ଏଇ ମକର ସଂକ୍ରାନ୍ତିର ମାତ୍ର ଦିନ ତିନିଟି ପରେ, ଜାନୁଆରି ୧୮ ତାରିଖ ଦିନ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରକ୍ରିୟା ଉପରେ ଜାରି କରିଥିବା ରହିତାଦେଶ ଉଠାଇ ଦେଲେ। ଏହା ଫଳରେ, ଏକାଡେମୀ ଏବେ ପୁଣି ଚଳଚଞ୍ଚଳ ହୋଇଉଠିଛି। ମନେ ହେଉଛି, ସତେ ଯେମିତି ଏକାଡେମୀ ଆକାଶରେ ପୁଣି ଥରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଆରମ୍ଭ ହୋଇଯାଇଛି।

Advertisment

ବିଡ଼ମ୍ବନାର ବିଷୟ ଏହି ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ସାହିତ୍ୟିକ କାର୍ଯ୍ୟକଳାପ ପାଇଁ ଯେତିକି ଚର୍ଚ୍ଚିତ ହୁଏ, ତା’ଠୁ ଅଧିକ ଚର୍ଚ୍ଚିତ ହୁଏ ଅସାହିତ୍ୟିକ କାର୍ଯ୍ୟକଳାପ ପାଇଁ। ଏହି ଅସାହିତ୍ୟିକ କାର୍ଯ୍ୟକଳାପ ମଧ୍ୟରେ ଏକାଡେମୀର ସଦ୍ୟତମ ପୁରସ୍କାର ଅନ୍ତର୍ଭୁକ୍ତ। କାରଣ, ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ପୁରସ୍କାରକୁ ନେଇ ଚାଲିଥିବା ଅସାହିତ୍ୟିକ କାର୍ଯ୍ୟକଳାପର କୌଣସି ସୀମା, ସରହଦ ନାହିଁ। ତାହାକୁ ନେଇ ଏକାଧିକ ମାମଲା ଏବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି। ପୁଣି ଅତୀତର କୌଣସି କୌଣସି ମାମଲାର ବୟସ ଏବେ ୨୦ ବର୍ଷ ବା ତା’ଠୁ ବେଶୀ ହେଲାଣି। ଅତୀତର ସେ ମାମଲାକୁ ଛାଡ଼ି, ଏବେ ବର୍ତ୍ତମାନକୁ ଆସିବା। ଓଡ଼ିଶା ସାହିତ୍ୟ ଏକାଡେମୀର ଗୋଟିଏ ସଂବିଧାନ ଅଛି ଏବଂ ତାହା ଅନୁସାରେ, କୌଣସି ପୁରସ୍କାରର ନିୟମାବଳୀ ପ୍ରଣୟନ କିମ୍ବା ପ୍ରଚଳିତ ନିୟମାବଳୀର ପରିବର୍ତ୍ତନ ବା ସଂଶୋଧନ ନିମନ୍ତେ ସେହି ସଂବିଧାନରେ ବ୍ୟବସ୍ଥା ଅଛି। ତାହା ଅନୁସାରେ, ଏକାଡେମୀ ନିଜ ପୁରସ୍କାରର ନିୟମ ନିଜେ ପ୍ରଣୟନ କରେ। ମାତ୍ର ତାହାର ଖିଲାପ କରି ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ନୂଆ ନିୟମ ପ୍ରଣୟନ କଲେ। ତାହାକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ପୁରସ୍କାର ପ୍ରକ୍ରିୟା ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ୨୯ ଜୁଲାଇ ୨୦୨୨ରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ବି ଜାରି କରିଥିଲେ। ମାତ୍ର ୨୦୨୩ ଜାନୁଆରି ୧୮ରେ ସେହି ରହିତାଦେଶ ଉଠାଇ ଦିଆ ଯାଇ ପୁରସ୍କାର ପ୍ରକ୍ରିୟା ଚାଲୁ ରଖିବାକୁ କହିଲେ। ତେବେ, ସେଥିରେ ଗୋଟିଏ ସର୍ତ୍ତ ରଖିଲେ ଯେ ପୁରସ୍କାର ପ୍ରଦାନ, ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ।

କିନ୍ତୁ ମନେ ହୁଏ, ସେହି ସର୍ତ୍ତ ସତ୍ତ୍ୱେ, ଅତ୍ୟଧିକ ଉତ୍ସାହିତ ହୋଇଯାଇଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ପଦାଧିକାରୀ ଏବଂ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାଶାସନିକ ଅଧିକାରୀ ବୃନ୍ଦ। ଫଳରେ, ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ୧୮ ଜାନୁଆରିର ଆଦେଶନାମାର ମାତ୍ର ଦିନ ଦୁଇଟି ପରେ, ୨୧ ଜାନୁଆରିରେ ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ସାତବର୍ଷର ଏକାଡେମୀ ପୁରସ୍କାର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ତାହାକୁ ହିଁ ନେଇ ଓଡ଼ିଶା ସାହିତ୍ୟ ସାହିତ୍ୟ ଏକାଡେମୀ ତଥା ଓଡ଼ିଶାର ସାହିତ୍ୟିକ ମହଲ ଉତ୍ସାହିତ। କିନ୍ତୁ ଏହି ପୁରସ୍କାର ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଚୂଡ଼ାନ୍ତ ରାୟ ଯେ ଡେମୋକ୍ଲିସ୍‌ଙ୍କ ଅଦୃଶ୍ୟ ଖଣ୍ଡା ପରି ଝୁଲି ରହିଛି, ତାହା ବୋଧେ ସଂପୃକ୍ତ ସମସ୍ତେ ଭୁଲିଯାଇଛନ୍ତି। ସେହି ଅଦୃଶ୍ୟ ଖଣ୍ଡାର ଆଶଙ୍କା ସତ୍ତ୍ୱେ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂପୃକ୍ତ ସରକାରୀ ପଦାଧିକାରୀ କେତେ ଉତ୍ସାହିତ, ତାହାର ଏକ ନିଦର୍ଶନ ମିଳିଛି, ୨୧ ତାରିଖର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜ୍ଞପ୍ତି ସହିତ ପ୍ରକାଶ ପାଇଥିବା, ଏକାଡେମୀର ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ‘ସାରସ୍ୱତ ସାଧକ/ସାଧିକା ସମ୍ବର୍ଦ୍ଧନା’ ବିଜ୍ଞପ୍ତିରୁ। ଉଲ୍ଲେଖନୀୟ ଯେ ଏକାଡେମୀର ସାଂବିଧାନିକ ବିଧିବ୍ୟବସ୍ଥା ଅନୁସାରେ, ଏକାଡେମୀ ପକ୍ଷରୁ ଏହି ଦୁଇ ‘ପୁରସ୍କାର’ ଓ ‘ସମ୍ବର୍ଦ୍ଧନା’ ସଂକ୍ରାନ୍ତ ନିୟମାବଳୀ ପ୍ରଣୟନ କରାଯାଇ, ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। କିନ୍ତୁ ତାହା ଦୀର୍ଘ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସରକାରଙ୍କ ଅନୁମୋଦନ ଅପେକ୍ଷାରେ ପଡ଼ି ରହିଲା। ଫଳରେ ଏହି ଦୁଇ ପୁରସ୍କାର ମଧ୍ୟ ୨୦୨୦ ବର୍ଷ ପରଠାରୁ ଦିଆଯାଇ ପାରି ନାହିଁ। ଏବେ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରର ନିୟମାବଳୀ ପରି, ଏ ଦୁଇ ପୁରସ୍କାର ନିୟମାବଳୀ ମଧ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନୂତନ ଭାବରେ ପ୍ରସ୍ତୁତ କରିଛି ଏବଂ ବିଭାଗୀୟ ପଦାଧିକାରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ (ସଚିବ) ମଧ୍ୟ ତାହାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜ୍ଞପ୍ତି ସହିତ ୨୧ ତାରିଖ ଦିନ ପ୍ରକାଶ କରି ଦେଇଛନ୍ତି। କିନ୍ତୁ ଯେଉଁ ଅସାଂବିଧାନିକ ନିୟମାବଳୀ ପାଇଁ ଚାଲିଥିବା ମାମଲାର ଫଏସଲା ଏ ଯାଏ ନହୋଇ, ମୂଳ ପୁରସ୍କାର ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଚୂଡ଼ାନ୍ତ ରାୟର ଡେମୋକ୍ଲିସ୍ ଖଣ୍ଡା ତଥାପି ଝୁଲି ରହିଛି; ଠିକ୍ ସେହିପରି ଅସାଂବିଧାନିକ ନିୟମାବଳୀ ପ୍ରଣୟନ କରାଯାଇ ଏ ଦୁଇ ପୁରସ୍କାରକୁ ମଧ୍ୟ ସମଦଶା ଭିତରକୁ ଠେଲି ଦିଆଯାଉଛି। ଏ ବାବଦରେ ବୋଧହୁଏ ଏହି ପଦାଧିକାରୀ ଓ ପ୍ରାଶାସନିକ ଅଧିକାରୀମାନେ ସଚେତନ ନୁହନ୍ତି; କିମ୍ବା ସବୁ ଜାଣି ମଧ୍ୟ ଅଜଣା ଚାଉଳର ଭାତ ଖାଉଛନ୍ତି। ଓଡ଼ିଆ ଶବ୍ଦକୋଷରେ ଗୋଟିଏ ଶବ୍ଦ ଅଛି- ‘ଅବିମୃଶ୍ୟକାରିତା’। ତାହାର ଅର୍ଥ- ଅଦୂରଦର୍ଶିତା ବା ଅପରିଣାମଦର୍ଶିତା। ସମ୍ଭବତଃ ଓଡ଼ିଶା ସାହିତ୍ୟ ଏକାଡେମୀର ଯତ୍‌-କିଂଚିତ୍ ସ୍ୱାୟତ୍ତତାକୁ ସ୍ୱ-ଆୟତ୍ତାଧୀନ କରିବାର ଅତ୍ୟଧିକ ଆଗ୍ରହ ବା ଉଗ୍ରତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ପ୍ରାଶାସନିକ ଅଧିକାରୀମାନଙ୍କୁ ଅବିମୃଶ୍ୟକାରୀ କରିଦେଇଛି। ଏକାଡେମୀର ସଂପାଦକ (ସଚିବ) ଏକାଡେମୀର କାର୍ଯ୍ୟନିର୍ବାହୀ ଅଧିକାରୀ ହେବା ପରିବର୍ତ୍ତେ, ସରକାରୀ ଅଧିକାରୀଙ୍କ ଆଜ୍ଞାବହ ହେବାରେ ଅଧିକ ଆଗ୍ରହୀ। ସଭାପତି, ଉପସଭାପତି ମଧ୍ୟ କୌଣସି ଅଜ୍ଞାତ ସ୍ୱାର୍ଥରୁ ନିରବ ଦ୍ରଷ୍ଟା।

ଏକାଡେମୀର ଏହି ତିନି ପୁରସ୍କାରର ଭାଗ୍ୟ ଓ ଭବିଷ୍ୟତ ତ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରିବ; ମାତ୍ର ଗୋଟିଏ କଥା ନିରାଟ ସତ୍ୟ, ଯେ ସେହି ଚୂଡ଼ାନ୍ତ ରାୟ ଯଦି ବିଭାଗୀୟ ସରକାରୀ ଅଧିକାରୀଙ୍କ ଅସାଂବିଧାନିକ କାର୍ଯ୍ୟର ସପକ୍ଷରେ ଯାଏ, ତେବେ ଓଡ଼ିଶା ସାହିତ୍ୟ ଏକାଡେମୀର ଯତ୍‌କିଂଚିତ୍ ସ୍ୱାୟତ୍ତତା ସବୁଦିନ ପାଇଁ ଚାଲିଯିବ। ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ‘ଓଡ଼ିଶା ସରକାରୀ ସାହିତ୍ୟ ଏକାଡେମୀ’ ହୋଇଯିବ। ସଂବିଧାନର କବର ଉପରେ ଦିଆଯିବ ଏକାଡେମୀ ପୁରସ୍କାର। ତେବେ, ସେହି ଆଶଙ୍କାକୁ ସେଇଠି ରଖି, ଏବେ ଦେଖିବା- ଏଇ ଦୁଇ ନୂଆ ପୁରସ୍କାର ନିୟମାବଳୀରେ ‘ପୁରସ୍କାର’ ଓ ‘ସମ୍ବର୍ଦ୍ଧନା’ ଚୟନ ପାଇଁ କି ବ୍ୟବସ୍ଥା ଅଛି? ଏ ସଂପର୍କରେ ସୂଚନାଯୋଗ୍ୟ, ଯେ ଯାହା ଏକାଡେମୀର ୨୧ ଜାନୁଆରି ୨୦୨୩ର ବିଜ୍ଞାପନ (ସଂଖ୍ୟା ୭୬ / ଓ.ସା.ଏ ଓ ସଂଖ୍ୟା ୭୭/ ଓ.ସା.ଏ.)ରେ ପ୍ରକାଶ ପାଇଛି- ତାହା ପ୍ରସ୍ତାବକାରୀ ସାଧାରଣ ବ୍ୟକ୍ତିବିଶେଷ ବା ଅନୁଷ୍ଠାନମାନଙ୍କ ପାଇଁ ଉଦ୍ଦିଷ୍ଟ। ତାହା ହେଉଛି ହାତୀର ଦେଖାଇବା ଦାନ୍ତ। ଅସଲ ଚୋବାଇବା ଦାନ୍ତ ଏ ଦୁଇ ପୁରସ୍କାର ନିୟମାବଳୀର ପାଟି ଭିତରେ ଅଦୃଶ୍ୟରେ ରହିଛି। ସେହି ଅଦୃଶ୍ୟ ଦାନ୍ତର ସବୁଠୁ ବିଚିତ୍ରତା ହେଉଛି- ଏ ଦୁଇ ସାହିତ୍ୟ ପୁରସ୍କାର ଚୟନର ଅଦ୍ଭୁତ ଗଣିତ।

ପ୍ରଥମେ ଯିବା ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’କୁ। ଏହା ଏକାଡେମୀର ସର୍ବୋଚ୍ଚ ପୁରସ୍କାର। ମାନପତ୍ର, ଫଳକ ଓ ଅଙ୍ଗବସ୍ତ୍ର ବ୍ୟତୀତ, ପୁରସ୍କାରର ଅର୍ଥରାଶି ୫ ଲକ୍ଷ ଟଙ୍କା। ସରକାରଙ୍କ ସଂପୃକ୍ତ ବିଭାଗ ଏହି ନିୟମାବଳୀ ୧୬/୧/୨୦୨୩ରେ ପ୍ରଣୟନ କରିଛନ୍ତି ଏବଂ ତାହା ସାଧାରଣ ପରିଷଦ ସଦସ୍ୟ ଓ କାର୍ଯ୍ୟକାରୀ ପରିଷଦ ସଦସ୍ୟଙ୍କ ନିକଟକୁ ‘ଅବଗତି ପାଇଁ’ ପଠାଯାଇଛି। ସେଥିରେ ଅଛି ଏକ ‘ଗୋପନୀୟ ମୂଲ୍ୟାୟନ ପଦ୍ଧତି’। ତାହା ଅନୁସାରେ- ଏହି ପୁରସ୍କାର ପାଇଁ ଯେଉଁସବୁ ଆବେଦନ ଆସିବ, ତାହା ‘ମୂଲ୍ୟାୟନ ପାଇଁ ଉଦ୍ଦିଷ୍ଟ ପଦ୍ଧତି’ ଆଧାରରେ ଚୟନ ହେବ। ଏହି ପଦ୍ଧତି ହେଉଛି-
(କ) ପୁରସ୍କୃତ ପୁସ୍ତକ ଭିତ୍ତିରେ- ୨୦
(ଖ) ଅନୂଦିତ ପୁସ୍ତକ ଭିତ୍ତିରେ- ୨୦
(ଗ) ପ୍ରାପ୍ତ ସମ୍ମାନ ଭିତ୍ତିରେ- ୪୦
(ଘ) ସଦସ୍ୟଙ୍କ ମୂଲ୍ୟାୟନ ଭିତ୍ତିରେ- ୨୦
ଏହିପରି ମୋଟ ୧୦୦ ଆଧାରରେ ଆବେଦନକାରୀଙ୍କର ଆକଳନ କରାଯିବ। ଯିଏ ସର୍ବାଧିକ ନମ୍ବର ପାଇବେ, ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ।
ପୁରସ୍କାର ଆକଳନ ବା ଚୟନର ଏ ‘ଗଣିତ’ ସଂପର୍କରେ ସେହି ନିୟମାବଳୀରେ ଅଛି-
(କ) ପୁରସ୍କୃତ ପୁସ୍ତକ ଭିତ୍ତିରେ ଯେଉଁ ୨୦ ନମ୍ବର- ସେଥିରୁ ପ୍ରତି ରାଷ୍ଟ୍ରସ୍ତରୀୟ ପୁରସ୍କାର ପାଇଁ ୧୦ ନମ୍ବର ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ୫ ନମ୍ବର ରହିବ। କିନ୍ତୁ ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ- କେଉଁଟି ରାଷ୍ଟ୍ରସ୍ତରୀୟ ପୁରସ୍କାର ଓ କେଉଁଟି ରାଜ୍ୟସ୍ତରୀୟ ପୁରସ୍କାର, ତାହାର ମାନଦଣ୍ଡ କ’ଣ? ଦିଲ୍ଲୀ ବା କଲିକତା ବା ବାହାର ରାଜ୍ୟର ଯେ କୌଣସି ପୁରସ୍କାର କ’ଣ ରାଷ୍ଟ୍ରସ୍ତରୀୟ ପୁରସ୍କାର ଏବଂ ଓଡ଼ିଶା ଭିତରର ଯେକୌଣସି ପୁରସ୍କାର କ’ଣ ରାଜ୍ୟସ୍ତରୀୟ ପୁରସ୍କାର?
(ଖ) ଅନୂଦିତ ପୁସ୍ତକ ଭିତ୍ତିରେ ଯେଉଁ ୨୦ ନମ୍ବର- ସେ ସଂପର୍କରେ କୁହାଯାଇଛି, କେତେ ବହି ଅନୂଦିତ ହୋଇ ଅନ୍ୟ ଭାଷାରେ ପ୍ରକାଶ ପାଇଛି, ସେଥିପାଇଁ ୨୦ ନମ୍ବର ଦିଆଯିବ। କିନ୍ତୁ ସେଥିରେ ରାଷ୍ଟ୍ରସ୍ତରୀୟ ବା ରାଜ୍ୟସ୍ତରୀୟ ପ୍ରକାଶନ କଥା କୁହାଯାଇ ନାହିଁ। ଏଣୁ ଯେଉଁ ଅନୂଦିତ ପୁସ୍ତକର ବିବରଣୀ ମିଳିବ- ତାହାର ମାନ କ’ଣ ଏବଂ ତାହା ପ୍ରକୃତ ପ୍ରକାଶନ କି ନା- ଏହା କିପରି ଯାଞ୍ଚ ହେବ, ତାହା ଏକ ପ୍ରଶ୍ନ।
(ଗ) ସେହିପରି, ପ୍ରାପ୍ତ ସମ୍ମାନ ଭିତ୍ତିରେ ଯେଉଁ ୪୦ ନମ୍ବର- ସେ ସଂପର୍କରେ କୁହାଯାଇଛି, ପ୍ରତି ରାଷ୍ଟ୍ରୀୟ ପୁରସ୍କାର ପାଇଁ ୧୦ ନମ୍ବର ଓ ରାଜ୍ୟ ପୁରସ୍କାର ପାଇଁ ୫ ନମ୍ବର ଦିଆଯିବ। କିନ୍ତୁ ଏଥିରେ ମଧ୍ୟ, କେଉଁଟି ରାଷ୍ଟ୍ରୀୟ ପୁରସ୍କାର ଓ କେଉଁଟି ରାଜ୍ୟ ପୁରସ୍କାର, ତାହାର ମାନଦଣ୍ଡ କ’ଣ ସେ ସଂପର୍କରେ କିଛି କୁହାଯାଇନାହିଁ।
ଉପରୋକ୍ତ ତିନି ପଦ୍ଧତିର ଗଣିତ କହେ- ଓଡ଼ିଶାରୁ ଓ ଓଡ଼ିଶା ବାହାରୁ କିଏ କେତେ ପୁରସ୍କାର ପାଇଛି, ଅନ୍ୟ ଭାଷାକୁ କାହାର କେତେ ବହି ଅନୂଦିତ ହୋଇଛି ଏବଂ କାହାର ବହି ଓଡ଼ିଆରେ ଓ ବାହାର ଭାଷାରେ କେତେ ପୁରସ୍କୃତ ହୋଇଛି- ଏ ଗଣିତରେ ସେଥିପାଇଁ ୮୦ ନମ୍ବର ଥିବାବେଳେ, କାର୍ଯ୍ୟକାରୀ ପରିଷଦ ସଦସ୍ୟଙ୍କ ମୂଲ୍ୟାୟନ ପାଇଁ ଅଛି ମାତ୍ର ୨୦ ନମ୍ବର।
ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ, ଯେ ୧୯୯୩ରେ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ର ପ୍ରବର୍ତ୍ତନ ପରେ, ପ୍ରଥମେ ଏହି ପୁରସ୍କାର ପାଇଥିଲେ କବି ରାଧାମୋହନ ଗଡ଼ନାୟକ। ତାଙ୍କର କେତେ ବହି ଓଡ଼ିଶାରେ ବା ରାଷ୍ଟ୍ରସ୍ତରରେ ପୁରସ୍କୃତ ହୋଇଛି? ତାଙ୍କର କେତେ ବହି ଅନ୍ୟ ଭାଷାକୁ ଅନୂଦିତ ହୋଇଛି? ସେ ରାଷ୍ଟ୍ରସ୍ତରରେ କେତେ ପୁରସ୍କାର ପାଇଛନ୍ତି? ସେହିପରି ୨୦୨୦ରେ ଶେଷଥର ପାଇଁ ଅତିବଡ଼ୀ ପୁରସ୍କାର ପାଇଥିଲେ କଥାଶିଳ୍ପୀ ରାମଚନ୍ଦ୍ର ବେହେରା। ତାଙ୍କର କେତେ ବହି ରାଜ୍ୟ ଓ ରାଷ୍ଟ୍ରସ୍ତରରେ ପୁରସ୍କୃତ ହୋଇଛି? ତାଙ୍କର କେତେ ବହି ଅନ୍ୟ ଭାଷାକୁ ଅନୂଦିତ ହୋଇଛି? ସେ କେତେ ରାଷ୍ଟ୍ରସ୍ତରୀୟ ପୁରସ୍କାର ପାଇଛନ୍ତି? ରକ୍ଷା ଯେ ନଟବର ସାମନ୍ତରାୟ, ଧନେଶ୍ୱର ମହାପାତ୍ର, ଚିନ୍ତାମଣି ବେହେରା, ଦାଶରଥି ଦାସ ଓ ରବି ସିଂ ପ୍ରମୁଖ ପୂର୍ବରୁ ଏ ପୁରସ୍କାର ପାଇସାରିଛନ୍ତି। ନହେଲେ, ସେମାନେ ଏକାଡେମୀର ଏ ବିଚିତ୍ର ଗଣିତରେ ନିଶ୍ଚେ ଏବେ ଅଯୋଗ୍ୟ ବିବେଚିତ ହୋଇଥାନ୍ତେ!
ସାଧାରଣତଃ ଦେଖାଯାଇଛି, ଯେ ଯେଉଁମାନେ ପଦପଦବିରେ ଥାଆନ୍ତି, ଯେଉଁମାନଙ୍କର ପଇସା ଥାଏ ଏବଂ ଯେଉଁମାନେ ସାହିତ୍ୟର କ୍ଷମତାକେନ୍ଦ୍ରମାନଙ୍କରେ ଗାଦି ମାଡ଼ି ବସିଥାନ୍ତି, ସେଇମାନେ ହିଁ ଅଧିକ ପୁରସ୍କାର ପାଆନ୍ତି ଓ ସେଇମାନଙ୍କ ବହି ଅଧିକ ଅନୂଦିତ ହୁଏ। ଏଣୁ ଯେଉଁମାନେ ଏ ସବୁରେ ନଥାଇ, ନିଷ୍ଠାପର ଭାବରେ ସାଧନା କରି ଚାଲନ୍ତି, ସେମାନେ କ’ଣ କେବେ ଏ ପୁରସ୍କାର ପାଇବେ ନାହିଁ?
