ବିଜୟାନନ୍ଦ ପଟ୍ଟନାୟକ
ସୁନ୍ଦର ଭଜନ ଗାଇ ଗାଇ ରେଳଯାତ୍ରୀଙ୍କ ମନକୁ ଖୁସି କରି ଦେଉଥିବା ଦୃଷ୍ଟିହୀନ ଲୋକଟିକୁ ଦୀର୍ଘ ଛଅ ମାସର ବିରତି ପରେ ପାଇ ଡେଲି ପାସେଞ୍ଜରମାନଙ୍କ ମନରେ ଥିବା ଭୁଲ୍ ଧାରଣା ଦୂର ହୋଇ ଯାଇଥିଲା। ରାଜଧାନୀ ଭୁବନେଶ୍ବର ଠାରୁ ଦୀର୍ଘ ୬୦ କିଲୋମିଟର ଦୂରରୁ ସେହି ଲୋକ ଜଣକ ସକାଳୁ ସକାଳୁ ରେଳଗାଡ଼ି ଧରି ବାହାରି ଆସନ୍ତି ନିଜ ରୋଜଗାର ପନ୍ଥାରେ। ଟ୍ରେନ୍ ଭିତରେ ଭଜନ ଗାଇ ମାଗି ମାଗି ଯିଏ ଯାହା ଦେଲା ନେଇ ପୁଣି ସନ୍ଧ୍ୟା ଟ୍ରେନ୍ରେ ଘରକୁ ଫେରନ୍ତି ସେ। ହେଲେ ଛଅ ମାସ ହେଲା ତାଙ୍କର ଆଉ ଦେଖା ମିଳୁ ନ ଥିଲା। ପ୍ରତି ଦିନ ଯାତ୍ରା କରୁଥିବା ଯାତ୍ରୀମାନେ ବେଳେବେଳେ ତାଙ୍କ କଥା ଆଲୋଚନା କରୁଥିଲେ; କହୁଥିଲେ, କିଛି ଅସୁବିଧା ହେଲା ନା କ’ଣ? ଏତେ ଦିନ ହେଲାଣି ସେ କାଇଁ ଆଉ ଆସୁନାହିଁ!
ସେ ଦିନ ହଠାତ୍ ସୁନ୍ଦର ପୋଷାକ ପରିହିତ ସସ୍ତ୍ରୀକ ଟ୍ରେନ୍ ସିଟ୍ରେ ବସିଥିବା ସେହି ଦୃଷ୍ଟିହୀନ ଲୋକଙ୍କୁ ଦେଖି ଜଣେ ପଚାରି ଦେଲେ- ‘ଭାଇ, ତମେ ଆଉ ଆଗ ଭଳି ଆସୁନାହଁ ଯେ? କ’ଣ କିଛି ଅସୁବିଧା ହେଲା କି? ଉତ୍ତରରେ ସେ କହିଲେ- ‘ନାଇଁ ବାବୁ, ମୁଁ ଆଉ ଭିକ୍ଷା ବୃତ୍ତି କରୁନାହିଁ, ମୋ ଗଁାର ଯୁବକ ସଂଘର ସାନ ଭାଇମାନେ ମୋ ପାଇଁ ସବୁ ବ୍ୟବସ୍ଥା କରାଇଦେଇ ଆଉ ଭିକ୍ଷା ବୃତ୍ତି କରିବି ନାହିଁ ବୋଲି ରାଣ ମାଗି ନେଇଛନ୍ତି।
‘ତା’ ହେଲେ ଚଳୁଛ କେମିତି?’, କୁତୂହଳୀ ଭାବେ ପଚାରି ଦେଲେ ଆଉ ଜଣେ।
- ‘ଆଜ୍ଞା, ରାଜ୍ୟ ସରକାର ଭିନ୍ନକ୍ଷମ ଭତ୍ତା ହଜାରେ ଟଙ୍କାରୁ ସାଢ଼େ ତିନି ହଜାର ଟଙ୍କାକୁ ବଢ଼ାଇ ଦେବା ପରେ ମୁଁ ଏବଂ ମୋ ଅନ୍ଧୁଣୀ ସ୍ତ୍ରୀ ମାସକୁ ସାତ ହଜାର ଟଙ୍କା ଭତ୍ତା ପାଉଛୁ; ଅନ୍ତ୍ୟୋଦୟ ଯୋଜନାରେ ଆମ ପରିବାରକୁ ପ୍ରତି ମାସରେ ମିଳୁଛି ୨୦ କିଲୋ ଚାଉଳ। ଚାଷ ନ ହୋଇ ଦୁଇ ମାଣ ଜମି ପଡ଼ିଆ ପଡ଼ିଥିଲା। ଧାନ ଦର ବଢ଼ିଲା ପରେ ଜଣେ ଆଗ୍ରହୀ ଚାଷୀକୁ ଦେଖି ଯୁବକ ସଂଘ ଭାଇମାନେ ବୁଝାବୁଝି କରି ଭାଗ ଚାଷରେ ଦେଇଛନ୍ତି। ସିଏ ମଣ୍ଡିରେ ଧାନ ଦେଇ ଆମକୁ କିଛି ପଇସା ଦେଉଛି। ଉଜ୍ଜ୍ବଳା ଯୋଜନାରେ ଜାଳେଣି ଗ୍ୟାସ୍ଟିଏ ଘରକୁ ସଂଯୋଗ କରିଛୁ, ଫଳରେ ଆଗ ଭଳି ଆଉ ଚୁଲି ଜାଳିବାକୁ ପଡୁନି କି ହାଣ୍ଡି କଳା ମାଜିବାକୁ ପଡୁନି। ଆଖିକୁ ଦେଖା ଯାଉ ନ ଥିବା ହେତୁ ପାଣି ଟୋପାଏ ପାଇଁ ବହୁତ ଅସୁବିଧା ହେଉଥିଲା। ବସୁଧା ଯୋଜନାରେ ସରକାର ଆମ ଗଁାକୁ ବିଶୁଦ୍ଧ ଜଳ ଯୋଗାଇ ଦେଇଛନ୍ତି, ତ ପାଣି ପାଇଁ ଆଉ କୁଆଡ଼େ ଯିବାକୁ ପଡୁନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଛାତ ଘରଟିଏ ଏବଂ ସ୍ବଚ୍ଛ ଭାରତ ଯୋଜନାରେ ଘର ଭିତରେ ପାଇଖାନାର ସୁବିଧା ମଧ୍ୟ ହୋଇଯାଇଛି। ଏସବୁ ସୁବିଧା ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ କହି ଗଁାର ଯୁବକ ସଂଘର ପିଲାମାନେ କରାଇ ଦେଇଛନ୍ତି! ହଁ, ଦେହପା’ ଖରାପ ହେଲେ ଗଁା ପାଖ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ମାଗଣା ଚିକିତ୍ସା ଓ ମାଗଣା ଔଷଧ ମିଳିଯାଉଛି। ତା’ ପରେ ମୋତେ ରାଣ ପକାଇ ସେହି ପିଲାମାନେ କହିଛନ୍ତି ଭାଇ ଆଉ ଭିକ ମାଗିବାକୁ ଯିବ ନାହିଁ। ତେଣୁ କାହିଁକି ଆଉ ଏତେ ବାଟ କଷ୍ଟ କରି ବୁଲି ବୁଲି ମାଗିବାକୁ ଆସିବି? ବହୁତ କଷ୍ଟ ସହିଚି ବାବୁ। ବାପାମା’ ମରିଗଲା ପରେ ବହୁ ଦୁଃଖରେ ଚଳିଛି। ଏବେ ଯୁବକ ସଂଘ ଭାଇମାନଙ୍କ ଚେଷ୍ଟା, ସରକାରୀ ସହାୟତା ଆଉ ଭଗବାନଙ୍କ ଆଶୀର୍ବାଦ ମିଶି ମୋ ପାଇଁ ଭଲ ଦିନ ଆଣି ଦେଇଛନ୍ତିି।
ନିରବରେ ସମସ୍ତେ ଏ କଥା ଶୁଣୁଥିଲେ।
ଜଣେ କେହି ପଚାରିଲେ- ‘ତା’ହେଲେ ତୁମ କଣ୍ଠର ସୁନ୍ଦର ଭଜନ? କ’ଣ ଗାଇବା ବନ୍ଦ ହୋଇଗଲା?’
ଉତ୍ତରରେ ସେ କହିଲେ- ‘ନାଇଁ ଆଜ୍ଞା, ସନ୍ଧ୍ୟା ହେଲେ ଗଁା ମନ୍ଦିର, ଏକଉଶିଆ, ଜନ୍ମଦିନ, ପୂଜାପାର୍ବଣରେ ବିଭିନ୍ନ ପ୍ରୋଗ୍ରାମକୁ ଲୋକମାନେ ମୋତେ ଡାକି ନେଉଛନ୍ତି। ସେଠାରେ ଭଜନଜଣାଣ ଗାଉଛି, ସେଥିରୁ ମଧ୍ୟ କିଛି ରୋଜଗାର ହେଉଛି। ମୁଁ ୮୦ ପ୍ରତିଶତ ଦୃଷ୍ଟିହୀନ, ମୋ ସ୍ତ୍ରୀ ୧୦୦ ପ୍ରତିଶତ। ଆମ କୁଳ ବେଉସା ଜାତକ ଦେଖିବା ଏବଂ ବାସ୍ତୁ ଗଣନା କରିବା। ତାହା ଶିଖିଛି। ଆଖିକୁ ଯେତିକି ଦିଶେ, ସେତିକିରେ ଏ କାମ ବି ଚଳାଇ ନିଏ। ଆଖପାଖ ଗଁାର ଲୋକେ ମୋତେ ସେମାନଙ୍କ ଘରକୁ ଡାକି ନେଉଛନ୍ତି ଏବଂ କାମ ସରିଲେ ଘରେ ଆଣି ଛାଡ଼ି ଦେଉଛନ୍ତି। ସାଙ୍ଗରେ ପନିପରିବା, ଚାଉଳ ଓ କିଛି ଟଙ୍କା ମଧ୍ୟ ଦେଇ ଯାଉଛନ୍ତି। ଗଁାରେ ଭୋଜିଭାତ ହେଲେ ସାଇଭାଇ ଖାଇବା ଆରମ୍ଭ କରିବା ଆଗରୁ କିଏ ହେଲେ ଜଣେ ପ୍ରଥମ କରି ଆମ ଘରକୁ ଆଣି ଆମ ଦୁଇ ଜଣଙ୍କ ପାଇଁ ଖାଇବା ଦେଇଯାଉଛନ୍ତି। ମୋତେ ଆଉ ଆମ ଗଁାରେ ‘ବଇରା’ କି ‘ଅନ୍ଧ’ ବୋଲି କେହି ସମ୍ବୋଧନ କରୁନାହାନ୍ତି। ସମସ୍ତେ ବୈରାଗୀ ଭାଇ ବୋଲି ଡାକୁଛନ୍ତି।’
ତା’ ପରେ ମୁହଁରେ ସାମାନ୍ୟ ହସ ଫୁଟାଇ ବୈରାଗୀ କହିଲେ-‘ଭାଇଭାଉଜ ଅନ୍ଧ ବୋଲି ମୋ ଭଉଣୀକୁ ସାବିତ୍ରୀ ଭାର ଦେଲେ ସେ ନିଏ ନାହିଁ। ଏ ବର୍ଷ କିନ୍ତୁ ମୁଁ ଓ ମୋ ସ୍ତ୍ରୀ ବାହାରିଛୁ କଟକ ପାଖ ଗଁାରେ ନିଜେ ଯାଇ ଭଉଣୀକୁ ସାବିତ୍ରୀ ଭାର ଦେଇ ଆସିବୁ। ଯାହା ହେଉ ଭଲ ହେଲା ଆପଣମାନଙ୍କ ସହିତ ଦେଖା ହୋଇଗଲା ଏବଂ ମୋ ବିଷୟରେ ଆପଣଙ୍କ ସନ୍ଦେହ ଦୂର ହୋଇଗଲା। ସତରେ ମୋ ଭାଗ୍ୟ ବଦଳିଛି।’
େସ ଦିନ ବୈରାଗୀଙ୍କ ସହିତ ଦେଖା ହେବା ପରେ ମନ ଉଭୟ ଆନନ୍ଦିତ ଏବଂ ଆନ୍ଦୋଳିତ ହେଉଥିଲା। ସତରେ ଯେତିକି ସରକାରୀ ଯୋଜନା ଅଛି, ତହିଁରେ ଭିନ୍ନକ୍ଷମମାନେ ଭିକ୍ଷା ମାଗିବା ଭଳି ଅସମ୍ମାନଜନକ ବୃତ୍ତି କରିବାର ଆବଶ୍ୟକତା ନାହିଁ! କିନ୍ତୁ ହୃଦୟବାନ ବ୍ୟକ୍ତିମାନଙ୍କ ଚେଷ୍ଟା ଓ ସହାୟତା ଲୋଡ଼ା, ଯେମିତି ବୈରାଗୀଙ୍କୁ ମିଳିଲା। କିନ୍ତୁ ଏହା ବି ସତ ଯେ କିଛି ଭିକ୍ଷୁକ ସରକାରୀ ଯୋଜନାଗୁଡ଼ିକର ଲାଭ ପାଇବା ପରେ ବି ତାଙ୍କ ବୃତ୍ତି ଛାଡୁ ନାହାନ୍ତି। ହୁଏତ ସେମାନେ ବୈରାଗୀଙ୍କ ଭଳି ନୁହନ୍ତି, ଯିଏ ଏହି କାମକୁ କରିବାକୁ ନ ଚାହିଁ ବି କରୁଥିଲେ। ହୁଏତ ସେମାନଙ୍କ ଲାଗି ଭିକ୍ଷା ବୃତ୍ତି କରିବା ଅଭ୍ୟାସରେ ପଡ଼ିଯାଇଛି!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୨୬୯୯୬୫