ସାହିତ୍ୟିକ ପାଣିପାଗ: ବହିମେଳାର କଥା ଓ ବ୍ୟଥା

ଅସିତ ମହାନ୍ତି

ଏପ୍ରିଲ୍ ୨ରୁ ୧୦ ତାରିଖ ବିତିଗଲା। ଏ ନଅଦିନ ଥିଲା ନିରୁପଦ୍ରବ। ଭୁବନେଶ୍ୱରରେ ଘୂର୍ଣ୍ଣିଝଡ଼, ବର୍ଷା କି କାଳବୈଶାଖୀ- କିଛି ବି ହେଲା ନାହିଁ। ଜନତା ମୈଦାନରେ ୨୮ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଷୋଡ଼ଶ ‘ତୋଷାଳି’ ମେଳା ୧୦ ତାରିଖ ଯାଏ ଚାଲି ୧୬ କୋଟି ଟଙ୍କାର ବେପାର କଲା। ଏପରିକି, ଯେଉଁ ପ୍ରଦର୍ଶନୀ ପଡ଼ିଆରେ ଏପ୍ରିଲ୍ ୨ରୁ ୧୦ ଯାଏ ‘ପୁସ୍ତକ ମହୋତ୍ସବ- ଅକ୍ଷର’ ଆୟୋଜିତ ହୋଇଥା’ନ୍ତା, ସେହି ପଡ଼ିଆର ପୂର୍ବାଂଶରେ ୨୭ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ‘ହ୍ୟାଣ୍ଡଲୁମ୍ ଫାବ୍‌’ ବି ସଫଳତାର ସହ ଚାଲିଛି। ତାହା ଚାଲିବ ୨୭ ଏପ୍ରିଲ୍ ଯାଏ। ଏହି ଲେଖା ପ୍ରସ୍ତୁତ ହେବା ବେଳକୁ ସେ ହସ୍ତତନ୍ତ ମେଳାକୁ ଦୀର୍ଘ ୧୯ ଦିନ ବିତିଯାଇଥିଲେ ମଧ୍ୟ, ଦିନଟିଏ ବି ଘୂର୍ଣ୍ଣିଝଡ଼, ବର୍ଷା କି କାଳବୈଶାଖୀ ହୋଇନାହିଁ। ପ୍ରବଳ ଲୋକଗହଳିରେ ମେଳା ଚାଲିଛି। ପୁଣି ପୁରୀର ‘ଅର୍ବାନ୍ ହାଟ’ଠାରେ ବି ଏବେ, ମାର୍ଚ୍ଚ ୩୧ ତାରିଖଠାରୁ ଏପ୍ରିଲ୍ ୧୬ ତାରିଖ ଯାଏ ଚାଲିଛି ‘ବୟନିକା’ର ସ୍ୱତନ୍ତ୍ର ହସ୍ତତନ୍ତ ମେଳା। ପାଣିପାଗ ବିଭାଗର ରାଜ୍ୟ ତଥ୍ୟ ଅନୁସାରେ, ଚଳିତ ଏପ୍ରିଲ୍ ମାସ ୧ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପାଣିପାଗ ଥିଲା ନିର୍ମଳ ଓ ନିରୁପଦ୍ରବ। ସର୍ବାଧିକ ହାରାହାରି ତାପମାତ୍ରା ଥିଲା ୮୬ରୁ ୮୮ ଫାରେନ୍‌ହାଇଟ୍ ବା ୩୦-୩୧ ଡିଗ୍ରି ସେଲସିଅସ୍। ଏହି ସମୟରେ, ମଧ୍ୟାହ୍ନର କେତୋଟି ଘଣ୍ଟା ବ୍ୟତୀତ, ରାଜଧାନୀବାସୀ ଚଇତାଳି ବା ମୃଦୁ ମଳୟର ଅନୁଭବ ବି ପାଇଥିଲେ। ଅଂଶୁଘାତ ପରିସ୍ଥିତି ମଧ୍ୟ ଦିନେ ହେଲେ ସୃଷ୍ଟି ହୋଇ ନ ଥିଲା। ତେବେ ଅନ୍ୟ ସବୁ ମେଳା ପୂର୍ବ ନିର୍ଦ୍ଧାରିତ ଅବଧି ଅନୁସାରେ ଚାଲିଥିବା ବେଳେ, କାହିଁକି ବାତିଲ କରାଗଲା ଏ ବର୍ଷର ପୁସ୍ତକ ମେଳା? ଏହାର ସ୍ପଷ୍ଟ ସୂଚନା ଏ ସ୍ତମ୍ଭର ପୂର୍ବ ଅଧ୍ୟାୟ (୧ ଏପ୍ରିଲ୍‌, ୨୦୨୨)ରେ ଦିଆଯାଇଛି। ‘ମାର୍ ମାର୍ ଭଣ୍ଡାରିଆକୁ ମାର୍‌’ ରୀତିରେ ରାଜ୍ୟ ସରକାର ‘ଓଡ଼ିଶା ଉତ୍ସବ’ ପାଳନ ପାଇଁ ପୁସ୍ତକମେଳା ବନ୍ଦ କଲେ ବୋଲି ସେଥିରେ କୁହାଯାଇଛି। ଏବେ ସେ ବାବଦରେ ସବିଶେଷ ତଥ୍ୟ ହସ୍ତଗତ ହୋଇଛି।

ପ୍ରାପ୍ତ ତଥ୍ୟ ଅନୁସାରେ, ତିନି ନମ୍ବର ୟୁନିଟ୍ ପ୍ରଦର୍ଶନୀ ପଡ଼ିଆରେ ଯେ ରାଜ୍ୟସ୍ତରୀୟ ‘ଓଡ଼ିଶା ଦିବସ’ ପାଳନ ହେବ, ସେ ନିଷ୍ପତ୍ତି ହୋଇଥିଲା ୧୬ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟ ସରକାରଙ୍କର ଏକ ଉଚ୍ଚସ୍ତରୀୟ ବୈଠକରେ। ଉନ୍ନୟନ କମିସନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେହି ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ପୁଲିସ କମିସନର, ରେଡକ୍ରସ୍‌ର ଅବୈତନିକ ସଂପାଦକ, ଲୋକସଂପର୍କ ନିର୍ଦ୍ଦେଶକ, ସଂସ୍କୃତି ନିର୍ଦ୍ଦେଶକ, ସୂଚନା ଓ ଲୋକସଂପର୍କ ଅତିରିକ୍ତ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ‘ଓଡ଼ିଶା ଦିବସ’ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ହୋଇଥିବାରୁ, ସେହି କାର୍ଯ୍ୟକ୍ରମକୁ ଜିଲ୍ଲା ଓ ରାଜ୍ୟସ୍ତରରେ ଆକର୍ଷଣୀୟ ଭାବରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତାହାରି ଫଳ ସ୍ୱରୂପ, ୨୦୨୧ ନଭେମ୍ବରରୁ ପୁସ୍ତକ ମେଳା ପାଇଁ ପଞ୍ଜିକୃତ ହୋଇଥିବା ପ୍ରଦର୍ଶନୀ ପଡ଼ିଆର ପଞ୍ଜୀକରଣକୁ ୨୨ ମାର୍ଚ୍ଚରେ ‘ଇଡ଼୍‌କୋ’କୁ ଏକ ଚିଠି ଲେଖି ବାତିଲ କରିଦିଆଗଲା। ସାରା ଓଡ଼ିଶାବାସୀ ଉତ୍ତମ ରୂପେ ଅବହିତ, ଯେ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଗଠିତ ହୋଇଥିଲା ଆମର ଏଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏହା ଗଢ଼ା ହୋଇଥିଲା ଭାଷା ଭିତ୍ତିରେ। ଏଣୁ ସମୃଦ୍ଧ ଭାଷାଟିଏ ଥିଲା ବୋଲି ଏବଂ ସେହି ସମୃଦ୍ଧ ଭାଷାର ଉନ୍ନତ ଓ ପ୍ରବହମାନ ସାହିତ୍ୟ ଥିଲା ବୋଲି, ଆମର ପୂର୍ବସୂରୀମାନେ ବହୁ ସଂଗ୍ରାମ ପରେ ଏହି ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶଟିକୁ ପାଇଥିଲେ। ଆମେ ତାହାକୁ ପାଇଛୁ ଉତ୍ତରାଧିକାର ସୂତ୍ରରେ। ସେଇଥିପାଇଁ ମଧ୍ୟ ଆମେ ପାଇଛୁ- ପ୍ରଥମ ଆର୍ଯ୍ୟଭାଷା ଭାବରେ ଓଡ଼ିଆ ପାଇଁ ଶାସ୍ତ୍ରୀୟ ମାନ୍ୟତା। ୨୦୧୪ ମସିହାଠାରୁ ତାହାକୁ ଆଜିର ରାଜ୍ୟ ସରକାରଙ୍କର ଏକ ବଡ଼ କୃତିତ୍ୱ ବୋଲି ସଭାସମିତିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ପଦାଧିକାରୀମାନେ ଦର୍ଶାଇ ଅନେକ କରତାଳି ପାଉଛନ୍ତି। ଅଥଚ ସେହି ସରକାର ଓଡ଼ିଶା ଦିବସ ପାଳନ ପାଇଁ ଓଡ଼ିଆ ଭାଷା-ସାହିତ୍ୟର ରାଜ୍ୟସ୍ତରୀୟ ମହୋତ୍ସବ ‘ଅକ୍ଷର’କୁ ମାରିଦେବାକୁ କୁଣ୍ଠା ପ୍ରକାଶ କରୁ ନାହାନ୍ତି। ଏହାହିଁ ହେଉଛି ଆଜିର ସବୁଠୁ ବଡ଼ ବିଡ଼ମ୍ବନା।

ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ, ରାଜ୍ୟସ୍ତରୀୟ ‘ଓଡ଼ିଶା ଦିବସ’ ଉତ୍ସବ ପାଳନ ପାଇଁ କ’ଣ ଅନ୍ୟ କୌଣସି ବିକଳ୍ପ ସ୍ଥଳ ରାଜଧାନୀ ସହରରେ ନ ଥିଲା? ଏହାର ସିଧା ଓ ସ୍ପଷ୍ଟ ଉତ୍ତର ହେଉଛି- ଥିଲା। କାରଣ ପୂର୍ବବର୍ଷମାନଙ୍କରେ ‘ଉତ୍କଳ ମଣ୍ଡପ’ରେ ଏହି ଉତ୍ସବ ପାଳନ ହୋଇଛି। ‘ତୋଷାଳି’ ମେଳା ଆୟୋଜିତ ହୋଇଥିବା ‘ଜନତା ମୈଦାନ’ରେ ମଧ୍ୟ ଏ ଉତ୍ସବ ପାଳନ ପାଇଁ ପ୍ରଚୁର ସ୍ଥାନ ଥିଲା। ପ୍ରଦର୍ଶନୀ ପଡ଼ିଆ ନିକଟସ୍ଥ କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆ, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆ ଓ ଆଦିବାସୀ ମେଳା ପରିସର ମଞ୍ଚ ମଧ୍ୟ ଏହି ‘ଓଡ଼ିଶା ଦିବସ’ ପାଳନ ପାଇଁ ଯଥେଷ୍ଟ ଉପଯୋଗୀ ଥିଲା। ଅଥଚ, ଏତେ ଏତେ ବିକଳ୍ପ ଥିବା ସ୍ଥଳେ, ରାଜ୍ୟ ସରକାର ପୁସ୍ତକମେଳା ଉପରେ ହିଁ ଦାଉ ସାଧିଲେ। ‘ଓଡ଼ିଶା ଉତ୍ସବ’ ପାଳନ ଆଳରେ ଓଡ଼ିଆ ଭାଷା ସାହିତ୍ୟର ମହୋତ୍ସବଟିକୁ ବାତିଲ କରିଦେଲେ। ବିଗତ କିଛି ବର୍ଷ ହେଲା, ଆମ ରାଜ୍ୟ ସରକାର ଭୋଟ୍‌ରେ ପରିବର୍ତ୍ତିତ ହେଉଥିବା କେତେକ ଲୋକପ୍ରିୟ ଯୋଜନା ପାଇଁ ଦକ୍ଷିଣକୁ ଚାହିଁବା ଲକ୍ଷ୍ୟ କରାଯାଉଛି। କିନ୍ତୁ ଏ ପ୍ରସଙ୍ଗରେ ଥରେ ଉତ୍ତରକୁ ଚାହିଁବା ଆବଶ୍ୟକ ବୋଲି ଆମର ମନେହୁଏ। କାରଣ, ଉତ୍ତରବର୍ତ୍ତୀ ଆମର ନିକଟତମ ପ୍ରତିବେଶୀ ପ୍ରଦେଶ ହିଁ ସଫଳତାର ସହ ଆୟୋଜନ କରିଆସୁଛି ଏକ ଆନ୍ତର୍ଜାତିକ ପୁସ୍ତକମେଳା। ପଡ଼ୋଶୀ ପଶ୍ଚିମବଙ୍ଗର ସେହି ବହିମେଳାର ଇତିହାସ ୪୫ ବର୍ଷର। ‘ପବ୍ଲିସର୍ସ ଆଣ୍ଡ୍ ବୁକ୍ ସେଲର୍ସ ଗିଲ୍‌ଡ, କାଲକାଟା’ ପକ୍ଷରୁ ୧୯୭୬ରେ ପ୍ରଥମେ ମେଳା ଆରମ୍ଭ ହୋଇଥିଲା। ଏବେ ତାହା ‘ଇଣ୍ଡରନ୍ୟାସନାଲ୍‌ କଲକାତା ବୁକ୍ ଫେୟାର’ (ଆନ୍ତର୍ଜାତିକ କଲକାତା ବଇ ମେଲା) ଭାବରେ ପରିଚିତ ଓ ପ୍ରସିଦ୍ଧ। ଏ ବର୍ଷ ୨୮ ଫେବ୍ରୁଆରିରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଏହାର ୪୫ତମ ସଂସ୍କରଣ ମଧ୍ୟ ସଫଳତାର ସହ ଆୟୋଜିତ ହୋଇ ଯାଇଛି।

ସେ ମେଳାର ଇତିହାସ ଏକ ସଂଗ୍ରାମ ଓ ସଫଳତାର ଇତିହାସ। ସଂଗ୍ରାମ ଜେନା ସଂପାଦିତ ‘ଓ! କାଲକାଟା’ ପୁସ୍ତକରେ ‘ସ୍ମୃତିର ସହର କଲିକତା’ ଶିରୋନାମରେ ଏକ ଲେଖା ଲେଖିଛନ୍ତି ନରେନ୍ଦ୍ର ନାରାୟଣ ଦାଶ। ସେଥିରେ ସେ ଲେଖିଛନ୍ତି ସେହି ମେଳାର ଆଦ୍ୟ ଇତିହାସ। ତାହା ଅନୁସାରେ- କଲିକତାର ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ଉଦ୍ୟମରେ ବିରଳା ପ୍ଲାନେଟୋରିଅମ୍ ସାମ୍ନା ଖୋଲା ମୈଦାନରେ ମାତ୍ର ୫୪ଟି