧୪ ଅକ୍ଟୋବରରୁ ୧୯୧୫ ନଭେମ୍ବର ମଧ୍ୟରେ ପ୍ରକାଶିତ ଏହି କବିତାଗୁଡ଼ିକୁ, ୧୯୧୫ ବର୍ଷର ଶେଷ ଆଡ଼କୁ ‘ଜାତୀୟ ଗୀତ’ ଶୀର୍ଷକରେ ଏକ ପୁସ୍ତିକା ରୂପେ ପ୍ରକାଶ କରିଥିଲେ ‘ମୁକୁର’ ପତ୍ରିକାର ସଂପାଦକ ବ୍ରଜସୁନ୍ଦର ଦାସ। ତାହାର ‘ସୂଚନା’ରେ ସେ ଲେଖିଥିଲେ, “ଜାତିର ନିଶ୍ଚେଷ୍ଟ ଓ ମୁମୂର୍ଷୁ ଅବସ୍ଥା ଦେଖି ସ୍ୱଦେଶପ୍ରାଣ ବୃଦ୍ଧ ମଧୁସୂଦନଙ୍କର ବାକ୍ୟ ଛନ୍ଦୋବଦ୍ଧ ହୋଇ ସ୍ୱତଃ ଉଚ୍ଚାରିତ ହୋଇଅଛି। ତାହା ସାମୟିକ ପତ୍ରରେ ବାହାରିଥିଲେ ସୁଦ୍ଧା ଜାତିର ଅନେକଙ୍କର ଦୃଷ୍ଟିଗୋଚର ହୋଇନାହିଁ।”
ଏ ପ୍ରସଙ୍ଗରେ କବି ଶ୍ରୀ ମଧୁସୂଦନଙ୍କର ଏକ ଉକ୍ତିର ଉଦ୍ଧୃତି ଦେଇ ବ୍ରଜସୁନ୍ଦର ସେହି ସୂଚନାରେ କହିଛନ୍ତି, “ସେ କହିଲେ- ‘ମୁଁ ମୋର ଭାବ ଜାତିକୁ ଦେଇଛି। ତାହା ଗୋଡ଼ରେ ମାଡ଼ିପାର ବା କଣ୍ଠରେ ଧାରଣ କରିପାର। ତାହା ଜାତିର, ମୋର କୌଣସି ଅଧିକାର ନାହିଁ’।” ମଧୁସୂଦନଙ୍କର ଏହି ଉକ୍ତିର ଅବତାରଣା କରି, ପରିଶେଷରେ ତେଣୁ ବ୍ରଜସୁନ୍ଦର କହିଛନ୍ତି- “ଏପରି ଅନୁମତି ପାଇ ମୁଁ ‘ଜାତୀୟ ଗୀତ’ ଜାତିର ହସ୍ତରେ ଅର୍ପଣ କରିବାକୁ ସାହସୀ ହେଲି।”
ଏବଂ, ଆଜି, ଦୀର୍ଘ ୧୦୮ ବର୍ଷ ପରେ, ଆଶ୍ୱାସନାର କଥା- ଯେ କବି ଶ୍ରୀ ମଧୁସୂଦନଙ୍କର ଏହି ଛଅଟି ‘ଜାତୀୟ ଗୀତ’କୁ ଏ ଜାତି ଗୋଡ଼ରେ ମାଡ଼ିନାହିଁ; ତାହାକୁ କଣ୍ଠରେ ଧାରଣ କରିଛି। ଏବଂ, ଏ କବିତା ମଧ୍ୟ କବି ଭାବରେ ଶ୍ରୀ ମଧୁସୂଦନଙ୍କୁ ଦେଇଛି ଅମରତ୍ୱ। ସମ୍ଭବତଃ, ଓଡ଼ିଆ କବିତାର ଇତିହାସରେ, ସବୁଠୁ କମ୍ କବିତା ଲେଖି ମଧ୍ୟ ସବୁଠୁ ସ୍ମରଣୀୟ ଜାତୀୟ କବି ଭାବରେ ସେ ସ୍ୱୀକୃତ ହୋଇଛନ୍ତି।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର