ଚଳିତ ବର୍ଷ ଏପ୍ରିଲ ୨୦ ତାରିଖରେ ଇଂଲଣ୍ଡର ୱେଷ୍ଟମିନିଷ୍ଟର ଅଦାଲତ, ମୁକ୍ତ ଗଣମାଧ୍ୟମର ଏକା ଏକା ବାଦଶାହା ଜୁଲିଆନ୍ ଆସେଞ୍ଜଙ୍କ ଉଦ୍ଦେଶ୍ୟରେ ଆମେରିକା ପ୍ରତ୍ୟର୍ପଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଂଲଣ୍ଡର ଗୃହମନ୍ତ୍ରୀ ପ୍ରୀତି ପଟେଲ ଏଥିରେ ମୋହର ମାରିବା ପରେ, ଆମେରିକା-ଇଂଲଣ୍ଡର ଦୀର୍ଘକାଳୀନ ରାଜନୈତିକ ସମୀକରଣ ଆଧାରରେ ଏହା ଆଶା କରିବା ସ୍ୱାଭାବିକ, ତାଙ୍କୁ ଆମେରିକା ପଠାଯିବ। ଇଂଲଣ୍ଡରେ ଆସେଞ୍ଜଙ୍କ ପାଇଁ ଗୋଟିଏ ମାର୍ଗ ଉନ୍ମୁକ୍ତ ରହିଛି- ପ୍ରତ୍ୟର୍ପଣ ନିର୍ଦ୍ଦେଶନାମା ସମୀକ୍ଷା ପାଇଁ ସେ ଆବେଦନ କରିପାରିବେ। କିନ୍ତୁ ସମୀକ୍ଷା ରାୟ ତାଙ୍କ ସପକ୍ଷରେ ଆସିବ, ଏହା ଆଶା କରାଯାଇ ନ ପାରେ। କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ଇଂଲଣ୍ଡର ସୁପ୍ରିମ୍ କୋର୍ଟ ଉଚ୍ଚ ଅଦାଲତରେ ଅପିଲ କରିବା ପାଇଁ ଆସେଞ୍ଜଙ୍କୁ ଅନୁମତି ଦେଇ ନ ଥିଲେ।
୨୦୧୦ ମସିହାରୁ ଆମେରିକାର ସମସ୍ତ ରାଷ୍ଟ୍ରପତି ସର୍ବସାଧାରଣରେ ଜୁଲିଆନ୍ ଆସେଞ୍ଜଙ୍କୁ ଗୁପ୍ତଚର, ଆତଙ୍କବାଦୀ ଏବଂ ଦେଶଦ୍ରୋହୀ ଭାବେ ଧିକ୍କାର କରିବା ସହିତ ସେ ମୃତ୍ୟୁଦଣ୍ଡର ଯୋଗ୍ୟ ବୋଲି ଘୋଷଣା କରିଛନ୍ତି। ଇଂଲଣ୍ଡରେ ଆସେଞ୍ଜଙ୍କ ମାମଲା ବିଚାର ଚାଲିଥିବାବେଳେ ନିମ୍ନ ଅଦାଲତ ପ୍ରତ୍ୟର୍ପଣ ବିରୋଧ କରିଥିଲେ। ତାଙ୍କର ଯୁକ୍ତି ଥିଲା- ଆମେରିକା ସରକାର ଜେଲ୍ରେ ତାଙ୍କ ପ୍ରତି ଅମାନବିକ ବ୍ୟବହାର ପ୍ରଦର୍ଶନ କରିବେ। କିନ୍ତୁ ଆମେରିକା ତରଫରୁ ଆଶ୍ୱାସନା ମିଳିବା ପରେ ହାଇକୋର୍ଟ ଏହା ମଂଜୁର କରିଥିଲେ। ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଜୁଲିଆନ୍ ଆସେଞ୍ଜଙ୍କ ମାମଲା ଆମେରିକାର ସ୍ୱତନ୍ତ୍ର ‘ଗୁପ୍ତଚର ଅଦାଲତ’ରେ ବିଚାର ହେବ। ଏ ଅଦାଲତର କାର୍ଯ୍ୟଧାରା ସଂପୂର୍ଣ୍ଣ ଗୋପନୀୟ ରହିଥାଏ। ଏଠାରେ ସର୍ବସାଧାରଣ ଓ ଗଣମାଧ୍ୟମ ପ୍ରବେଶ ବାରଣ ରହିଛି। ଭର୍ଜିନିଆ ରାଜ୍ୟର “ଗ୍ରାଣ୍ଡ ଜୁରି” ତାଙ୍କ ନାମରେ ତଦନ୍ତ ଆରମ୍ଭ କରି ରାୟ ଶୁଣାଇଛନ୍ତି- ୧୭୫ ବର୍ଷ ଜେଲ୍ ଦଣ୍ଡ।
ଚଳିତ ବର୍ଷ ଫେବ୍ରୁଆରିରେ ଭର୍ସୋ ବୁକ୍ସ୍ ପ୍ରକାଶନୀ ସଂସ୍ଥା ତରଫରୁ ଖଣ୍ଡିଏ ପୁସ୍ତକ ପ୍ରକାଶ ପାଇଛି- The Trial of Julian Assange: A Story of Persecution। ଏହାର ଲେଖକ ହେଉଛନ୍ତି- ମିଳିତ ଜାତିସଂଘର କ୍ରୂର, ଅମାନବୀୟ ନିର୍ଯାତନାର ବିଶେଷ ପ୍ରତିବେଦକ (Special Rapporteur) ତଥା ଅନ୍ତର୍ଜାତୀୟ ଆଇନର ବିଶିଷ୍ଟ ବିଦ୍ୱାନ ପ୍ରଫେସର ନୀଲସ୍ ମେଲ୍ଜର। ତିନିଟି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା, ସ୍ୱେଡେନ ଏବଂ ଇଂଲଣ୍ଡ କିପରି ଚକ୍ରାନ୍ତ ଓ ଷଡ଼୍ଯନ୍ତ୍ରରେ ଜୁଲିଆନ୍ ଆସେଞ୍ଜଙ୍କୁ ମରଣ ଯନ୍ତାକୁ ଠେଲି ଦେଇଛନ୍ତି, ଏଥିରେ ତାହାର ବିସ୍ତୃତ ବର୍ଣ୍ଣନା ରହିଛି। ଯେତେବେଳେ ଏହି ତିନି ରାଷ୍ଟ୍ର ଆସେଞ୍ଜଙ୍କୁ ଗିରଫ କରି ଫାଶୀଖୁଣ୍ଟରେ ଝୁଲେଇବା ପାଇଁ ରଣହୁଙ୍କର ଦେଉଥିଲେ, ଦକ୍ଷିଣ ଆମେରିକାର ଏକ କ୍ଷୁଦ୍ର ରାଷ୍ଟ୍ର ଇକୁଏଡରର ରାଷ୍ଟ୍ରପତି ରାଫେଲ କୋରିଆ ତାଙ୍କୁ ଶରଣାର୍ଥୀ ମାନ୍ୟତା ପ୍ରଦାନ କରିଥିଲେ। ଫଳରେ ୨୦୧୨ ମସିହାରୁ ଜୁଲିଆନ୍ ଆସେଞ୍ଜ ଲଣ୍ଡନର ଇକୁଏଡର ଦୂତାବାସରେ ନିରାପଦ ଜୀବନ ବିତାଉଥିଲେ।
କିନ୍ତୁ ଆମେରିକା ପ୍ରଭାବରେ ୨୦୧୭ ନିର୍ବାଚନରେ ରାଷ୍ଟ୍ରପତି ରାଫେଲ କୋରିଆ ପରାସ୍ତ ହେଲେ। ୨୦୧୮ ମସିହାରେ ୱିକିଲିକସ୍ ତଥ୍ୟ ଆଧାରରେ ନ୍ୟୁୟର୍କ ଟାଇମସ୍ରେ ଚାଂଚଲ୍ୟକର ଖବର ପ୍ରକାଶ ପାଇଥିଲା- ‘ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ଇକୁଏଡର ନୂତନ ରାଷ୍ଟ୍ରପତି ଲେନିନ୍ ମରେନୋ ଜୁଲିଆନ୍ ଆସେଞ୍ଜଙ୍କୁ ଆମେରିକା ହାତରେ ଟେକିଦେବେ।’ ତାହା ହିଁ ହେଲା। ୨୦୧୯ ମସିହାରେ ଆସେଞ୍ଜଙ୍କ ଶରଣାର୍ଥୀ ମାନ୍ୟତା ପ୍ରତ୍ୟାହାର କରି ନିଆଯିବା ପରେ ତୁରନ୍ତ ଇଂଲଣ୍ଡ ତାଙ୍କୁ ବନ୍ଦୀ କରି ଏବେ ପ୍ରତ୍ୟର୍ପଣ ପଥ ପରିଷ୍କାର କରିଦେଇଛି। ଯେତେବେଳେ ଜୁଲିଆନ୍ ଆସେଞ୍ଜ ଇକୁଏଡର ଦୂତାବାସରେ ଜୀବନ ବିତାଉଥିଲେ, ଲଣ୍ଡନ ପୁଲିସ ତାଙ୍କୁ ଦିବା ନିଶି ଜଗି ରହିଥିଲା; ଉଦ୍ଦେଶ୍ୟ- ପାଦ କାଢ଼ିବା ମାତ୍ରେ ଆରେଷ୍ଟ କରିବ। ଏ ବାବଦକୁ ଇଂଲଣ୍ଡ ବାର୍ଷିକ ୬୫ କୋଟି ଟଙ୍କା ଖର୍ଚ୍ଚ କରୁଥିଲା। ତେଣୁ ପ୍ରତ୍ୟର୍ପଣ ନିର୍ଦ୍ଦେଶନାମାକୁ ଇଂଲଣ୍ଡର ଗୃହମନ୍ତ୍ରୀ ପ୍ରୀତି ପଟେଲ ପ୍ରତ୍ୟାଖ୍ୟାନ କରିବେ, ଏ ଆଶା ନିରର୍ଥକ।
ୱିକିଲିକ୍ସ୍ର ପ୍ରତିଷ୍ଠାତା ଜୁଲିଆନ୍ ଆସେଞ୍ଜଙ୍କ ଅପରାଧ କ’ଣ? କାହିଁକି ସେ ଏବେ ଇଂଲଣ୍ଡର କଡ଼ା ସୁରକ୍ଷା ବଳୟରେ ଥିବା ବେଲମର୍ଶ ବନ୍ଦୀଶାଳାରେ ଦୁର୍ଦ୍ଧର୍ଷ ଅପରାଧୀଙ୍କ ସହିତ କ୍ଳାନ୍ତ ବିଷଣ୍ଣ ଜୀବନ ବିତାଉଛନ୍ତି? କାହିଁକି ଆମେରିକାରେ ତାଙ୍କୁ ୧୭୫ ବର୍ଷ ଜେଲ୍ ଦଣ୍ଡ ଆଦେଶ ଅପେକ୍ଷା କରିଛି? ତାଙ୍କର ଅପରାଧ ହେଉଛି, ସେ ଆମେରିକା ସମେତ ବହୁ ଶକ୍ତିଶାଳୀ ରାଷ୍ଟ୍ର ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଗୁମର ପଦାରେ ପକାଇଛନ୍ତି। ତେଣୁ ସେମାନେ କ୍ଷୁବ୍ଧ ହେବା ସ୍ୱାଭାବିକ। ୨୦୦୬ ମସିହାରେ ୱିକିଲିକ୍ସ୍ ପ୍ରତିଷ୍ଠା ହେଲା। ୨୦୧୦ ମସିହାରେ ଏହାର ଖ୍ୟାତି ସାରା ବିଶ୍ୱରେ ବ୍ୟାପିଗଲା। ସେହି ବର୍ଷ ଆମେରିକାର ‘ତିନିଟି ମହା ଗୁପ୍ତ ତଥ୍ୟ’ ପ୍ରକାଶ ପାଇଲା। ଚେଲସି ମାନିଂ ନାମ୍ନୀ ଜଣେ ମହିଳା ପ୍ରତିରକ୍ଷା ବିଶେଷଜ୍ଞଙ୍କ ତଥ୍ୟ ଆଧାରରେ ଇରାକ-ଆଫଗାନିସ୍ତାନ ଯୁଦ୍ଧର ୭,୦୦,୦୦୦ ଗୁପ୍ତ କାହାଣୀ, ଆମେରିକା ଦୂତାବାସଗୁଡ଼ିକର ୨,୫୧,୨୮୭ ଗୋପନୀୟ ତଥ୍ୟ ଏବଂ ପ୍ରତିରକ୍ଷା ସଂପର୍କୀୟ ୪,୮୨,୨୩୨ ଦସ୍ତାବିଜ ପ୍ରକାଶ ପାଇବା ପରେ ସାରା ବିଶ୍ୱରେ ଚହଳ ପଡ଼ିଗଲା।
