ଅସିତ ମହାନ୍ତି
ଆଉ ପ୍ରାୟ ତିନି ସପ୍ତାହ ପରେ ଓଡ଼ିଶା ସାହିତ୍ୟ ଏକାଡେମୀ ତାହାର ୬୮ତମ ପ୍ରତିଷ୍ଠା ଦିବସ ପାଳନ କରିବ। କାରଣ, ଓଡ଼ିଆ ଭାଷା ଓ ସାହିତ୍ୟର ଶ୍ରୀବୃଦ୍ଧି ଓ ବିକାଶସାଧନ ନିମନ୍ତେ, ଓଡ଼ିଶା ବିଧାନସଭାର ଏକ ସଂକଳ୍ପ ଅନୁସାେର, ୧୯୫୭ ମସିହା ଜୁଲାଇ ୨୫ ତାରିଖ ଦିନ ଏହି ଏକାଡେମୀ ଜନ୍ମ ନେଇଥିଲା। ସେଦିନର ତିଥି ଥିଲା ଶ୍ରାବଣ କୃଷ୍ଣ ତ୍ରୟୋଦଶୀ। ଦିନଟି ଥିଲା ଗୁରୁବାର।
ଆମ ଦେଶ ଭାରତ ସ୍ବାଧୀନ ହେବା ପରେ, ବିବିଧ ଭାଷାଭାଷୀ ଏହି ଦେଶରେ, ଭାଷା-ଭାଷା ମଧ୍ୟରେ ସଂହତି ସ୍ଥାପନ, ପାରସ୍ପରିକ ସହଯୋଗ ଏବଂ ଭାବଗତ ଯୋଗସୂତ୍ର ରକ୍ଷା ନିମନ୍ତେ ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିଲା କେନ୍ଦ୍ର ସାହିତ୍ୟ ଅକାଦେମି। ସେହି ଆଭିମୁଖ୍ୟ ପ୍ରତି ଅାକୃଷ୍ଟ ହୋଇ, ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଆମରି ଏଇ ଓଡ଼ିଶାରେ ତତ୍ତୁଲ୍ୟ ଏକ ଏକାଡେମୀ ପ୍ରତିଷ୍ଠାର ସ୍ବପ୍ନ ଦେଖିଥିଲେ ଆମର ପୂର୍ବସୂରୀମାନେ। ସେଥିନିମନ୍ତେ ରାଜ୍ୟ ବିଧାନସଭାେର ଏକ ସଂକଳ୍ପ ଗୃହୀତ ହୋଇଥିଲା। ତଦନୁଯାୟୀ, ୨୫ ଜୁଲାଇ ୧୯୫୭ରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା ସାହିତ୍ୟ ଏକାଡେମୀ। ସଂପ୍ରତି ତାହା ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କାର୍ଯ୍ୟ କରୁଛି।
ଏହି ଦୁଇ ସାହିତ୍ୟ ଏକାଡେମୀର ଜନ୍ମ ଗୋଟିଏ ଦଶନ୍ଧିରେ। କିନ୍ତୁ ନାମ ଦୃଷ୍ଟିରୁ ଦେଖିଲେ, ପ୍ରଥମଟି ‘ଅକାଦେମି’ ତ ପରଟି ‘ଏକାଡେମୀ’। ଏହି ଉଚ୍ଚାରଣଗତ ଭିନ୍ନତା ହୁଏତ ସ୍ବଳ୍ପ; କିନ୍ତୁ ଆଚରଣ ଦୃଷ୍ଟିରୁ ଦେଖିଲେ ପାର୍ଥକ୍ୟ ଆକାଶ-ପାତାଳ। ପ୍ରଥମଟି ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ଓ ସଂଚାଳିତ ଏବଂ ସାହିତ୍ୟିକମାନଙ୍କର ଏକ ଅନୁଷ୍ଠାନ େହାଇଥିବା ବେଳେ, ପରଟି ତଥାକଥିତ ସ୍ବୟଂଶାସିତ; ମାତ୍ର ସରକାରଙ୍କ ଦ୍ବାରା ନିୟନ୍ତ୍ରିତ।
ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠାର ଦୀର୍ଘ ଏକ ଦଶନ୍ଧି ପରେ ଯେତେବେଳେ ଏହାର ସଂବିଧାନ ପ୍ରଣୀତ ହେଲା, ସେତେବେଳେ, ସେ ସମୟର ଦୂରଦ୍ରଷ୍ଟା ସାହିତ୍ୟିକ ମାୟାଧର ମାନସିଂହ, ସରକାରଙ୍କର ଏହି ନିୟନ୍ତ୍ରଣ ଯେ ଅଚିରେ ନିପୀଡ଼ନରେ ପରିଣତ ହେବ, ସେହି ଅାଶଙ୍କା କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେଦିନ ସେ କହିଥିଲେ, ‘‘ସରକାର ତାଙ୍କ ବୃଦ୍ଧାଙ୍ଗୁଷ୍ଠି ତଳେ ରହିବା ପରି’’ ଏକାଡେମୀଟିଏ ଗଢ଼ିଦେଲେ। ଆଜି ସେହି କଟୁ ସତ୍ୟ ଅତି କଠୋର ଭାବରେ ଅନୁଭୂତ ହେଉଛି।
ଏବେ କେନ୍ଦ୍ରରେ ଓ ରାଜ୍ୟରେ ଚାଲିଛି ଭାରତୀୟ ଜନତା ପାର୍ଟିର ସରକାର। ଏହାକୁ କୁହାଯାଉଛି ‘ଡବଲ ଇଞ୍ଜିନ୍’ ସରକାର। ଅଥଚ, ତାହା ସତ୍ତ୍ବେ, କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ଥ ‘ସାହିତ୍ୟ ଅକାଦେମି’ ଗୋଟିଏ ଢାଞ୍ଚାରେ ଚାଲିଥିବା ବେଳେ, ରାଜ୍ୟରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ଥ ‘ସାହିତ୍ୟ ଏକାଡେମୀ’ ଆଉ ଗୋଟିଏ ଢାଞ୍ଚାରେ ଚାଲିଛି। ବର୍ଷକ ପରେ ବି ଏହାହିଁ ଏକ ବିଡ଼ମ୍ବନା।
କେନ୍ଦ୍ର ସାହିତ୍ୟ ଅକାଦେମି ୨୪ଟି ଭାଷା ପାଇଁ କାର୍ଯ୍ୟ କରେ। ତାହାର ନିୟମିତ ଓ ବାର୍ଷିକ ପୁରସ୍କାର ସଂଖ୍ୟା ୪। ଚବିଶଟି ଭାଷାରେ ଏହି ପୁରସ୍କାରର ସଂଖ୍ୟା ୯୬। ତାହା ତୁଳନାରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ସଂଖ୍ୟା ମାତ୍ର ୧୧। ସର୍ବୋଚ୍ଚ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’କୁ ମିଶାଇଲେ ଏହା ୧୨। ଏହା ସତ୍ତ୍ବେ, ସାହିତ୍ୟ ଅକାଦେମି ପୁରସ୍କାର ନିୟମିତ ଭାବରେ ପ୍ରଦାନ କରାଯାଉଥିବା ବେଳେ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଯେ ଚଳିତ ବର୍ଷକୁ ମିଶାଇ ନଅ ବର୍ଷ ବାକି, ଏହା ଏହି ଏକାଡେମୀର କାର୍ଯ୍ୟ ଧାରାର ଏକ ବଡ଼ ପ୍ରମାଣ। ଏହା ସହିତ ମଧ୍ୟ ରହିଛି, ପୂର୍ବରୁ ଝୁଲି ରହିଥିବା ଗୋଟିଏ ବର୍ଷର ତିନିଟି ପୁରସ୍କାର- ଯାହା ଅଦାଲତଙ୍କ ରାୟର ଦୀର୍ଘ ପ୍ରାୟ ଦେଢ଼ ବର୍ଷ ପରେ ବି ଦିଆଯାଇ ନାହିଁ। ତେଣୁ ଏ ବ୍ୟାପାରରେ ଏକାଡେମୀ ଏବେ ଦଶପାଦ ପଛୁଆ।
ଓଡ଼ିଶା ସାହିତ୍ୟ ଏକାଡେମୀ ପରି, କେନ୍ଦ୍ର ସାହିତ୍ୟ ଅକାଦେମିରେ ମଧ୍ୟ ସଭାପତି ଓ ଉପସଭାପତି ଥାଆନ୍ତି। କାର୍ଯ୍ୟନିର୍ବାହୀ ପରିଷଦ ଓ ସାଧାରଣ ପରିଷଦ ରହିଥାଏ। କିନ୍ତୁ ନିୟମିତ ଅବଧିରେ, ଯଥାସମୟରେ, ସଂବିଧାନସମ୍ମତ ବିଧି ବ୍ୟବସ୍ଥା ଅନୁସାରେ, କେନ୍ଦ୍ର ସାହିତ୍ୟ ଅକାଦେମିର ସାଂବିଧାନିକ କମିଟିମାନ ଗଠିତ ହୁଏ ଏବଂ ପଦପଦବିଗୁଡ଼ିକ ପୂରଣ ହୁଏ। କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀ ସରକାରଙ୍କ କୃପାକଟାକ୍ଷ ଓ ହାତଟେକାକୁ ଚାହିଁ ରହି ଅନିୟମିତ ହୋଇ ରହେ। ନୂଆ ସରକାରର ବର୍ଷେ ବିତିଯିବା ପରେ ବି ଏହା ହିଁ ଆଜିର ଓଡ଼ିଶା ସରକାରଙ୍କ ‘ଓଡ଼ିଆ ଅସ୍ମିତା’ର ଲଜ୍ଜାଜନକ ପ୍ରମାଣ। ଆଉ କେତେକ କ୍ଷେତ୍ରରେ ହୁଏତ ସରକାର କଥା ରଖିଛନ୍ତି; କିନ୍ତୁ ଏ କ୍ଷେତ୍ରରେ କଥା ରଖି ନାହାନ୍ତି।
୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟର ନୂଆ ଭାରତୀୟ ଜନତା ପାର୍ଟି ସରକାର ସେହି ବର୍ଷ ଜୁନ୍ ୧୨ ତାରିଖରେ ଶପଥ ଗ୍ରହଣ କରିଥିଲା। ତାହାର ଦେଢ଼ମାସ ପରେ ପାଳିତ ହୋଇଥିଲା ଓଡ଼ିଶା ସାହିତ୍ୟ ଏକାଡେମୀର ୬୭ତମ ପ୍ରତିଷ୍ଠା ଦିବସ। ତା’ ପୂର୍ବରୁ ନୂଆ ସଂସ୍କୃତି ମନ୍ତ୍ରୀ ବିଭାଗୀୟ ପଦାଧିକାରୀମାନଙ୍କର ଗୋଟିଏ ସ୍ବତନ୍ତ୍ର ବୈଠକ ମଧ୍ୟ କରିଥିଲେ। ସେଥିରେ ଅନିୟମିତ ଏକାଡେମୀ ପୁରସ୍କାରକୁ ନିୟମିତ କରିବା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ସଭାପତି, ଉପସଭାପତି ଓ ଅନ୍ୟାନ୍ୟ ସାଂବିଧାନିକ ପଦପଦବି ପୂରଣ ଏବଂ କମିଟିଗୁଡ଼ିକର ଗଠନ ମଧ୍ୟ ତତ୍ପରତାର ସହ କରିବା ବିଷୟ ଆଲୋଚିତ ହୋଇଥିଲା। କିନ୍ତୁ ସେଦିନ ଯେଉଁ ପ୍ରତିଷ୍ଠା ଦିବସ ପାଳିତ ହେଲା, ସେଥିରେ ବିଭାଗୀୟ ମନ୍ତ୍ରୀ ସେ ବାବଦରେ କିଛି କହି ନ ଥିଲେ। ସମ୍ବାଦପତ୍ର ବିବରଣୀ ଅନୁସାରେ, ‘‘କେବଳ କେତେ ଖଣ୍ଡ ବହି, କେତେକ ପୁରସ୍କାର ଓ ସମ୍ମାନରେ ସାହିତ୍ୟ ସୀମିତ ନ ରହୁ’’ ବୋଲି ସେ କହିଥିଲେ।
ସେଦିନ ବି ଓଡ଼ିଶା ସାହିତ୍ୟ ଏକାଡେମୀ ଥିଲା ମୁରବିବିହୀନ। କାରଣ, ସଭାପତି ଓ ଉପସଭାପତିଙ୍କର କାର୍ଯ୍ୟକାଳ ୨୦ ମେ, ୨୦୨୪ରେ ଶେଷ ହୋଇଥିଲା; ଅଥଚ ନୂଆ ସଭାପତି ଓ ଉପସଭାପତି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିଲା। କେବଳ ଜଣେ ବିଭାଗୀୟ ପଦାଧିକାରୀଙ୍କୁ ସେହି ଦୁଇ ଦାୟିତ୍ବ ଅତିରିକ୍ତ ଭାବରେ ଦେଇ ଦିଆଯାଇଥିଲା। ସାଧାରଣ ପରିଷଦ ନ ଥିଲା। ତାହାର କାର୍ଯ୍ୟ କାଳ ଜୁଲାଇ ୨୦୨୩ରୁ ଶେଷ ହୋଇଥିଲା। କାର୍ଯ୍ୟକାରୀ ପରିଷଦ ବି ନ ଥିଲା; କାରଣ, ତାହାର କାର୍ଯ୍ୟ କାଳ ୨୦ ଜୁଲାଇ, ୨୦୨୩ଠାରୁ ଶେଷ ହୋଇଥିଲା। ଆଜି ଆହୁରି ପ୍ରାୟ ବର୍ଷେ ପରେ, ଅର୍ଥାତ୍ ଦୁଇ ବର୍ଷ ପରେ ବି ସ୍ଥିତି ସେହିପରି ରହିଛି- ‘‘ଯେମିତି ଅଛି ସେମିତି ଥାଉ। ଇତି ବାଞ୍ଛା ସାହୁ’’ ନୀତିରେ। ଆଜି ଏହା ହିଁ ଓଡ଼ିଆ ଭାଷା-ସାହିତ୍ୟ-ଅସ୍ମିତାର ପ୍ରମୁଖ ଆସ୍ଥାପୀଠ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଥିତି।
କିନ୍ତୁ ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି କିଏ? ଏହା ଏକ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ। ଆଜି ଏ ପ୍ରଶ୍ନର ଉତ୍ତର ବି କାହା ପାଖରେ ନାହିଁ। ତଥ୍ୟାନୁଯାୟୀ, ୨୦ ମେ ୨୦୨୪ରେ ସଭାପତି ଓ ଉପସଭାପତିଙ୍କର କାର୍ଯ୍ୟ କାଳ ପୂରିଯାଉଥିବାରୁ ସେହି ତାରିଖରେ ବିଭାଗୀୟ କମିସନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ସ୍ବାକ୍ଷରରେ ଏକ ‘କାର୍ଯ୍ୟାଳୟ ଆଦେଶ’ (ନଂ-୬୦୬୩) ଜାରି େହାଇଥିଲା। ସେଥିରେ ଉଲ୍ଲେଖ ଥିଲା- ‘‘ସଭାପତି ଓ ଉପସଭାପତି, ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀଙ୍କ କାର୍ଯ୍ୟକାଳ ତା ୨୦.୦୫.