ଷ୍ଟଲ୍‌କୁ ନେଇ ୧୯୭୬ରେ ଆରମ୍ଭ ହୋଇଥିଲା ସେହି ମେଳା। ମେଳା ଉଦ୍‌ଘାଟିତ ହୋଇଥିଲା ୯ ମାର୍ଚ୍ଚ, ୧୯୭୬ରେ। ପରେ, ୧୯୯୧ଠାରୁ ତାହା ଅନୁଷ୍ଠିତ ହେଲା ମହାନଗରୀର କେନ୍ଦ୍ରସ୍ଥଳୀ ପାର୍କ ଷ୍ଟ୍ରିଟ୍ ନିକଟ ପଡ଼ିଆରେ। ଫଳରେ ମେଳା ଅଭୂତପୂର୍ବ ସଫଳତା ଲାଭ କଲା। କିନ୍ତୁ ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଯୋଗୁଁ ୨୦୦୭ରେ ତାହାକୁ ସଲଟ୍‌ଲେକ୍ ଷ୍ଟାଡିୟମ୍‌କୁ ସ୍ଥାନାନ୍ତରିତ କରାଗଲା। ତାହା ଫଳରେ, ସ୍ଥାନର ସଂକୀର୍ଣ୍ଣତା ଦୃଷ୍ଟିରୁ ମେଳାର କଳେବର ହ୍ରାସ ପାଇଲା। ତେଣୁ ୨୦୦୮ରେ ତାହାକୁ ପାର୍କସର୍କସ ମୈଦାନକୁ ସ୍ଥାନାନ୍ତରିତ କରାଗଲା। ୨୦୦୯ରେ ତାହା ‘ମିଲନ ମେଲା’ ପ୍ରାଙ୍ଗଣରେ ଅନୁଷ୍ଠିତ ହେଲା। କିନ୍ତୁ ଏହି ସଂକ୍ଷିପ୍ତ ବିବରଣୀର ଅନ୍ତରାଳରେ ଅଛି ଏହାର ସଂଘର୍ଷ ଓ ସଫଳତାର କାହାଣୀ। ୧୯୮୦ରୁ ନବେ ଦଶକର ଆଦ୍ୟପାଦ ପର୍ଯ୍ୟନ୍ତ, କଲକାତାରେ ଅନୁଷ୍ଠିତ ହେଉଥିଲା ଦୁଇଟି ବହି ମେଳା। ଗୋଟିଏର ଆୟୋଜକ ଥିଲା କାଲକାଟା ପବ୍ଲିସର୍ସ ଆଣ୍ଡ ବୁକ୍‌ ସେଲର୍ସ ଗିଲ୍‌ଡ ଏବଂ ଅନ୍ୟଟିକୁ ‘ଗ୍ରନ୍ଥମେଲା’ ନାମରେ ଆୟୋଜନ କରୁଥିଲେ ପଶ୍ଚିମବଙ୍ଗ ସରକାର। ସରକାରଙ୍କ ମେଳାରେ ସରକାରୀ ସଂସ୍ଥାମାନଙ୍କର ପ୍ରକାଶନର ହିଁ ପ୍ରଦର୍ଶନ ଓ ବିପଣନ ହେଉଥିଲା। କିନ୍ତୁ ଗୋଟିଏ ସରକାରୀ ଓ ଆଉ ଗୋଟିଏ ବେସରକାରୀ- ଏହିପରି ଦୁଇଟି ମେଳାର ଅସୁବିଧାକୁ ହୃଦୟଙ୍ଗମ କରି, ୧୯୯୨ରେ ସରକାରୀ ମେଳାକୁ ମୂଳ ମେଳାରେ ମିଶାଇ ଦେଲେ ପଶ୍ଚିମବଙ୍ଗ ସରକାର।

୨୦୦୭ରେ ଘଟିଥିଲା ଏହି ମେଳାର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ମେଳାଜନିତ ଲୋକଗହଳି, ଧୂଳି ଓ ଶବ୍ଦ ପ୍ରଦୂଷଣ ଆଦିର ଉଲ୍ଲେଖ କରି, ଭିକ୍ଟୋରିଆ ମେମୋରିଆଲର ସୁରକ୍ଷା ଆଳରେ, କଲକାତା ହାଇକୋର୍ଟରେ ୨୦୦୪ରେ ଆସିଥିଲା ମେଳା ବନ୍ଦ କରିବା ପାଇଁ ଏକ ଯାଚିକା। ଫଳରେ ହାଇକୋର୍ଟ ମେଳା ପରିସରକୁ ମୈଦାନର ଅପରପାର୍ଶ୍ବକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ସେ ନେଇ ଆୟୋଜକଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଲା। ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନିକଟରେ ମେଳା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଓ ସ୍ଥାୟୀ ସ୍ଥାନ ଦେବା ପାଇଁ ଦାବି କରାଗଲା। ୨୦୦୫ରେ ସେ ସେଥିରେ ସମ୍ମତ ମଧ୍ୟ ହୋଇଥିଲେ। ମାତ୍ର ତାହା ସମ୍ଭବ ହୋଇ ପାରି ନ ଥିଲା। ୨୦୦୫ରେ ହାଇକୋର୍ଟ ସେଠାରେ ମେଳା କରିବା ପାଇଁ ସ୍ୱତନ୍ତ୍ର ଅନୁମତି ଦେଇଥିଲେ। ୨୦୦୬ରେ ସେଥିପାଇଁ ଶେଷ ଅନୁମତି ଦେଲେ। ଫଳରେ ୨୦୦୭ରେ ମେଳା ସ୍ଥାନାନ୍ତରିତ ହୋଇଥିଲା ସଲଟ୍‌ଲେକ୍ ଷ୍ଟାଡିୟମ୍‌କୁ। କିନ୍ତୁ ସେଠାରେ ସ୍ଥାନାଭାବ ଦୃଷ୍ଟିରୁ ୨୦୦୮ରେ ତାହାକୁ ପାର୍କସର୍କସକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଏବେ ମେଳା ସଫଳତାର ସହ ଆୟୋଜିତ ହେଉଛି ସଲଟ୍‌ଲେକ୍‌ର ସେଣ୍ଟ୍ରାଲ୍ ପାର୍କ ମେଳା ପଡ଼ିଆରେ। କିନ୍ତୁ ଦୁଇଟି ଘଟଣା ଏ ପ୍ରସଙ୍ଗରେ ଉଲ୍ଲେଖନୀୟ। ଗୋଟିଏ ଘଟଣା ୧୯୯୭ର ଏବଂ ଅନ୍ୟଟି ୨୦୦୭ର। ‘ସ୍ମୃତିର ସହର କଲିକତା’ରେ ଶ୍ରୀ ଦାଶ ୧୯୯୭ ଘଟଣାର ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇଛନ୍ତି। ସେ ବର୍ଷ ଅଗ୍ନିକାଣ୍ଡ ଘଟି ମେଳାର ଅନେକାଂଶ ଭସ୍ମୀଭୂତ ହୋଇଯାଇଥିଲା। ମାତ୍ର ସେଦିନର ସଂସ୍କୃତି ମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମେଳା ସ୍ଥଳରେ ପହଞ୍ଚି ଘୋଷଣା କରିଥିଲେ ଯେ ମାତ୍ର ଚାରି-ପାଞ୍ଚଦିନ ମଧ୍ୟରେ ପୁସ୍ତକ ମେଳାକୁ ପୁନର୍ବାର ଗଢ଼ିଦିଆଯିବ। ସେହି ଘୋଷଣା ସେଦିନ ଅସମ୍ଭବ ମନେ ହୋଇଥିଲେ ମଧ୍ୟ, ସେ ତାହାକୁ କାର୍ଯ୍ୟକାରୀ କରି ଦେଖାଇଥିଲେ। ଫଳରେ, ଫିନିକ୍‌ସ ପକ୍ଷୀ ପରି, କଲିକତା ପୁସ୍ତକମେଳା ଧ୍ୱଂସସ୍ତୂପ ମଧ୍ୟରୁ ପୁନର୍ବାର ସଗୌରବ ଆତ୍ମପ୍ରକାଶ କରିଥିଲା।