ୱିକିଲିକ୍ସ୍ର ନିଜସ୍ୱ ପ୍ରସାରଣ ସଂସ୍ଥା ନାହିଁ। ପ୍ରଥମ ଦଫାରେ ପାଞ୍ଚଟି ଅତ୍ୟନ୍ତ ଭରସାଯୋଗ୍ୟ ସଂବାଦପତ୍ର- ଆମେରିକାର ‘ନ୍ୟୁୟର୍କ ଟାଇମସ୍’, ଇଂଲଣ୍ଡର ‘ଗାର୍ଡିଆନ୍’, ଫ୍ରାନ୍ସର ‘ଲେ ମଣ୍ଡ’, ସ୍ପେନ୍ର ‘ଏଲ୍ ପାଏସ୍’ ଏବଂ ଜର୍ମାନର ସାପ୍ତାହିକ ପତ୍ରିକା ‘ଦେର୍ ସ୍ପାଇଜେଲ୍’ ଜରିଆରେ ତଥ୍ୟ ପରିବେଷଣ କରାଗଲା। ପ୍ରଥମ ଦଫା ଖବର ପ୍ରକାଶ ପାଇବା ପରେ ଆମେରିକା ତରଫରୁ ତାହା ‘ମିଥ୍ୟା’ ବୋଲି ପ୍ରତିବାଦ କରାଗଲା ନାହିଁ , ବରଂ ପ୍ରତିରକ୍ଷା ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନ ତରଫରୁ ୱିକିଲିକ୍ସ୍କୁ ଧମକପୂର୍ଣ୍ଣ ଚେତାବନୀ ଆସିଲା-‘ତୁରନ୍ତ ସମସ୍ତ ତଥ୍ୟ ଫେରସ୍ତ କରିଦେବା ସହିତ କଂପ୍ୟୁଟରରୁ ନଷ୍ଟ କରିଦିଅ, ନଚେତ ଆମେରିକା ବାଧ୍ୟ ହୋଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବ।’ ସବୁଠାରୁ ପ୍ରଭାବଶାଳୀ ଭିଡିଓ ଥିଲା ‘ଅନୁପ୍ରାସଙ୍ଗିକ ହତ୍ୟା’ (Collateral Murder)। ଏଥିରେ ଆମେରିକା ଯୁଦ୍ଧ- ହେଲିକେପ୍ଟରରୁ କିପରି ନିରସ୍ତ୍ର ଇରାକୀ ଜନତାଙ୍କ ଉପରେ ଗୁଳିବର୍ଷଣ କରାଯିବା ସହିତ ଦୁଇ ଜଣ ରଏଟର ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି, ତାହାର ଚିତ୍ର ପରିବେଷଣ କରାଯାଇଥିଲା। ଯୁଦ୍ଧ ସମୟରେ ସମୁଦାୟ ୬୬,୦୦୦ ଇରାକୀ ଜନତାଙ୍କୁ ହତ୍ୟା କରାଯାଇଥିଲା, ଯାହା ଏଡ଼ାଇ ଦିଆଯାଇପାରିଥା’ନ୍ତା। ଆମେରିକା ସରକାରୀ ତଥ୍ୟରେ ପ୍ରଥମେ କମ୍ ବ୍ୟକ୍ତିଙ୍କ ନାମ ମୃତ ଘୋଷଣା କରାଯାଇଥିଲା, ପରେ ୱିକିଲିକ୍ସ୍ ଆଧାରରେ ତାହା ସଂଶୋଧନ କରାଗଲା।
ଭିନ୍ନକ୍ଷମ ବ୍ୟକ୍ତିଙ୍କ କର୍ମନିଯୁକ୍ତି ନିମନ୍ତେ ଆମେରିକା ସରକାରଙ୍କର ଗୋଟିଏ ବିଭାଗ ରହିଛି ‘AbilityOne’। ରାଷ୍ଟ୍ରପତି ଏହି ବିଭାଗର ମୁଖ୍ୟଙ୍କୁ ନିଯୁକ୍ତି ଦିଅନ୍ତି। ଏହାର ବାର୍ଷିକ ବଜେଟ୍ ୩ ବିଲିୟନ ଡଲାର୍ (ପ୍ରାୟ ୨୦ ହଜାର କୋଟି ଟଙ୍କା)। ଏମାନେ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦିଅନ୍ତି। ସେହିଭଳି ଗୋଟିଏ ସଂସ୍ଥା ହେଉଛି ‘SourceAmerica’। ଜର୍ଜ ବୁଶ୍ ଦ୍ୱିତୀୟ ଏବଂ ବାରାକ୍ ଓବାମା- ଏହି ଦୁଇ ରାଷ୍ଟ୍ରପତିଙ୍କ ଆଠ ବର୍ଷ ଶାସନକାଳରେ ‘AbilityOne’ ଏବଂ ‘SourceAmerica’ ଏହି ଦୁଇ ସଂସ୍ଥାର ମୁଖ୍ୟ, ମିଥ୍ୟା ନିଯୁକ୍ତି ଦେଖାଇ ଆନୁମାନିକ ୧୫ ବିଲିୟନ ଡଲାର୍ ଅର୍ଥ ହଡ଼ପ କରିଥିଲେ। ୨୦୧୫ ମସିହା ନଭେମ୍ବର ୧୬ ତାରିଖରେ ୱିକିଲିକ୍ସ୍ ତରଫରୁ ଏହି ଦୁଇ ସଂସ୍ଥାର ମୁଖ୍ୟଙ୍କ ଗୋପନୀୟ ବାର୍ତ୍ତାଳାପ ଟେପ୍ରେ ପ୍ରକାଶ ପାଇଲା। ସରକାର ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଥିଲେ। ଆମେରିକା ସରକାର ନିଜର ଆଧିପତ୍ୟ ବିସ୍ତାର ନିମନ୍ତେ ସିଆଇଏ ସଂସ୍ଥାକୁ ନିୟୋଜିତ କରିଥା’ନ୍ତି। ଏହି ସଂସ୍ଥା କେମିତି ଗୋପନରେ ତଥ୍ୟ ସଂଗ୍ରହ କରିଥାଏ, ସେହି ସଂପର୍କରେ ୨୦୧୭ ମସିହା ଏପ୍ରିଲ ମାସରେ ୱିକିଲିକ୍ସ୍ ତରଫରୁ ୩୧ ପୃଷ୍ଠା ସମ୍ବଳିତ ଏକ ଆଚମ୍ବିତ ବିସ୍ତୃତ ଖବର ପ୍ରକାଶ ପାଇଲା। ‘Weeping Angel’ ନାମକ ଏକ ଉପକରଣ ଟିଭିରେ ଲଗାଇଦେଲେ, ଟିଭିର ନିଜସ୍ୱ ମାଇକ୍ରୋଫୋନ୍ ସାହାଯ୍ୟରେ ସାମନାରେ ଥିବା ବ୍ୟକ୍ତିଙ୍କର ବାର୍ତ୍ତାଳାପ ରେକର୍ଡ ହୋଇ ପାରିବ। ଆମେରିକା ସର୍ବଦା ବ୍ୟକ୍ତି ସ୍ୱାଧୀନତାର ଦ୍ୱାହି ଦେଉଥିବାବେଳେ, ଏ କାର୍ଯ୍ୟଧାରା କେତେ ଭୟଙ୍କର, ସହଜରେ ଆକଳନ କରାଯାଇପାରେ। ୱିକିଲିକ୍ସ୍ ସଂପର୍କରେ ଆମେରିକାର ଆଟର୍ଣ୍ଣି ଜେନେରାଲ ଜେଫ୍ ସେସନସ୍ କ୍ଷୁବ୍ଧ ହୋଇ ମନ୍ତବ୍ୟ ରଖିଥିଲେ- This is a matter that’s gone beyond anything.
