ଜାତୀୟ ମୁକ୍ତି ସଂଗ୍ରାମରେ ମ୍ୟାଡମ୍ କାମା

ପଦ୍ମଚରଣ ନାୟକ

ଭାରତର ମୁକ୍ତି ସଂଗ୍ରାମର ଗୌରବମୟ ଇତିହାସର ଆଦ୍ୟ କାଳରେ ଯେଉଁ ମହିଳା ଇଂଲଣ୍ଡ, ଫ୍ରାନ୍‌ସ, ଜର୍ମାନି ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଇଂରେଜୀ ଶାସନର କଷଣ ଓ ଅତ୍ୟାଚାରର କାହାଣୀ ସେଠାକାର ସଂଗ୍ରାମୀମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଭାରତୀୟ ସ୍ୱାଧୀନତା ପ୍ରତି ସେମାନଙ୍କର ସହାନୁଭୂତି ସୃଷ୍ଟି କରିପାରିଥିଲେ, ତାଙ୍କ ନାଁ ଭିକାଜୀ ରୁସ୍ତମ୍ କାମା; ସଂକ୍ଷେପରେ ମ୍ୟାଡମ୍ କାମା। ବମ୍ବେର ଏକ ପ୍ରତିଷ୍ଠିତ ପାର୍ସୀ ପରିବାରରେ ୧୮୬୧ ସେପ୍ଟେମ୍ବର ୨୪ରେ ତାଙ୍କର ଜନ୍ମ। ସେତେବେଳକୁ ବମ୍ବେରେ ପାର୍ସୀ ପରିବାରର ନାରୀ ଶିକ୍ଷା ବେଶ୍ ଆଗେଇଥାଏ। ପାର୍ସୀ ମହିଳାମାନେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ଅଧିକାଂଶ ପାର୍ସୀ ନିଜ ଶିଳ୍ପ ତଥା ବ୍ୟବସାୟରେ ନିଜକୁ ନିୟୋଜିତ କରିବାରେ ଲିପ୍ତ ଥିଲେ। ଏଭଳି ଆଭିମୁଖ୍ୟ ଥିବାରୁ ସେମାନେ କାର୍ଯ୍ୟତଃ ବ୍ରିଟିସ୍‌ ସରକାରଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ତଥାପି ଦାଦାଭାଇ ନାରୋଜୀ, ଫିରୋଜ ଶାହ ମେହେଟ୍ଟା, ଦିନଶ ବାଚ୍ଚାଙ୍କ ଭଳି ଜାତୀୟତାବାଦୀ ପାର୍ସୀ ନେତା ମଧ୍ୟ ବାହାରିଥିଲେ। କାମାଙ୍କ ଉପରେ ଏମାନଙ୍କ ପ୍ରଭାବ ପଡ଼ିଥିଲା।

ଭିକାଜୀଙ୍କର ୧୮୮୫ ମସିହାରେ ବିବାହ ବମ୍ବେର ଏକ ଧନୀ ତଥା ବିଦ୍ୱାନ ପରିବାରରେ ହୋଇଥିଲା। ଶ୍ୱଶୁର ଖୁଜ୍ ସେଦ୍‌ଜୀ ରୁସ୍ତମ୍ କାମା ଥିଲେ ପ୍ରାଚ୍ୟ ବିଦ୍ୟାର ଜଣେ ପ୍ରଫେସର। ସ୍ୱାମୀ ରୁସ୍ତମ୍‌ଜୀ ବି ଉଚ୍ଚ ଶିକ୍ଷିତ ଏବଂ ଆଟ୍ଟର୍ଣ୍ଣି। ସଂଯୋଗକୁ ଠିକ୍ ତାଙ୍କ ବିବାହ ବର୍ଷରେ ବମ୍ବେରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ସଭା ମହାସମାରୋହରେ ପାଳିତ ହୁଏ। ଦେଶ ପାଇଁ ସମଗ୍ର ଭାରତର ବିଭିନ୍ନ ଅଞ୍ଚଳର ଶିକ୍ଷିତ ଓ ବିଶିଷ୍ଟ ବ୍ୟକ୍ତିଙ୍କର ଏହା ଥିଲା ପ୍ରଥମ ମହାମିଳନ। ଏଣୁ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରତି କାମାଙ୍କର ଆଗ୍ରହ ଦୃଷ୍ଟି ରହିବା ସ୍ୱାଭାବିକ। ବିବାହର ଅଳ୍ପ କିଛି ବର୍ଷ ପରେ ବମ୍ବେରେ ମହାମାରୀ ପ୍ଲେଗ୍‌ ବ୍ୟାପିଥିଲା। ସେତେବେଳେ ପ୍ଲେଗ୍‌ ଲାଗି କିଛି ଔଷଧ ବାହାରି ନ ଥାଏ। ତେଣୁ ପ୍ଲେଗ୍ ଲାଗିଥିବା ଅଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ସୁଧାରିବା ଏବଂ ପ୍ଲେଗ୍ ରୋଗୀଙ୍କ ଶୁଶ୍ରୂଷାରେ ଲାଗି ପଡ଼ିଥିବା ଭିକାଜୀଙ୍କୁ ପ୍ରଥମେ ପରିବାର ପକ୍ଷରୁ ଆପତ୍ତି ଶୁଣିବାକୁ ପଡ଼ିଥିଲା। ସ୍ୱାମୀ ଚାହୁଁନଥିଲେ ଯେ କାମା ସର୍ବସାଧାରଣ କାମରେ ସମ୍ପୃକ୍ତ ହୁଅନ୍ତୁ। ଫଳରେ ଉଭୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ହୋଇଥିଲା। ଫଳରେ କାମାଙ୍କର ସ୍ୱାସ୍ଥ୍ୟ ଭଗ୍ନ ହେବାକୁ ଲାଗିଲା। ସ୍ବାସ୍ଥ୍ୟାବସ୍ଥା ଶୋଚନୀୟ ହେବାରୁ ୧୯୦୧ ମସିହାରେ ତାଙ୍କୁ ଇଂଲଣ୍ଡ ପଠାଗଲା। ଏହା ପରେ କାମାଙ୍କ ରାଜନୈତିକ ଜୀବନର ଆରମ୍ଭ ହୋଇ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଲା।

ଇଂଲଣ୍ଡରେ ସ୍ଥାୟୀ ଭାବରେ ରହିବା ପୂର୍ବରୁ ସେ ଜର୍ମାନି, ସ୍କଟ୍‌ଲ୍ୟାଣ୍ଡ୍‌ ଓ ଫ୍ରାନ୍‌ସରେ ବର୍ଷେ ଲେଖା କଟାଇ ଅନ୍ତର୍ଜାତୀୟ ରାଜନୀତିରେ ଦୀକ୍ଷିତ ହୋଇଗଲେ। ସେଠାରେ ସେ ଇଂରେଜ ଶାସନ ଦ୍ବାରା ଭାରତରେ ଶୋଷଣ ସମ୍ପର୍କରେ ରାଜନୈତିକ ନେତାମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ। କିଛି କାଳ ଲାଗି ସେ ଭାରତ ଆସି ଦାଦାଭାଇ ନାରୋଜୀଙ୍କ ସେକ୍ରେଟାରି ଭାବରେ କାମ କରିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ହୋଇଗଲେ। ମ୍ୟାଡମ୍‌ କାମା ଇଟାଲିର ବିପ୍ଳବୀ ମାଜ୍ଜିନୀଙ୍କ ଚିନ୍ତାଧାରାରେ ଖୁବ୍ ପ୍ରଭାବିତ ହୋଇଯାଇଥିଲେ। ସେହି ସମୟକୁ ଶ୍ୟାମ୍‌ଜୀ କୃଷ୍ଣ ବର୍ମା, ସର୍ଦାର ସିଂହ ରାଣା ଓ ସରୋଜିନୀ ନାଇଡ଼ୁ ଆଦି ବିଶିଷ୍ଟ ଭାରତୀୟମାନେ ଇଂଲଣ୍ଡରେ ରହୁଥିଲେ। ଏମାନଙ୍କ ଛଡ଼ା ଇଂଲଣ୍ଡ ହୋଇଯାଇଥିଲା ବିଭିନ୍ନ ଦେଶର ବିପ୍ଳବୀମାନଙ୍କର ଚାରଣଭୂମି। ଅନ୍ୟାନ୍ୟ ନେତାମାନଙ୍କ ମଧ୍ୟରେ ଏଚ୍‌.ଏମ୍‌. ହାଇଣ୍ଡମ୍ୟାନ୍‌ଙ୍କ ସମ୍ପର୍କରେ ଆସିବା ଫଳରେ କଂଗ୍ରେସ ଦଳ ପ୍ରତି ତାଙ୍କ ଆଭିମୁଖ୍ୟ‌‌େର ପରିବର୍ତ୍ତନ ଆସିଥିଲା। ଲଣ୍ଡନରେ ହାଇଡ୍‌ ପାର୍କରେ ସେ ଭାରତର ସ୍ୱାଧୀନତା ସମ୍ପର୍କରେ ଭାଷଣ ଦେବାକୁ ଅଭ୍ୟାସ କଲେ। ଜଣେ ଶାଢ଼ିପିନ୍ଧା ମହିଳାଙ୍କ ଭାଷଣ ଶୁଣିବା କିଛି ଶ୍ରୋତାଙ୍କ ପାଇଁ ଅପୂର୍ବ ଥିଲା।

ଶ୍ୟାମ୍‌ଜୀ କୃଷ୍ଣ ବର୍ମା ୧୯୦୫ ମସିହାରେ ‘ଦି ଇଣ୍ଡିଆନ୍‌ ସୋସିଓଲୋଜିଷ୍ଟ୍‌’ ନାମକ ମ୍ୟାଗାଜିନ୍ ବାହାର କଲେ ଏବଂ ବିଭିନ୍ନ କାର୍ଯ୍ୟକଳାପ ଲାଗି ଏକ ବିଶାଳ ପ୍ରାସାଦ ଭଡ଼ା ନେଲେ। ପ୍ରାସାଦଟିର ନାମ ରହିଲା ଦି ଇଣ୍ଡିଆ ହାଉସ୍ ଏବଂ ଏହା ଭାରତର ଶୁଭେଚ୍ଛୁଙ୍କ ମିଳନ ସ୍ଥଳ ହେଲା। ଏଇଠି ସେ ଏସ୍‌.ଏସ୍‌. ରଣା, ହରଦୟାଲ, ସେନାପତି ବାପାତ୍‌, ବୀରେନ୍ଦ୍ର ନାଥ ଚଟ୍ଟୋପଧ୍ୟାୟ, ପରମାନନ୍ଦ ଏବଂ ବୀର ସବରକରଙ୍କ ସମ୍ପର୍କରେ ଆସିଥିଲେ। ସବରକରଙ୍କ ଲେଖାଗୁଡ଼ିକୁ ସେ ଫରାସୀ, ଜର୍ମାନୀ, ରୁଷୀୟ ଏବଂ ପର୍ତ୍ତୁଗୀଜ୍ ଭାଷାରେ ଅନୁବାଦ କରି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିକଟକୁ ପଠାଉଥିଲେ। ସବରକର ବ୍ରିଟିସ୍‌ ବିରୋଧରେ ଯେଉଁ ସାମ୍ମୁଖ୍ୟ ଗଠନ କରିଥିଲେ ତାହା ଜରିଆରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଛଡ଼ା ସେସବୁର ବ୍ୟବହାର ପାଇଁ ତାଲିମର ବ୍ୟବସ୍ଥା ଥିଲା। ଏଥିପାଇଁ ଇଂଲଣ୍ଡ ସୁବିଧାଜନକ ସ୍ଥାନ ନ ଥିବାରୁ କାମା ଫ୍ରାନ୍‌ସରେ ଏଥି ଲାଗି ବ୍ୟବସ୍ଥା କରିଥିଲେ। ଭାରତବର୍ଷର ଜାତୀୟ ପତାକା ପ୍ରସ୍ତୁତି ଲାଗି ବିଭିନ୍ନ ବ୍ୟକ୍ତି ଉଦ୍ୟମ କରିଥିଲେ। ପ୍ରଥମେ ସିଷ୍ଟର ନିବେଦିତା ତିନିରଙ୍ଗର ଏକ ପତାକା ପରିକଳ୍ପନା କରିଥିଲେ। ବଙ୍ଗଭଙ୍ଗ ଆନ୍ଦୋଳନ କାଳରେ ସଚ୍ଚୀନ୍ଦ୍ର କୁମାର ବୋଷ ବି ବନ୍ଦେ ମାତରମ୍ ଲେଖା ଥିବା ଏକ ତ୍ରିରଙ୍ଗା ପତାକା ବ୍ୟବହାର କରୁଥିଲେ। ମ୍ୟାଡମ୍‌ କାମା ବର୍ଲିନ ଅନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ପ୍ରଦର୍ଶନ ପାଇଁ ଏକ ତ୍ରିରଙ୍ଗା ପତାକା ପ୍ରସ୍ତୁତ କରିଥିଲେ। ସେଠାରେ ଶାଢି ପରିହିତା ମ୍ୟାଡମ୍‌ କାମାଙ୍କ ବେଶ ସମସ୍ତଙ୍କୁ ଆକର୍ଷିତ କରିଥିଲା। କିନ୍ତୁ ସେ ଯେତେବେଳେ ଇଂଲଣ୍ଡର ୟୁନିୟନ୍‌ ଜ୍ୟାକ୍‌କୁ ବିରୋଧ କରି ନିଜ ବ୍ୟାଗ୍‌ରୁ ଛୋଟ ତ୍ରିରଙ୍ଗା ପତାକାଟି ଉଡ଼ାଇ ଭାଷଣ ଦେବାକୁ ଲାଗିଲେ, ତାହା ସମ୍ମିଳନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହା ସ୍ୱାଧୀନ ଭାରତର ପତାକା, ସମସ୍ତେ ଏହାକୁ ପ୍ରଣାମ କରନ୍ତୁ ବୋଲି ସେ ଆବେଦନ କରିବାରୁ ସମ୍ମିଳନୀରେ ସମସ୍ତେ ଦଣ୍ଡାୟମାନ ହୋଇ ଏହାକୁ ସମ୍ମାନ ଜଣାଇଥିଲେ। ସେହି ସମ୍ମିଳନୀରେ ସେ ଭାରତର ପୂର୍ଣ୍ଣ ସ୍ୱାଧୀନତା ଦାବି ଉପସ୍ଥାପନ କରିଥିଲେ। ଏହା ଜର୍ମାନି ଖବରକାଗଜମାନଙ୍କରେ ସ୍ଥାନ ପାଇଥିଲା। ଏହା ପରେ ଷ୍ଟକ୍‌ହୋମ୍‌ ସମାଜବାଦୀ କଂଗ୍ରେସ ସମ୍ମିଳନୀରେ ସେ ଏହି ପତାକା ପ୍ରଦର୍ଶନ କରିଥିଲେ। ଏହି ତ୍ରିରଙ୍ଗା ପତାକାକୁ ଗୁଜୁରାଟର ସମାଜବାଦୀ ନେତା ଇନ୍ଦୁଲାଲ ଯାଜ୍ଞାକ୍‌ ଗୁପ୍ତରେ ଲୁଚାଇ ଭାରତକୁ ଆଣିଥିଲେ। ସେହି ପତାକା ଏବେ ବି ପୁଣେର ‘କେଶରୀ’ ଓ ‘ମରାଥା’ କାର୍ଯ୍ୟାଳୟରେ ଉଡୁଛି।

୧୯୦୭ ମସିହାରେ ସେ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଭାରତୀୟମାନଙ୍କର ପରିସ୍ଥିତି ସମ୍ପର୍କରେ ଅବଗତ କରାଇ ଥିଲେ। ଏ ଦିଗରୁ ସେ ଥିଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତବର୍ଷର ପ୍ରଥମ ଅନୌପଚାରିକ ରାଷ୍ଟ୍ରଦୂତ। ଫ୍ରାନ୍‌ସ ଫେରିବା ପରେ କାମା ରୁଷୀୟ ଢଙ୍ଗରେ ଭାରତୀୟ ମୁକ୍ତି ସଂଗ୍ରାମ ଚଳାଇବା ଆଭିମୁଖ୍ୟ ନେଲେ। ‘ବନ୍ଦେ ମାତରମ୍’ ପତ୍ରିକା ଜରିଆରେ ସେ ତାଙ୍କର ଏହି ଉଦ୍ୟମ ଜାରି ରଖିଲେ। ୧୯୧୧ରେ ଜଷ୍ଟିସ୍ ଏଡ଼ାଙ୍କ ହତ୍ୟାରେ ଆୟାର୍‌ଙ୍କ ଛଡ଼ା ସବରକର ଏବଂ ରାଣା ଅଭିଯୁକ୍ତ ହୋଇଥିଲେ। ସେମାନଙ୍କୁ ଏଥିରୁ ରକ୍ଷା କରିବାକୁ ଯାଇ କାମା ପ୍ୟାରିସ୍‌ର ବ୍ରିଟିସ୍‌ ଦୂତାବାସରେ ହାଜର ହୋଇ ଲିଖିତ ଭାବରେ ଏକ ସ୍ୱୀକାରୋକ୍ତି ଦେଇଥିଲେ ଯେ ସେହି ଅସ୍ତ୍ର ସେ ହିଁ ଭାରତ ପଠାଇଥିଲେ। କିନ୍ତୁ ଉକ୍ତ ସ୍ୱୀକାରୋକ୍ତିକୁ ବିଭିନ୍ନ କାରଣରୁ ଗ୍ରହଣ କରାଯାଇ ନ ଥିଲା। ଏହା ଥିଲା କାମାଙ୍କର ସାହସିକତାର ଜ୍ୱଳନ୍ତ ପ୍ରମାଣ। ଇତ୍ୟବସରରେ ଦ୍ୱିତୀୟ ମହାସମର ଆରମ୍ଭ ହୁଏ। ସେହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ଫ୍ରାନ୍‌ସରେ ରହି ମିତ୍ରପକ୍ଷ ସପକ୍ଷରେ ଲଢୁଥିଲେ। ଏହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ସହଯୋଗ ନ କରନ୍ତୁ ବୋଲି କାମା ସେମାନଙ୍କୁ ଚିଠି ଲେଖିଥିଲେ। ଏପରି କି ମାର୍ସେଲ୍‌ ଠାରେ ସେ ଭାରତୀୟ ସୈନ୍ୟମାନଙ୍କୁ ଆତ୍ମସର୍ମପଣ କରିବାକୁ ପ୍ରବର୍ତ୍ତାଇଥିଲେ; କାରଣ ସେହି ଯୁଦ୍ଧ ଭାରତୀୟଙ୍କ ସ୍ୱାର୍ଥରେ ନ ଥିଲା। ଏ ସବୁ ଖବର ପାଇ ବ୍ରିଟିସ୍‌ ସରକାର ଫରାସୀ ସରକାରଙ୍କ ଉପରେ ଚାପ ପକାଇ ଯୁଦ୍ଧ ସମୟ ତକ ତାଙ୍କୁ ଏକ ସ୍ଥାନରେ ଗୃହବନ୍ଦୀ କରି ରଖିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପୂରାପୂରି ଭାଙ୍ଗି ପଡ଼ିଥିଲା।

ମହାସମର ପରବର୍ତ୍ତୀ ସତର ବର୍ଷ ସେ ଭଗ୍ନ ସ୍ୱାସ୍ଥ୍ୟରେ ଫ୍ରାନ୍‌ସରେ କଟାଇଥିଲେ। ଅପେକ୍ଷାକୃତ ସୁସ୍ଥ ଥିଲା ବେଳେ ସେ ସବୁ ସହିଦ ସଂଗ୍ରାମୀ ଓ ସେମାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଓ ଦମ୍ଭ ଦେଇ ଆସିଥିଲେ। କିନ୍ତୁ ଏଣିକି ତାଙ୍କୁ ଆର୍ଥିକ ଦୁୁରବସ୍ଥା ମଧ୍ୟରେ ଗତି କରିବାକୁ ପଡ଼ିଥିଲା। ଅପମାନଜନକ ସର୍ତ୍ତ ରଖି ସେ ଦେଶକୁ ଫେରିବାକୁ ପୂରାପୂରି ଅନିଚ୍ଛୁକ ଥିଲେ। ଏଣେ ବାର୍ଦ୍ଧକ୍ୟ, ତେଣେ ଏକ ଗାଡ଼ି ଦୁର୍ଘଟଣାରେ ଆହତ ହୋଇ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତା’ ସହିତ ‘କାଟାରାକ୍‌ଟ’ ଅସ୍ତ୍ରୋପଚାର ପରେ ତାଙ୍କ ମୁହଁର ଏକ ଅଂଶରେ ପକ୍ଷାଘାତ ମଧ୍ୟ ହୋଇଯାଇଥିଲା। ବଳିଷ୍ଠ ଶରୀରର କାମାଙ୍କୁ ଏଣିକି ଆଉ ଚିହ୍ନି ହେଲାନାହିଁ। ତାଙ୍କ ଦୃଷ୍ଟିଶକ୍ତି ମଧ୍ୟ କମିବାରେ ଲାଗିଥିଲା। ଏହି ସମୟରେ ଆଚାର୍ଯ୍ୟ ହିଁ ଏକା ତାଙ୍କ ସେବା କରୁଥିଲେ। ଶେଷ ସମୟ ହେବା ଅନୁଭବ କରି ସେ ଭାରତ ଫେରିବାର ନିଷ୍ପତ୍ତି ନେଲେ। ରୁଗ୍‌ଣ ଶରୀରକୁ ସୁଧାରିବା ଲାଗି ସେ ବିଦେଶ ଯାଇଥିଲେ। କିନ୍ତୁ ତତୋଧିକ ରୁଗ୍‌ଣ ଶରୀର ନେଇ ସେ ଭାରତ ଫେରିଲେ। ସେହି ଅବସ୍ଥାରେ ବି ସରକାର ତାଙ୍କ ଠାରୁ କିଛି ସର୍ତ୍ତ ଲେଖାଇ ନେଇଥିଲେ। ୧୯୩୫ ମସିହାରେ ତାଙ୍କୁ ଜାହାଜରୁ ଅଣାଯାଇ ଏକ ପାର୍ସୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଦେଖିବାକୁ ସ୍ୱାମୀ ବା ଅନ୍ୟ ସମ୍ପର୍କୀୟ କେହି ଆସିନଥିଲେ। କିଛି ମାସ ହସ୍‌ପିଟାଲ୍‌ରେ ପଡ଼ି ରହି ୧୬ ଅଗଷ୍ଟ ୧୯୩୬ ମସିହାରେ ସେ ଦେହ ତ୍ୟାଗ କରିଥିଲେ। ଦୁଃଖର କଥା ଯିଏ ନିଜ ଜୀବନର ସବୁ କିଛି ଦେଶ ପାଇଁ ତ୍ୟାଗ କରିଗଲେ, ତାଙ୍କ ଉଦ୍ଦେଶ୍ୟରେ ଶୋକ ସଭାଟିଏ ମଧ୍ୟ ହୋଇନଥିଲା।

ଏହାର ବହୁ ବର୍ଷ ପରେ ୧୯୬୦ରେ ତାଙ୍କ ଜନ୍ମ ଶତବାର୍ଷିକୀର ଆୟୋଜନ ହୋଇଥିଲା। ସେହି ଅବସରରେ ନିଖିଳ ଭାରତ ନାରୀ ସମ୍ମିଳନୀରେ ତାଙ୍କ ପ୍ରତି ପ୍ରଣତି ଜ୍ଞାପନ କରାଯାଇଥିଲା ଓ ବମ୍ବେ କର୍ପୋରେସନ୍‌ ମହାରାଷ୍ଟ୍ର ସେକ୍ରେଟେରିଏଟ୍‌ ରୋଡ୍‌କୁ ମ୍ୟାଡମ୍‌ ଭିକାଜୀ କାମା ରୋଡ୍ ଭାବରେ ନାମିତ କରାଗଲା; ଆଉ ତାଙ୍କ ଛବି ବମ୍ବେ ଓ ପୁଣେର ବୀର ସବରକର ହଲ୍‌ରେ ଦେଖିବାକୁ ମିଳେ।
ମା’ କାମା! ତୁମକୁ ଶତକୋଟି ପ୍ରଣାମ।
ମୋ: ୯୯୩୮୮୯୩୪୪୫

ସମ୍ବନ୍ଧିତ ଖବର