ଏ ତ ଥିଲା ସରକାରୀ ପକ୍ଷ; କିନ୍ତୁ ଏହାର ସାଧାରଣ ପକ୍ଷ ବି କିଛି କମ୍ ପ୍ରେରଣାପ୍ରଦ ନୁହେଁ। ୨୦୦୭ ମସିହାର କଥା। ମୈଦାନର ମେଳା ବନ୍ଦ ପାଇଁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସେଦିନ ସମବେତ ହୋଇଥିଲେ ସେଠାର ଲେଖକ, ସଂପାଦକ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ପୁସ୍ତକପ୍ରେମୀ। ସେମାନଙ୍କ ମଧ୍ୟରେ ଥିଲେ ସୁନୀଲ ଗଙ୍ଗୋପାଧ୍ୟାୟ, ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ, ସମରେଶ ମଜୁମ୍‌ଦାର, ସୁଚିତ୍ରା ଭଟ୍ଟାଚାର୍ଯ୍ୟ, ବୁଦ୍ଧଦେବ ଗୁହା ଓ ମୃଣାଳ ସେନ୍ ପ୍ରମୁଖ। ଉଚ୍ଚନ୍ୟାୟାଳୟଙ୍କ ନିଷ୍ପତ୍ତିର ଦୃଢ଼ ପ୍ରତିବାଦ ଜଣାଇଥିଲେ ସେମାନେ। ସ୍ପଷ୍ଟ ଘୋଷଣା କରିଥିଲେ- ତୁମେ ମେଳାକୁ ବନ୍ଦ କରିଦେଇପାର; ମାତ୍ର ଲୋକଙ୍କ ଉତ୍ସାହକୁ ଅବଦମିତ କରି ପାରିବ ନାହିଁ। ଫଳରେ ଆଜି ‘କଲକାତା ଆନ୍ତର୍ଜାତିକ ବଇ ମେଲା’ ସଫଳତାର ସହ ଚାଲିଛି। ‘ଫ୍ରାଙ୍କ୍‌ଫର୍ଟ ବୁକ୍ ଫେୟାର’ ଓ ‘ଲଣ୍ଡନ ବୁକ୍ ଫେୟାର’ ପରେ, ଏହା ବିଶ୍ୱର ତୃତୀୟ ବୃହତ୍ତମ ମେଳାରେ ପରିଣତ ହୋଇଛି। ମେଳା ପରିଦର୍ଶକଙ୍କ ସଂଖ୍ୟା ଦୃଷ୍ଟିରୁ ତାହା ହୋଇଛି ବିଶ୍ୱର ବୃହତ୍ତମ ବହି ମେଳା। ଆଉ ଏ ବର୍ଷର ୪୫ତମ ବହି ମେଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଳା ପଡ଼ିଆକୁ ଦେଇଛନ୍ତି ଏକ ସ୍ଥାୟୀ ନାମ- ‘ବଇମେଲା ପ୍ରାଙ୍ଗନ୍‌’। ତୁଳନାତ୍ମକ ଭାବରେ ଦେଖିଲେ- ଯେଉଁଠି ସେଠାର ସରକାର ମେଳାକୁ ନିଆଁ ଓ ପାଉଁଶ ଭିତରୁ ଗଢ଼ନ୍ତି, ଏଠି ଓଡ଼ିଶା ସରକାର ‘ଓଡ଼ିଶା ଦିବସ’ ଉତ୍ସବ ପାଳନ ଆଳରେ ଓଡ଼ିଆ ଭାଷା-ସାହିତ୍ୟର ମେଳାକୁ ଭାଙ୍ଗନ୍ତି। ଆଉ ଏଠାର ତଥାକଥିତ ଲୋକକ୍ଷେତ୍ରର ପ୍ରବକ୍ତାମାନେ ସେ ନେଇ ସାଧାରଣ ପ୍ରତିବାଦର ସ୍ୱରଟିଏ ବି ଉଠାନ୍ତିନି।