୨୦୨୪ ରିଖରେ ଶେଷ ହେଉଅଛି। ଶ୍ରୀଯୁକ୍ତ ଦିଲୀପ ରାଉତରାୟ, ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କୁ ନିଜ ଦାୟିତ୍ବ ସହିତ ସଭାପତି ଓ ଉପସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଭାବେ ତା ୨୧.୫.୨୦୨୪ ରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟ କରିବାପାଇଁ ଆଦେଶ ପ୍ରଦାନ କରାଗଲା।’’
ଏହି ‘କାର୍ଯ୍ୟାଳୟ ଆଦେଶ’ ସୂଚାଏ, ଯେ ଶ୍ରୀ ରାଉତରାୟଙ୍କୁ ଯେତେବେଳେ ଏହି ଦାୟିତ୍ବ ଦିଆଯାଇଥିଲା, ସେତେବେଳେ ସେ ବିଭାଗୀୟ ପଦାଧିକାରୀ ଥିଲେ। ସଂପ୍ରତି (୮ ଅଗଷ୍ଟ, ୨୦୨୪ଠାରୁ) ସେ ଭଦ୍ରକ ଜିଲ୍ଲାର ଜିଲାପାଳ ଭାବରେ ଅବସ୍ଥାପିତ। ସେ ସେହି ଦାୟିତ୍ବ ଗ୍ରହଣ କରିବା ପରେ, ଓଡ଼ିଶା ସାହିତ୍ୟ ଏକାଡେମୀ (ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ)ର ସଭାପତି ଓ ଉପସଭାପତି ଦାୟିତ୍ବ କାହାକୁ ଦିଆଯାଇଛି? ସେ ବାବଦରେ ସରକାରୀ ଆଦେଶନାମା କିଛି ଅଛି କି? ଏ ପ୍ରଶ୍ନର ଉତ୍ତର ଓଡ଼ିଶା ସାହିତ୍ୟ ଏକାଡେମୀ ବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, କାହା ପାଖରେ ନାହିଁ।
ପ୍ରାୟ ବର୍ଷକ ପୂର୍ବେ ଓଡ଼ିଶା ସାହିତ୍ୟ ଏକାଡେମୀ ଯେଉଁ ୬୭ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା, ସେଥିରେ ବିଭାଗୀୟ ମନ୍ତ୍ରୀ ଯାହା କହିଥିଲେ, ତାହାର ବିବରଣୀ ସମ୍ବାଦପତ୍ରରେ ପ୍ରକାଶ ପାଇଛି। ସେଥିରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଉଛି- ‘‘ସାହିତ୍ୟ ସାଧାରଣ ଜନତା ପାଇଁ ସୃଷ୍ଟି ହେଉ। ମୁଖ୍ୟତଃ ସରକାରଙ୍କୁ ଚେତାଇବାର ବା ପଥପ୍ରଦର୍ଶନ କରିବାର ଏକ ମାଧ୍ୟମ ହେଉ ସାହିତ୍ୟ।’’
ମନେ ହେଉଛି, ଏସବୁ କେବଳ ସଭାମଞ୍ଚର ଭାଷଣ। କେବଳ କଥାର କଥା। ପ୍ରକୃତରେ ସରକାର ଆଦୌ ଚେତିବାକୁ ଚାହାନ୍ତି ନାହିଁ। ତା’ ନ ହୋଇଥିଲେ, ବାରମ୍ବାର ଏସବୁ ଅବ୍ୟବସ୍ଥା କଥା ଆଲୋଚିତ ହେବା ପରେ ବି କ’ଣ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହି ଥାଅାନ୍ତେ?
