ଅସିତ ମହାନ୍ତି
ସୁଖର କଥା ଯେ ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଦ୍ବିତୀୟ ବର୍ଷ ପାଇଁ ‘ପୁନଶ୍ଚ ପୃଥିବୀ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ସଦ୍ୟ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପୁରୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ତାହାର ଅବଧି ଥିଲା ୬୦ ଦିନ। ଏବର୍ଷ ଠାରୁ ସାରା ବର୍ଷ ନିରନ୍ତର ଏହି ଅଭିଯାନ ଚାଲିଛି। ନିକଟରେ ରାଜ୍ୟ ରାଜଧାନୀ ଭୁବନେଶ୍ବର ଠାରେ ଏ ସଂକ୍ରାନ୍ତରେ ଏକ ତିନିଦିନିଆ ‘କନ୍କ୍ଲେଭ୍’ ମଧ୍ୟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ଏହି ଅବସରରେ ଉଦ୍ଘୋଷିତ ସଂକଳ୍ପ ଅନୁଯାୟୀ, ଏହା ଦୀର୍ଘ ବାର ବର୍ଷ, ଅର୍ଥାତ୍ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ବର୍ଷ- ୨୦୩୬ ପର୍ଯ୍ୟନ୍ତ ଚାଲିବ।
ଗତ ବର୍ଷ ଏଥିପାଇଁ ଯେଉଁ ୬୦ ଦିନିଆ କାର୍ଯ୍ୟକ୍ରମ ହୋଇଥିଲା, ତାହାର ଶୁଭାରମ୍ଭ ପୁରୀଠାରୁ ହେବା ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଓଡ଼ିଆ ଜାତି ‘ସର୍ବମଙ୍ଗଳ ଜଗନ୍ନାଥ’ରେ ବିଶ୍ବାସ କରେ। ସେଥିପାଇଁ ସବୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଆରମ୍ଭରେ ତାଙ୍କର ଆଶିଷ ଲୋଡ଼େ। ତାହା ସୁଚାରୁ ରୂପେ ସଂପନ୍ନ ହେବାରେ ତାଙ୍କର ଶୁଭଦୃଷ୍ଟି ରହିଥାଏ ବୋଲି ବିଶ୍ବାସ କରେ।
କିନ୍ତୁ ପ୍ରସଙ୍ଗଟି ତାହା ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ, ଯେଉଁଥିପାଇଁ ଏହି କାର୍ଯ୍ୟକ୍ରମ- ପ୍ରକୃତରେ ତାହାର ମୂଳସୂତ୍ର ରହିଛି ଶ୍ରୀଜଗନ୍ନାଥଙ୍କଠାରେ। ସେ ସଂପର୍କରେ ଅବଗତ ହେବାପାଇଁ ଶ୍ରୀଜଗନ୍ନାଥଙ୍କର ଆବିର୍ଭାବଠାରୁ ତାଙ୍କର ସାମଗ୍ରିକ ରୀତିନୀତି ପ୍ରତି ଦୃଷ୍ଟିପାତ କରିବାକୁ ପଡ଼ିବ।
ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ। ତାଙ୍କର ବିଗ୍ରହ ମୂଳତଃ ଦାରୁରେ ନିର୍ମିତ। ‘ଶ୍ରୀମଦ୍ଭାଗବତ’ରେ ଅର୍ଚ୍ଚା ବା ପୂଜାର ଯୋଗ୍ୟ ଦେବବିଗ୍ରହଙ୍କ ସଂପର୍କରେ ବର୍ଣ୍ଣନା ଅଛି। ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି- ଅର୍ଚ୍ଚାବିଗ୍ରହ ବା ଦେବତାଙ୍କ ପ୍ରତିମା ଅଷ୍ଟବିଧ। ଏହି ଆଠପ୍ରକାରର ପ୍ରତିମା- ପଥରରେ, ଦାରୁରେ, ଲୁହା ବା ସୁବର୍ଣ୍ଣ ଆଦି ଧାତୁରେ, ମୃତ୍ତିକା ଓ ଚନ୍ଦନରେ ଓ ବାଲୁକାରେ ନିର୍ମିତ ହୋଇଥାନ୍ତି। ଏହି ପ୍ରତିମା ପଟରେ ବା କାନ୍ଥରେ ମଧ୍ୟ ଅଙ୍କିତ େହାଇଥାନ୍ତି କିମ୍ବା ମଣିରେ ନିର୍ମିତ ହୋଇଥାନ୍ତି। ଏହା ବ୍ୟତୀତ ଏହି ପ୍ରତିମା ମଧ୍ୟ ମନୋମୟୀ। ମନରେ ତାଙ୍କର ରୂପ କଳ୍ପନା କରି ମଧ୍ୟ ତାଙ୍କୁ ପୂଜା କରାଯାଇଥାଏ।
‘ବ୍ରହ୍ମପୁରାଣ’ ଓ ‘ସ୍କନ୍ଦପୁରାଣ’ ଅନୁସାରେ, ଶ୍ରୀଜଗନ୍ନାଥଙ୍କର ପୂର୍ବରୂପ ମଣିମୟୀ ଥିଲା। ସେ ନୀଳମାଧବ ରୂପରେ ପୂଜିତ ହେଉଥିଲେ ଏବଂ ସେ ଥିଲେ ଇନ୍ଦ୍ରନୀଳମଣି ବିଗ୍ରହ। ଶବରରାଜ ବିଶ୍ବାବସୁଙ୍କ ଦ୍ବାରା ପୂଜିତ ସେହି ବିଗ୍ରହ ଗୁପ୍ତ ବା ଲୁପ୍ତ ହେବା ପରେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହସ୍ର ଅଶ୍ବମେଧ ଯଜ୍ଞ ଫଳରେ ସେ ଦିବ୍ୟଦାରୁ ରୂପେ ଆବିର୍ଭୂତ ହେଲେ। ‘ସ୍କନ୍ଦପୁରାଣ’ ଅନୁସାରେ, ଶ୍ବେତଦୀପବାସୀ ବିଷ୍ଣୁଙ୍କ ଶରୀରରୁ ଏକ ରୋମ ସ୍ଖଳିତ ହୋଇ ସେହି ଦାରୁରୂପ ନେଇଥିଲେ। ଶ୍ରୀବିଷ୍ଣୁଙ୍କ ଅଙ୍ଗସଂଭୂତ ସେହି ବ୍ରହ୍ମଦାରୁରେ ଗଢ଼ା ହୋଇଥିଲା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଗ୍ରହ। ସେହି ଅନୁସାରେ, ପରବର୍ତ୍ତୀ କାଳରେ ଦାରୁରେ ହିଁ ତାଙ୍କର ବିଗ୍ରହ ଗଠିତ ହୋଇଅାସୁଛି। ଏହା ବିଧିମତେ ଚୟନ ହୋଇଥିବା ନିମ୍ବବୃକ୍ଷରେ ଗଠନ କରାଯାଏ। କାରଣ ଶାସ୍ତ୍ରାନୁସାରେ, ସମାଜର ସବୁବର୍ଗର ଉପାସକଙ୍କ ପାଇଁ ନିମ୍ବବୃକ୍ଷରେ ନିର୍ମିତ ପ୍ରତିମା ଗ୍ରହଣୀୟ।
ଏଣୁ ଶ୍ରୀଜଗନ୍ନାଥ ଯେହେତୁ ଦାରୁବ୍ରହ୍ମ- ଅନ୍ୟ ମାଧ୍ୟମ, ଯଥା ଶିଳା, ଧାତୁ, ମଣି, ପଟ, ମୃତ୍ତିକା, ବାଲୁକା ଆଦିରେ ତାଙ୍କର ବିଗ୍ରହ ଗଠନ ହୋଇପାରିବ ନାହିଁ। ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ଉବାଚ ରୂପେ କୁହା ହୋଇଆସିଛି, ‘‘ବୃକ୍ଷ ନାହିଁ ତ ମୁଁ ନାହିଁ’’।
ଶ୍ରୀଜଗନ୍ନାଥଙ୍କ ତତ୍ତ୍ବ ଓ ଚେତନା ସହିତ ‘କଳ୍ପବଟ’ ଘନିଷ୍ଠ ଭାବରେ ଜଡ଼ିତ। ‘କଳ୍ପ’ର ରହିଛି ପୌରାଣିକ ତାତ୍ପର୍ଯ୍ୟ। ପୁରାଣ ମତରେ, ବ୍ରହ୍ମାଙ୍କର ଏକଦିନ ଓ ଏକରାତିର ସମୟ ହେଉଛି- କଳ୍ପ। ଏହାର ଅବଧି ୪୩୨ କୋଟି ମନୁଷ୍ୟ‑ବର୍ଷ। ଜଗନ୍ନାଥ ଦାସ ନବାକ୍ଷରୀ ଓଡ଼ିଆ ଭାଗବତରେ କହିଛନ୍ତି, ‘‘ସହସ୍ର ଯୁଗ କାଳ ଯେତେ। କଳ୍ପ ବୋଲାଇ ଏ ଜଗତେ।’’ ‘ସହସ୍ର ଯୁଗ’ ଏକହଜାର ଚତୁର୍ଯୁଗ (ସତ୍ୟ, ତ୍ରେତୟା, ଦ୍ବାପର ଓ କଳି)କୁ ବୁଝାଏ। ପ୍ରଳୟ କାଳରେ ଜଳପ୍ରଳୟରେ ସବୁକିଛି ନିମଜ୍ଜିତ ହୋଇଯାଏ। କିନ୍ତୁ ସେହି ଜଳପ୍ରଳୟରେ କଳ୍ପବଟ ବିନଷ୍ଟ ହୁଏ ନାହିଁ। ତାହାର କୋମଳ ପତ୍ର ଉପରେ ବାଳମୁକୁନ୍ଦ ରୂପରେ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥ ଶୋଇ ରହନ୍ତି।
ଏଣୁ ନିମ୍ବଗଛ ପରି ବଟବୃକ୍ଷ ସହିତ ମଧ୍ୟ ତାଙ୍କର ସଂପର୍କ ଘନିଷ୍ଠ।
ଆମ ଶାସ୍ତ୍ର-ପୁରାଣ କହିଛନ୍ତି- ମହାପ୍ରଳୟ ପରେ ଯେଉଁ ନୂତନ ସୃଷ୍ଟି ହୁଏ, ସେଥିରେ ଅନନ୍ତ ଶୟନରେ ଶାୟିତ ବିଷ୍ଣୁଙ୍କ ନାଭିପଦ୍ମରୁ ଏକ ପଦ୍ମପୁଷ୍ପର ଉଦ୍ଭବ ହୁଏ। ସେଥିରୁ ବ୍ରହ୍ମା ସୃଷ୍ଟି ହୁଅନ୍ତି। ସେଥିପାଇଁ ବ୍ରହ୍ମାଙ୍କର ନାମ ପଦ୍ମଯୋନି। ପଦ୍ମ ଚତୁର୍ଭୁଜ ବିଷ୍ଣୁଙ୍କର ଚାରି ଆୟୁଧ ମଧ୍ୟରୁ ଅନ୍ୟତମ। ବିଷ୍ଣୁପତ୍ନୀ ଲକ୍ଷ୍ମୀ ମଧ୍ୟ ପଦ୍ମା, ପଦ୍ମାଳୟା। ଏହିପରି ଭାବରେ ସବୁକିଛି ପ୍ରକୃତି ଓ ପରିବେଶ ସହ ଜଡ଼ିତ।
ଶ୍ରୀରାମ ଭଗବାନ ବିଷ୍ଣୁଙ୍କର ତ୍ରେତୟାଯୁଗର ଅବତାର। ତାଙ୍କର ମୁଖ୍ୟ କର୍ମଭୂମି ଅଯୋଧ୍ୟା ନ ଥିଲା। ତାଙ୍କର ମୁଖ୍ୟ କର୍ମଭୂମି ଥିଲା ବନପ୍ରଦେଶ। ଚଉଦ ବର୍ଷର ବନବାସ ଥିଲା ତାହାର ଅବଧି। ସେହିପରି ଦ୍ବାପର ଯୁଗର ପୂର୍ଣ୍ଣାବତାର ଶ୍ରୀକୃଷ୍ଣଙ୍କର ଅନ୍ୟତମ ପ୍ରମୁଖ ଲୀଳାସ୍ଥଳୀ ଥିଲା ଗୋକୁଳ। ଏସବୁ ପୃଥିବୀର ପ୍ରକୃତି ଓ ପରିବେଶ ସହ ସଂପୃକ୍ତ।
ଅବତାର ପ୍ରସଙ୍ଗରେ ଆସେ ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଅବତାରଙ୍କର ଆୟୁଧ। ତାହାଙ୍କର ପ୍ରଥମ ତିନି ଅବତାର- ମତ୍ସ୍ୟ, କଚ୍ଛପ ଓ ବରାହ ଅବତାରରେ କିଛି ଆୟୁଧ ଥିବା ଜଣାଯାଏ ନାହିଁ। ସେହିପରି ନୃସିଂହ ଅବତାରରେ ତାଙ୍କର ଆୟୁଧ ଥିଲା ତୀକ୍ଷ୍ଣ ନଖ। ସେଥିରେ ହିଁ ସେ ଦୈତ୍ୟ ହିରଣ୍ୟକଶିପୁକୁ ବିଦାରଣ କରିଥିଲେ। ପରବର୍ତ୍ତୀ ବାମନ ଅବତାରରେ ସେ ଥିଲେ ବଟୁ ବ୍ରାହ୍ମଣ। କିନ୍ତୁ ପରଶୁରାମ, ରାମ ଓ ବଳରାମ ଅବତାରରେ ତାଙ୍କର ଆୟୁଧ ଅଛି। ପରଶୁରାମଙ୍କର ମୁଖ୍ୟ ଆୟୁଧ ଫାର୍ଶା ହେଲେ ମଧ୍ୟ ସେହି ଅବତାରରେ ତାଙ୍କର ଧନୁ ମଧ୍ୟ ଥିଲା। ତାହାର ନାମ ଅଜଗବ। ତାହାର ଅନ୍ୟନାମ ପିନାକ। ତାହା ମଧ୍ୟ ଶିବଙ୍କ ଧନୁ। ତାହାକୁ ଭଙ୍ଗ କରି ଶ୍ରୀରାମ ସୀତାଙ୍କୁ ବିବାହ କରିଥିଲେ। ସେହିପରି, ବିଷ୍ଣୁଙ୍କ ଧନୁ ଶାର୍ଙ୍ଗ (ଶାରଙ୍ଗ) ଓ ଶ୍ରୀରାମଙ୍କ ଧନୁ କୋଦଣ୍ଡ। ଦ୍ବିତିକୃଷ୍ଣ ଅର୍ଜୁନଙ୍କ ଧନୁ ଗାଣ୍ଡିବ। ଏସବୁ ବାଉଁଶରୁ ନିର୍ମିତ। ସେହିପରି ମଧ୍ୟ, ଶ୍ରୀକୃଷ୍ଣଙ୍କର ମୁଖ୍ୟ ଆୟୁଧ ସୁଦର୍ଶନ ଚକ୍ର ହେଲେ ହେଁ ତାଙ୍କର ଲଳିତ ଆୟୁଧ ବଂଶୀ ବା ମୋହନବଂଶୀ। ଏହା ମଧ୍ୟ ବାଉଁଶରୁ ନିର୍ମିତ।
ଏସବୁ ସୂଚିତ କରେ ଯେ ପ୍ରକୃତି ଓ ପ୍ରକୃତିର ବୃକ୍ଷସଂପଦ ଯୁଗେ ଯୁଗେ ମନୁଷ୍ୟ ତ ଛାର, ଭଗବାନଙ୍କୁ ମଧ୍ୟ ତାଙ୍କର ଦିବ୍ୟକର୍ମ ସଂପାଦନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଉପାଦାନ ଯୋଗାଇ ଆସିଛି।
ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ପରି ଅବତାରଙ୍କ ପ୍ରସଙ୍ଗରୁ ଯଦି ଶ୍ରୀଜଗନ୍ନାଥଙ୍କ ରୀତିନୀତିକୁ ଆସିବା, ତେବେ ଦେଖିବା ଯେ ନିର୍ଦ୍ଦିଷ୍ଟ ଅବଧିରେ ତାଙ୍କର ବିଗ୍ରହ ନିର୍ମାଣ ପାଇଁ ଯେଉଁ ଦାରୁଚୟନ ହୋଇଥାଏ, ସେହି ନବକଳେବର ନୀତିର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ହେଉଛି ବନଯାଗ। ନିର୍ଦ୍ଦିଷ୍ଟ ବିଧି ଅନୁସାରେ ସେହି ବନଯାଗ ନୀତି ସଂପନ୍ନ ହୁଏ ଏବଂ ବିଗ୍ରହଯୋଗ୍ୟ ଦାରୁବୃକ୍ଷମାନଙ୍କର ଚୟନ ପରେ ସେମାନଙ୍କୁ ସ୍ବତନ୍ତ୍ର ଶଗଡ଼ିରେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଅଣାଯାଏ। ସେହି ଶଗଡ଼ି ମଧ୍ୟ କାଠରେ ନିର୍ମିତ ହୋଇଥାଏ। ସେହି ଦାରୁଶଗଡ଼ିର ଚକ ବରକାଠରେ, ଶଗଡ଼ିର ଦଣ୍ଡା ତେନ୍ତୁଳି କାଠରେ ଏବଂ ଅଖ କେନ୍ଦୁକାଠରେ ନିର୍ମିତ ହୋଇଥାଏ। ଏ ଦୃଷ୍ଟିରୁ, ବୃକ୍ଷ ସଂପଦ ଗୁରୁତ୍ବପୂର୍ଣ୍ଣ।
ଶ୍ରୀଜଗନ୍ନାଥଙ୍କର ଦ୍ବାଦଶଯାତ୍ରା ମଧ୍ୟରୁ ପ୍ରମୁଖ ଯାତ୍ରା ହେଉଛି- ରଥଯାତ୍ରା। ପ୍ରତିବର୍ଷର ଏହି ରଥଯାତ୍ରା ନିମନ୍ତେ ତିନିଟି ନୂଆ ରଥ ମୁଖ୍ୟତଃ କାଠରେ ହିଁ ନିର୍ମିତ ହୋଇଥାଏ। ପାରମ୍ପରିକ ଭାବରେ ରଥର ବିଭିନ୍ନ ଅଙ୍ଗ ପାଇଁ ବିଭିନ୍ନ ପ୍ରକାରର କାଠ ଲାଗିଥାଏ। ଏଣୁ ଶ୍ରୀଜଗନ୍ନାଥଙ୍କର ଏହି ପ୍ରମୁଖ ଯାତ୍ରା ଆମର ସମୃଦ୍ଧ ବନସଂପଦ ବିନା ସମ୍ଭବ ନୁହେଁ।
ଏହିପରି ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ। କିନ୍ତୁ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ରୀତିନୀତି ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ, ଯେ ସେଥିରେ ମଧ୍ୟ ବୃକ୍ଷଲତାଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ସହଯୋଗ ରହିଛି। ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତିର ଏକ ଗୁରୁତ୍ବପୂର୍ଣ୍ଣ ବିଭାବ ଅବକାଶ ନୀତି। ଶାସ୍ତ୍ରରେ କୁହାଯାଇଛି- ଲକ୍ଷ୍ମୀପତି ଶ୍ରୀଜଗନ୍ନାଥ ମାନବ-ଲୀଳା କରିବା ପାଇଁ ହିଁ ଏଠାରେ ଦାରୁ ରୂପରେ ଆବିର୍ଭୂତ ହୋଇଛନ୍ତି। ଏଣୁ ପ୍ରତିଦିନ ସକାଳେ ସେ ଆମପରି ଦନ୍ତମାର୍ଜନ, ସ୍ନାନ ଆଦି କରିଥାଆନ୍ତି। ସମୟର ପରିବର୍ତ୍ତନ ବା ଅଗ୍ରଗତି ସହିତ, ଆମେ ଆମର ଦନ୍ତମାର୍ଜନ ନିମନ୍ତେ ପାରମ୍ପରିକ ଦାନ୍ତକାଠି ଛାଡ଼ି, ବିଭିନ୍ନ ଦନ୍ତମାର୍ଜନ ଚୂର୍ଣ୍ଣ ବା ‘ଟୁଥ୍ପେଷ୍ଟ’ ଆଦି ଗ୍ରହଣ କରିଛୁ। କିନ୍ତୁ ଶ୍ରୀଜଗନ୍ନାଥ ତାଙ୍କର ପାରମ୍ପରିକ ଦନ୍ତମାର୍ଜନ ରୀତିରେ ମୁତୁରି ଦାନ୍ତକାଠି ଓ କର୍ପୂରରେ ହିଁ ଆଜି ବି ଦନ୍ତମାର୍ଜନ କରିଥାଆନ୍ତି। ଆଜି ବି କୌଣସି ସାବୁନ୍ ବା ଅନ୍ୟ ଆଧୁନିକ ସ୍ନାନ ଉପାଦାନରେ ନୁହେଁ, ସେ ଦହି, ଅଁଳାଚୂର୍ଣ୍ଣ, କ୍ଷୀରସର, କର୍ପୂର, ସୁବାସିତ ଶୁକ୍ଳ ପୁଷ୍ପ ଆଦି ମିଶ୍ରିତ ଜଳରେ ହିଁ ସ୍ନାନ କରିଥାନ୍ତି। ସକାଳର ନୀତି ପରି, ରାତିର ବଡ଼ସିଂହାର ବେଶରେ ସେ ମୁଖ୍ୟତଃ ପତ୍ର ଓ ପୁଷ୍ପରେ ପ୍ରସ୍ତୁତ ଅଳଙ୍କାର ହିଁ ପରିଧାନ କରିଥାଆନ୍ତି। ସେହିପରି, ତୁଳସୀ, ଦୟଣା ଓ ଦୂବ ମଧ୍ୟ ତାଙ୍କର ପ୍ରିୟ ଦ୍ରବ୍ୟ। ପ୍ରତିଦିନର ଶୁଦ୍ଧ ଶାକାହାର ଭୋଜନ (ଭୋଗ) ପରେ ତାଙ୍କର ପ୍ରିୟ ମୁଖସୁଖ ଥାଏ ବିଡ଼ିଆ ପାନ। ଶୟନକାଳରେ ଶଯ୍ୟାଧାରରେ ପ୍ରିୟ ପେୟ ରୂପେ ପ୍ରସ୍ତୁତ ରହିଥାଏ ପଇଡ଼ ପାଣି।
ରାଜଧାନୀ ଭୁବନେଶ୍ବରରେ, ସଦ୍ୟ ଉଦ୍ଯାପିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ-କନ୍କ୍ଲେଭ୍’କୁ ଉଦ୍ଘାଟନ କରି ମାନେକା ଗାନ୍ଧୀ ଯେଉଁ ଗୁରୁତ୍ବପୂର୍ଣ୍ଣ କଥାଟି କହିଥିଲେ, ତାହା ହେଉଛି- ‘କାଲି ପାଇଁ ଅାଜି’ର ଯେଉଁ ସମସ୍ୟା ବା ଚିନ୍ତାରୁ ଏହି ମହା ଆଲୋଚନାର ଆୟୋଜନ- ତାହାର ସମାଧାନର ସୂତ୍ର ରହିଛି ଆମର ଖାଇବା ଥାଳିରେ। କାରଣ, ମାଂସାହାର ହିଁ ପୃଥିବୀର ପରିବେଶକୁ ଆଜି ସବୁଠୁ ବେଶୀ ନଷ୍ଟ କରୁଛି। ଆମେ ଯଦି ମାଂସାହାର ସଂପୂର୍ଣ୍ଣ ତ୍ୟାଗ କରିବା, ଶାକାହାରୀ ହେବା, ତେବେ ପୃଥିବୀର ନଷ୍ଟ ପରିବେଶକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷା ଦେଇପାରିବା।
ଶ୍ରୀଜଗନ୍ନାଥ ହିଁ ଆମକୁ ତାଙ୍କର ଉଦ୍ଭବ, ତାଙ୍କର ରୀତି-ନୀତି, ପର୍ବ ଉତ୍ସବ, ବେଶଭୂଷା ଓ ଭୋଜନ ଆଦି ମାଧ୍ୟମରେ ସେହି ବାର୍ତ୍ତା ଦେଉଛନ୍ତି। କିନ୍ତୁ ଆମେ ବୋଧହୁଏ ସେ ସଂପର୍କରେ ଯେତିକି ସଚେତନ ହେବା କଥା, ସେତିକି ସଚେତନ ନୋହୁ। ଏହା ହିଁ ‘କାଲି ପାଇଁ ଆଜି’ର କଥା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦ ୩୪୮୦୪