ଶୁଭେନ୍ଦ୍ର କୁମାର ନାୟକ
କୁଳାଙ୍ଗାର ଶବ୍ଦଟି ଏକ ଅେନୗପଚାରିକ ପାରିବାରିକ ସମ୍ବୋଧନ। ସଂପ୍ରତି ପରିବାର ବା କୁଳରେ କୁଳାଙ୍ଗାରମାନଙ୍କ ଅବସ୍ଥିତି ବା ଉପସ୍ଥିତି ବାଧ୍ୟତାମୂଳକ ନୁହେଁ; କାରଣ ପରିବାରଗୁଡ଼ିକ କ୍ଷୁଦ୍ର ଓ ଗୋଟିଏ ବା ଦୁଇଟି ସନ୍ତାନ ସବଂଳିତ। ପୁରୁଣା କାଳରେ ସଦସ୍ୟ ବହୁଳ ଯୌଥ ପରିବାରର ଯେଉଁ ପିଲାଟିର ଆଚାର ବ୍ୟବହାର ଅନ୍ୟମାନଙ୍କ ଠାରୁ ଅଲଗା ହୋଇଥାଏ, ସେ ହିଁ ନିର୍ଦ୍ବନ୍ଦ୍ବରେ ହୋଇଥାଏ କୁଳାଙ୍ଗାର! ପୁଣି ସବୁ ଯୌଥ ପରିବାରରେ ଏଭଳି ପିଲାମାନଙ୍କୁ କୁଳାଙ୍ଗାର ବୋଲି ଆଖ୍ୟା ଦିଆଯାଇ ନ ଥାଏ ବା ଦେବାର ଆବଶ୍ୟକତା ମଧ୍ୟ ନ ଥାଏ। ବିଶେଷ କରି ଯେଉଁ ପରିବାରରେ ଅଧିକ ସଂଖ୍ୟକ ଗୁଣୀ ବା ଭଲ ପାଠ ପଢୁଥିବା ପିଲା ଥାଆନ୍ତି, ସେଭଳି ପରିବାରରେ ସେମାନଙ୍କ ଠାରୁ କମ୍ ଗୁଣବତ୍ତା ସଂପନ୍ନ ପିଲାଟି ହିଁ ଉକ୍ତ ଆଖ୍ୟାଟିର ଅଧିକାରୀ ହୋଇଯାଏ। ଯେଉଁ ପରିବାରଗୁଡ଼ିକ ସ୍ବଳ୍ପ ଶିକ୍ଷିତ ବା ଯେଉଁ ପରିବାରରେ ପ୍ରାୟ ସମସ୍ତେ ଚାଷାଦି କୌଳିକ କାର୍ଯ୍ୟରେ ନିଯୁକ୍ତି ଥାଆନ୍ତି, ସେହି ଭଳି ପରିବାରରେ ଏଭଳି ଆଖ୍ୟାଧାରୀଙ୍କ ସଂଖ୍ୟା କମ୍ ଥାଏ ବା ହୁଏତ ଆଦୌ ନ ଥାଏ। ତେବେ ଗୋଟିଏ ବାସ୍ତବତା ହେଲା, ଯୌଥ ପରିବାରମାନ ଭାଙ୍ଗି ଗଲା ପରେ କୁଳାଙ୍ଗାରମାନେ ଅବଲୁପ୍ତ ହେବାକୁ ବସିଲେଣି।
ଏବେ ବିଷୟବସ୍ତୁକୁ ଆସିବା। ଦେଖାଯାଏ ଯେ ପରିବାରରେ ଯେଉଁ ପିଲାମାନେ ଅତ୍ୟଧିକ ସୃଜନଶୀଳ ତଥା ଅଧ୍ୟୟନପ୍ରିୟ, ସେମାନେ ପାରିବାରିକ ସଂପର୍କ ରକ୍ଷାକୁ ଏତେ ଗୁରୁତ୍ୱ ଦେଇ ନଥାନ୍ତି। ସେମାନଙ୍କ ଜୀବନର ଲକ୍ଷ୍ୟ, କାର୍ଯ୍ୟ ସାରଣୀରେ ସେମାନଙ୍କ ଅଗ୍ରାଧିକାର ଆଦି କାରଣରୁ ସେମାନେ ହୁଏତ ସେଥିରୁ ଦୂରେଇ ଯିବା ପାଇଁ ବାଧ୍ୟ ହୁଅନ୍ତି। ଏହାର ଅର୍ଥ ସେହି ଗୁଣୀମାନେ ନିଜସ୍ୱ କାର୍ଯ୍ୟ ସାଧନରେ ସର୍ବାଧିକ ସମୟ ଦେଇଥାନ୍ତି, ଯଦ୍ଦ୍ବାରା ପାରିବାରିକ ସଂପର୍କ ରକ୍ଷା ଭଳି ବିଷୟଟି ସେମାନଙ୍କ ଦ୍ବାରା ବିଶେଷ ଗୁରୁତ୍ବ ଲାଭ କରି ନ ଥାଏ। ଯଦିଓ ନିଜ ପାଠ ଓ କ୍ୟାରିଅର ସହିତ ପାରିବାରିକ ସଂପର୍କର ତାଳମେଳ ରଖି ପାରିଥିବା ଲୋକେ ମଧ୍ୟ ଅଛନ୍ତି, କିନ୍ତୁ ସେମାନଙ୍କର ସଂଖ୍ୟା ନଗଣ୍ୟ।
ଏବେ କୁଳାଙ୍ଗାରକୁ ଜାଣିବା। କୁଳାଙ୍ଗାରଟିଏ ପାଠ ପଢ଼ା ଆଦିରେ ଗୁଣୀମାନଙ୍କ ସହିତ ସମକକ୍ଷ ନୁହେଁ, କିନ୍ତୁ ସମସ୍ତଙ୍କ ଅସୁବିଧା ସମୟରେ ସେ ଠିଆ ହୁଏ ବା ତାକୁ ଖୋଜା ପଡ଼େ। ଗାଁର ବିଭିନ୍ନ ପରିବାରଗୁଡ଼ିକ ସହିତ ସଂପର୍କ ରଖିବାରେ ସେ ଓସ୍ତାଦ। ପର୍ବପର୍ବାଣିରେ ମାତିବା ବା ବାହାପୁଆଣିରେ ଭାଗ ନେଇ ସବୁ କାମ କରିବା, ଗୁରୁଜନ ଓ ବୟସ୍କମାନଙ୍କ ସହିତ ଦୁଃଖସୁଖରେ ରହିବା, କୌଣସି ପ୍ରତିକୂଳ ପରିସ୍ଥିତିକୁ ସାମନା କରିବା ଭଳି ସ୍ଥିତିରେ ତାକୁ ହିଁ େଦଖିବାକୁ ମିଳେ। କାରଣ ସେ ପରିବାରର ଗୁଣୀ ପିଲାମାନଙ୍କ ଭଳି ବିଦ୍ୟା ଅର୍ଜନ କରିବାରେ ବ୍ୟସ୍ତ ନ ଥାଏ। ତା’ର ବୋଧହୁଏ ଜୀବନରେ କିଛି ବଡ଼ କରିବାର ଲକ୍ଷ୍ୟ ହିଁ ନ ଥାଏ।
କୁଳାଙ୍ଗାରମାନଙ୍କ ଏକ ବିେଶଷ ଗୁଣ ହେଲା ସେମାନେ କ୍ବଚିତ ‘ସିରିଅସ’ ବା ଗମ୍ଭୀର ରହନ୍ତି; ସେମାନେ ପ୍ରାୟତଃ ହାଲୁକା ମିଜାଜରେ ଥାଆନ୍ତି। କିନ୍ତୁ ସଂପ୍ରତି କୁଳାଙ୍ଗାରମାନେ ବିଷଣ୍ଣ ଚିତ୍ତ ଏପରିକି ବ୍ୟଥିତ ଥିବା ଭଳି ମନେ ହେଉଛି। କାରଣ ଯୌଥ ପରିବାର ଭାଙ୍ଗିଯାଇଛି, ଯାହା ସେମାନଙ୍କ ଅପଖ୍ୟାତି ସତ୍ତ୍ବେ ସେମାନଙ୍କ ଅସ୍ତିତ୍ବକୁ ଅର୍ଥ ଦେଉଥିଲା। ଏବେ ଅଣୁ ପରିବାରଗୁଡ଼ିକରେ ଗୋଟିଏ ବା ଦୁଇଟି ପିଲା। ସମସ୍ତେ ପାଠୁଆ ହେବାର ପ୍ରତିଯୋଗିତାରେ! ଏଠି କୁଳାଙ୍ଗାର ଭଳି ଜାତିଟିଏ ସୃଷ୍ଟି ହେବାର ସମ୍ଭାବନା ନାହିଁ। ସେଥି ଲାଗି କୁଳାଙ୍ଗାର ସେହି ଅତୀତକୁ ଝୁରେ। ସପ୍ତମ ଦଶକର କଥା। ସାବିତ୍ରୀ ଅମାବାସ୍ୟା। ଦିନ ଦ୍ବି ପ୍ରହର। ବାହାରେ ଭୀଷଣ ଖରା। ହଠାତ୍ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ନିଜ ଘରକୁ ବାଟ କଢ଼େଇ ଆଣେ ବାହାରେ ଖେଳୁଥିବା କୁଳାଙ୍ଗାରଟିଏ। ବୃଦ୍ଧଙ୍କ ହାତରେ ଥାଏ ଦୁଇଟି ଫଳ ଭର୍ତ୍ତି ବ୍ୟାଗ୍, ମୁଣ୍ଡରେ ଗାମୁଛା ଠେକା ଓ ସଂପୂର୍ଣ୍ଣ ଖୋଲା ଦିହ, ଝାଳରେ ଜୁଡୁବୁଡୁ। ମାମୁ ଆସିଛନ୍ତି ବୋଲି ପିଲାଟି କୁହାଟ ପକାଏ। ବୋଉ କଂସା ଢାଳରେ ପାଣି ଆଣି ବାହାରି ଆସନ୍ତି। ମାମୁଙ୍କ ପାଦ ଦୁଇଟିକୁ ଧୋଇ, କପଡ଼ାରେ ପୋଛି ମୁଣ୍ଡିଆ ମାରି ଭିତରକୁ ପାଛୋଟି ନେଇଯାଆନ୍ତି। ବିଞ୍ଚଣାଟି ଧରି ଭାଇଙ୍କୁ ଘରର ଦୁଃଖ ସୁଖ ପଚାରି ବସନ୍ତି। ଦଶ ବର୍ଷର କୁଳାଙ୍ଗାର ଏ ସବୁ କଥା ନିରେଖି ଦେଖୁଥାଏ! କି ସଂପର୍କ ଇଏ? ପାଖାପାଖି ସତୁରି ବର୍ଷର ବୃଦ୍ଧ ନିଜ ଭଉଣୀର ସାବିତ୍ରୀ ବ୍ରତ ପାଇଁ ଶାଢ଼ି, ଆମ୍ବ, ପଣସ, ନଡ଼ିଆ ଇତ୍ୟାଦି ଧରି ରଡ଼ ଖରାରେ ଚାଲି ଚାଲି ଦୁଇ କିଲୋମିଟର ବାଟ ଆସିଛନ୍ତି! ମନରେ ତାଙ୍କର କି ଆନନ୍ଦ ସେଥି ପାଇଁ! ନିଜ ଘରର ଅବସ୍ଥା ମଧ୍ୟ ସେତେ ଭଲ ନୁହେଁ। କେଉଁଠୁ ଧାରଉଧାର କରି ଶାଢ଼ିି କିଣିଥିବେ, ଆମ୍ବ, ପଣସ ଯୋଗାଡ଼ କରିଥିବେ। କୁଳାଙ୍ଗାର ଦେଖେ ବଡ଼ ଭାଇଙ୍କ ସହିତ ଦିପଦ କଥା ହୋଇ ବୋଉର କି ଆନନ୍ଦ! ସେହି କୁଳାଙ୍ଗାର ଆଜି ବୟସ୍କ ହୋଇ ଦେଖୁଛି ‘ଫୋନ ପେ’ ଓ ‘ଆମାଜନ’ ଜରିଆରେ ଭାଇର ସଦ୍ଦିଚ୍ଛା, ଭାର, ଟଙ୍କା ସବୁ କିଛି ପହଞ୍ଚୁଛି ଭଉଣୀ ପାଖରେ! କାହାର କାହା ପାଇଁ ସମୟ ନାହିଁ!
ବିଷଣ୍ଣ କୁଳାଙ୍ଗାରମାନେ ବେଳେବେଳେ ଚିନ୍ତା କରନ୍ତି କିଭଳି ଆମ ପୂର୍ବପୁରୁଷମାନେ ତିଆରି କରିଥିବା ପାରିବାରିକ ସଂପର୍କମାନ ବାର ମାସରେ ତେର ପର୍ବ ମାଧ୍ୟମରେ ପରିଭାଷିତ ହେଉଥିଲା। ପ୍ରଥମାଷ୍ଟମୀ, କୁମାର ପୂର୍ଣ୍ଣମୀ, ସାବିତ୍ରୀ ଅମବାସ୍ୟା, ଖୁଦୁରୁକୁଣୀ ଓଷା, ଗୁରୁ ପୂର୍ଣ୍ଣିମା, ଏକୋଇଶିଆ ବା ଷଠିପୂଜା ଇତ୍ୟାଦି ତାହାର ଉଦାହରଣ। ସେହି ଭଳି ଅକ୍ଷୟ ତୃତୀୟା, ମାଣବାସା ଗୁରୁବାର, ଗହ୍ମା ପୂର୍ଣ୍ଣିମା ଆଦି ପାଳିତ ହେଉଥିଲେ ସମର୍ପଣ, ସହାବସ୍ଥାନ ଓ କୃତଜ୍ଞତା ଜ୍ଞାପନର ପର୍ବ ଭାବେ। ଏବେ ଜଗତ୍କରଣ ଓ ଯାନ୍ତ୍ରିକ ସହରୀ ଜୀବନରେ ସେ ସବୁ ପର୍ବ କାହାନ୍ତି? ଯଦି ବା ଅଛନ୍ତି ସେଗୁଡ଼ିକ ଭିତରେ ସେହି ଜୈବ ଉପାଦାନଟି କାହିଁ, କୁଳାଙ୍ଗାରମାନେ ଯେଉଁଥିରୁ ଆନନ୍ଦ ପାଆନ୍ତି, ଯାହାକୁ କୁଳରତ୍ନମାନେ ସମୟର ଅପଚୟ ବୋଲି ଭାବନ୍ତି?
ଅନେକ କୁଳାଙ୍ଗାର ଗାଁରେ ରହି ପିତୃପୁରୁଷଙ୍କ ଚାଷବାସ ବୁଝୁଛନ୍ତି, ଯଦିଓ ସେଥିରେ ସେମାନେ ନିଜ ପରିବାର ଚଳାଇବା ମୁସ୍କିଲ ହୋଇ ପଡୁଛି। କିନ୍ତୁ ବୋଲ ନ ମାନିବା, ଜୀବନ ସହିତ ଯୁଝିବା ଓ ଅକାରଣରେ ଝାଳ ବୁହାଇବା ତ କୁଳାଙ୍ଗାରମାନଙ୍କ ଚରିତ୍ରଗତ! ଯେଉଁମାନେ କୁଳ ରତ୍ନ ସେମାନେ ଦୂର ସହରରେ; ଏପରିକି ଓଡ଼ିଶା ଓ ଦେଶ ବାହାରେ। ନିଜ କୁଳ, କୌଳିକତା ଓ ମାଟି ସହିତ ସଂପର୍କ ଶିଥିଳ ଏପରିକି ଛିନ୍ନ ହୋଇଗଲାଣି। ସେମାନେ ନିଜ ନିଜ କ୍ଷୁଦ୍ର ପରିବାରର ସଫଳତାରେ ବିଭୋର। ଗାଁରେ ଦୁର୍ବଳ ଓ ଅସହାୟ ବୃଦ୍ଧ ବାପା ଓ ମା’ ଓ ସେମାନଙ୍କ ଯତ୍ନ ନେବା ଲାଗି ରହିଛନ୍ତି ଗୁଣଗ୍ରାମରେ ପଛୁଆ କୁଳାଙ୍ଗାର ଗୋଷ୍ଠୀ! ପାରିବାରିକ ସଂପର୍କ ବିଘଟିତ ହୋଇ ଚାଲିବା ବିଷୟଟି ତ କୁଳାଙ୍ଗାରକୁ ସର୍ବଦା ମ୍ରିୟମାଣ କରୁଥାଏ, କିନ୍ତୁ ଚରମ ଅସହାୟତା ଦଂଶନ କରେ ସେତେବେଳେ, ଯେତେବେଳେ ଗାଁରେ ରହି ଯାଇଥିବା ପରିବାରର କୌଣସି ବ୍ୟକ୍ତି ଅସୁସ୍ଥ ହୋଇ ପଡ଼େ ଓ ପରିବାରର ସଫଳ ସଦସ୍ୟମାନଙ୍କ ଠାରୁ କୁଳାଙ୍ଗାର ସାହାଯ୍ୟ ଲୋଡ଼େ। ଅବଶ୍ୟ ଦୂରରେ ଥିବା ଭାଇ କିଛି ଟଙ୍କା ପଠାଇ ଦିଏ ଭାଉଜଙ୍କୁ ଲୁଚାଇ। ହୁଏତ କହେ- ‘ବୁଝିବାକୁ ଚେଷ୍ଟା କର ଭାଇ, ସହରରେ ଚଳିବା ଭାରି କଷ୍ଟ। ଆୟ ଯେତିକି ଖର୍ଚ୍ଚ ଦୁଇ ଗୁଣା। ଏଠି ସବୁ କିଛି କିଣି ଖାଇବାକୁ ହେଉଛି। ୟେ କ’ଣ ଗାଁ ଯେ ସବୁ କିଛି ବାରି ଆଉ ପୋଖରୀରୁ ମିଳିଯିବ?’ ସୁତରାଂ, ସନ୍ଦେଶ ସ୍ପଷ୍ଟ ଯେ ଆଉ ପଇସା ଦେଇ ହେବ ନାହିଁ। ସମୟ ଗଡ଼ି ଚାଲେ। କୁଳାଙ୍ଗାର ଭାବେ, ‘ହଁ, ସତ କଥା। ଭାଇ ସହରରେ ଏକୁଟିଆ। ବହୁତ କଷ୍ଟ କରୁଛି। ତା’ କଥା ବି ସତ। ତା’ ସମସ୍ୟା ବି ହୃଦୟଙ୍ଗମ କରିବାକୁ ହେବ।’ କିଛି ଦିନ ପରେ ସହରରୁ ଖବର ଆସେ ଭାଉଜର ଜରୁରୀ ଅସ୍ତ୍ରୋପଚାର ହେବ। ମୁଁ ଏକୁଟିଆ, କ’ଣ କରିବି ଭାବି ପାରୁନାହିଁ!’ ଏମିତିକା ଲୋଡ଼ା ପଡ଼ିବା କୁଳାଙ୍ଗାର ଲାଗି ନୂଆ କଥା ନୁହେଁ। ସେ ବାହାରି ପଡ଼େ!
କିଛି ବର୍ଷ ହେବ ଦେଶରେ ସହରୀକରଣ ପ୍ରକ୍ରିୟା ଅତ୍ୟନ୍ତ ଦ୍ରୁତ ହୋଇଛି। ଅର୍ଥନୀତିରେ ବିକାଶର ପ୍ରମୁଖ ଭାଗ ସହରକୁ ଯାଉଛି। ପର୍ଯ୍ୟଟନ, ଶିଳ୍ପ ଓ ଭିତ୍ତିଭୂମିର ବୈପ୍ଳବିକ ଅଭିବୃଦ୍ଧି; ସବୁ କିଛି ସହରରେ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ନାହିଁ, ବିକାଶର ସଂକେତ ନାହିଁ; କେବଳ ବୃଦ୍ଧି ପାଇଛି ରାଜନୀତିର କଳୁଷିତ ଖେଳ; ସରକାର ବି କ’ଣ ଭାବି ନେଇଛନ୍ତି କି ଗାଁରେ ରହିଯାଇଥିବା ଲୋକେ କୁଳର ଅଙ୍ଗାରମାନ! ସେମାନଙ୍କ ଲାଗି ବିଶେଷ କିଛି କରାଯିବାର ଆବଶ୍ୟକତା ନାହିଁ! ଗାଁ ଛାଡ଼ି ସହରରେ ଅର୍ଥ ଓ ଯଶ ଅର୍ଜନ କରିଥିବା କୁଳ ପ୍ରଦୀପମାନେ ସବୁ ଆଦର ଓ ଯତ୍ନ ପାଇବାକୁ ଯୋଗ୍ୟ!
ଏବେ ସହରରେ ରହୁଥିବା କୁଳରତ୍ନମାନଙ୍କ ଫେରାଦ ଯେ ଗାଁଗୁଡ଼ିକରେ କୁଳାଙ୍ଗାରମାନଙ୍କ ହାତରେ ତାସ ପାଲି ଆଉ ବାଇକ୍। ସେମାନେ ନଷ୍ଟ ହୋଇ ଗଲେଣି। ଜମି ଚାଷ କରିବାକୁ କାହାର ମନ ନାହିଁ। ଦୁଇ ଟଙ୍କିଆ ଚାଉଳ ସମସ୍ତଙ୍କୁ ଅଳସୁଆ କରିଦେଲା। କୁଳାଙ୍ଗାରମାନେ ସେ ସବୁ ଶୁଣୁଛନ୍ତି। କୁଳାଙ୍ଗାର ଏଣେ ଭାବୁଛି ଚାଷ କରି ପାଇଲି କ’ଣ? ଝିଅକୁ ବାହା କରିବାକୁ ଟଙ୍କା ନାହିଁ। ପାଠ ପଢୁଆ ଭାଇକୁ ମାଗିଲେ ନିରାଶ ହେବା ସୁନିଶ୍ଚିତ। କିନ୍ତୁ ତା’ ସତ୍ତ୍ବେ ସାବିତ୍ରୀ ଅମବାସ୍ୟାକୁ ଯାହିତାହି ହେଉ ପଛକେ ପାଖ ଗାଁ ଭଉଣୀ ଘରକୁ ଭାର ନେଇ ଯିବାକୁ ହେବ! କାରଣ ସହରରେ ପାଠ ପଢୁଆ ଭାଇ ଭୁଲି ଗଲାଣି ଯେ ତା’ର ସାନ ଭଉଣୀଟିଏ ଅଛି!
ବେଳେବେଳେ ମନେ ହୁଏ ସତରେ କୁଳାଙ୍ଗାରମାନେ ଅଛନ୍ତି ବୋଲି ଏକ ବିସ୍ତୃତ ପରିବାରର ସତ୍ତା ଏ ପର୍ଯ୍ୟନ୍ତ ବଞ୍ଚି ରହିଛି! ସଂପର୍କର ଡୋରି କ୍ଷୀଣ ହେଲେ ମଧ୍ୟ ଅତୁଟ ରହିଛି। କୁଳାଙ୍ଗାରଙ୍କ ଜୟ ହେଉ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୮୧୦୬୧