୨୦୧୦ ଅଗଷ୍ଟ ୧୦ ତାରିଖରେ ଗୋଟିଏ କନ୍ଫେରେନ୍ସରେ ଯୋଗଦେବା ପାଇଁ ଜୁଲିଆନ୍ ଆସେଞ୍ଜ ସ୍ୱେଡେନ ଆସିଥିଲେ। ସେହି ସମୟରେ ସେ ଦୁଇ ଜଣ ମହିଳାଙ୍କ ସହିତ ଯୌନ କ୍ରିୟାରେ ଲିପ୍ତ ଥିଲେ। ଅଗଷ୍ଟ ୨୦ ତାରିଖରେ ସେହି ଦୁଇ ମହିଳା ପୁଲିସକୁ ଅନୁରୋଧ କରିଥିଲେ- ଜୁଲିଆନ୍ ଆସେଞ୍ଜଙ୍କର ଯୌନ ରୋଗ ଅଛି କି ନାହିଁ, ଡାକ୍ତରୀ ପରୀକ୍ଷା କରାଯାଉ। କାରଣ ସେମାନେ ସାଥିରେ ଶୋଇବା ପାଇଁ ସମ୍ମତି ଦେଇଥିଲେ। ସେହି ଦିନ ପୁଲିସ ଆସେଞ୍ଜଙ୍କୁ ଜେରା କରି ସେପ୍ଟେମ୍ବର ୧ ତାରିଖରେ ଦୁଷ୍କର୍ମ ଓ ଉତ୍ପୀଡ଼ନ ମିଥ୍ୟା ଅଭିଯୋଗରେ ତଦନ୍ତ ଆରମ୍ଭ କରିଦେଲା। ନଭେମ୍ବର ୧ ତାରିଖରେ ପୁଲିସ୍ର ଅନୁମତି ନେଇ ଆସେଞ୍ଜ ସ୍ୱେଡେନ୍ରୁ ଇଂଲଣ୍ଡ ଆସିଗଲେ ଏବଂ ସେହି ମାସ ୨୦ ତାରିଖରେ ଇଣ୍ଟରପୋଲ ତରଫରୁ ତାଙ୍କୁ ଆରେଷ୍ଟ କରିବା ପାଇଁ ୱାରେଣ୍ଟ ବାହାରିଲା।
ଡିସେମ୍ବର ୮ ତାରିଖରେ ପୁଲିସ ତାଙ୍କୁ ଆରେଷ୍ଟ କଲା ଏବଂ ୮ ଦିନ ଜେଲ୍ରେ ରହିବା ପରେ ୨,୪୦,୦୦୦ ପାଉଣ୍ଡ ବିନିମୟରେ ଜାମିନ ମିଳିଲା। ୨୦୧୧ ମସିହା ଫେବ୍ରୁଆରି ୧୧ ତାରିଖରେ ଇଂଲଣ୍ଡର ଅଦାଲତ ଜୁଲିଆନ୍ ଆସେଞ୍ଜଙ୍କୁ ସ୍ୱେଡେନ୍ ପ୍ରତ୍ୟର୍ପଣ ନିମନ୍ତେ ଆଦେଶ ଦେଲେ। ବାଧ୍ୟ ହୋଇ ସେ ଇକ୍ୱେଡର ଦୂତାବାସରେ ରାଜନୈତିକ ଶରଣ ପଶିଲେ ଏବଂ ନୂତନ ରାଷ୍ଟ୍ରପତି ଲେନିନ୍ ମରେନୋ ଶରଣାର୍ଥୀ ମାନ୍ୟତା ପ୍ରତ୍ୟାହାର କରିନେବା ପରେ ଇଂଲଣ୍ଡ ପୁଲିସ ଦ୍ୱାରା ଆରେଷ୍ଟ ହୋଇଥିଲେ।