ଏ ସ୍ତମ୍ଭର ଅନେକ ଲେଖାରେ ଏହି ସ୍ତମ୍ଭକାର ପୂର୍ବରୁ କହିଆସିଛି, ଯେ ଦିଲ୍ଲୀ ଓ କଲକାତାରେ ସେ ରାଜ୍ୟର ସରକାର ନିଜେ ମେଳା କରନ୍ତି ନାହିଁ। ମେଳା କରନ୍ତି ସେ ରାଜ୍ୟର ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ। ସୁଖର କଥା, ଯେ ଆମ ରାଜ୍ୟରେ, ପୁସ୍ତକ ମେଳା କମିଟିମାନେ ଏକାଠି ହୋଇ ରାଜ୍ୟସ୍ତରୀୟ ମେଳାରେ ସରକାରଙ୍କୁ ସହଯୋଗ କରୁଛନ୍ତି। କିନ୍ତୁ ଆନ୍ତରିକତା ଅଭାବରୁ ତାହାକୁ ଏକ ଆନ୍ତର୍ଜାତିକ ପୁସ୍ତକମେଳା କରିବାପାଇଁ ସରକାରଙ୍କର ଘୋଷଣା ଏଇ ଅଳ୍ପ କେତୋଟି ବର୍ଷ ଭିତରେ କେବଳ ବିଡ଼ମ୍ବିତ ହୋଇଯାଇନାହିଁ; ମେଳାଭଙ୍ଗ ପରି ଏକ ପରିହାସରେ ମଧ୍ୟ ପରିଣତ ହୋଇଛି। କଲକାତା ଆନ୍ତର୍ଜାତିକ ବହିମେଳା ପାଇଁ ସେ ରାଜ୍ୟର ସରକାର ସ୍ଥାୟୀ ପଡ଼ିଆ ସହିତ ପୁଲିସ, ପାଣି ଓ ଅଗ୍ନିଶମ ବ୍ୟବସ୍ଥା ଆଦି ଯୋଗାଇ ଦେଉଛନ୍ତି। ସାରା ମହାନଗରୀର ବିଭିନ୍ନ ପ୍ରାନ୍ତରୁ ଲୋକେ ମେଳାକୁ ସୁବିଧାରେ ଆସିବା ଓ ମେଳାରୁ ସୁବିଧାରେ ଯିବା ପାଇଁ ୫୦ଟି ସ୍ୱତନ୍ତ୍ର ବସ୍‌ ବି ଯୋଗାଇ ଦେଉଛନ୍ତି। ତା’ ସହିତ ଦେଉଛନ୍ତି ମୋଟା ଅଙ୍କର ଆର୍ଥିକ ସହାୟତା। ଏଣୁ କେବଳ ଭୋଟ୍ ଅମଳ ଉପଯୋଗୀ ଲୋକପ୍ରିୟ ଯୋଜନା ପାଇଁ ଆମ ସରକାର ଦକ୍ଷିଣକୁ ଚାହାଁନ୍ତୁ ନାହିଁ; ଓଡ଼ିଶାରେ ପ୍ରକୃତରେ ଏକ ଆନ୍ତର୍ଜାତିକ ପୁସ୍ତକମେଳାର ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ଅନ୍ତତଃ ଥରେ ଉତ୍ତରକୁ ବି ଚାହାଁନ୍ତୁ। କଲକାତା ଓ ଦିଲ୍ଲୀ ପରି, ଆମ ସରକାର ନିଜେ ମେଳା ନ କରି, ମେଳା ଆୟୋଜକଙ୍କୁ ସହଯୋଗର ହାତ ବଢ଼ାନ୍ତୁ!

ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର