ଆଧୁନିକ ଭାରତୀୟ ସାହିତ୍ୟରେ ଆଶାପୂର୍ଣ୍ଣା ଦେବୀ (୧୯୦୯-୧୯୯୫) ଜଣେ ଅତି ପରିଚିତ ନାଁ। ସେ ଥିଲେ ବଙ୍ଗଳାର ଲେଖିକା, ହେଲେ ପ୍ରାୟ ସମସ୍ତ ଭାରତୀୟ ଭାଷାରେ ଏବଂ ଅନେକ ବିଦେଶୀ ଭାଷାରେ ତାଙ୍କର ବହୁ ରଚନା ଅନୂଦିତ। ଦୀର୍ଘ ୭୩ ବର୍ଷର ଲେଖକୀୟ କାଳରେ ସେ ମୋଟ ୨୪୨ଟି ଉପନ୍ୟାସ, ୬୨ଟି ଶିଶୁ ସାହିତ୍ୟ ସଂକଳନ ଏବଂ ୩୭ଟି ଗଳ୍ପ ସଂକଳନ ଛାଡ଼ି ଯାଇଛନ୍ତି। ଉପନ୍ୟାସ ‘ପ୍ରଥମ ପ୍ରତିଶ୍ରୁତି’ ପାଇଁ ତାଙ୍କୁ ୧୯୭୬ରେ ‘ଜ୍ଞାନପୀଠ’ ପୁରସ୍କାର ମିଳିଥିଲା। ରବୀନ୍ଦ୍ର ଭାରତୀ ସମେତ ଚାରିଟି ବିଶ୍ବବିଦ୍ୟାଳୟରୁ ତାଙ୍କୁ ଡି.ଲିଟ୍ ମିଳିଛି। ସାଧାରଣତଃ ଲେଖକଙ୍କର ରଚନା ସଂଖ୍ୟା ଅଧିକ ହେଲେ କିଛି ରଚନାରେ ଗୁଣାତ୍ମକତା ବଜାୟ ରହିପାରେନା। ମାତ୍ର ଆଶାପୂର୍ଣ୍ଣାଙ୍କ ପ୍ରତିଟି ରଚନା ଉଚ୍ଚ ମାନର ତଥା ଅନନ୍ୟ ପ୍ରତୀତ ହୁଅନ୍ତି!
ଏଭଳି ଜଣେ ମହାନ୍ ଲେଖିକାଙ୍କ ସମ୍ବନ୍ଧରେ ଆଚମ୍ବିତ କଲା ଭଳି ଏକ ତଥ୍ୟ ହେଲା ଯେ ତାଙ୍କର ଆଦୌ କୌଣସି ଔପଚାରିକ ଶିକ୍ଷା ହୋଇନଥିଲା। ମଧ୍ୟବର୍ଗୀୟ ପରିବାରରେ ସେ ବେଳାର ଯେଉଁ ରକ୍ଷଣଶୀଳ ଚଳଣି, ତହିଁରେ ଆଶାପୂର୍ଣ୍ଣାଙ୍କ ବାପ ଘରେ କେବଳ ପୁଅମାନଙ୍କ ପାଇଁ ସ୍କୁଲ ଯିବାର ପ୍ରାବଧାନ ଥିଲା; ଝିଅମାନେ ଘରେ ରହୁଥିଲେ। ଭାଇମାନଙ୍କ ପାଇଁ ନିୟମିତ ଯେଉଁ ଘରୋଇ ଶିକ୍ଷକ ଆସୁଥିଲେ, ଦୂରରୁ ସେହି ପାଠପଢ଼ାକୁ ଦେଖି ଓ ଶୁଣି ଆଶାପୂର୍ଣ୍ଣା ଓ ତାଙ୍କର ଅନ୍ୟ ଦୁଇ ଭଉଣୀ ଅକ୍ଷର ଶିକ୍ଷା କରିଥିଲେ। ସୁତରାଂ, ଏଭଳି ଜଣଙ୍କୁ ସ୍ବାଧ୍ୟାୟରୁ ବଞ୍ଚିତ ବା କରି ପାରନ୍ତା କିଏ? ଘରେ ବସି ପଢ଼ିବା ପାଇଁ ତାଙ୍କୁ ଯଦି ଅନୁକୂଳ ପରିବେଶ ମିଳିଥିଲା, ତାହା ସମ୍ଭବ ହୋଇଥିଲା ମା’ ସରଳା ସୁନ୍ଦରୀଙ୍କ ପ୍ରୋତ୍ସାହନରୁ। ସରଳା ସୁନ୍ଦରୀ ଥିଲେ ଜଣେ ଶୁଦ୍ଧ ଗୃହିଣୀ। ତେବେ, ପରିବାରର ସମସ୍ତ ଯତ୍ନ ନେବା ପରେ ତାଙ୍କର ବାକି ସମୟ ବିତୁଥିଲା ସାହିତ୍ୟ ପଠନରେ। ପଠନ ତାଙ୍କର ନିଶା, ହେଲେ ଘର କାମ ବି ଗୌଣ ନୁହେଁ। ସେହି ଆଧାରରେ ଘରେ ସମକାଳୀନ ବଙ୍ଗଳା ପତ୍ର-ପତ୍ରିକା ଏବଂ ସାହିତ୍ୟ ପୁସ୍ତକ ଭରପୂର ଥିଲା। ମା’ଙ୍କ ପଢ଼ା ନିଶା ଆଶାପୂର୍ଣ୍ଣାଙ୍କୁ ସଂକ୍ରମିତ ହେଲା। େତଣିକି ଶିଶୁ ଆଶାପୂର୍ଣ୍ଣାଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପଢ଼ିବାକୁ ପଡ଼ିଲା ନାହିଁ; ରୁଚି ଅନୁଯାୟୀ ସଦା ବେଳେ ସାହିତ୍ୟ ପଠନ ହିଁ ପ୍ରବୃତ୍ତ କଲା। ସୁତରାଂ, ସ୍କୁଲ ପାଠର ଅଭାବ ତାଙ୍କ ପ୍ରତିଭା ବିକାଶ ଲାଗି ପ୍ରତିବନ୍ଧ ହେଲା ନାହିଁ; ବରଂ କୁହାଯାଇପାରେ ଯେ ଏଭଳି ପରିସ୍ଥିତି ତାଙ୍କ ଲାଗି ଅନୁକୂଳ ସାବ୍ୟସ୍ତ ହେଲା।
ସରଳା ସୁନ୍ଦରୀ ଥିଲେ କେବଳ ସାହିତ୍ୟ ପାଠିକା; ମାତ୍ର କନ୍ୟା ପଠନ ସାଙ୍ଗରେ ଲେଖା ମଧ୍ୟ ଆରମ୍ଭ କଲେ। ୧୯୨୨ରେ ମାତ୍ର ୧୩ ବର୍ଷ ବୟସରେ ପ୍ରଥମେ ଲେଖିଲେ କବିତା ‘ବାଇରେର ଡାକ’ ଯାହା ‘ଶିଶୁ ସାଥୀ’ ନାମକ ଏକ ପତ୍ରିକାରେ ପ୍ରକାଶିତ ହେଲା। ଏହା ସାଙ୍ଗରେ ସେ ପତ୍ରିକା ସଂପାଦକଙ୍କ ପାଖରୁ ନିୟମିତ ଲେଖା ପଠାଇବାକୁ ଅନୁରୋଧ ପତ୍ର ମଧ୍ୟ ପାଇଲେ। ଏହା ତାଙ୍କୁ ଆହୁରି ଲେଖିବାକୁ ପ୍ରେରଣା ଦେଲା। ଗୃହାବଦ୍ଧ ଜଣେ କିଶୋରୀ ବାହାର ଜଗତର ଡାକକୁ ଏବେ ଶୁଣି ପାରୁଥିଲା।
ସେ କାଳର ଚଳଣି ମତେ ମାତ୍ର ୧୫ ବର୍ଷ ବୟସରେ ଆଶାପୂର୍ଣ୍ଣାଙ୍କର ବିବାହ ସଂପନ୍ନ ହେଲା। ତେଣିକି ସେ ପତ୍ନୀ ଓ ଗୃହିଣୀ ହେଲେ ଏବଂ କିଛି କାଳ ଅନ୍ତରାଳରେ ଜନନୀ ମଧ୍ୟ ହେଲେ। ମାତ୍ର ଏହା ମଧ୍ୟ ତାଙ୍କ ସାହିତ୍ୟ ନିଶାକୁ ଭାଙ୍ଗି ପାରିଲା ନାହିଁ। ତାଙ୍କର ଆଦର୍ଶ ସିଦ୍ଧ ହେଲେ ମା’ ସରଳା ସୁନ୍ଦରୀ, ଏକାଧାରରେ ଜଣେ ନିଷ୍ଠାପର ଗୃହିଣୀ ଏବଂ ଦୁର୍ବାର ସାହିତ୍ୟାନୁରାଗିଣୀ। ଏଣେ ଆଶାପୂର୍ଣ୍ଣା ଅନ୍ୟ ସାହିତ୍ୟିକଙ୍କ ଭଳି ବାହାର ଜଗତକୁ ପ୍ରତ୍ୟକ୍ଷ କରି ପାରୁନଥିଲେ। ହେଲେ ସାହିତ୍ୟ ଓ ପତ୍ର-ପତ୍ରିକା ମାଧ୍ୟମରେ ଘରେ ରହି ମଧ୍ୟ ସମକାଳୀନ ସାହିତ୍ୟ, ସଂସ୍କୃତି ଏବଂ ରାଜନୈତିକ ଗତିବିଧିକୁ ନିରନ୍ତର ନିରେଖୁ ଥିଲେ ଏବଂ ନିଜ ରଚନା ମାଧ୍ୟମରେ ସେ ନେଇ ନିଜ ଦୃଷ୍ଟିକୋଣ ରଖୁଥିଲେ। ତାଙ୍କୁ ୪୦ ବର୍ଷ ବୟସ ହେବା ଯାଏଁ ସଭା, ସମିତି, ସାହିତ୍ୟ ସମାଗମ ଆଦିରେ ଦେଖିବାକୁ ମିଳୁ ନ ଥିଲା। ଅନେକ ପାଠକ ଭାବୁଥିଲେ ଯେ ‘ଆଶାପୂର୍ଣ୍ଣା ଦେବୀ’ ଛଦ୍ମନାମ ବହନ କରିଥିବା କେହି ପୁରୁଷ ଲେଖକ! ଜଣେ ମହିଳା କ’ଣ ଏତେ ଅଧିକ ପରିପକ୍ବ ସାହିତ୍ୟ ସୃଷ୍ଟି କରିପାରେ? ସେହି ଦୃଷ୍ଟିରୁ ସାହିତ୍ୟରେ କର୍ତ୍ତୃତ୍ବ ଜାହିର କରୁଥିବା ପୁରୁଷ-ତାନ୍ତ୍ରିକତା ବିରୋଧରେ ଆଶାପୂର୍ଣ୍ଣା ଏକ କାଳଜୟୀ ପ୍ରତ୍ୟୁତ୍ତର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତା’ ସତ୍ତ୍ବେ, ଆଶାପୂର୍ଣ୍ଣାଙ୍କ ସାହିତ୍ୟରେ ଉଗ୍ର ‘ବାମାବାଦ’ େଦଖିବାକୁ ମିଳେନା। ସେ ନାରୀ ଓ ପୁରୁଷ ଉଭୟଙ୍କୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନରେ ପରସ୍ପରର ଅନୁପୂରକ ରୂପେ ଦେଖନ୍ତି; ପ୍ରତିଦ୍ବନ୍ଦ୍ବୀ ରୂପେ ନୁହେଁ। ତାଙ୍କ ବିଚାରରେ କୁଟିଳତା, ତୁଚ୍ଛତା, ସରଳତା ଏବଂ ମହାନତା ଇତ୍ୟାଦି ଉଭୟ ନାରୀ ଓ ପୁରୁଷ ଠାେର ସମ ଭାବେ ବିଦ୍ୟମାନ। ଏହି କାରଣରୁ ଆଶାପୂର୍ଣ୍ଣାଙ୍କ ସାହିତ୍ୟର ପ୍ରତ୍ୟେକ ଚରିତ୍ର ନା ‘ଦେବତୁଲ୍ୟ’ ନା ପୂର୍ଣ୍ଣ ‘ଖଳନାୟକ’! ସେମାନେ ଶୁଦ୍ଧ ମାନବ, ମାନବୀୟ ଦୋଷଗୁଣ ଭରା!
ଆଶାପୂର୍ଣ୍ଣା ଦେବୀଙ୍କ ଜୀବନ ଓ କୃତିକୁ ଦେଖିଲେ ଲାଗେ, ଯେଉଁ ସବୁ ସ୍ଥିତି ଓ ଚରିତ୍ର ସାଧାରଣତଃ ବ୍ୟକ୍ତିର ବିବର୍ତ୍ତନରେ ଅନ୍ତରାୟ ରୂପେ ପ୍ରତୀତ ହେବା କଥା, ସେଗୁଡ଼ିକୁ ସେ ସର୍ବଦା ଅନୁକୂଳ ବୋଲି ମନେ କରୁଥିଲେ; ଯେମିତି ଔପଚାରିକ ଶିକ୍ଷାର ଅଭାବ, କନ୍ୟା ସନ୍ତାନ ରୂପେ ଗୃହାବଦ୍ଧ ହେବାର ବାଧ୍ୟବାଧକତା, କମ୍ ବୟସରେ ବିବାହ ଏବଂ ଗୃହିଣୀର ଅସରନ୍ତି ଜଞ୍ଜାଳ ଆଦି। କହିବା ବାହୁଲ୍ୟ, ଆଶାପୂର୍ଣ୍ଣାଙ୍କ ବ୍ୟକ୍ତିତ୍ବର ସକାରାତ୍ମକତା ଯୋଗୁଁ ସେ ସବୁ ଏକ ସାର୍ଥକ ଜୀବନର ଅନୁପୂରକ ହେବାକୁ ବାଧ୍ୟ ହୋଇଥିଲେ। ନିଜ ଉପରେ ଅସୀମ ଆତ୍ମବିଶ୍ବାସ ବିନା କ’ଣ ଏହି ଧରଣର ଜୀବନ ଦୃଷ୍ଟି ସମ୍ଭବ?
[email protected]