ଏଣୁ ଆଜିର ଏ ଆଲୋଚନାର ନିଷ୍କର୍ଷ ହେଉଛି- ଆଜି ଓଡ଼ିଶା ସାହିତ୍ୟ ଏକାଡେମୀରେ ସଭାପତି କି ଉପସଭାପତି କେହି ନାହାନ୍ତି କି ସେହି ଦାୟିତ୍ବରେ କାହାକୁ ଅବସ୍ଥାପିତ କରାଯାଇ ନାହିଁ। ସାଧାରଣ ପରିଷଦ କି କାର୍ଯ୍ୟକାରୀ ପରିଷଦ ବି ନାହିଁ। କେବଳ ଜଣେ ବିଭାଗୀୟ ପଦାଧିକାରୀଙ୍କୁ ସଚିବ ଦାୟିତ୍ବ ଦେଇ ସରକାରଙ୍କ ସଂପୃକ୍ତ ବିଭାଗ ମନ ଇଚ୍ଛା ବିଭିନ୍ନ କାର୍ଯ୍ୟକ୍ରମ କରି ଚାଲିଛନ୍ତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମଧ୍ୟ ସେହି ସ୍ଥିତି। ଏହା ଓଡ଼ିଶା ସାହିତ୍ୟ ଏକାଡେମୀ (ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ) ସଂବିଧାନର ଖୋଲା ଉଲ୍ଲଙ୍ଘନ।
ନିକଟରେ କେନ୍ଦ୍ର (ଓ ରାଜ୍ୟ)ର ଭାରତୀୟ ଜନତା ପାର୍ଟି ସରକାର ‘ସଂବିଧାନର ହତ୍ୟା ଦିବସ’ ପାଳନ କରିଛନ୍ତି। ଏହା ପାଳିତ େହାଇଛି, ପୂର୍ବରୁ କେନ୍ଦ୍ରରେ ଥିବା କଂଗ୍ରେସ ସରକାରର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଜାରି ହୋଇଥିବା ‘ଜରୁରୀ ପରିସ୍ଥିତି’ (ଇମରଜେନସି)ର ପଚାଶ ବର୍ଷ ପୂର୍ତ୍ତି ଅବସରରେ। ରାଜ୍ୟ ସରକାର ବି ତାହାକୁ ବ୍ୟାପକ ଭାବରେ ପାଳନ କରିଛନ୍ତି। କିନ୍ତୁ ତାହା କ’ଣ କେବଳ ସଂବିଧାନର ହତ୍ୟା; ଆଉ ଓଡ଼ିଶା ସାହିତ୍ୟ ଏକାଡେମୀେର ସରକାରଙ୍କର ଏହି ସ୍ବେଚ୍ଛାଚାର, ସଂବିଧାନର ହତ୍ୟା ନୁହେଁ?
ଏଣୁ ଆମର ପ୍ରସ୍ତାବ- ରାଜ୍ୟର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତୁରନ୍ତ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ସଂବିଧାନକୁ ପରିବର୍ତ୍ତନ କରି ତାହାକୁ ‘ଓଡ଼ିଶା ସରକାରୀ ସାହିତ୍ୟ ଏକାଡେମୀ’ କରିଦିଅନ୍ତୁ। ସବୁ ବିବାଦର ସମାଧାନ ହୋଇଯିବ।
ସରକାର ଏବେ ତାହା ହିଁ ଅଘୋଷିତ ଭାବରେ କରୁଛନ୍ତି। କେବେ ବିଧିବଦ୍ଧ ଭାବରେ ସରକାର ତାହା ଘୋଷଣା କରିବେ; ସାହିତ୍ୟର ସେହି ‘କଳାଦିନ’ଟିକୁ ଓଡ଼ିଶାର ସବୁ ସ୍ବାଭିମାନୀ ସାହିତ୍ୟିକ ଏବେ ଅପେକ୍ଷା କରୁଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦ ୩୪୮୦୪