ଆମ ଓଡ଼ିଆ ସାହିତ୍ୟରେ ଅଛନ୍ତି ଅନେକ ମଧୁସୂଦନ। ବାଲେଶ୍ୱରର ଜଣେ ମଧୁସୂଦନଙ୍କର ଜନ୍ମ ୧୯୪୩ରେ। ତାଙ୍କର ସାଙ୍ଗିଆ ବି ‘ଦାସ’। ସେ କବି, ଗାଳ୍ପିକ ଓ ଔପନ୍ୟାସିକ। କିନ୍ତୁ ତାଙ୍କର ଅଧିକ ସ୍ୱୀକୃତି ବ୍ୟଙ୍ଗ ଓ ହାସ୍ୟଧର୍ମୀ ରଚନା ନିମନ୍ତେ। ତାହାର ନିଦର୍ଶନ ‘ମଧୁପଞ୍ଚକ’। ଆଉ ଜଣେ ‘ଦାସ’ ସାଙ୍ଗିଆଧାରୀ ମଧୁସୂଦନ ବି ଆମ ସାହିତ୍ୟ କ୍ଷେତ୍ରରେ ମିଳନ୍ତି। ତାଙ୍କ ସଂପର୍କରେ କୌଣସି ସୂଚନା ଉପଲବ୍ଧ ନୁହେଁ। କିନ୍ତୁ ‘ନଳଚରିତ’ ତାଙ୍କର ଏକ କାବ୍ୟକୃତି ବୋଲି ଜଣାଯାଏ। ସେହିପରି, ଆଉ ଜଣେ ‘ଦାଶ’ ସାଙ୍ଗିଆଧାରୀ ମଧୁସୂଦନ ବି ଆମ ସାହିତ୍ୟରେ ଥିଲେ। ତାଙ୍କର ଜନ୍ମ ୧୮୬୮ରେ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରେ। ସେ ମୁଖ୍ୟତଃ ପ୍ରାବନ୍ଧିକ। ‘ଉତ୍କଳ ସମ୍ମିଳନୀ’ ଓ ‘ଓଡ଼ିଶା ଇତିହାସର ଏକ ପୃଷ୍ଠା: ବୌଦ୍ଧ ବିତାଡ଼ନ’ ତାଙ୍କର ଉଲ୍ଲେଖନୀୟ ପ୍ରବନ୍ଧ। ସେ ମଧ୍ୟ କବି। ‘ନୀଳାଚଳ’ ତାଙ୍କର ଏକ କାବ୍ୟକୃତି।
କିନ୍ତୁ ଓଡ଼ିଆ ସାହିତ୍ୟରେ ‘କବି ଶ୍ରୀ ମଧୁସୂଦନ’ କହିଲେ ମୁଖ୍ୟତଃ ମଧୁସୂଦନ ରାଓଙ୍କୁ ହିଁ ବୁଝାଏ। ସେ ‘ଭକ୍ତକବି’ ଭାବରେ ଆମ ସାହିତ୍ୟରେ ଖ୍ୟାତ। ତାଙ୍କର ଜନ୍ମ ୧୮୫୩ରେ। ଜନ୍ମସ୍ଥାନ ପୁରୀ ସହର। ବ୍ରାତ୍ୟ ମରହଟ୍ଟା ପରିବାରରେ ଜନ୍ମଗ୍ରହଣ କରି, ପରବର୍ତ୍ତୀ କାଳରେ ସେ ବ୍ରାହ୍ମଧର୍ମରେ ଦୀକ୍ଷିତ ହୋଇଥିଲେ। ରାଧାନାଥ ଓ ଫକୀରମୋହନଙ୍କ ସହିତ ବାଲେଶ୍ୱରରେ ତାଙ୍କର ସାରସ୍ୱତ ମିଳନ ଘଟିଥିଲା ଏବଂ ସେହି ବାଲେଶ୍ୱର ରହଣି କାଳରେ ହିଁ ତାଙ୍କର କବିସତ୍ତା ଅଧିକ ଦୀପ୍ତ ହୋଇଥିଲା। ‘କବିତାବଳୀ’ ଓ ‘କୁସୁମାଞ୍ଜଳି’ ଆଦି ତାଙ୍କର ଉଲ୍ଲେଖନୀୟ କାବ୍ୟକୃତି।
ଭକ୍ତକବି ମଧୁସୂଦନଙ୍କର ପାଞ୍ଚବର୍ଷ ପୂର୍ବେ, ୧୮୪୮ରେ କିନ୍ତୁ ଜନ୍ମଗ୍ରହଣ କରିଥିଲେ ଆଉ ଜଣେ ମଧୁସୂଦନ। ସେ ମଧୁସୂଦନ ଦାସ। ‘ଉତ୍କଳଗୌରବ’ ଭାବରେ ସେ ଖ୍ୟାତ। ବିଶିଷ୍ଟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଦୁଇଖଣ୍ଡରେ ରଚିତ ତାଙ୍କ ଚରିତ ଉପନ୍ୟାସରେ ତାଙ୍କୁ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ କହିଛନ୍ତି। କିନ୍ତୁ କବି ଭାବରେ ତାଙ୍କର ଆଲୋଚନା କ୍ୱଚିତ୍ ପରିଲକ୍ଷିତ ହୁଏ।
ମଧୁସୂଦନ ଦାସ ଥିଲେ ଜଣେ ସ୍ୱପ୍ନଦ୍ରଷ୍ଟା ଓ କର୍ମୀ। କିନ୍ତୁ ତାଙ୍କର ଜୀବନବୃତ୍ତାନ୍ତ ଅନୁଧ୍ୟାନ କଲେ ଆମେ ଜାଣୁ, କବିତା ପ୍ରତି ତାଙ୍କର ଥିଲା ସ୍ୱାଭାବିକ ଅନୁରକ୍ତି। ଆଶୁକବିତା ଓ ଢଗ ଆଦି ସେ ଅନେକ ସମୟରେ ଆବୃତ୍ତି କରୁଥିଲେ। ମାତ୍ର, ୧୯୧୪ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ତାଙ୍କର କୌଣସି କବିତା ପ୍ରକାଶ ପାଇ ନଥିଲା। ରାଉରକେଲାର ‘ପ୍ରଗତି ଉତ୍କଳ ସଂଘ’ ପକ୍ଷରୁ ୨୦୧୦ରେ ପ୍ରକାଶ ପାଇଛି ‘ଉତ୍କଳ ଗୌରବ ମଧୁସୂଦନଙ୍କ ଓଡ଼ିଆ ରଚନାବଳୀ’ ଶୀର୍ଷକ ଏକ ସଂକଳନ। ତାହାର ସଂକଳକ ଦେବେନ୍ଦ୍ର କୁମାର ଦାଶ ଓ ନଗେନ ଦାସ। ଏ ସଂପର୍କରେ ସୂଚନା ତାହାର ‘ପ୍ରାକ୍କଥନ’ରେ ଅଛି। ଦେବେନ୍ଦ୍ର କୁମାର ଦାଶ କହିଛନ୍ତି, “ମୁକୁର ସାହିତ୍ୟ ପତ୍ରିକାରେ ତାଙ୍କର ଛଅଟି କବିତା ଅକ୍ଟୋବର ୧୯୧୪ରୁ ଅକ୍ଟୋବର ୧୯୧୫ ମଧ୍ୟରେ ପ୍ରକାଶିତ।”
ସମଗ୍ର ଜୀବନ କାଳରେ ମାତ୍ର ସାତଟି କବିତା ଲେଖିଛନ୍ତି ମଧୁସୂଦନ ଦାସ। ସେଥିରୁ ପୁଣି ଗୋଟିଏକୁ ପ୍ରେମ କବିତା କୁହାଯାଇ ପାରିବ। କିନ୍ତୁ ତାଙ୍କର ପ୍ରଥମ କବିତାର ଶୀର୍ଷକ ‘ଜଣାଣ’। ତାହା ‘ଲକ୍ଷ୍ନୌ ଠୁଁରି’ ବୃତ୍ତରେ ରଚିତ। କିନ୍ତୁ ଆଉ ଯେଉଁ ପାଞ୍ଚଟି କବିତାପାଇଁ ସମଗ୍ର ଉତ୍କଳବାସୀଙ୍କ ନିକଟରେ ମଧୁସୂଦନ ଦାସ ସୁପରିଚିତ, ସେଥିରେ ରହିଛି ତାହାର ପୃଷ୍ଠଭୂମି।
ମଧୁସୂଦନଙ୍କର ଦ୍ୱିତୀୟ କବିତା, ଆମର ସୁପରିଚିତ ଓ ସୁପ୍ରସିଦ୍ଧ ‘ଉତ୍କଳ ସନ୍ତାନ’। ସଂପାଦକ ଦେବେନ୍ଦ୍ର କୁମାର ଦାଶଙ୍କ ସୂଚନା ଅନୁସାରେ- ପ୍ରଥମ କବିତା ‘ଜଣାଣ’ ଓ ଦ୍ୱିତୀୟ କବିତା ‘ଉତ୍କଳ ସନ୍ତାନ’ ଗୋଟିଏ କବିତା ଭାବରେ ‘ମୁକୁର’ ପତ୍ରିକାର ନବମ ବର୍ଷ ସପ୍ତମ ସଂଖ୍ୟା (ଅକ୍ଟୋବର ୧୯୧୪)ରେ ପ୍ରକାଶ ପାଇଥିଲା। ତାହାର ଶୀର୍ଷକ ଥିଲା ‘ଜାତୀୟ ଗୀତ’। ତାହାର ଥିଲା ଦୁଇଟି ଭାଗ। ପ୍ରଥମ ଭାଗରେ ‘ଜଣାଣ’ଟି ମୁଦ୍ରିତ ହୋଇଥିବା ବେଳେ, ଦ୍ୱିତୀୟ ଭାଗରେ ‘ଉତ୍କଳ ସନ୍ତାନ’ ମୁଦ୍ରିତ ହୋଇଥିଲା। ତାହା କିନ୍ତୁ ‘ମଧୁସୂଦନ ଦାସ’ ନାମରେ ପ୍ରକାଶ ନପାଇ, ପ୍ରକାଶ ପାଇଥିଲା ‘ଏମ୍. ଏସ୍. ଦାସ’ ନାମରେ।
ସେଇ ଦୁଇ କବିତା ‘ମୁକୁର’ର ସଂପାଦକ ବ୍ରଜସୁନ୍ଦର ଦାସଙ୍କ ନିକଟକୁ ପଠାଇବା ବେଳେ, ମଧୁସୂଦନ ତାଙ୍କୁ ଯେଉଁ ଚିଠି ଲେଖିଥିଲେ, ସେଥିରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ, ଯେ କବିତା ରଚନାରେ କୃତିତ୍ୱ ପ୍ରଦର୍ଶନ କରିବା ଅର୍ଥାତ୍ କବି ଭାବରେ ପରିଚିତ ବା ପ୍ରସିଦ୍ଧ ହେବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ତାଙ୍କର ଅଭିପ୍ରାୟ, ବାଳକ ବାଳିକାଙ୍କ ମନରେ ସ୍ୱଦେଶପ୍ରୀତି ଜାଗ୍ରତ କରିବା।
ସେହି ଚିଠିଟି ଏହିପରି-
“ପ୍ରିୟ ସମ୍ପାଦକ ମହାଶୟ,
ଏଥି ସହିତ ଦୁଇଗୋଟି କବିତା ଆପଣଙ୍କ ନିକଟକୁ ପଠାଉଛୁ। କବିତା ରଚନାରେ କୃତିତ୍ୱ ଦେଖାଇବା ଆମ୍ଭର ଉଦ୍ଦେଶ୍ୟ ନୁହେ। ବାଳକ ବାଳିକାଙ୍କ ମନରେ ସ୍ୱଦେଶ ପ୍ରେମ ଜାଗ୍ରତ କରିବା ଆମ୍ଭର ଅଭିପ୍ରାୟ। ବାଳକ ବାଳିକାମାନେ ପଦ୍ୟରେ ରଚିତ ଉପଦେଶମାନ ଯେତେ ଶୀଘ୍ର ମନେରଖି ପାରନ୍ତି, ଗଦ୍ୟରେ ରଚିତ ହେଲେ ସେପରି ପାରନ୍ତି ନାହିଁ। ତେଣୁକରି ଆମ୍ଭର ମନୋଭାବମାନ ପଦ୍ୟରେ ପ୍ରକାଶ କଲୁଁ। ଏଥିପ୍ରତି ବାଳକ ବାଳିକାମାନଙ୍କର ଆଗ୍ରହ ଥିବାର ଜାଣିଲେ ଏହିପରି ଆଉ କେତେଗୁଡ଼ିଏ ପଦ୍ୟ ପ୍ରକାଶ କରିବାର ବାସନା ରହିଲା। ଭରସା କରୁଁ, ଆପଣଙ୍କ ପତ୍ରିକାରେ ଏହାକୁ ସ୍ଥାନ ଦେଇ ବାଧିତ କରିବେ।
ଆପଣଙ୍କର
ଏମ.ଏସ୍. ଦାସ
ସେହି ଚିଠିରେ ଥିବା ତାରିଖ ସୂଚନାରୁ ଜଣାଯାଏ, ଯେ ମଧୁସୂଦନ ଦାସ ଏହା ଲେଖିଥିଲେ, ୧୩ ନଭେମ୍ବର ୧୯୧୪ରେ। କିନ୍ତୁ କବିତା ଦୁଇଟି ‘ମୁକୁର’ ପତ୍ରିକାର ଅକ୍ଟୋବର ୧୯୧୪ ସଂଖ୍ୟାରେ ପ୍ରକାଶ ପାଇଥିଲା। କାରଣ, ‘ମୁକୁର’ ସେତେବେଳେ ଦୁଇ ତିନି ମାସ ବିଳମ୍ବରେ ପ୍ରକାଶ ପାଉଥିଲା।
ଏ କବିତା ଦୁଇଟିର ରଚନାକାଳ ବିଶେଷ ଗୁରୁତ୍ୱ ବହନ କରେ। କାରଣ, ଏ ସମୟକୁ ‘ଗଞ୍ଜାମ ଜାତୀୟ ସମ୍ମିଳନୀ’, ‘ଉତ୍କଳ ସମ୍ମିଳନୀ’ର ଅନୁଷ୍ଠାନ ଏବଂ କଟକରେ ‘ଉତ୍କଳ ସାହିତ୍ୟ ସମାଜ’ର ପ୍ରତିଷ୍ଠାକୁ ଏକଦଶନ୍ଧିରୁ ଊର୍ଦ୍ଧ୍ୱକାଳ ବିତିସାରିଥିଲା। କାରଣ, ୧୯୦୩ ଏପ୍ରିଲ୍ ୧୧ ଓ ୧୨ ତାରିଖରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା ‘ଗଞ୍ଜାମ ଜାତୀୟ ସମ୍ମିଳନୀ’ ଏବଂ ତାହାର ଦ୍ୱିତୀୟ ଦିବସରେ ମଧୁସୂଦନ ଦାସ ସଭାପତିତ୍ୱ କରି ସମ୍ଭାବ୍ୟ ‘ଉତ୍କଳ ସମ୍ମିଳନୀ’ର ଅଧିବେଶନ ସଂପର୍କରେ ଘୋଷଣା କରିଥିଲେ। ମଧୁସୂଦନଙ୍କ ପରାମର୍ଶରେ କଟକରେ ୭ ମେ ୧୯୦୩ରେ ପ୍ରତିଷ୍ଠା ହୋଇଥିଲା ‘ଉତ୍କଳ ସାହିତ୍ୟ ସମାଜ’। ସେହିପରି, ‘ଗଞ୍ଜାମ ଜାତୀୟ ସମ୍ମିଳନୀ’ର ପ୍ରେରଣା ନେଇ ଗଠିତ ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ ମଧ୍ୟ ୧୯୦୩ ଡିସେମ୍ବର ୩୦-୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା। ତାହାର ପରବର୍ଷ, ଅର୍ଥାତ୍ ୧୯୦୪ ଡିସେମ୍ବର ୨୮ ଓ ୨୯ ତାରିଖରେ ମଧ୍ୟ, କଟକ ଇଦ୍ଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ତାହାର ଦ୍ୱିତୀୟ ଅଧିବେଶନ। ଏହାପରେ, ୧୯୦୬ରେ ବାଲେଶ୍ୱରରେ ତୃତୀୟ ଅଧିବେଶନ ଓ ବ୍ରହ୍ମପୁରରେ ଚତୁର୍ଥ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଏହିପରି ଭାବରେ, ବର୍ଷ ପରେ ବର୍ଷ ‘ଉତ୍କଳ ସମ୍ମିଳନୀ’ର ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇ ଚାଲିଥିଲେ ମଧ୍ୟ, ମଧୁସୂଦନ ଲକ୍ଷ୍ୟ କରିଥିଲେ, ଯେ ଉତ୍କଳୀୟଙ୍କ ମନରେ ଉତ୍କଳ ଭାବନା ଯେପରି ଭାବରେ ଜାଗ୍ରତ ହେବା କଥା ହେଉନାହିଁ। ସେଥିପାଇଁ, ୧୯୦୮ରେ ପୁରୀଠାରେ ଯେଉଁ ପଞ୍ଚମ ଅଧିବେଶନ ଅନୁଷ୍ଠିତ ହେଲା, ସେଥିରେ ସେ ଗୋଟିଏ ମନ୍ତ୍ର ଦେଇଥିଲେ। ସେ ମନ୍ତ୍ରଟି ହେଉଛି- “ଏହିଠାରେ ଆମ୍ଭେ ଉତ୍କଳ ଜନନୀ ତଥା ଭାରତ ଜନନୀଙ୍କ କ୍ରୋଡ଼ରେ ବସିଥାଉଁ। ସମସ୍ତେ ଏକଥା ଭାବ ଆଉ ପ୍ରତିଜ୍ଞା କର, ଯେ ପ୍ରତିଦିନ ୫ ମିନିଟ୍ ଦେଶ କଥା ଭାବିବି। ସମ୍ମିଳନୀ ସକାଶେ ଉତ୍କଳ ନିମନ୍ତେ ଓ ଭାରତ ନିମନ୍ତେ ୫ ମିନିଟ୍ ବ୍ୟୟ କରିବି। ଏହା ହେଉଛି ମନ୍ତ୍ର ଏବଂ ଏହି ମନ୍ତ୍ରରେ ଆଜି ସମ୍ମିଳନୀର ବିଦ୍ୟାରମ୍ଭ।”
ମଧୁସୂଦନଙ୍କର ଏହି ଭାବନାର ପ୍ରତିଫଳନ ହେଉଛି- ୧୯୧୪ର ଏହି ଦୁଇ କବିତା। ଏଥିରୁ ପ୍ରଥମ କବିତାର ଶୀର୍ଷକ ‘ଜଣାଣ’। ସେଥିରେ ସେ କହିଛନ୍ତି-
“ଆହେ ବିଶ୍ୱପତି ଘୁଞ୍ଚାଅ ବିସ୍ମୃତି
ଆଦିମନ୍ତ୍ର ସଦା ଜପୁ ମୋର ମନ,
ଗର୍ଭେ ଥିବାବେଳେ ପ୍ରତିଶ୍ରୁତ ହେଲି
ମାତାଙ୍କ ସେବାରେ ଦେବି ମନ ପ୍ରାଣ।”
ଏହି ‘ଆଦିମନ୍ତ୍ର’ଟି କ’ଣ, ତାହା ‘ଜଣାଣ’ର ପର ପଦରେ ବିବୃତ ହୋଇଛି। ମଧୁସୂଦନ କହିଛନ୍ତି-
“ଜନ୍ମ ହେଲା କ୍ଷଣି ସ୍ତନ୍ୟ ଦାନ କରି
ମାତା ମନ୍ତ୍ର ଦେଲେ ‘ପରାର୍ଥେ ଜୀବନ’,
ଶିଶୁକାଳ ବ୍ୟାପୀ ଥିଲି ମନ୍ତ୍ର ଜପି
ସେ ମନ୍ତ୍ର ଭୁଲିଲି ଲଭିଣ ଯୌବନ।”
ବସ୍ତୁତଃ, ଏ ପଦରେ ମଧୁସୂଦନ ନିଜ କଥା ଛଳରେ ସମସ୍ତଙ୍କ କଥା ହିଁ କହିଛନ୍ତି। ‘ପରାର୍ଥେ ଜୀବନ’ ପରିବର୍ତ୍ତେ ଉତ୍କଳବାସୀଙ୍କ ‘ସ୍ୱାର୍ଥୀ ଆଚରଣ’ ତାଙ୍କୁ ଆହତ, ହତାଶ ଓ କ୍ଷୁବ୍ଧ କରିଛି।
‘ଜଣାଣ’ କବିତାର ପଦସଂଖ୍ୟା ମାତ୍ର ୩। ତେଣୁ ଏହାର ତୃତୀୟ ତଥା ଶେଷ ପଦରେ ସେ କହିଛନ୍ତି-
“ଆଶା ଥିଲା ମନେ ଦେଖିବି ଜୀବନେ
ଉତ୍କଳ-ମାତାର ସହାସ୍ୟ ବଦନ,
ସେ ଆଶା ତୁଟିଲା ସ୍ୱପନ ଭାଙ୍ଗିଲା
ନ ଦେଖି ଉତ୍କଳେ କରତବ୍ୟ ଜ୍ଞାନ।”
ଏଣୁ, ଉତ୍କଳବାସୀଙ୍କର ସେଦିନର ସେହି କର୍ତ୍ତବ୍ୟଜ୍ଞାନହୀନତା ତାଙ୍କୁ ଏତେ ବ୍ୟଥିତ ଓ ବିଚଳିତ କରୁଥିଲା, ଯେ ତାହା ତୀବ୍ର ଭାବାବେଗ ନେଇ ରୂପ ପାଇଥିଲା ଦ୍ୱିତୀୟ କବିତା ‘ଉତ୍କଳ ସନ୍ତାନ’ରେ। କେବଳ ସେଦିନ ଯେ ତାହା ପ୍ରାସଙ୍ଗିକ ଥିଲା, ତାହା ନୁହେଁ; ଆଜି ଦୀର୍ଘ ୧୦୮ ବର୍ଷ ପରେ ବି ତାହା ପ୍ରାସଙ୍ଗିକ ହୋଇ ରହିଛି।
ପୂର୍ବସୂଚିତ, ଯେ ‘ମୁକୁର’ର ସଂପାଦକ ବ୍ରଜସୁନ୍ଦର ଦାସ ସେଦିନ ଏ ଦୁଇ କବିତାକୁ ପ୍ରକାଶ କରିଥିଲେ ‘ଜାତୀୟ ଗୀତ’ ଶିରୋନାମରେ। ସୂଚନା ଅନୁସାରେ, ଦ୍ୱିତୀୟ କବିତା ରଚିତ ହୋଇଥିଲା ‘ଗୋବିନ୍ଦ ଚନ୍ଦ୍ରରେ’ ଯୋଗୀ ଗୀତ ବୃତ୍ତେ। ‘ଜାତୀୟ ଗୀତ’ର ଦୁଇ ଭାଗ ମଧ୍ୟରୁ, ଏହି ଦ୍ୱିତୀୟ ଭାଗର ପ୍ରଥମ ପଦରେ ମଧୁସୂଦନ କହିଛନ୍ତି-
“ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିପାଁ ତୁହି ଭୀରୁ,
ତୋହର ଜନନୀ ରୋଦନ କରିଲେ
କହିବାକୁ କିପାଁ ଡରୁ।”
ଏହି କବିତାର ମୋଟ ପଦସଂଖ୍ୟା ୧୫ ଏବଂ ୧୫ଟି ଯାକ ପଦ ଏହି ଏକକ ଭାବନାର ଏକ ସ୍ୱଚ୍ଛନ୍ଦ ପ୍ରବାହ। ସେଥିରେ ଅତୀତର ଉଦ୍ବୋଧନ ଅଛି ଏବଂ ଅଛି ମଧ୍ୟ ବର୍ତ୍ତମାନର କ୍ଷୋଭ ଓ ଅଭିଳାଷ। କ୍ଷୋଭ ପୁଣି ଅନେକ ପଦରେ ଅତ୍ୟନ୍ତ ତୀବ୍ର, ଶ୍ଳେଷପୂର୍ଣ୍ଣ ଓ ଶାଣିତ।
ଏ କବିତାର ଅନେକ ପଦ ଆଜି ବି ଓଡ଼ିଶାବାସୀଙ୍କର ଅତ୍ୟନ୍ତ ପ୍ରିୟ। ଅନେକ ପଦ ମଧ୍ୟ ଅନେକଙ୍କର ମୁଖସ୍ଥ। କିନ୍ତୁ ଏଥିରେ ଏପରି ଅନେକ ପଦ ଅଛି, ଯାହା ହୁଏତ ବିସ୍ମୃତ ବା ଅନାଲୋଚିତ। ସେପରି ଗୋଟିଏ ପଦ ହେଉଛି-
“ବ୍ରିଟନ ନିବାସୀ ଅତୀବ ସାହସୀ
କାପୁରୁଷେ ଶ୍ରଦ୍ଧା ନାହିଁ
ଶିଖ-ରାଜପୁତ ଯେ ମାନ୍ୟ ଲଭନ୍ତି
ତୋର ଭାଗ୍ୟେ ତାହା କାହିଁ?”
ଏହା ପଛରେ, ମଧୁସୂଦନଙ୍କର ଏକମାତ୍ର ଅଭିଳାଷ ହେଉଛି- ଓଡ଼ିଆ ଜାତି ବ୍ରିଟନ୍ ବା ଇଂରେଜମାନଙ୍କ ପରି, ଶିଖ-ରାଜପୁତଙ୍କ ପରି, ସାହସୀ ହୁଅନ୍ତୁ। କାପୁରୁଷତା ପରିହାର କରି ଉତ୍କଳ ସନ୍ତାନ ଜାଗି ଉଠୁ। ବୀରପ୍ରସବିନୀ ଉତ୍କଳ ଜନନୀ ଧୂଳିରେ ପଡ଼ିଥିବା ବେଳେ, ଜନସମାଜରେ, ଏ ପୃଥ୍ୱୀରେ, କିପରି ମୁହଁ ଦେଖାଉଛ ବୋଲି ସେ ଉତ୍କଳ ପୁତ୍ରଙ୍କୁ ଆହ୍ୱାନ କରିଛନ୍ତି। ପରିଶେଷରେ, ଅନ୍ତିମ ଦୁଇପଦରେ ସେମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି-
“ତୋ ପୂର୍ବ ପୁରୁଷେ ସ୍ୱର୍ଗଧାମେ ଥାଇ
ଭୋଗୁଛନ୍ତି ମନସ୍ତାପ,
ତାଙ୍କର ଜୀବନ କରି ବିସ୍ମରଣ
କରୁଛୁ ତୁ ମହାପାପ।
ତୋଷାମୋଦ ଛାଡ଼ି ସ୍ୱାର୍ଥ ପରିହରି
ସତ୍ୟକୁ ଆଶ୍ରୟ କର,
ଦୁଇଦିନ ପରେ ସ୍ୱାଧୀନ ରାଷ୍ଟ୍ରରେ
ମଙ୍ଗଳ ହୋଇବ ତୋର।”
ତେବେ, କେବଳ ଏଇ ପ୍ରଥମ କବିତା ଦୁଇଟିରେ ନୁହେଁ; ସାରା ଜୀବନର ମାତ୍ର ସାତଟି କବିତା ମଧ୍ୟରୁ, ତାଙ୍କ ଜୀବଦ୍ଦଶାରେ ପ୍ରକାଶିତ ବାକି ଚାରିଟି କବିତାରେ ବି, କବି ଶ୍ରୀ ମଧୁସୂଦନଙ୍କର ଏହି ଜାତୀୟ ଭାବନା ପ୍ରତିଫଳିତ।
ମୋ: ୯୪୩୭୦ ୩୪୮୦୪
ସାହିତ୍ୟିକ ପାଣିପାଗ: କବି ଶ୍ରୀ ମଧୁସୂଦନ
ଅସିତ ମହାନ୍ତି
/sambad/media/post_attachments/wp-content/uploads/2023/04/5465sfssfhsfhhfhf.jpg)