ୱିକିଲିକ୍ସ୍ ହେଉଛି ମୁକ୍ତ, ଅପ୍ରତିବନ୍ଧିତ ଗଣମାଧ୍ୟମର ପ୍ରତିଶବ୍ଦ ଏବଂ ଜୁଲିଆନ୍ ଆସେଞ୍ଜ ତାହାର ଉଜ୍ଜ୍ବଳ ସମ୍ଭାବନା। ତାଙ୍କ ଜୀବନ ସତେ ଅବା ନ୍ୟାୟିକ ଭ୍ରଷ୍ଟାଚାରର ଦୁଃଖଦ ଆଖ୍ୟାନ; ସରକାରୀ ଗୋପନୀୟତା ଓ ଭ୍ରଷ୍ଟାଚାର କିପରି ସତ୍ୟକୁ ବାଟବଣା କରି ଆଇନର ଶାସନକୁ ଦିଗହରା କରିଥାଏ, ତାହାର ଉନ୍ମୁକ୍ତ ବିବରଣୀ। ଗୋଟିଏ ପରିପକ୍ୱ ଗଣତନ୍ତ୍ର ଦ୍ୱାରା ଜୁଲିଆନ୍ ଆସେଞ୍ଜଙ୍କ ଉପରେ ରାଜନୀତି-ପ୍ରଣୋଦିତ ମୋକଦ୍ଦମା, ଗଣମାଧ୍ୟମର ସ୍ୱାଧୀନତାକୁ ନ୍ୟୂନ କରିବା ସହିତ ଆଇନର ଶାସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜୁଲିଆନ୍ ଆସେଞ୍ଜଙ୍କୁ ଜୀବନରୁ ନିପାତ କରିଦେବା ପାଇଁ ଶକ୍ତିଶାଳୀ ରାଷ୍ଟ୍ରମାନେ ଆଇନ ଏବଂ ନ୍ୟାୟିକ ପ୍ରକ୍ରିୟାକୁ ଯେପରି ଉଲ୍ଲଂଘନ କରିଛନ୍ତି, ଯେତେ କଠୋର ଶବ୍ଦରେ ତାହା ନିନ୍ଦା କଲେ ମଧ୍ୟ ଯଥେଷ୍ଟ ହେବ ନାହିଁ। ଇଂଲଣ୍ଡରୁ ପ୍ରକାଶ ପାଉଥିବା ବିଶ୍ୱର ପ୍ରଭାବଶାଳୀ ଦୈନିକ ସମ୍ବାଦପତ୍ର ‘ଦ ଗାର୍ଡିଆନ’ ପକ୍ଷରୁ ମଇ ୧୦ ତାରିଖ ସଂଖ୍ୟାରେ ଏକ ଆଲେଖ୍ୟ ପ୍ରକାଶ ପାଇଛି- “Priti Patel, hear this loud and clear: Julian Assange must not be handed over to the US” ଏହା ସତ୍ତ୍ବେ ଜୁଲିଆନ୍ ଆସେଞ୍ଜଙ୍କ ମୁକ୍ତି ଆଶା କ୍ଷୀଣ।
ମୋ- ୯୪୩୭୧୯୧୩୫୦