ଏ ସଂପର୍କରେ ଗୋଟିଏ ଉଦାହରଣ ହିଁ ଯଥେଷ୍ଟ ହେବ। ପ୍ରଫୁଲ୍ଲ କୁମାର ତ୍ରିପାଠୀ ଭଲ ଗପ ଲେଖୁଥିଲେ; ଭଲ କବିତା ବି ଲେଖୁଥିଲେ। ପରେ କିନ୍ତୁ ସେସବୁ ଛାଡ଼ି, ସେ ଓଡ଼ିଆ ଭାଷାକୁ ନେଇ ଗବେଷଣା କଲେ ଓ ବହି ଲେଖିଲେ। ଏ ଭିତରେ ତାଙ୍କର ପ୍ରାୟ ୬୦ଟି ଭାଷାବହି ବାହାରିଲାଣି। ସେସବୁ ବହି ଅନ୍ୟ ଭାଷାକୁ ଅନୂଦିତ ହେବାର ସମ୍ଭାବନା ନାହିଁ। ତେଣୁ ତାଙ୍କର ଏସବୁ ବହି ରାଷ୍ଟ୍ରସ୍ତରୀୟ ପୁରସ୍କାର ପାଇବ ନାହିଁ। ଓଡ଼ିଆ ଭାଷାର କାମ ପାଇଁ ଓଡ଼ିଶା ବାହାରୁ ବି ସେ ପୁରସ୍କୃତ ହେବାର କୌଣସି ସମ୍ଭାବନା ନାହିଁ। ତା’ହେଲେ, ଓଡ଼ିଶା ସାହିତ୍ୟ ଏକାଡେମୀର ଏ ସର୍ବୋଚ୍ଚ ପୁରସ୍କାରର ବିଚିତ୍ର ଗଣିତରେ ସେ ଅତିବଡ଼ୀ ପୁରସ୍କାର ପାଇଁ ଅଯୋଗ୍ୟ!
ସାଧକ/ସାଧିକାଙ୍କ ସମ୍ବର୍ଦ୍ଧନା କ୍ଷେତ୍ରରେ ବି ଏଇ ବିଚିତ୍ର ଗଣିତ। ଏଥିରେ ବି ଆଉ ଗୋଟିଏ ଅଦ୍ଭୁତ ବ୍ୟବସ୍ଥା ରହିଛି। କୁହାଯାଇଛି, ସଂପାଦିତ ପୁସ୍ତକର ସ୍ରଷ୍ଟା ଏଥିପାଇଁ ଅଯୋଗ୍ୟ। କେବଳ ‘ସୃଜନଶୀଳ ସାହିତ୍ୟ’ର ସ୍ରଷ୍ଟା ଏଥିପାଇଁ ଯୋଗ୍ୟ। ଏ ‘ସୃଜନଶୀଳ ସାହିତ୍ୟ’ ବୋଧେ କେବଳ ଗଳ୍ପ, କବିତା, ଉପନ୍ୟାସ, ନାଟକ ବା ସେମିତି କିଛି! ତା’ହେଲେ- ସାରଳା ମହାଭାରତର ପ୍ରଥମ ସଂପାଦକ ଆର୍ତ୍ତବଲ୍ଲଭ ମହାନ୍ତି, ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପ୍ରଣେତା ଗୋପାଳ ପ୍ରହରାଜ, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ‘ଭାଗବତ’ର ସଂପାଦକ ପଣ୍ଡିତ ନୀଳମଣି ମିଶ୍ର ବା ‘ପ୍ରାଚୀନ ଉତ୍କଳ’ର ରଚୟିତା ଜଗବନ୍ଧୁ ସିଂହ ଯଦି ଆଜି ଥାଆନ୍ତେ, ତା’ହେଲେ ସେମାନେ ବି ଏଥିପାଇଁ ଅଯୋଗ୍ୟ ହୁଅନ୍ତେ!
ଏ ନୂଆ ନିୟମାବଳୀକୁ ନେଇ ଏକାଡେମୀର ପଦାଧିକାରୀ ଓ ବିଭାଗୀୟ ପ୍ରାଶାସନିକ ଅଧିକାରୀଙ୍କର ଅହଂକାର ବି କିଛି କମ୍ ନୁହେଁ। ନିୟମାବଳୀର ଧାରା-୧୫ରେ, ସେମାନେ କହିଛନ୍ତି- “ମୂଲ୍ୟାୟନ ପାଇଁ ଉଦ୍ଦିଷ୍ଟ ପଦ୍ଧତି ଆଧାରରେ ଚୟନ ଆକଳିତ ହେବ ଓ ଏହା କୌଣସି ପରିସ୍ଥିତିରେ ପରିବର୍ତ୍ତନ କରାଯାଇପାରିବ ନାହିଁ।”
କିନ୍ତୁ ସେମାନେ ବୁଝିବା ଉଚିତ- ସେମାନଙ୍କର ଏ ପଦ ବା ଏ ଅଧିକାର ସବୁଦିନିଆ ନୁହେଁ। ଓଡ଼ିଶାର ଜାଗ୍ରତ ସାହିତ୍ୟ-ବିବେକ ଅଚିରେ ଏହାର ଉଚିତ ଉତ୍ତର ଦେବ।
ମୋ: ୯୪୩୭୦ ୩୪୮୦୪